Unknown

 

 

 

 

 

 

 

 

 

 

 

ତେଲ କଡ଼େଇ

କୁଳମଣି ମହାପାତ୍ର

 

ସୂଚୀପତ୍ର

 

୧.

ତେଲ କଡ଼େଇ

୨.

ସଂସ୍କାରବାଦୀ ଯୁବସଂସଦ

୩.

ମୋ ବୁଢ଼ୀ ବସ୍‌

୪.

କୋଚିଆ ରାଜ୍ୟ

୫.

ଏମରଜେନ୍‌ସି ବିପକ୍ଷରେ

୬.

ମିନି ହାକିମ

୭.

ରାସ୍ତ-ଗୋପୀ ଓ ଅସଲି ଉଦ୍ଧବ ସମ୍ୱାଦ

୮.

ଅଣ୍ଡିରୀପୁଅ ଛାତ୍ରସଂସଦ

୯.

ଅଧ୍ୟାପକ ପ୍ରିୟରଞ୍ଜନ

୧୦.

ସମ୍ପୂର୍ଣ୍ଣ ବିପ୍ଲବ

Image

 

ତେଲ କଡ଼େଇ

 

ଯମପୁର ଆଜି ସରଗରମ । କେତେ ପାପୀ ଏ ପୁରକୁ ଆସି ଦଣ୍ଡ ଭୋଗି ନାହାନ୍ତି । ମାତ୍ର ଧର୍ମରାଜାଙ୍କ ସଙ୍ଗେ ଜବାବସୁଆଲ କଲାଭଳିଆ ପାପୀ ଆଜି ପର୍ଯ୍ୟନ୍ତ ଆସି ନଥିଲେ । ଯମରାଜ ଆଖି ଆଗରେ ଟକମକ ଫୁଟୁଥିବା ହୋଇ ତେଲ କଡ଼େଇକି ଦେଖେଇ କହିଲେ ହେ ପାପୀ ପ୍ରବର, ଏଥର ଟିକିଏ ସାବଧାନ ହୋଇ କଥା କୁହ । ତୁମର ଦଣ୍ଡ ଏଇ ତତଲା ତେଲ କଡ଼େଇ । ଗୋଟାଏ ସେକେଣ୍ଡରେ ତୁମ ହାଡ଼ ସୁଦ୍ଧା ଏଥିରେ ମିଳାଇଯିବ । ସମ୍ମୁଖରେ ଥିବା ବିରାଟ ତେଲ କଡ଼େଇ ନର୍କପୁରୀର ଏକ ମଡ଼ର୍ଣ୍ଣ ‘ଅପ୍‌ଟୁଡ଼େଟ ମେଥଡ଼ ଅଫ୍‌ ଟର୍‌ଚରିଂ’ (Up-to-date method torturing), ଅତି ଭୟଙ୍କର, ଅତି ନିର୍ମମ । ଏଇ ତେଲ କଡ଼େଇରେ ଭାଜିବା ପାଇଁ ଧର୍ମରାଜଙ୍କୁ ପ୍ରତିବର୍ଷ ବଜେଟରେ ଏକ ସ୍ୱତନ୍ତ୍ର ଗ୍ରାଣ୍ଟ କରିବାକୁ ପଡ଼େ । କିନ୍ତୁ କମ୍‌ କଷ୍ଟ ଦେଇ ମାରିଦେବା କାମରେ ଏହା ଅଦ୍ୱିତୀୟ ।

 

ମନର ଭାବକୁ ମନରେ ରଖି ପାପୀ ପ୍ରବର କହିଲେ ସାର୍‌ (ପୂର୍ବ ଅଭ୍ୟାସାନୁସାରେ), ମୁଁ ଆପଣଙ୍କ ମୋଷ୍ଟ ଓବିଡ଼ିଏଣ୍ଟ ସରଭାଣ୍ଟ (most obedient servant) । ମର୍ତ୍ତ୍ୟରେ ମୁଁ ମୋର କର୍ତ୍ତ୍ୟବକୁ ଦକ୍ଷତା ସହିତ ପାଳନ କରି ଗୋଚ୍ଛାଏ ସାର୍ଟିଫିକେଟ୍‌ ପାଇଛି । କହିଲେ ବର୍ତ୍ତମାନ ଯାଇ ନେଇଆସିବି । ପ୍ରତି ମହଲରେ ମୋର ସୁନାମ । ମୋତେ ତେବେ ତେଲ କଡ଼େଇରେ ଭାଜିବାର ମତଲବ କଣ କିଛି ବୁଝିନାହିଁ । ତା’ହେଲେ କଣ କର୍ତ୍ତବ୍ୟପାଳନ କଲେ ଏହିପରି ପରିଣତି ଭୋଗ କରିବାକୁ ପଡ଼େ !

 

ଧର୍ମରାଜ ମୁରୁକି ହସି କହିଲେ, ବାବୁ ପାପୀପ୍ରବର, ତୁମେ ଯାହାକୁ କର୍ତ୍ତବ୍ୟ ବୋଲି କହୁଛ, ସେ ତ ପୂରା ଅକର୍ତ୍ତବ୍ୟ । ତୁମେ ତୁମର ଶାସନକାଳ ମଧ୍ୟରେ କେବଳ ତୈଳଜୀବୀମାନଙ୍କୁ ପ୍ରଶ୍ରୟ ଦେଲ । ଯେଉଁମାନଙ୍କର ନିଜ କର୍ତ୍ତବ୍ୟ ତୁଲାଇବାରେ ଦକ୍ଷତା ନାହିଁ, ସେମାନଙ୍କୁ ତୁମେ ଘରୋଇ ଚାକରପରି ଖଟାଇ ଭଲ C.C.R. ଦେଲ । ତୁମକୁ ଯେଉଁମାନେ ମିଛରେ ଟେକିଲେ, ସେମାନଙ୍କୁ ତୁମେ ମୁଣ୍ଡରେ ବସାଇଲ । ଅପଦାର୍ଥ ଲୋକଙ୍କ ଯେଉଁମାନଙ୍କ ଦ୍ୱାରା ଡିପାର୍ଟମେଣ୍ଟ ବଦନାମ ହୁଏ, ସେମାନଙ୍କୁ ପୋଷାକୁକୁର ପରି ଗେହ୍ଲାକଲ । ଏହାଦ୍ୱାରା ନ୍ୟାୟକଲ କି ଅନ୍ୟାୟ କଲ ?

 

ପାପୀପ୍ରବର ହସ୍ତଯୋଡ଼ି କହିଲେ, ସାର୍‌, ଏଥିରେ ଅନ୍ୟାୟର ନାଁ ଗନ୍ଧ ନାହିଁ । ମୁଁ ଜଣେ ଦେବଭକ୍ତ । ପ୍ରତିଦିନ ଜଗନ୍ନାଥଙ୍କୁ ପ୍ରଣାମ କରେ, ଅରବିନ୍ଦ ଦର୍ଶନ ଉପରେ ଅନେକଥର ଭାଷଣ ଦେଇଛି । ଶାସ୍ତ୍ର ପୁରାଣରୁ ମୁଁ ଯାହା ବୁଝିଛି ସେହିପରି କରିଛି । ଯଦି C.C.R. ସମୟରେ ଏମାନଙ୍କୁ ସାହାଯ୍ୟ କରି ନପାରିଲି, ତେବେ ପତିତପାବନ ବାନା ଆଉ କେତେବେଳକୁ । ମୁଁ ଏମାନଙ୍କୁ ଉଦ୍ଧାର ନକଲେ ଆଉ କରିବ କିଏ । ଏମାନେ ଭାସିଯିବେ ସାର୍‌ । ଯେଉଁମାନେ ମୋ ସୁଖ ପାଇଁ ନିଜର ମାନ ଇଜତ ବଳି ଦେବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ, ମୋ ସ୍ତ୍ରୀଙ୍କୁ ଖୋସାମତ କରିବାକୁ ସେମାନଙ୍କ ସ୍ତ୍ରୀମାନଙ୍କୁ ଆମ ଘରକୁ ପଠାନ୍ତି । ସେମାନଙ୍କୁ ମୁଁ ଦୂରେଇ ଦେବି କିପରି । ଭଗବାନ ମହାପାପୀଙ୍କୁ ଉଦ୍ଧାର କରନ୍ତି । ମୁଁ ତ ଏଥିରେ କେବଳ ଭଗବାନଙ୍କ ପଦାନୁସରଣ କରିଛି-। ମୋର ଦୋଷ ବା ହେଲା କେଉଁଠି ।

 

ଯମରାଜ ଘଡ଼ବଡ଼େଇ ଗଲେ । ଏ ମହାପାପୀ ତ ବଡ଼ ତରକା । ସେ ତ ଏଠି Politics ଖଞ୍ଜି ଦେଲାଣି । କଥାରେ କଥାରେ ମୋର Boss ଶ୍ରୀ ଭଗବାନଙ୍କ ନାଁ ବି ଧରି ପକାଇଲାଣି । ଭାବି ଭାବି କହିଲେ—ଦେଖ, ମିଷ୍ଟର ପାପୀ, ତୁମପରି ଛୋଟଲୋକ ମୁହଁରେ ଏତେ ବଡ଼ କଥା ଶୋଭାପାଏନା । ତୁମେ ହାଇକୋଟରୁ ଟପି ଏକାବେଳକେ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଗଲ ? ମୁଁ ତୁମ Boss ଙ୍କର Boss ହୋଇଥିଲେ ମଧ୍ୟ ତୁମେ ଓଲଟି ମୋ Boss ଙ୍କ ନାଁ ଧରିନେଲ । ବଡ଼ ଚାଲାକ ତୁମେ । କଳିଯୁଗରେ Boss ମାନେ ଏକମାତ୍ର ଉଦ୍ଧାରକର୍ତ୍ତା ବୋଲି ବୋଧେ ଜାଣିଯାଇଛି ।

 

ପାପୀପ୍ରବର ତତ୍‌କ୍ଷଣାତ କହିପକାଇଲା ହଁ ସାର୍, କଳିସନ୍ତରଣ ଗୀତାରେ ବସ୍‌ଙ୍କ (Boss) ଗୁଣ କୀର୍ତ୍ତନ କରାଯାଇଛି । ସେଥିରେ ସଜ୍ଞା କରାଯାଇଛି—ଯେ ବସ ଉଠ କରାଇପାରେ ସେ ବସ । ଯାହାର ମିଛ ସତ ଧାଡ଼ିଏ ଲେଖାରେ କୋଟି କୋଟି ପୁଣ୍ୟ ତଥା ସ୍ୱର୍ଗପ୍ରାପ୍ତି କିମ୍ୱା ୮୪ ନର୍କର ସନ୍ଧାନ ତଥା ଡିସ୍‌ମିସ୍‌ ରୂପକ ଗୁପ୍ତ ତତ୍ତ୍ୱ ନିହିତ ଅଛି ସେ ହେଉଛନ୍ତି ବସ୍‌ । ତାଙ୍କ ଲେଖାର ଏପରି ମହତ୍ତ୍ୱ ଯେ, ଉପର ସ୍ତରର ଦେବାଦେବୀ ଏପରିକି ନିଜେ ବିଷ୍ଣୁସାହେବ ଯଦି ଚାହାନ୍ତି ତେବେ ତାକୁ ବଦଳାଇବା ପାଇଁ ତାଙ୍କର ଯୁ ନାହିଁ ।

 

ଏଥର ଯମରାଜ ପୁଣି ରାଗିଗଲେ । ଧମକଦେଇ କହିଲେ କିହୋ, କଥାରେ କଥାରେ ମୋ ବସ୍‌ଙ୍କ ନାଁ ନ ଧଇଲେ ତୁମର ଭାତ ହଜମ ହେଉ ନାହିଁ ନା କଣ । ମର୍ତ୍ତ୍ୟରେ ଟାଉଟରୀ ଆଉ ବଦମାସୀ କରି ମୁହଁଜୋର ହୋଇଯାଇଛି ।

 

ହଁ ସାର୍‌, ପାପୀଟି ସବିନୟରେ କହିଲା—ମୁହଁ ଜୋର ନ ଥିଲେ ଆମ ମର୍ତ୍ତ୍ୟରେ ସମସ୍ତେ ମାଇଚିଆ ନାମରେ ଅଭିହିତ ହୁଅନ୍ତି । ଯେ ମୁହଁରୁ ଲାଜଛଡ଼ାଇ ଢୋ ଢା ବାଡ଼େଇଦିଏ ତାକୁ ଲୋକେ ଫରଓ୍ୱାଡ଼୍‌ ବୋଲି କହନ୍ତି । ଉପରେ ପଡ଼ି ଯେ କାମକଲା, ତାର ଡ୍ରାଇଭ୍‌ ଅଛି ବୋଲି କହନ୍ତି । ଘରଭିତରେ ପଶି ଯେ ଘରକାମ କରିଦେଲା ତାର ଇନ୍‌ସାଇଟ୍‌ ଅଛି ବୋଲି କହନ୍ତି । ବସ୍‌ଙ୍କ ପାଇଁ—ଯେ ଅନ୍ୟ କିଛି ବନ୍ଦୋବସ୍ତ କରିଦେଲା ତାର ଫାରସାଇଟ୍‌ ଅଛି ବୋଲି କୁହାଯାଏ-। ଯେ ଗୁଜବ ପ୍ରଚାର କରେ ତାକୁ ରିସୋର୍ସଫୁଲ କହନ୍ତି ।

 

ଯମରାଜ କହିଲେ, ଆରେ ଏ ତ ସବୁ ମୋତେ ନୂଆ ନୂଆ ଲାଗୁଛି । ତମେ ଏସବୁ ଜାଣିଲ କେଉଁଠୁଁ ? ମୁଁ ଆଜି ପର୍ଯ୍ୟନ୍ତ ଭାବିଥିଲି, ତୁମେ କେବଳ ତେଲିଆମାନଙ୍କୁ ପ୍ରଶ୍ରୟ ଦେଇ ମୋଗଲ ଦରବାରର ବିଳାସୀ ବାଦଶାହ ବନିଯାଇଛ । ମାତ୍ର ବର୍ତ୍ତମାନ ଦେଖୁଛି, ସେ ତେଲ ବିଦ୍ୟାର କିଛି ଫିଲସଫି ମଧ୍ୟ ଅଛି ।

 

ପାପୀ ସାହେବ, କଥାଟା ନିଜ ସପକ୍ଷରେ ଆସିବାର ଦେଖି ତାର ସୁବିଧା ନେବାକୁ ଚାହିଁ ମୁଣ୍ଡ ହଲାଇଲେ । ବାସ୍ତବିକ ସାର, ତୈଳ ବିଦ୍ୟା ଏକ ମାମୁଲି ବିଦ୍ୟା ନୁହେଁ । ଏହା ଲକ ସାଇନ୍‌ସ । ଆମ ମର୍ତ୍ତ୍ୟରେ ଏହା ଉପରେ ରୀତିମତ ଗବେଷଣା ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଆପଣ ଏ ବିଷୟରେ କିଛି ଜାଣନ୍ତି ନାହିଁ । ଯମ ହତୋତ୍ସାହ ହୋଇ ଚିତ୍ରଗୁପ୍ତଙ୍କ ଆଡ଼କୁ ଅନେଇଲେ । ଚିତ୍ରଗୁପ୍ତ ନୀରବରେ ମୁଣ୍ଡ ତଳକୁ କଲେ ଅର୍ଥାତ୍‌ ଅପ୍‌ଟୁଡ଼େଟ୍‌ ଖବର ତାଙ୍କ ପାଖରେ ନାହିଁ ।

 

ପାପୀବାବୁ କହିଲେ, ବଡ଼ ଦୁଃଖର କଥା ଯମ ସାହେବ, ଏ ଟେଲିଭିଜନ ଯୁଗରେ ଆପଣ ପଛେଇ ଯାଉଛନ୍ତି । ଆପଣ ଜାଣନ୍ତି, ତେଲବିଦ୍ୟା ଉପରେ ରିସର୍ଚ୍ଚ କରି କେତେ ଅଫିସର ଡାକ୍ତର ଡିଗ୍ରୀ ପାଇଗଲେଣି । ଜଣେ ଦିଜଣ ଡି.ଏସ୍‌.ସି ଓ ଡି. ଲିଟ୍‌ ମଧ୍ୟ ହୋଇଗଲେଣି । ଆଜି ଆଉ ତେଲିଆ ବୋଲି ନାଁ ମର୍ତ୍ତ୍ୟରେ ନାହିଁ । ସେମାନେ ବର୍ତ୍ତମାନ ଚାମ୍‌ଚା ନାମ ଧାରଣ କରିଛନ୍ତି । ମାପିକରି କଥା କହିବା, ବେଳଜାଣି ଗେଲେଇ ହେବା ଓ ଦେଖେଇ ହେବା ଇତ୍ୟାଦି ସୁକର୍ମମାନ ଆଉ ସାହିତ୍ୟରେ ନାହିଁ । ସେସବୁ ବିଜ୍ଞାନର ସମ୍ପଦ ହୋଇଗଲାଣି । ଆପଣ ଜାଣି ନାହାନ୍ତି—ଜଣେ ଡି.ଲଟ ପାଇଥିବା ଚାମଚା ଅଫିସର ଶୋଇଲାବେଳେ ବି ପ୍ୟାଣ୍ଟ ପିନ୍ଧନ୍ତି ଏବଂ ବସ୍‌ଙ୍କ ଡାକରା ପାଇଲାମାତ୍ରେ ଧାତିକାରେ ଉଠି ବିଦ୍ୟୁତ ବେଗରେ ଗତିକରି ଫଁ ଫଁ ନିଃଶ୍ୱାସ ମାରି ବସଙ୍କ ନିକଟରେ ଠିଆ ହୋଇଯାନ୍ତି । ଏ ଧଇସଇଁ ବେଶ ଦେଖିଲେ ବସ୍‌ ଭାରି ଖୁସି ହୁଅନ୍ତି ଓ ପିଠି ଥାପୁଡ଼ାନ୍ତି । ତାଙ୍କୁ ରାମଭକ୍ତ ହନୁମନ୍ତ ବୋଲି କହିଲେ ସେ ଖୁବ୍‌ ଖୁସି ହୁଅନ୍ତି ।

 

ପାପୀବାବୁଙ୍କ ଏକଥା ଯମରାଜାଙ୍କ ଏ କାନରେ ପଶି ସେ କାନରେ ବାହାରି ଯାଉଥାଏ-। ମର୍ତ୍ତ୍ୟରେ ଯେଉଁ ଘଟଣା ଘଯିଯାଉଛି, ତାହା କିପରି ଯମପୁରରେ ରେକଡ଼ିଂ ନ ହେଉଛି । ବସ୍‌ ବିଷ୍ଣୁ ଶୁଣିଲେ ଆଉ ତାକୁ ରଖିବେ ? ଡିଉଟିରେ ଖିଲାପ କରିବା ମହା ଅପରାଧ । ତହୁଁ ଯମରାଜା ଚିତ୍ରଗୁପ୍ତକୁ ଆଜ୍ଞା ଦେଲେ, ଯାଅ ତ ଗୁମାସ୍ତା ଏକ—ଦେଖତ ଆମ ରେକଡ଼ିଂ ମେସିନରେ କିଛି ଗଣ୍ଡଗୋଳ ହୋଇଛି କି ? ଯଦି କିଛି ବିଗିଡ଼ିଥାଏ, ସ୍ପେଶାଲ ଗ୍ରାଣ୍ଟ କରି ଟଙ୍କା ଦେବି । ତାକୁ ଅବିଳମ୍ବେ ସଜାଡ଼ିଦିଅ । ତା ନ ହେଲେ ଯମ ଶାସନର ବଦନାମ ହୋଇଯିବ । ହଁ, ଆମ ଦୂତମାନଙ୍କ ଭିତରୁ କେତେଜଣଙ୍କୁ ପଠାଅ, ସେମାନେ ମର୍ତ୍ତ୍ୟରେ ଥିବା ଚାମଚାମାନଙ୍କର ସନ୍ଧାନ ନେବେ । ଦରକାର ହେଲେ ଇଣ୍ଟରଭିଉ ପାଇଁ ଜଣେ ଦିଜଣଙ୍କୁ ଧରିଆଣ । ସବୁ ଖବର ରେକଡ଼ିଂ କରି ଛାଡ଼ିଦେଇ ଆସିବା । ଚିତ୍ରଗୁପ୍ତ ଯେ ଆଜ୍ଞା କହି ବିଦାୟ ନେଲେ ।

 

ଯମରାଜା ଏହାପରେ ମିଷ୍ଟର ପାପୀଙ୍କୁ ଚୌକି ଅର୍ପଣ କଲେ । ଯମପୁରରେ ଏହା ଏକ ଅଭିନବ ଘଟଣା । ତେଲ କଡ଼େଇରେ ପଡ଼ିବାକୁ ଆସୁଥିବା ପାପୀ ପୁଣି ଚୌକିରେ ବସିବାର ସମ୍ମାନ ପାଇଲେ ? ଯମ କହିଲେ ଦେଖ ବାବୁ, ତମେ ପୂର୍ବ ଅପମାନ ସବୁ ଭୁଲିଯାଅ । ଅବଶ୍ୟ ଗୁଡ଼ାଏ ପାପ କରିଛ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେସବୁକୁ regularise କରିବାର ଉପାୟ ହାମକୁ ମାଲୁମ ଅଛି । ତୁମେ ଏଇ ମୁହୂର୍ତ୍ତରୁ ରାଜସାକ୍ଷୀ ହେଲ । ଅର୍ଥାତ୍‌ ତୁମର ସବୁ ଦୋଷ କଟିଗଲା । ଏଣିକି ନିଜ କୀର୍ତ୍ତି ନିଜେ ବର୍ଣ୍ଣନା କର । ନିଜ ପାପ ନିଜ ମୁହଁରେ କହିଲେ ଦୋଷ କଟିଯାଏ ।

 

ପାପୀ କହିଲେ, ସାର୍‌ ଆପଣ ପୁଣି ସେଇ ଟେକ୍‌ନିକାଲ ମିଷ୍ଟେକ୍‌ କରୁଛନ୍ତି । ଆପଣ ଯାହାକୁ ଭାବୁଛନ୍ତି ପାପବୋଲି, ସେସବୁ ଆଜିକାଲି ମର୍ତ୍ତ୍ୟରେ ପୁଣ୍ୟ ବୋଲି ଧରାଗଲାଣି । ଆପଣଙ୍କର ଅଭିଯୋଗ ହେଲା ମୁଁ ଅପଦାର୍ଥମାନଙ୍କୁ ଉଚ୍ଚ ଆସନ ଦେଇ ପ୍ରତିଭା ସମ୍ପନ୍ନ ଲୋକଙ୍କୁ ଚାକିରିରୁ ତଡ଼ିଦେଉଛି । ଏଇଟା ତ ଆଜ୍ଞା ମୋଟେ ଅପରାଧ ନୁହେଁ ।

 

ମୁଁ ବରାବର ଦେଖିଆସିଛି, ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନେ ବରାବର ଏକଜିଦିଆ । ଖୋସାମତି ମରାମତି ମୋଟେ ତାଙ୍କଦ୍ୱାରା ହୋଇପାରିବ ନାହିଁ । ସେମାନେ ଚାକିରି କରିବେ ଅଥଚ ନିଜତ୍ୱ ଦେଖାଇବେ । ଏଇଟା କଣ ସ୍ପୃହଣୀୟ ସାର୍‌ ? ତା ଛଡ଼ା ଏ ମସ୍ତିଷ୍କବାଲାଙ୍କୁ ଚାକିରିରୁ ତଡ଼ିଦେବା ଦ୍ୱାରା ମୁଁ ଦେଶର ମହା ଉପକାର ସାଧନ କରୁଛି । ଯେଉଁ ବୁଡ଼୍‌ବକମାନେ ପଦଧରି ପଡ଼ିପାରିବେ ସେମାନଙ୍କୁ ଦାସ କରି ରଖିବାରେ କ୍ଷତି ନାହିଁ । ବରଂ ଚାକିରି ଛାଡ଼ି ଅନ୍ୟକ୍ଷେତ୍ରକୁ ଗଲେ, ଏମାନେ ସବୁ ଅସୁବିଧାରେ ପଡ଼ିବେ ଓ ପକାଇବେ । ଅନେକ ସମୟରେ କିନ୍ତୁ ଏମାନେ ଆଲସିସିଆନ୍‌ ପରି କାମ କରନ୍ତି, ମାତ୍ର ପ୍ରତିଭାଶାଳୀ ଲୋକେ ସବୁବେଳେ ଖାଲି ଗୋଟାଏ ବିବେକ ବିବେକ ହେଉଥାନ୍ତି । ଯେତିକି କାମ ଦିଆଯାଏ ସେତିକି କରନ୍ତି । ଅଧିକା କଣ କଲେ ବସ୍‌ ଖୁସି ହେବେ, ଏକଥା ସେମାନଙ୍କୁ ମାଲୁମ ନଥାଏ । ତେଣୁ ସେମାନଙ୍କୁ ମୁଁ ଚାକିରିଠାରୁ ଦୂରରେ ରଖିଛି । ସାର୍, ସେମାନେ ଚାକିରିଠାରୁ ଦୂରରେ ଥିଲେ ଭଲ । ତାଙ୍କ ଭାଷାରେ ସେମାନେ ଦେଶ ବିବେକର ଜାଗ୍ରତ ପ୍ରହରୀ । ଆମେ ସେ ମହାନ୍‌ ଆତ୍ମାକୁ ମାରିଦେବା ତ ଭଲ ହେବ ନାହିଁ ସାର୍‌ । ତାଙ୍କ ବଡ଼ ଆତ୍ମା ନେଇ ସେମାନେ ଥାନ୍ତୁ । ଚାକିରି କରିବା ପାଇଁ ତରତର ହେବା କଣ ଦରକାର । ଆପଣ ଯଦି ମୋତେ ଆଉ କିଛିଦିନ ମର୍ତ୍ତ୍ୟରେ ରଖି ଦେଇଥାନ୍ତେ, ତେବେ ଚାକିରିରୁ ଅବସର ନେବା ବୟସକୁ ମୁଁ ୪୦ ରେ ରଖିଦେଇଥାନ୍ତି ।

 

ଯମରାଜା କହିଲେ ମୁଁ ଦେଖୁଛି, ତୁମେ ଜଣେ ବାସ୍ତବିକ ପ୍ରଗତିବାଦୀ, ବିପ୍ଳବୀ ଓ ସଂସାରକ । ପାପୀଟି କୃତକୃତ୍ୟ ହେଲା । କହିଲା ସାର, ବାସ୍ତବିକ ବୁଦ୍ଧିଆ ଲୋକଙ୍କୁ ବାହାରେ ରଖିଲେ ବିପ୍ଳବ ନିଶ୍ଚୟ ହେବ । ସେଥିପାଇଁ ମୋ ଯୋଜନା ଥିଲା, ସେମାନଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଚାକିରିରେ ରଖି, ନାନାପୀଡ଼ନ ଓ ଅନ୍ୟାୟ ରୂପକ ନ୍ୟାୟ ଦ୍ୱାରା ସେମାନଙ୍କ ସ୍ୱାଧୀନ ମନୋବୃତ୍ତିକୁ ଦନ୍ଥରା କରି ତାପରେ କୋଚିଆ କରି ଛାଡ଼ଥାନ୍ତି । ତେଣିକି ପୁଏ ଭୁଆଁ ବୁଲୁଥାନ୍ତୁ । ଆପଣ ମୋତେ ଏ ମହାନ୍‌ ପୁଣ୍ୟକର୍ମ ବିହିତ କଲେ ।

 

ଯମ କହିଲେ ହେ ପାପୀବାବୁ, ବାସ୍ତବିକ ମୁଁ ଦୁଃଖିତ । ପୁଣ୍ୟ ଓ ପାପର ଧାରଣାଗୁଡ଼ାକ ଆଜିପର୍ଯ୍ୟନ୍ତ ଆମେଣ୍ଡମେଣ୍ଟ ହୋଇ ନ ଥିବାରୁ ସେଇ କୋଚଟ ଗନ୍ଧ ହେଉଥିବା ଧାରଣାକୁ ଆମେ ଧରିବସିଛୁ । ଆଶାକରେ, ତୁମେ ମୋତେ ଏଥିରେ ସାହାଯ୍ୟ କରିବ । ମୁଁ ସେ ପୁରୁଣା ପୋଥି ଓ ଫାଇଲକୁ ପୋଡ଼ି ସଫା କରିଦେବି । ଚିତ୍ରଗୁପ୍ତ ଇଂରେଜି ଜାଣି ନ ଥିବାରୁ ଅପଟୁଡ଼େଟ ଜିନିଷରେ ମୁଣ୍ଡ ପୂରାଇ ପାରୁ ନାହାନ୍ତି । କିନ୍ତୁ ବଡ଼ ବିଶ୍ୱାସୀ ଓ ନିଷ୍ଠାପର ଅଫିସର । ତାଙ୍କୁ ଚାକିରିରେ ଅବଶ୍ୟ ରଖୁଛି । ମାତ୍ର ତାଙ୍କ ଉପରେ ଜଣେ ଆଇ.ଏ.ଏସ୍‌ ଅଫିସରଙ୍କୁ ହୁକୁମ ଦେବା ପାଇଁ ରଖିବି ।

 

ପାପୀଟି କହିଲା ଯମରାଜ, ବାସ୍ତବିକ ତୁମର ହୃଦୟ କେଡ଼େ ଉଦାର । ସେଥିପାଇଁ ମୁଁ ଧନ୍ୟବାଦ ଦେବାକୁ ପ୍ରସ୍ତୁତ ଅଛି । ମାତ୍ର ମୋ ପ୍ରସ୍ତାବକୁ ସେକେଣ୍ଡ କରିବ କିଏ ? ଯମ କହିଲେ, ତମେସବୁ ଧନ୍ୟବାଦଗୁଡ଼ାକ ରିଜର୍ଭ କରି ରଖ । ଆମ ଯମପୁରୀର ସବୁ ଅପ୍‌ଟୁଡ଼େଟ ହୋଇଗଲା ପରେ ବହୁ ବିଲାତି ମିଜ୍ଜାସବାଲୀ ଲୋକଙ୍କୁ ସେକେଣ୍ଡ କରିବାକୁ ପାଇବ । ବର୍ତ୍ତମାନର ମୋର ପ୍ରଥମ କାମ ହେଲା, ଏ ତେଲ କଡ଼େଇକି ଏଠୁ ଉଠାଇବି ।

 

ନା ନା ସାର, ପାପୀଟି କହିଉଠିଲା, ସେ ଭୁଲ କରନ୍ତୁ ନାହିଁ । ହତ୍ୟା କରିବାର ଏତେ ସୁନ୍ଦର ମଡ଼ର୍ଣ୍ଣ ମେଥଡ଼କୁ ନଷ୍ଟ କରିଦେବେ ? ଆପଣ ଆଗରୁ ଯେଉଁମାନଙ୍କୁ ପୁଣ୍ୟବାନ ବୋଲି ମନେକରୁଥିଲେ, ଏବେ ପାପୀ ବୋଲି ଅଭିହିତ କରି ନୋଟିସ ଦେଇଦିଅନ୍ତୁ । ଯେଉଁମାନେ ତେଲ ମାରିବା ବିଦ୍ୟା ହାସଲ କରି ନ ଥିବେ, ସେଇମାନଙ୍କୁ ଏଥିରେ ପକାନ୍ତୁ ଆଉ ଆମପରି ପ୍ରଧାନ ପ୍ରଧାନ ତୈଳଜୀବୀମାନଙ୍କ ସେମାନଙ୍କୁ ଭାଜିବାର ସୁଯୋଗ ଦିଅନ୍ତୁ ।

 

ଯମ ଦୀର୍ଘ ନିଃଶ୍ୱାସ ତ୍ୟାଗକରି କହିଲେ ହେ ବିଖ୍ୟାତ ତୈଳଜୀବୀ, ମୁଁ ବହୁ ଲୋକଙ୍କୁ ଶାସ୍ତି ଦେଇଛି । ମୋର ସେଥିରେ ମୋଟ କ୍ଷୋଭ ନାହିଁ । ମାତ୍ର ନିଜ ଲୋକଙ୍କୁ ତେଲ କଡ଼େଇରେ ଭାଜିବା ପାଇଁ ଯେଉଁ ଆଗ୍ରହ, ତା ଦେଖି ମୋ ଦେହ ଶିହରି ଉଠୁଛି ।

 

ପାପୀ କହିଲେ, ଯମରାଜ । ତମେ ନିତାନ୍ତ ନିରାମିଷ ଲୋକ । ପଶୁହତ୍ୟା କରୁଛ, ଅଥଚ ମାଂସ ଖାଇବାକୁ କୁଣ୍ଠିତ । ଏ ସଂସାରରେ ନିଜର ଲୋକ କିଏ ? ଭଗବାନ କହିଛନ୍ତି, କରି କରାଉ ଥାଏ ମୁହିଁ । ତୈଳଜୀବୀମାନେ ହିଁ ବାସ୍ତବିକ କର୍ମବୀର । ଆଜି ଯେଉଁ ବସ୍‌କୁ ସେମାନେ ପୂଜା କରୁଛନ୍ତି, ଅନ୍ୟ ଜଣେ ବସ୍‌ ଆସିଲେ ୟାକୁ ଗୋଡ଼ରେ ଠେଲି ଦେବାକୁ ସେମାନେ ଲେଶମାତ୍ର କୁଣ୍ଠିତ ହେବେ ନାହିଁ । ଯେତେ ପ୍ରକାର ବସ୍‌ ଆସିଲେ ବି ୟାଙ୍କ ପାଲରେ ସମସ୍ତେ ପଡ଼ିବେ (ଅବଶ୍ୟ ଗଲାବେଳକୁ ଅଭିଶାପ ଦେଇ ଫେରିବେ) ଏମାନେ ନିର୍ବିକାର । କିଏ କାହା ବସ୍‌ । ସବୁ ସେଇ ଭଗବାନଙ୍କ ଲୀଳା ।

 

ଯମ ଏତେବେଳେ ବୁଝିଲେ ତେଲିଆମାନେ ବାସ୍ତବିକ୍‌ ଧର୍ମପ୍ରାଣ । ସେମାନେ ପଦ୍ମପତ୍ରରେ ପାଣି ସଦୃଶ ଢଳ ଢଳ, ନିର୍ଲିପ୍ତ, ନିର୍ମମ । ଅତଏବ ସେମାନଙ୍କୁ ତତଲାତେଲ କଡ଼େଇରେ ପକାଇବାକୁ ଚେଷ୍ଟା କରିବା ବଡ଼ ଅନ୍ୟାୟ ହୋଇଥାଆନ୍ତା ବରଂ ଯେଉଁମାନେ ତେଲିଆ ହୋଇପାରି ନାହାନ୍ତି ସେମାନଙ୍କ ପାଇଁ ଏହି ତେଲ କଡ଼େଇ ବ୍ୟବହାର କରିବା ଉଚିତ ।

 

ଏହାପରେ ଯମପୁରୀରୁ ଇସ୍ତାହାର ବାହାରିଲା । ପୁଣ୍ୟ ଓ ପାପର ଅର୍ଥ ପୂରା ବଦଳିଗଲା ବୋଲି ଘୋଷଣା କରିଦିଆଗଲା ।

 

-୨-

 

ଯମରାଜ ସେଦିନ ହଠାତ୍‌ ପହଞ୍ଚିଗଲେ, ଅଫିସରମାନେ ଆକସ୍ମିକ ପରିଦର୍ଶନ ବା Surprise visit କଲାପରି । ସେତେବେଳକୁ ପାପୀବାବୁ ତେଲ କଡ଼େଇ ପାଖରେ ଆଉ ଜଣେ ଲୋକକୁ ବସାଇ ନିଜେ ଅୟସ କରୁଥାନ୍ତି । ଯମରାଜଙ୍କୁ ଦେଖି ପାପୀବାବୁ ଘଡ଼ବଡ଼େଇ ଗଲେ । ଯମରାଜା ରାଗିକରି ପଞ୍ଚମ । ପାପୀ ରାଜାଙ୍କୁ ଧମକ ଦେଇ କହିଲେ ଏଇମିତି ତମେ ମର୍ତ୍ତ୍ୟରେ ଶାସନ ଚଳାଇଥିଲ ଆଉ ଉପର ମହଲରୁ ସାବାସ୍ ପାଉଥିଲ । ମନେରଖ ସମସ୍ତଙ୍କୁ ଠକିଲେ ବି ଯମ ହାବୁଡ଼ରୁ ତୁମକୁ ରକ୍ଷା ନାହିଁ । ତୁମେ ଯେମିତି ଡିଉଟିରେ ଖିଲାପ କରିଛ, ତୁମକୁ ଏଇ ତେଲ କଡ଼େଇରେ ବର୍ତ୍ତମାନ ଜିଅନ୍ତା ପକାଇ ମାରିବି ।

 

ପାପୀରାଜ ଡରିଗଲେ ବି ମୁହଁଫୁଟାଣି କରିବା ତାଙ୍କର ବହୁଦିନର ଅଭ୍ୟାସ । ସାହସ କରି କହିଲେ ଯମରାଜା, ମୋ କଥା ଟିକିଏ ଶୁଣିବା ହେଉନ୍ତୁ । ତାପରେ ପଛକେ ଦଣ୍ଡଦେବେ । ଆପଣ ମୋତେ ଏ ଡିଉଟିରେ ଯେମିତି ରଖାଇଛନ୍ତି, ମୁଁ ସେମିତି ଆଉ ଜଣକୁ ସେ ଡିଉଟିରେ ରଖାଇ ଦେଲି । ସାର୍‌, ଏ ତ ଆମ ମର୍ତ୍ତ୍ୟ ଭୁବନର ଅଭ୍ୟାସ । ଆମର ସବୁବେଳେ କଣ୍ଟ୍ରାକ୍‌ଟର, ତା ତଳକୁ ପେଟିକଣ୍ଟ୍ରାକ୍‌ଟର, ତା ତଳକୁ ଡବଲ ପେଟି, ତା ତଳକୁ ଚଉବଲ୍ଲପେଟି ଏଇମିତି ପିରାମିଡ଼ ଆକାରରେ ଉପରୁ ତଳକୁ ଖସିଆସେ । ଏଇଟା ଖରାପ କାମ ନୁହଁ ସାର୍‌ । ଏ ଉପାୟରେ କାମଟା ଜଲଦି ସରେ । ଜଣକ ମୁଣ୍ଡରୁ ଓହ୍ଲାଇ ଆଉ ଜଣକ ମୁଣ୍ଡକୁ ଏତେ ଶୀଘ୍ର ଯାଏ ଯେ, ଆପଣଙ୍କ ଇଲେକ୍‌ଟ୍ରିକ ପାବାର ତା ସହିତ ସମାନ ହେବନି । ସବୁ ଚଟାଚଟ୍‌ ।

 

ତମ ମୁଣ୍ଡଗଣ୍ଡି । ଘୁଷୁରୀ ଗୁଡ଼ବକ୍‌ କାହାଁକା । ଏଇମିତି ପ୍ରଥାରେ ତମେ ନାନା ଜାତି ସୃଷ୍ଟି କରିଛ । ଉପରବାଲା ତଳବାଲାଙ୍କ ଉପରେ କାମ ଲଦିଦେଇ ନିଶ୍ଚିନ୍ତ ହୋଇ ବସୁଛନ୍ତି । ଆଳାପ ପ୍ରଳାପରେ ସେମାନଙ୍କ ଦିନଯାଉଛି । ତଳବାଲା ଖଟି ଖଟି ମରୁଛନ୍ତି । ପ୍ରୋଲେଟେରିଏଟ୍‌ ଶ୍ରେଣୀ ଏହିପରି ଦେଶରେ ସୃଷ୍ଟି ହୁଏ ।

 

ପାପୀରାଜା ହାତ ମଳି ଦାନ୍ତ ନିକିଟି ତାଙ୍କ ଘାଗଡ଼ା ଗଳାକୁ ଯେତେଦୂର ସମ୍ଭବ ନରମ କରି କହିଲେ—ସାର୍‌ ଆପଣତ ଆମ ଦେଶ କଥା ସବୁ ଜାଣନ୍ତି ସାର୍‌ । କାପିଟାଲିଷ୍ଟ ଆଉ କମୁନିଷ୍ଟ ଭିତରେ କିନ୍ତୁ ଆମ ଦେଶଟା ଏକ ମଧ୍ୟବର୍ତ୍ତୀ ଅବସ୍ଥାରେ ଅଛି । ସେଠି ପ୍ରୋଲେଟେରିଏଟ୍‌ ନାହିଁ । କିନ୍ତୁ....

 

‘ଚୁପ୍‌କର’ । ଯମରାଜା ଦାବନ୍‌ ଦେଲେ । କହିଲେ ଏଇଥିପାଇଁ ତୁମକୁ ଲୋକେ ହଳୁ ବୋଲି କହନ୍ତି । କିଛି ନ ବୁଝି ନ ଶୁଝି ତମେ ବକ୍ତୃତା ଦେବାକୁ ପ୍ରସ୍ତୁତ । ପାପୀରାଜା ମୁଣ୍ଡ କୁଣ୍ଡାଇ କହିଲେ ସାର୍‌, ମର୍ତ୍ତ୍ୟପୁର ଛାଡ଼ି ଆସିଲାବେଳେ ମୋ ହଳୁ ଉପାଧିଟା ସେଇଠି ଛାଡ଼ିଦେଇ ଆସିଥିଲି । ଅଥଚ ଆପଣ ତାକୁ ଏ ଧର୍ମପୁରୀକୁ ନେଇ ଆସିଲେଣି । କିନ୍ତୁ ସାର୍‌, ଆପଣ ମୋତେ ହଳୁ ବୋଲି କହିଲେ ଦୁଃଖ ନାହିଁ । ଅମୁକ ପାତ୍ର, ସମୁକ ମିଶ୍ର, ତମୁକ ନନ୍ଦ ପରି ତଳିଆ କର୍ମଚାରୀମାନେ କହୁଥିଲେ ବୋଲି ସିନା ଚିଡ଼ୁଥିଲି । ଆପଣ ଯେତେବେଳେ କହିଲେଣି, ଏ ଶବ୍ଦର ମହତ୍ତ୍ୱ ବର୍ତ୍ତମାନ ବଢ଼ିଗଲା । ଏଣିକି ମର୍ତ୍ତ୍ୟରେ ଏ ଶବ୍ଦର ଜବର ଆଧ୍ୟାତ୍ମିକ ବ୍ୟାଖ୍ୟା ହେବ । ମର୍ତ୍ତ୍ୟରୁ ସବୁ କାରବାର ଏହିପରି ସାର୍‌ ।

 

ଯମରାଜା କିଞ୍ଚି୍‍ତ ଘାବୁରେଇ ଗଲେ । ପ୍ରତି କଥାରେ ଏ ଲୋକଟା ଉତ୍ତର ଦେଇପାରୁଛି । ଏଇଟା ତ ମହାଧୂର୍ତ୍ତ, ମୁଁ ୟାକୁ ହଳୁ ବୋଲି କଣ କହୁଛି । ପ୍ରକାଶ୍ୟରେ କହିଲେ, ହଉ ମିଷ୍ଟର ପାପୀରାଜ, ତୁମକୁ ଲୋକେ କାହିଁକି ହଳୁ ବୋଲି ଡାକନ୍ତି କୁହତ । ଘୃଣାରେ ଡାକନ୍ତି କି ସ୍ନେହରେ ଡାକନ୍ତି କି ଚିଡ଼େଇବାକୁ ଡାକନ୍ତି ଦୟାକରି କୁହତ; କିନ୍ତୁ ମୁଁ ନିଶ୍ଚିତ ଭାବରେ ଜାଣେ ତୁମେ ହଳକରି ଜାଣିଛ । ଅଥଚ ହଳ ନ କରିବି ତୁମେ ହଳୁ ! ପାପୀରାଜ କହିଲେ ସାର୍‌ ଏ ଶବ୍ଦର ତାତ୍ତ୍ୱିକ ଅର୍ଥ ଅଛି । ମୁଁ ଲଙ୍ଗଳ ଧରି ଜାଣି ନ ଥିଲେ ମଧ୍ୟ ଲଙ୍ଗଳ ଯେପରି ସବୁ ଜିନିଷକୁ ତାଡ଼ି ଏକାକାର କରିଦିଏ, ସେହିପରି ମୋ ବିଚାରରେ ଭଲ ମନ୍ଦ କିଛି ନାହିଁ, ଧର୍ମ ଅଧର୍ମ କିଛି ନାହିଁ, ନୀତି ଅନୀତି କିଛି ନାହିଁ । ଦରକାର ହେଲେ ପିଅନକୁ ଆଜ୍ଞା ଆପଣ କହି ଆଗେ ଦଣ୍ଡବତ ହୁଏ । ପୁଣି ଅଫିସରମାନଙ୍କୁ ପିଅନଙ୍କ ତଳେ ରଖିଦିଏ । ଯାହାଠାରୁ ଉପକାର ପାଏ, ତା’ରି କ୍ଷତି କରିବାକୁ ପଶ୍ଚାତ୍‌ପଦ ହୁଏନା । ଯାହାଠାରୁ ଖାଏ, ତା’ରି ଦୁଆର ମୁହଁରେ ରାତିରେ ଯାଇ ଦୁଇ କରିଦିଏ । ମୋ ବିଚାରରେ ଏ ସଂସାରରେ କେହି କାହାର ମିତ୍ର ନୁହେଁ, ସମସ୍ତେ ପରିଚିତ ବ୍ୟକ୍ତି ମାତ୍ର ।

 

ଯମରାଜ କହିଲେ ମିଷ୍ଟର ସାରୁ ପରିବା ନାହାକ ଘରୁ ତମେ ଯେପରି ଦି’ଓଳି ଚାହା ଜଳଖିଆ ଖାଅ, ସବୁ ପର୍ବପର୍ବାଣିରେ ଡାକ ନ ଡାକ ଯେପରି ଜୁଟିଯାଇ ଚକାମାଳି ପକାଇ ବସିଯାଅ, ବନ୍ଧୁବୋଲି ସମ୍ୱୋଧନ କର, ସେସବୁ କ’ଣ ଛଳନା ? ଚିତ୍ରଗୁପ୍ତ କିନ୍ତୁ ତାଙ୍କ ପାଞ୍ଜିରେ ବଢ଼ାଇ ଦେଇଛନ୍ତି ଯେ ତୁମେ ସାରୁବାବୁଙ୍କ ବନ୍ଧୁ ।

 

ସବିନୟରେ ପାପୀରାଜ କହିଲେ, ଆପଣଙ୍କ ଚିତ୍ରଗୁପ୍ତ ଆଉଟ୍‌ ଅଫ୍‌ ଡେଟ୍‌ ହୋଇଗଲେଣି ସାର୍‌ । ସେ ଏବେ ଖାଲି ଭୁଲ୍‌ ଖବର ଛାପୁଛନ୍ତି । ତାଙ୍କୁ ଅତିଶୀଘ୍ର ପେନ୍‌ସନ୍‌ ଦେଇ ମୋ ପୁଅକୁ ରଖାଇ ଦିଅନ୍ତୁ । ଦରକାର ବେଳେ ସେ ମୋଠାରୁ ମଧ୍ୟ ଅଧିକ ଗୁଣ୍ଡାମି କରିପାରିବ । ଦୁର୍ଦ୍ଦାନ୍ତ ଶତ୍ରୁକୁ ଜୟ କରିବ । ଯମଦୂତମାନେ ଯାହାକୁ ନ ପାରିବେ, ସେ ତାକୁ ଏକୁଟିଆ ଟେକି ଆଣିବ । ଆପଣଙ୍କ ଯମ ଭୁବନ ପାଇଁ ସେ ନିଶ୍ଚୟ ଗୋଟିଏ ଆସେଟ (Asset) ହେବ । ତା’ଛଡ଼ା ଏବେ ରାଜନୀତି ବି କିଛି କିଛି ଶିଖୁଛି ।

 

ଯମରାଜ କହିଲେ, ଆଚ୍ଛା, ସେ ସବୁ ପର କଥା । ମୋ ସାଙ୍ଗରେ କଥାବାର୍ତ୍ତା କରୁ କରୁ ପୁଅର ଆପଏଣ୍ଟମେଣ୍ଟ ପାଇଁ ସୁପାରିଶ କରିସାରିଲଣି । ତୁମେ ତ ବଡ଼ ଚାଲୁ ହୋ ହଳୁ । ହଉ ଛାଡ଼, ବର୍ତ୍ତମାନ ସେ ନାହାକ କଥା କୁହ । ବିଚରାକୁ ଏତେ ଶୋଷଣ କରି ମଧ୍ୟ ସେ ତୁମର ବନ୍ଧୁ ନୁହେଁ ବୋଲି କହୁଚ ।

 

ପାପୀରାଜ କହିଲେ ସାର୍‌, ସେ ନାହାକଟା ଗଧ ଭିତରେ ଗଧ । ଗଧପରି ସେ ଖଟେ ସତ, ମାତ୍ର ମୁଣ୍ଡରେ ତାର ମସଲା ନାହିଁ । ଯେଉଁ କାମପାଇଁ ସେ ଦରମା ପାଉଛି, ସେ କାମରେ ସେ ପୂରା ଅନୁପଯୁକ୍ତ । କେବଳ ଚାକିରି ରଖିବା ପାଇଁ ମୋ ଘରକାମ କରେ । ମୋତେ ଖୋସାମତ ନ କଲେ ସି.ସି. ଆରଟା ଏକଦମ୍‌ ଖରାପ ହୋଇଯିବ । ନିଜ ଦୁର୍ବଳତାକୁ ଘୋଡ଼ାଇବାକୁ ଯଦି ସେ କିଛି ମୋ ପାଇଁ ଖର୍ଚ୍ଚ କଲା, ତେବେ ଅନ୍ୟାୟ କେଉଁଠି ହେଲା । ସେଥିପାଇଁ ତାକୁ ମୁଁ ଉପ୍ରୋଧ କରେନା, ଲୁଟି କରି ଥାଏ । ତାର ଏହା ଭିତରେ ଚାରି ପାଞ୍ଚଥର ବଦଳି ହୋଇଛି । ମାତ୍ର ସବୁ ମୁଁ ବନ୍ଦ କରାଇ ଦେଇଛି । ଅଥଚ ଭଲ ଭଲ ଅଫିସରମାନେ ଯାଇଛନ୍ତି । ମୁଁ ପାଟି ଫିଟାଇ ନାହିଁ । ଏହାର କାରଣ ହେଛଛି ଏ ଗୁଡ଼୍‌ବୁକ୍‌ ଗଲେ ମୋ ଚିକ୍‌କଣଖିଆ ବନ୍ଦ ହୋଇଯିବ । ତାକୁ କେମିତି ଛାଡ଼ିଥାନ୍ତି ସାର୍‌ ।

 

ଯମରାଜ କହିଲେ ହଳୁବାବୁ । ତୁମର ଏତେ ପ୍ରତିଭା, ଏତେ ଦୂରଦୃଷ୍ଟି । ଅଥଚ ଲୋକେ ତୁମକୁ ହଳୁ କହି ଚିଡ଼ାଉଛନ୍ତି । ହଉ, ସେହି ହଳୁ ପଦବୀ ସହିତ ମୁଁ ଡାକ୍ତର ଡିଗ୍ରୀଟିଏ ଆଜିଠାରୁ ଯୋଡ଼ିଲି । ଆଜିକାଲି ତ ଏଇମିତି ଅନାହାରୀ ଡିଗ୍ରୀ ବହୁତ ଯୋଡ଼ାଯାଇଛି । ତୁମଠି ଯୋଡ଼ି ଦେଲେ କ୍ଷତି କଣ । ଏଣିକି ତୁମ ନାଁ ହେଲା ଡକ୍ଟର ହଳୁ । ପାପୀରାଜ କୃତକୃତା ହୋଇ ନତମସ୍ତକରେ ପଦବୀଟି ଗ୍ରହଣ କଲେ ।

 

ଯମ କହିଲେ ତୁମେ ଯେଉଁ ବାଗରେ କାମ କରୁଛ, ତାହାର ପତ୍ତା ଆମ ଚିତ୍ରଗୁପ୍ତଙ୍କୁ ସୁଦ୍ଧା ମିଳୁନାହିଁ । ତୁମ ପାପ ପାଇଁ ଏଥର ଅଭୟ ମିଳିଲା । ତୁମେ ଆଜିଠାରୁ ରାଜସାକ୍ଷୀ ହେଲ । ଏଥର ନିଜର ଗୁଣଗ୍ରାମ ବର୍ଣ୍ଣନା କର । ତୁମ ମୁହଁର ଧାରାବାହିକ ବିବରଣୀ ଶୁଣିବା ଦ୍ୱାରା ମର୍ତ୍ତ୍ୟର ମାନବ ସମାଜର ମହାଉପକାର ସାଧିତ ହେବ । ଏ ବିବରଣୀ ପୃଥିବୀରେ ରେଡ଼ିଓ ମାଧ୍ୟମରେ ପ୍ରଚାରିତ ହେବ । ତୁମର ତୈଳଚିତ୍ର ମଧ୍ୟ ଉଦ୍‌ଘାଟିତ ହେବ । ତୁମେ ଯୁଗପୁରୁଷ ନାମରେ ନାମିତ ହେବ ।

 

ଡକ୍ଟର ହଳୁ କହିଲେ, ସାର୍‌ ମୋ ଜୀବନରେ ଅମର କାହାଣୀକୁ ମୁଁ ବି ଭାଷାରେ ପ୍ରକାଶ କରିବି । ଏହା ସାତଖଣ୍ଡ ରାମାୟଣ ଓ ଅଠରଖଣ୍ଡ ମହାଭାରତକୁ ମଧ୍ୟ ଟପିଯିବ । ତେବେ ଅଳ୍ପରେ ଚୁମ୍ୱକରେ କେତେଟା ପଏଣ୍ଟ କହିଦେଉଛି । ସାର୍‌, ଏହା କହିସାରିଲା ପରେ ପୃଥିବୀରେ ମୋତେ ମହାପୁରୁଷ ବୋଲି ଲୋକେ କହିବେଟି ? ଯମରାଜ କହିଲେ ନିଶ୍ଚୟ । ତୁମେ ଜଣେ ଯୋଗଜନମ ମହାପୁରୁଷ । ଦିଅ ଜଲଦି ତୁଣ୍ଡଖୋଲ ।

 

ଡକ୍ଟର ହଳୁ ଆରମ୍ଭ କଲେ—

 

ଏଇ ଗୋଟିଏ ସାମାନ୍ୟ କଥାଟିଏ ନିଅନ୍ତୁ । ୟାଠାରୁ ବହୁତ ବଡ଼ ବଡ଼ କଥା ଅଛି । ମାତ୍ର ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପନ୍ତୁ । ଆମ ସହରର ଅଳ୍ପ ଦୂରରେ ଅତାଳତାଳ ବୋଲି ଯେଉଁ ଗାଁଟି ଅଛି ସେଠି ଓଲମି ପଣ୍ଡା ନାମରେ ଜଣେ କାଠ କଣ୍ଟ୍ରାକ୍ଟର ଥାନ୍ତି । ତାଙ୍କ ଭାଇ ଆମ ଅଫିସରେ କାମ କରେ । ଦିନେ ତା ଭାଇକୁ ମୁଁ ବିନା କାରଣରେ ଶୋଧିଲି । ତା ପରେ କଥାରେ ଅକଥାରେ ରାଗିଲି । ସସପେଣ୍ଡ କରିବି ବୋଲି ଧମକ ଦେଲି । ତା ପରେ କଥାରେ ଅକଥାରେ ରାଗିଲି । ସସପେଣ୍ଡ କରିବି ବୋଲି ଧମକ ଦେଲି । ପୁଣି ଦିନେ କହିଲି ତୋ ବଡ଼ଭାଇ ରାଇଟିଂପ୍ୟାଡ଼୍‌ ଆଣି ଖଟ ଯୋଗାଇ ହଜାର ଟଙ୍କା ପାଇଲି ବୋଲି ରସିଦ୍‌ ଲେଖିଦେ । ବିଚରା ସେହିପରି କଲା । ହଜାରଟି ଟଙ୍କା ମୋ ପକେଟକୁ ଗଲା । ମାତ୍ର ତା ଭାଇର ଅକ୍ଷର ନ ହୋଇ ତାହା ଯେ ମୋ କର୍ମଚାରୀର ଅକ୍ଷର ଏକଥା କିଏ ଜାଣୁଛି । ମୁଁ ଜାଣେ, ମୋ କର୍ମଚାରୀ ଜାଣେ ।

 

ଯମ କହିଲେ କି ବିପଜ୍ଜନକ ଲୋକ ହୋ ତୁମେ । ଅନ୍ୟ ଦସ୍ତଖରେ ହଜାରେ ଟଙ୍କା ମାରିନେଲ । ଡକ୍ଟର ହଳୁ କହିଲେ, ଆଗରୁ ସାର୍‌, ଏପରି କାରବାରରେ ମୋର ପ୍ରାକ୍‌ଟିସ୍‌ ଅଛି । ପ୍ରଥମେ ମୁଁ ମାଷ୍ଟରୀ କରୁଥିଲି । ପରେ ସିନା ସେ କାମ ପ୍ରତି ଘୃଣା ଆସିବାରୁ ଅଫିସର ହେଲି । ଉପର ମୁଣ୍ଡରେ ନ ରହିଲେ ସାର୍‌, ଟଙ୍କା ରୋଜଗାର ହୁଏନା । ମୁଁ ମାଷ୍ଟର ଥିବାବେଳେ ସେହି ସ୍କୁଲରେ ଗୋଟାଏ ରାତି ସ୍କୁଲ ଆରମ୍ଭ ହେଲା । ଆଜିକାଲିର କାରବାର ଜାଣୁଛନ୍ତି ସାର୍‌, ଘର ନାହିଁ, ମାଷ୍ଟର ନାହିଁ ସ୍କୁଲ ଆରମ୍ଭ । ସେଇଠୁ କଥା ହେଲା ଘଣ୍ଟାଏ ପଢ଼ାହେଲେ ୨୦ଟଙ୍କା ପାଇବ-। ମୁଁ ରୁଟିନକୁ ଆଖିଆଗରେ ରଖିଥାଏ । ଏଣେ ଦେଖୁଥାଏ କିଏ ଆସିଲା ନ ଆସିଲା । ଯଦି କେହି ନ ଆସିବାର ଦେଖେ, ସେଇଠି ମାରେ ଦସ୍ତଖତ । ସେଦିନ ନ ପଢ଼ାଇ ବି ୨୦ଟଙ୍କା ପାଏ । ଏମିତି କେତେ କୋଡ଼ି ରୋଜଗାର କରିଛି । ସେଇ ଟଙ୍କାରେ ସିନା କୋଠା ଖଣ୍ଡ କଲି । ତା ନ ହେଲେ ମାଷ୍ଟର ଚାକିରି, ଆଉ କୋଠା !

 

ଯମ କହିଲେ ହଁ ସତକଥା, ସେଦିନ ଚିତ୍ରଗୁପ୍ତ ମୋତେ କହୁଥିଲେ ମର୍ତ୍ତ୍ୟରେ ତୁମେ ବେମାନି ଧନରେ ଖଣ୍ଡିକୋଠା କରିଛ । ଯାହାହେଉ ତୁମେ ଜଣେ ଆଦର୍ଶ ଟାଉଟର, ସୁଦକ୍ଷ ସୁବିଧାବାଦୀ ଓ ଆଖିବୁଜା ଅପହରଣକାରୀ । ଭଲମନ୍ଦକୁ ସତରେ ତମର ଖାତିର ନାହିଁ ।

 

କୃତଜ୍ଞତାରେ ହଳୁଙ୍କ ମୁଣ୍ଡ ନଇଁପଡ଼ିଲା । ଯମରାଜାଙ୍କ ପାଖକୁ ଆଉ ଟିକିଏ ଲାଗିଆସି କହିଲେ । ସାର୍‌ ମୁଁ ମର୍ତ୍ତ୍ୟରେ ଅମର ହୋଇ ରହିବାର ସବୁ ବନ୍ଦୋବସ୍ତ କରିଆସିଛି । ସବୁ ସେଇ ଲୋକଙ୍କ ଧନ, ମୋର କେବଳ ହାତ ସଫେଇ ।

 

ହଳୁ ଆରମ୍ଭ କଲେ ମର୍ତ୍ତ୍ୟରେ ମୁଁ ଛୋଟିଆ କୋଣାର୍କଟିଏ ତିଆରି କରିଛି । ତାହା ହେଉଛି ଭୂତ କୋଠି । ତାକୁ ଲୋକେ ମୃତ୍ୟୁଭବନ ବୋଲି କହୁଛନ୍ତି । କାରଣ ତିଆରି ସରିବାର ପରଦିନ ଦେଖାଗଲା, ସେ ଘରେ କୁକୁରଟିଏ ମରି ପଡ଼ିଛି । ମୁଁ ବି ସେ ଘରକୁ ଭୂତମାନଙ୍କ ପାଇଁ ଉତ୍ସର୍ଗ କରି ଦେଲି । ଏବେ ଅନେକ ଗୁଡ଼ିଏ ଭୂତ ସେଠି ମେସ୍‌ କରି ରହୁଛନ୍ତି । ମୋର ବି ଦି’ ପଇସା ସେଠୁ ହୁଏ ।

 

କିପରି ? ଯମ ପ୍ରଶ୍ନ କଲେ । ହଳୁ କହିଲେ ଦୀପ ତେଜିଲେ ହାତ ତେଲିଆ । ଏକଥା ତ ସାର୍‌ ଆପଣ ଜାଣିଥିବେ । ଭୂତକୋଠିରେ କବାଟ ଲାଗିଲେ, ତେଣେ ଖଟ ଇତ୍ୟାଦି ରତ୍ପାନି ହୁଏ ବସରେ । ଏଇ ନାହାକ ସବୁ ଲଦାଲଦି କରେ । ବେଶୀ ନାହିଁ ସାର୍‌, ଟଙ୍କା ଦଶହଜାର ଭିତରେ ମାରିଛି । କିନ୍ତୁ ମୋ ପରିଶ୍ରମ ତୁଳନାରେ ଦଶହଜାର କିଛି ନୁହେଁ । ଲୋକମାନଙ୍କୁ ଏମିତି ଧପେଇଛି ଯେ ଘରକୁ ଦେଖିଲେ ସେମାନେ ମୋହିତ । ହିସାବ ଦେଖୁଛି କିଏ ।

 

ଯମ କହିଲେ ଡକ୍ଟର ହଳୁ । ଯାହା ତ ହେବାର ହେଲାଣି, କିଏ ତୁମକୁ ପୁଣି ମର୍ତ୍ତ୍ୟକୁ ଯିବାକୁ ପଡ଼ିବ । କାରଣ ସାରା ଯମପୁରଟା ତୁମ ଭାରାରେ ଏମିତି ଓଜନିଆ ହୋଇଗଲାଣି ଯେ ମୋର ଆଶଙ୍କା ହେଉଛି ଦିନେ ନା ଦିନେ ଏହା କୋଲାପ୍‌ସ (Collapse) କରିବ ।

 

ହଳୁବାବୁ କହିଲେ ତା’ହେଲେ ଭଲ ହେବ ସାର୍‌ । ଯେଉଁଦିନ ଯମପୁର କୋଲାପ୍‌ସ କରି ମର୍ତ୍ତ୍ୟରେ ମିଶିଯିବ, ସେଦିନ ଅସଲ ଗଣତନ୍ତ୍ରର ପ୍ରତିଷ୍ଠା ହେବ । ଯେଉଁଦିନ ମର୍ତ୍ତ୍ୟପୁରକୁ ଲୋକେ ଯମପୁର ବୋଲି କହିବେ, ସେ ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ସାର୍‌, ସେତେବେଳେ ଆପଣ ନିଶ୍ଚୟ ନିର୍ବାଚନରେ ଲଢ଼ିବେ । ମୁଁ କିନ୍ତୁ ଆପଣଙ୍କ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତ । ମୁଁ ଜାଣେ ଆପଣ ନିଶ୍ଚୟ ନିର୍ବାଚନରେ ଜିତିବେ ଓ ମୁଖ୍ୟମନ୍ତ୍ରୀ ହେବେ । ସାର୍‌, ତା’ହେଲ ମୋ ପୁଅକୁ ଖଣ୍ଡେ ମନ୍ତ୍ରୀ କରିଦେବେ ତ !

 

ଯମ ଏହାପରେ ପ୍ରସଙ୍ଗ ବଦଳାଇ ଦେଲେ । କାରଣ ତାଙ୍କ ଉପରକୁ କଥାଟା ଫେରି ଆସିଲାପରି ଲାଗିଲା । ଯମ ପଚାରିଲେ, ଆଚ୍ଛା ଡକ୍ଟର ହଳୁ, ତମେ ମାଷ୍ଟରୀ କାମ ଛାଡ଼ିଲ କାହିଁକି, ସେ ବିଷୟରେ ତ କିଛି କହିଲ ନାହିଁ । ସେଠି ତ ଦି’ପଇସା ବେଶ୍‌ ରୋଜଗାର କରୁଥିଲ ।

 

ହଁ, ସାର୍‌, ସତକଥା ଆରମ୍ଭ କଲେ । ହେଲେ ସାର୍‌, ସେଇଟା ନିତାନ୍ତ ନିରସ ନିରାମିଶ ଚାକିରି । ମାନ ଇଜ୍ଜତ ଯାହା ମିଳେ, ସବୁ ଉପର ଠାଉରିଆ । ଟୋକା ଚଣ୍ଡିଆଙ୍କ ସମ୍ପର୍କରେ ଆସିଲେ ବିପଦ । ସାର୍‌, ମରମ କଥା କଣ କହିବି । କେତେଥର ମାଡ଼ ଖାଇଯାଇଛି । ଶୋଧା ଶୋଧିତ ଦେହର ମଳି । ସେଗୁଡ଼ାକ ପ୍ରତି ମୋର ଖାତିର ନଥାଏ । ତା’ଛଡ଼ା ଅସଲ କଥା ହେଲା, ମାଷ୍ଟର ହେଲେ ବି ପଢ଼ାଇବା କଳାଟା ମୋତେ ମାଲୁମ ନଥିଲା । ତେଣୁ ମୋ କ୍ଳାସରେ ହୁଇସିଲ ବାଜୁଥିଲା । ଢେଲା ଆଉ କାଗଜ ପୁଡ଼ିଆ ପଡ଼ୁଥିଲା । ଯୋତା ଘସା ହେଉଥିଲା, ସାଇକେଲ୍‌ ବେଲ୍‌ ଗଡ଼େଇ ଦିଆଯାଉଥିଲା । କିନ୍ତୁ ଅଫିସର ହେଲାପରେ ଖାତିର ବଢ଼ିଯାଇଛି । ମୋ ପ୍ରତି ସମସ୍ତଙ୍କର ଡର । ଉପର ହାକିମଙ୍କର ସମ୍ପର୍କରେ ଆସି ସେମାନଙ୍କ ଧାରଣା ବି ବଦଳେଇ ଦେଇଛି-। ଏହି ସୁଯୋଗରେ ନିଜ ସଉକି ମେଣ୍ଟାଇବା ପାଇଁ କାହାରି ଯଦି ଟିକେ କ୍ଷତି କରିବାକୁ ଇଚ୍ଛା କରୁଛି, ତା’ କରି ହେଉଛି । ପଶୁତ୍ୱ ସାଧନ ପାଇଁ ଉପରି ହାକିମ ହେଲେ ବହୁତ ସୁବିଧା ସାର୍-। ରେସନେଲ ଆନିମଲ (Rational animal) କହିଲେ ଆନିମଲର ଗୁଣ ତ ଆମଠାରେ ମୁଖ୍ୟ-। ମୁଁ ବେଳେ ବେଳେ ପଶୁଙ୍କ ଧର୍ମ ପାଳନକରି ନିଜକୁ ଧନ୍ୟ ମନେ କରେ । ହେଁ ହେଁ-

 

ଯମ ଆଉ କହିବେ କ’ଣ । ସବୁ ରାଗ ତାଙ୍କର ଫସର ଫାଟିଗଲା । ଯୁକ୍ତି କି ଯୁକ୍ତି ତ ଠିକ୍‌ ମିଳିଯାଉଛି । ଏ ଲୋକର ପ୍ରତିଭା ଆଜି ପର୍ଯ୍ୟନ୍ତ ନ ବୁଝି ତାକୁ ତଳେ ଚାପି ରଖିଥିଲେ କାହିଁକି । ଏ ତ ବହୁତ ବଡ଼ ଲୋକଙ୍କ କାନ କାଟିଲାବାଲା । ୟେକୁ ପୃଥିବୀରେ ଡବଲ ପ୍ରମୋଶନ ଦିଆଗଲା ନାହିଁ କାହିଁକି । ମନେ ମନେ ଯମ ଖୋଜି ହେଲେ, ୟା କାଟର ଆଉ ଗୋଟା ଲୋକ ମର୍ତ୍ତ୍ୟରେ ମିଳିବ କି ନାହିଁ ।

 

ହଳୁ କହିଲେ, ସାର୍‌ ଯଦି ମର୍ତ୍ତ୍ୟକୁ ଯିବାପାଇଁ କହୁଛନ୍ତି । ତେବେ ନିଶ୍ଚୟ ଥରେ ଯିବି । କିନ୍ତୁ ସାର୍‌ ଆଗତୁରା ଟି.ଏ.ଟା ମିଳିଗଲେ, ସେଠି ଆଉ ବଖରା ଘର ତିଆରି କରିଦେଇ ଆସିବି । ମୁଁ ଖୁବ୍‌ ସଚ୍ଚୋଟ ବୋଲି ମର୍ତ୍ତ୍ୟରେ ଯେଉଁ ଧାରଣା ଅଛି, ତା’ରି ଆଢ଼ୁଆଳରେ ଆଉ କିଛି କରି ଦେଇ ଆସିଲେ ଚଳିବ । ତା’ଛଡ଼ା ଖାଲି କାଗଜରେ ଆପଣା ଗୋଟା ଦି’ଟା ଦସ୍ତଖତ କରି ଦେଇଥିବେ । କେତେଟାଙ୍କ ନାଁରେ ଓ୍ୱାରଣ୍ଟ ଦେଖାଇ ଚମକାଇ ଦେବି ଓ କିଛି ମାରିବାକୁ ଚେଷ୍ଟା କରିବି ।

 

ଯମ ଏତେବେଳକୁ ଗମ୍ଭୀର ହୋଇଗଲେଣି । ପ୍ରକାଶ୍ୟରେ କହିଲେ ତୁମକୁ କେଉଁଠିକି ପଠାଇବି । ସେଇକଥା ମୁଁ ଭାବୁଛି । ମର୍ତ୍ତ୍ୟକୁ ଗଲେ ସେଠି ହାହାକାର ପଡ଼ିଯିବ । ଭଲଲୋକ ଗୁଡ଼ାଙ୍କର ସର୍ବନାଶ କରିବ । ଏଠି ରହିଲେ ଯମପୁରୀର ପବିତ୍ରତା ନଷ୍ଟ ହୋଇଯିବ । ଏଠି ମଧ୍ୟ ନୂତନ କରି ଟାଉଟର ଶ୍ରେଣୀ ଗଢ଼ି ଉଠିବେ । ତୁମକୁ ତେବେ ଦ୍ୱିତୀୟ ତ୍ରିଶଙ୍କୁ ପଦ ଦେଇ ଅଧା ଆକାଶରେ ଝୁଲାଇ ରଖୁଛି । ତୁମେ ଯମପୁରୀର ତଳକୁ ଖସିଯାଅ । ମାତ୍ର ତୁମର ଅପବିତ୍ର ଶରୀର ପୃଥିବୀର ମାଟିକୁ ସ୍ପର୍ଶ ନ କରୁ ।

 

ତା’ପରେ ହଠାତ୍‌ ଗୋଟିଏ ପରିବର୍ତ୍ତନ ସ‌ୃଷ୍ଟି ହେଲା । ଯମରାଜ ହାତକୁ ପ୍ରସାରିତ କଲେ । ହଳୁ କ୍ରମେ ତଳକୁ ଖସିଲେ । ମାତ୍ର ପୃଥିବୀ ତାଙ୍କଠାରୁ ବହୁ ଦୂରରେ ରହିଗଲା । ସେଇଠି ରହି ସେ ଚିତ୍କାର କରିବାକୁ ଲାଗିଲେ । ଯମରାଜ କହିଲେ, ତାହା ହିଁ ତୁମର ଉପଯୁକ୍ତ ସ୍ଥାନ ।

 

-୩-

 

ଯମରାଜାଙ୍କ ମନଟା ବଡ଼ ଗୋଳେଇ ଘାଣ୍ଟି ହେଲା । ମାତ୍ର ତାର କାରଣ କିଛି ବୁଝି ହେଲା ନାହିଁ । ତେଣୁ ରାଜ୍ୟରେ ଥିବା ମନସ୍ତତ୍ତ୍ୱବିତ୍‌ମାନଙ୍କୁ ଡକାଗଲା । ଯେତେ କର୍ଣ୍ଣପିଚାଶୀ ଥିଲେ ସେମାନଙ୍କ ପାଖକୁ ଖବର ଦିଆଗଲା । ମନସ୍ତତ୍ତ୍ୱରେ ଅନର୍ସ ପାଇଥିବା ସବୁ କଲେଜ ପିଲାଙ୍କୁ ଡକାଗଲା । ବିଶେଷଜ୍ଞମାନଙ୍କର ମତ ନିଆଗଲା । ବିଶେଷଜ୍ଞମାନଙ୍କ ମତ ଏତେ ହେଲା ଯେ ଚିଠିର କାଗଜଗୁଡ଼ାକ ପର୍ବତ ପରି ଗଦା ହୋଇଗଲା । ସେଗୁଡ଼ାକ ଠୁଙ୍ଗାବାଲାଙ୍କୁ ବିକିବାଛଡ଼ା ଅନ୍ୟ ଉପାୟ ନ ଥିଲା । ଯମଙ୍କ ମନ କଥା ବୁଝିବାକୁ ସମସ୍ତେ ଫେଲ ମାଇଲେ । ଅନର୍ସ ପାଇଥିବା ପିଲାଏ କହିଲେ ଯମରାଜା ଯେଉଁ ପ୍ରଶ୍ନ ପଚାରୁଛନ୍ତି, ସେସବୁ କୋର୍ସ ବହିରେ ନାହିଁ । ଏ ସବୁ ଆଉଟ୍‌ ଅଫ୍‌ କୋର୍ସ । ତେଣୁ ମୌଖିକ ପରୀକ୍ଷା ବା ଭାୟାବେସ୍‌ ଏତେ କଡ଼ା କରିବା ଉଚିତ ନୁହେଁ ।

 

ଯମରାଜା ଭାବିଲେ ଆଜିକାଲି ସ୍ପେଶାଲିଷ୍ଟଗୁଡ଼ାକ ମଧ୍ୟ ଭେଜାଲ ବିଦ୍ୟା ପଢ଼ୁଛନ୍ତି । ତେଣୁ ରାଜନୀତିଜ୍ଞମାନଙ୍କୁ ଡକାଯାଉ । ସେମାନେ ଚଉଆଖିଆ । ସେମାନଙ୍କର ପ୍ରାକ୍‌ଟିକାଲ ଜ୍ଞାନ ଅଛି । ତହୁଁ ରାଜନୀତିଜ୍ଞମାନେ ଆସିଲେ । ଯମଙ୍କୁ ଜେରା କରାଗଲା । ଜଣେ ଧୂର୍ତ୍ତ ରାଜନୀତିଜ୍ଞ ହଠାତ୍‌ ପଚାରି ଦେଲେ ଆଜ୍ଞା, ଆପଣ କୌଣସି ମହାପୁରୁଷଙ୍କୁ ଦ୍ୱୀପାନ୍ତର ଦଣ୍ଡ ଦେଉଛନ୍ତି କି ? ଏହାପରେ ଯମରାଜାଙ୍କ ହଠାତ୍‌ ହଳୁଙ୍କ କଥା ମନେ ପଡ଼ିଗଲା । ବାସ୍ତବିକ୍‌ ହଳୁ ବାବୁ ଗଲେ କୁଆଡ଼େ ଅଧା ସ୍ୱର୍ଗରେ ରହି ଅର୍ଦ୍ଧମୃତ ଅବସ୍ଥାରେ ପଡ଼ିଥିବେ । କିଏ ଜାଣେ ହୁଏତ ମରିଯିବେଣି । ଉପରି ରୋଜଗାର ନଥାଇ ଲୋକଟା ରହିବ କିପରି । ମନେ ମନେ ରାଜନୀତିଜ୍ଞମାନଙ୍କୁ ଧନ୍ୟବାଦ ଦେଇ ଯମରାଜ ମଧ୍ୟ ସ୍ୱର୍ଗକୁ ଅଭିଯାନ କଲେ ।

 

ଯମରାଜା ମଧ୍ୟମ ସ୍ୱର୍ଗରେ ପହଞ୍ଚିଲାବେଳକୁ ଡକ୍ଟର ହଳୁ ମଧ୍ୟ ସ୍ୱର୍ଗର ଉନ୍ନତି ପାଇଁ ଯାଜନା ପ୍ରସ୍ତୁତ କରୁଥାଆନ୍ତି । କେଉଁଠି କୋଠାବାଡ଼ି ତିଆରି ହେବ । କେଉଁଠି ଶ୍ରମଦାନ କରାଯିବ, ଶ୍ରମଦାନ ବେଳେ କେଉଁ ନେତାମାନେ ଉପସ୍ଥିତ ରହିବେ ଓ କେଉଁ ଫଟୋଗ୍ରାଫର ଫଟୋ ନେବ ସେସବୁର ତଦାରଖ କରୁଛନ୍ତି । ଦେଖିଲାବେଳକୁ ହଳୁଙ୍କ ବିକଳିଆ କଣ୍ଠସ୍ୱର ଟିକେ ବଦଳିଗଲାଣି-। ଖଣ୍ଡିଆଖାବରା ହୋଇଥିବା ମୁହଁଟା ପୂରି ଆସିଲାଣି । ଗର୍ବରେ ଖାଲି ଗଁ ଗଁ ହେଉଛନ୍ତି । ବେଳେ ବେଳେ କିଳିକିଳା ରଡ଼ି ଛାଡ଼ୁଛନ୍ତି ।

 

ଯେଉଁଦିନ ଉପରୁ ଠେଲାଖାଇ ସେ ମଧ୍ୟମ ସ୍ୱର୍ଗକୁ ଖସି ଆସିଥିଲେ, ତାହାଥିଲା ଡକ୍ଟର ହଳୁଙ୍କ ଚରମ ବିପର୍ଯ୍ୟୟର ଦିନ । ଏକୁଟିଆ ଜୀବନଟା କେତେ ଦୂର୍ବାହ, ତାହା ଭାବି ମନଙ୍କୁ ମନ ଆତଙ୍କିତ ହୋଇ ଉଠୁଥିଲେ । ସେ ଭାବୁଥିଲେ, ‘‘ଲିଭିବ ଏଥିମୋର ଜୀବନ ଦୀପ’’ । ମାତ୍ର ଆଶ୍ଚର୍ଯ୍ୟ କଥା, ମଧ୍ୟମ ସ୍ୱର୍ଗରେ ମଧ୍ୟ ଜନବସତି ଅଛି । ବ୍ରିଟିଶ୍‌ ଅମଳର ଆଣ୍ଡାମାନ ନିକୋବର ସହିତ ତାହା ସମାନ ହେବ ବୋଲି ମନେ ମନେ ଭାବୁଥିଲେ । ସେ ମଧ୍ୟମ ସ୍ୱର୍ଗରେ ପାଦ ଦେଲାକ୍ଷଣି କେତେକ ସୁପୁରୁଷ ଜୋକପରି ତାଙ୍କଆଡ଼କୁ ଲାଗି ଆସିଲେ । ଏତେଦିନେ ଖଣ୍ଡେ ଦୀର୍ଘକାୟ ଖଣ୍ଡିଆଖାବରା ନେତା ପାଇଛୁ ବୋଲି କହି ସେମାନେ ନୃତ୍ୟ ଆରମ୍ଭ କଲେ । ରାଜପୁତ୍ର ଷ୍ଟାଇଲରେ ବାଳରଖିଥିବା ଜଣେ ବାଙ୍ଗରା ଗୋରାଲୋକ ମୁଚୁକୁନ୍ଦି ହସ ହସି ମୁଣ୍ଡ ତଳକୁ କରି ନମସ୍କାର ହେଲା ଓ କହିଲା, ଆପଣ ଚିନ୍ତା କରନ୍ତୁ ନାହିଁ ସାର୍‌ । ଆପଣଙ୍କ ପଦସ୍ପର୍ଶରେ ଏ ସ୍ଥାନ ମଧ୍ୟ ଦିନେ ତୀର୍ଥରେ ପରିଣତ ହେବ । ମୁଁ ତାହାର ପ୍ରାଥମିକ ବନ୍ଦୋବସ୍ତ ପ୍ରାୟ କରିସାରିଛି । ଆସନ୍ତୁ ପ୍ରଥମେ କିଞ୍ଚିତ୍‌ ଖେଚେଡ଼ି ସେବନ କରି ବିଶ୍ରାମ ନେବେ । ଆପଣ ଜାଣନ୍ତି ସାର୍‌, ମୁଁ ଖେଚେଡ଼ି ଖାଇବାକୁ ଓ ଖେଚେଡ଼ି ବୋଲି କହିବାକୁ ଭାରି ପସନ୍ଦ କରେ ।

 

ଡକ୍ଟର ହଳୁ କହିଲେ ହେ ପ୍ରିୟ ବୁଠିରାମ । ତୁମ ଯୋଜନା ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ । ବୁଠିରାମ କହିଲେ ସାର୍‌, ମୁଁ ଏଠି ଗୋଟିଏ ଚିନି ଦୋକାନ ଖୋଲିଛି । ଚିନିଦୋକାନ ଖୋଲିବା ପୂର୍ବରୁ ସ୍କୁଲଟିଏ ଓ କଲେଜଟିଏ ଖୋଲିବାକୁ ପଡ଼ିଲା । ପିଲାମାନଙ୍କ ରହିବା ପାଇଁ ହଷ୍ଟେଲଟିଏ ବନାଇବାକୁ ପଡ଼ିଲା । ହଷ୍ଟେଲରେ ସିନା ପିଲା ରହିଲେ ୩।୪ କ୍ୱିଣ୍ଟାଲ ଚିନି ବଜାରକୁ ଛାଡ଼ିହେବ । ଆପଣ ଜାଣୁଥିବେ ବ୍ୟବସାୟର ଉନ୍ନତି ପାଇଁ କିପରି ସ୍କୁଲ କଲେଜ ନିତାନ୍ତ ଦରକାର । ପ୍ରତି କିଲୋ ଚିନିରେ ୨ ଟଙ୍କା ଅଧିକ ନେଲେ, ୩ କ୍ୱିଣ୍ଟାଲ୍ ଚିନିରୁ ଅନ୍ୟୂନ ୬୦୦ ଟଙ୍କା, ବାର୍ଷିକ ୭୨୦୦ ଟଙ୍କା ନେଇ ହେବ । ୩ ବର୍ଷ ମଧ୍ୟରେ ୨୦ ହଜାର ଟଙ୍କା ଥୁଆ । ଏହିପରି ବ୍ୟବସାୟର ଅନ୍ୟାନ୍ୟ ଦୃଷ୍ଟିକୋଣ ମଧ୍ୟ ଅଛି ।

 

ଡକ୍ଟର ହଳୁ କହିଲେ ଧନ୍ୟ ବୁଠିରାମ, ଧନ୍ୟ ତୁମ ବୁଦ୍ଧି । ତୁମର ଏ ବୁଦ୍ଧିକୁ ତାରିଫ କରି ନ ପାରି ପୁରୁଣାକାଳିଆ ମରହଟା ଯମ ଏ ସ୍ଥାନକୁ ଯାହା ପଠାଇ ଦେଲେ, ଜଣାଯାଉଛି ଯମର ବୁଦ୍ଧିମାନ୍ଦା ଘଟିଲାଣି । ବୁଢ଼ା ମୁଣ୍ଡକୁ ଯୋଜନା ଫୋଜନା କିଛି ଜୁଟୁ ନାହିଁ ।

 

ବୁଠିରାମ କହିଲେ ସାର୍‌, ଯମଙ୍କୁ ନିନ୍ଦା କରି ଲାଭ ନାହିଁ । ସେ ତାଙ୍କ ଡିଉଟି କରନ୍ତୁ । ଆମେ ବି ଆମ ଡିଉଟି କରିବା । ମଧ୍ୟମ ସ୍ୱର୍ଗର ଅନୁନ୍ନତ ପିଲାଙ୍କ ପାଇଁ ବର୍ଷକୁ ଏକ ହଜାର ଟଙ୍କା ବୃତ୍ତି ଖଞ୍ଜିଦେଇ, ଖୁସିରେ ଅପହରଣ କରିହେବ । ଆପଣ ତ ବଡ଼ଲୋକ, ବହୁତ ପ୍ରକାର ଦସ୍ତଖତ ଶିଖିଥିବେ । ପିଲା ନାଁଟା ଆପଣ ହସ୍ତାକ୍ଷରରେ ବିଭିନ୍ନ ଷ୍ଟାଇଲରେ ଲେଖିଦେଲେ; ନଗଦ ଏକ ହଜାର ମିଳିଯିବ । ଏହିପରି ୧୦ଟି ପିଲାଙ୍କ ନାମରେ ଆମେ ବାର୍ଷିକ ୧୦ ହଜାର ପାଇବା । ଚେଷ୍ଟା ଚରିତ୍ର କରି ଏଠାରେ ୪ ବର୍ଷ ରହିଲେ ୪୦ ହଜାର ହାତପୈଠ ହୋଇପାରିବ । ଏସବୁ ନୂତନ ଯୋଜନାର ଗୋଟିଏ ଗୋଟିଏ ସ୍କିମ୍‌ । ଡକ୍ଟର ହଳୁ କହିଲେ ବୁଝିଲ ବାପ ବୁଠିରାମ, ଇଂରେଜୀରେ କଥା ଅଛି—Great men think alive. ମୁଁ ତ ମର୍ତ୍ତ୍ୟରେ ଏହିପରି କେତେକାମ କରିଛି ବର୍ତ୍ତମାନ ତୁମ କାମ ସହିତ ମୋ କାମର ଅଦ୍ଭୁତ ସାମ୍ୟ ଅଛି ଦେଖିଲ ? ମୁଁ ତେବେ ଯମପୁରର ପ୍ରମୋଶନରେ ଏଠିକି ଆସିବାଟା ଭଲ ହେଲା । ଯମର ପ୍ରତ୍ୟକ୍ଷ ଦୃଷ୍ଟି ଏଠି ନାହିଁ । ଯାହା କଲେ ଏଠି ଚଳିଯିବ ।

 

ଡକ୍ଟର ହଳୁଙ୍କର ହଠାତ୍ ଯମଙ୍କ ଉପରେ ନଜର ପଡ଼ିଗଲା । ଛାତିରେ ଛକ୍‌ କରି ସତେ ଅବା ବିଜୁଳି ମାରିଦେଲା । ଡକ୍ଟର ହଳୁ ଚିତ୍କାର କରି କହିଲେ ପଡ଼ିଯିବ କି ଆଉ । ଯମରାଜା ସାନ୍ତ୍ୱନା ଦେଇ କହିଲେ ବସ୍‌ ହଳୁ । ବୃଥା ନର୍ତ୍ତ ସେ ନାହିଁ କାର୍ଯ୍ୟ । ତୁମେ ଜଣେ କରିତ୍‌ କର୍ମା ସୁପୁରୁଷ । ତୁମକୁ ଯେଉଁଠାକୁ ଦେଲେ ବି ତୁମେ ଅଳସୁଆ ହୋଇ ବସିବ ନାହିଁ । ଏଥିରେ ମୋର ହୃଦବୋଧ ହୋଇଛି ଧନ୍ୟ କର୍ମୀ ।

 

ସୌଜନ୍ୟ ଦେଖାଇ ହଳୁ କହିଲେ ଏତେଦିନ ଆପଣଙ୍କର ମନେପଡ଼ିଲା ଯମ ସାର୍‌ । ଆପଣ ମୋତେ ମଧ୍ୟମ ସ୍ୱର୍ଗକୁ ହଳ କରିବାକୁ ପଠାଇ ଦେଲେ । ମୁଁ ଚଷି ଚଷି ଯାହାକିଛି ପାଇଛି, ସବୁ ଦେଶର ଉନ୍ନତି ଲାଗି ଖର୍ଚ୍ଚ କରୁଛି । ଦେଶ ପ୍ରେମ ଗୁଡ଼ାକ ପଚପଚ ହୋଇ ଲାଭ ପରି ମୋ ନାକକାନ ବାଟେ ପିଚକି ପଡ଼ୁଛି । ଆପଣଙ୍କ ଅନୁମତି ନ ନେଇ ଏହି ମଧ୍ୟମ ସ୍ୱର୍ଗକୁ ଏକ ଶିଳ୍ପ ପ୍ରଧାନ ସହରରେ ପରିଣତ କରିବାର ଯୋଜନା ମୁଁ କରି ସାରିଲିଣି ।

 

କି ଶିଳ୍ପ ? ଏଠି ପୁଣି କି ଶିଳ୍ପ ସମ୍ଭବ ହୋଇପାରେ । ବିନା କଞ୍ଚାମାଲରେ ଶିଳ୍ପ ? ଆଚ୍ଛା, ତୁମ ପ୍ରଧାନ ଶିଳ୍ପର ନାଁଟା ଆଗ କୁହତ । ଡକ୍ଟର ହଳୁ କହିଲେ—ଏଠାରେ ‘‘ଅପରାଧୀ ଶିଳ୍ପ’’ କାରଖାନାଟିଏ ଖୋଲୁଛି । ଅପରାଧୀ ଶିଳ୍ପ ପୁଣି କଣ ? ଯମରାଜାଙ୍କ ମୁଣ୍ଡ ବୁଲାଇ ଦେଲା, ବହୁ ପ୍ରକାର ଶିଳ୍ପର କଥା ସେ ଜାଣନ୍ତି । ମାତ୍ର ଅପରାଧୀ ଶିଳ୍ପର ନାଁ କେବେ ହେଲେ ଶୁଣିଲା ପରି ତାଙ୍କର ମନେ ହେଉନି । ଯମଙ୍କ ପରି ଉଚ୍ଚ ପଦସ୍ଥ କର୍ମଚାରୀ ଶିଳ୍ପର ନାଁ ଶୁଣି ନାହାନ୍ତି ବୋଲି କହିଲେ କମ୍‌ ଅପମାନ ହେବ ନାହିଁ । ତେଣୁ ମନର କଥା ମନରେ ଚାପିରଖି ଜୋର ଜବରଦସ୍ତ ମୁହଁକୁ ଫାଡ଼ି ହସିବାକୁ ଚେଷ୍ଟା କରେ । ତାଙ୍କ ମୁହଁର ପ୍ରସନ୍ନତାରୁ ଜଣାଯାଉଥିଲା, ସତେ ଯେପରି ସେ ଅପରାଧୀ ଶିଳ୍ପ କଥା ଶୁଣି ବିଶେଷ ସନ୍ତୁଷ୍ଟ ।

 

ପ୍ରକାଶ୍ୟରେ ବଡ଼ ଅଫିସରଙ୍କ ଗମ୍ଭୀରତା ରକ୍ଷା କରି କହିଲେ, ହଉ ସେ ଶିଳ୍ପର ବିକାଶରେ କ’ଣ କ’ଣ କରିଛ ବର୍ଣ୍ଣନା କରି କୁହ । ଡକ୍ଟର ହଳୁ କହିଲେ ଏହି ଶିଳ୍ପ ବର୍ତ୍ତମାନ ତାର ବାଲ୍ୟାବସ୍ଥା ଟପି ନାହିଁ । ତଥାପି ଆମେ ବାର୍ଷିକ ୩ ହଜାର ୮ ଶହ ୩ ଜଣ ଅପରାଧୀ ତିଆରି କରିବାକୁ ସମର୍ଥ ହୋଇପାରୁଛୁ ।

 

ଯମରାଜା ଆତଙ୍କିତ ହୋଇ ଉଠିଲେ । କୌଣସି ଯୋଜନା କରି ଅପରାଧୀ ସୃଷ୍ଟି କରିବା ଚିନ୍ତାକୁ ସହଜରେ ହଜମ କରି ପାରିଲେ ନାହିଁ । ଅପରାଧ ନିରୋଧ ଆଇନ୍‌ ମର୍ତ୍ତ୍ୟରେ ପାଶ୍‌ ହେଲାବେଳକୁ ମଧ୍ୟମ ସ୍ୱର୍ଗରେ ଅପରାଧୀ ମେସିନ୍‌ ବସିବା ବାସ୍ତବିକ ବଡ଼ କୌତୁହଳର କଥା ।

 

ହଳୁ ଆରମ୍ଭ କଲେ—

 

ଅପରାଧ କରିବା ଏକ ମାନବିକ ପ୍ରବୃତ୍ତି । ତେଣୁ ଅପରାଧର ସମସ୍ତ ପଥ ରୁଦ୍ଧ କରିଦେଲେ ପୃଥିବୀରେ ମାନବିକତା ଲୋପ ପାଇଯିବ । ଇଚ୍ଛା ଅନୁସାରେ ଅପରାଧ କରି ନ ପାରିଲେ ମନରେ ସେହି ଚିନ୍ତା ରହି ମନକୁ ଆନ୍ଦୋଳିତ କରିବ । ତେଣୁ ପୃଥିବୀରେ ବହୁ ହୃଦରୋଗୀ ଓ ମନସ୍ତତ୍ତ୍ୱଗତ ରୋଗୀ ବାହାରିବେ । ସେଥିପାଇଁ ଅପରାଧ କରିବା ପାଇଁ ସମ୍ୟକ ଉତ୍ସାହ ଦେବା ଦରକାର । ହଳୁ କହିଲେ ଯମରାଜ, ଆପଣ ଖରାପ ଭାବିବେ ନାହିଁ ଆପଣଙ୍କ ଯମପୁର ଏକ ଧର୍ମ ପୁରରେ ପରିଣତ ହେବାକୁ ଯାଉଛି । ଅପରାଧ କରିବାକୁ କୌଣସି ସାହାଯ୍ୟ ଆପଣଙ୍କ ପାଖରୁ ମିଳୁ ନଥିବାରୁ ଯମପୁର ଏକପ୍ରକାର ଅଚଳ ଅବସ୍ଥାକୁ ଆସିଗଲାଣି । ତପ୍ତ ବୈତରଣୀ ଶୁଖିଯିବାକୁ ବସିଲାଣି । ଶିମିଳିଗଛର କଣ୍ଟାସବୁ ପୋରିଆ ହୋଇ ଝଡ଼ି ପଡ଼ିବାକୁ ବସିଲାଣି । ଦୋଷୀମାନଙ୍କୁ ଦଣ୍ଡ ଦେବାପାଇଁ ଆପଣ ଯେଉଁ ଘାତକ ଓ କଷ୍ଟଦାୟକମାନଙ୍କୁ ରଖିଛନ୍ତି, ସେମାନେ ସୁସ୍ଥରେ ଗଛ ଛାଇରେ ବସି ଢୁଳାଉଛନ୍ତି । ଦେଖିବେ ଦିନ ଆସିବ ଆପଣଙ୍କ ଯମପୁରର ସମସ୍ତ କାରଖାନା ଗୁଡ଼ିକରେ ଅଚଳ ଅବସ୍ଥା ସୃଷ୍ଟି ହୋଇଯିବ । ତା’ପରେ ଆପଣଙ୍କ ବସ୍‌ ଶ୍ରୀ ଭଗବାନ ଯେତେବେଳେ ଦେଖିବେ ଯମପୁରରେ ଆଉ କାମ ନାହିଁ, ସେତେବେଳେ ସେ ଆପଣଙ୍କୁ ବରଖାସ୍ତ କରିପାରନ୍ତି ।

 

ବରଖାସ୍ତ ? ଯମ ଚମକି ପଡ଼ିଲେ ।

 

ହଳୁ କହିଲେ, ହଁ ସାର୍‌ । ବରଖାସ୍ତ ହେବାଟା ବଡ଼ କଥା ନୁହେଁ । ମାତ୍ର ଯମପୁର କୋଲାପ୍‌ସ୍‌ କଲାପରେ ଏତେଦିନର କର୍ମଚାରୀଙ୍କୁ ତଡ଼ି ନଦେଇ ମଧ୍ୟମ ସ୍ୱର୍ଗକୁ ବଦଳି କରି ଦେଇପାରନ୍ତି ।

 

ଯମ କହିଲେ, ତୁମପରି ପାପୀ କେଉଁ ମଧ୍ୟମ ସ୍ୱର୍ଗରେ ଅଛନ୍ତି । ମୋର ସେଇଠିକି କିପରି ବଦଳି ହେବ ବୋଲି ଭାବୁଛି । ହଳୁ କହିଲେ ଆପଣଙ୍କ ଅନୁମାନ ଯଥାର୍ଥ ସାର୍‌ । ମୋ ଭଳି ପାପୀ ଓ ଆପଣଙ୍କ ପରି ପୁଣ୍ୟାତ୍ମା ରହିଲେ ସିନା ବାଲାନ୍‌ସ ରହିବ । ତା ନ ହେଲେ ପାପ ଭାରରେ ଦବି ଦବି ଆମ ମଧ୍ୟମସ୍ୱର୍ଗ ମର୍ତ୍ତ୍ୟରେ ଯାଇ ଲାଗିଯିବ ଏବଂ ଆପଣଙ୍କ ଯମପୁର ପୁଣ୍ୟରେ ହାଲୁକା ହୋଇ ଆକାଶର କେଉଁ ଉପରକୁ ଉଠି ବେଲୁନ୍‌ ପରି ଶୂନ୍ୟରେ ବୁଲୁଥିବ ।

 

ଯମ କହିଲେ ତେବେ ଗୋଟାଏ କିଛି ଉପାୟ କରିବାକୁ ପଡ଼ିବ । ହଳୁ କହିଲେ, ସେଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣଙ୍କ ପରି ଲୋକ ପୁଣ୍ୟର ମୁଖା ଧରି ବସିଲେ ଆମେ ଆପଣଙ୍କ ନାଁରେ ଯାଇ ବହୁତ କିଛି ସାଙ୍ଗଠନିକ କାମ ଗୁପ୍ତରେ କରି ଦେଇପାରିବୁ । ଅପରାଧୀ ଶିଳ୍ପ କାରଖାନାରେ ଆମେ ଅନେକ ବିଭା ମଧ୍ୟ ଏଥିଭିତରେ ଖୋଲି ଦେଇଛୁ । ଅପରାଧୀ ଶିରୋମଣିମାନଙ୍କୁ ଆର୍ଟିଷ୍ଟ ଅପରାଧୀ, ଅଫିସର ଅପରାଧୀ, ସୁପରିଟେଣ୍ଡେଣ୍ଟ ଅପରାଧୀ, ବ୍ୟବସାୟୀ ଅପରାଧୀ ଓ ମାଷ୍ଟର ଅପରାଧୀ ନାମରେ ନାନା ଉପାଧିରେ ଭୂଷିତ କରିବା ପାଇଁ ଆମର ଯୋଜନା ରହିଛି । ଆପଣଙ୍କ କାରଖାନାରେ ତାଲାପଡ଼ିଗଲେ ଆପଣ ଆପଣଙ୍କ ରାଜଧାନୀକୁ ଏଠାକୁ ଉଠାଇ ଆଣିବେ । ସାର୍‌, ଏତେବଡ଼ ଦକ୍ଷ ଅଫିସର ହୋଇ ମଧ୍ୟ କେବଳ ଇମାଜିନେସନ (Imagination) ଅଭାବରୁ ଏତେବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ଆପଣଙ୍କ ବସ୍‌ଙ୍କର କୃପା ନ ଥିଲେ ଏତେବେଳକୁ ୧୦।୧୨ ଥର ସସପେଣ୍ଡ ହୋଇ ସାରନ୍ତେଣି ।

 

ଯମ କହିଲେ ସସପେଣ୍ଡ କଣ ?

 

ଯମଙ୍କ ଅଜ୍ଞତା ଦେଖି ଡକ୍ଟର ହଳୁ ହସିଲେ—କହିଲେ ସାର, ଅପରାଧୀ ଶିଳ୍ପର ଏହା ହେଲା ପ୍ରଥମ ସୋପାନ । ସରଳ ଓ ନିଷ୍ଠାପର ଅଫିସରମାନଙ୍କୁ କେବଳ ସସପେଣ୍ଡ କରାଯାଏ । ସସପେଣ୍ଡ କରିବା ଅର୍ଥ ବାଧ୍ୟତାମୂଳକ ଭାବରେ ଖୋଇପେଇ କିଛିଦିନ ପରେ ବସାଇ ଦେଖ । ମାତ୍ର ସାର୍‌, ଭଲ ଲୋକମାନେ ଏହି ସସପେଣ୍ଡ କାମକୁ ଭଲକରି ଗ୍ରହଣ କରନ୍ତି ନାହିଁ । ସେମାନେ ବିଦ୍ରୋହୀ ହୋଇଉଠନ୍ତି । ଅସ୍ଥିର ବାତାବରଣ ଭିତରେ ରହିବାକୁ ଅନଭ୍ୟସ୍ତ ଥିବାରୁ ଏମାନଙ୍କ ମୁଣ୍ଡ ଗରମ ହୋଇଯାଏ । କର୍ତ୍ତୃପକ୍ଷ ବସ୍‌ମାନଙ୍କ କଥା ନ ଶୁଣି ଏମାନଙ୍କ କଥା ଶୁଣିବା ଅନୁଚିତ ବୋଲି ଆଗରୁ ଶିଖିଥିବାରୁ ଏମାନଙ୍କ ଦରଖାସ୍ତ ଓ ଅଭିଯୋଗ ବାଏଁ ବାଏଁ ଉଡ଼ିଯାଏ । କିଛିଦିନ ପରେ ଜୀବନରେ ସହନଶୀଳତାକୁ ଶିଖିନିଅନ୍ତି । ଏହି ନିରୀହ ଲୋକ କ୍ରମେ ଦୁର୍ଦ୍ଦାନ୍ତ ହୋଇଉଠେ । ଯେ ଦିନେ କୌଣସି ପ୍ରକାର ଅନ୍ୟାୟକୁ ଘୃଣା କରୁଥାଏ । ସେ ବାଧ୍ୟହୋଇ ଅପରାଧ ସବୁ ହଜମ କରିନିଏ । ସରକାରୀ କଳରେ ଏହିପରି ଦିନକୁ ଶହ ଶହ ଅପରାଧୀ ତିଆରି କରିବାର ଯୋଜନା ଅତି ସଫଳତା ସହକାରେ ଚାଲିଛି । ସବୁ ବସ୍‌ମାନେ ସେମାନଙ୍କ ହାତର ପାଞ୍ଚ (ସି.ସି.ଆର) ମନଇଚ୍ଛା ଖଟାଇବାରୁ ଓ ତାଙ୍କ ଉପର ହାକିମମାନେ ଢୁଳାଇ ଢୁଳାଇ ୟାଙ୍କରି କଥାରେ ହିଁ ମାରିବାରୁ ଚାକିରି ସରିଲା ପର୍ଯ୍ୟନ୍ତ ଏମାନଙ୍କୁ ପ୍ରତିବର୍ଷ ନିଜ ଚରିତ୍ର ଓ ପ୍ରକୃତି ସମ୍ୱନ୍ଧରେ ସଫେଇ ଦେବାକୁ ପଡ଼ୁଥାଏ । ମନଟା ଏଥିରେ ବିଦ୍ରୋହୀ କିପରି ନ ହେବ କୁହନ୍ତୁ । ଅଥଚ ସେହି ହୁଣ୍ଡା ଉପର ହାକିମମାନଙ୍କର ପଦୋନ୍ନତି ହୋଇ ହୋଇ ଚାଲିଥାଏ । ବାସ୍ତବିକ ଆମ କମ୍ପାନୀ ସେମାନଙ୍କ ପାଖରେ ଋଣୀ । ତାଙ୍କର ବିନା ସାହାଯ୍ୟରେ ଅପରାଧୀ ଶିଳ୍ପ ଅଚଳ ହୋଇପଡ଼ିବ । ଏତାଦୃଶ କର୍ମଚାରୀମାନଙ୍କ ପାଇଁ ଆମେ ବାସ୍ତବିକ ଗର୍ବିତ । ସେଥିପାଇଁ ମୁଁ ଦମ୍ଭର ସହିତ କହୁଛି, ଦିନେ ନା ଦିନେ ଯମ ଶାସନ ଅଚଳ ହୋଇଯିବ ଓ ଆମେ ଏଠି ନୂତନ ଯମ-ରାଜ୍ୟ ସ୍ଥାପନ କରିବୁ-

 

ଯମ ଏତେବେଳକୁ କାଠ ହୋଇ ଠିଆ ହୋଇଗଲେଣି । ଯମଙ୍କ ଉପରେ ଏ ଅପ୍ରତ୍ୟାସିତ ବିଜୟ ଡକ୍ଟର ହଳୁଙ୍କୁ ଉତ୍ସାହିତ କଲା । ପ୍ରକୃତିସ୍ଥ ହୋଇ ସେ ଦେଖିଲେ ଯମ ଏତେବେଳଯାଏ ପରୀକ୍ଷା ହଲରେ ଜଗୁଆଳୀ ମାଷ୍ଟରଙ୍କ ପରି ଠିଆ ହୋଇଛନ୍ତି । ତହୁଁ ସମ୍ଭ୍ରମ ସହକାରେ ସୋଫା ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ । ଡକ୍ଟର ହଳୁ କହିଲେ ଏ ସୋଫାନରେ ବସିବାକୁ ଆପଣଙ୍କର ଆପତ୍ତି କଣ ? କାଠ ଜିନିଷ ଯୋଗାଇ ଥିବାରୁ କୌଣସି କଣ୍ଟ୍ରାକ୍ଟରଠାରୁ ଏହାକୁ ମୁଁ ଉପହାର ରୂପେ ପାଇ ନାହିଁ ଏଇ କାରଖାନାର କାଠକୁ ନେଇ ଏଇଠିକାର ସରକାରୀ ବଢ଼େଇ ହାତରେ ଏହାକୁ ତିଆରି କରି ନାହିଁ । ଏହା ଖୋଦ ମୋର ଝାଳବୁହା ଧନ । ସେପରି ହାତଉଠା କାମ ଆଉ ମୁଁ କରୁ ନାହିଁ ସାର୍‌, ଆପଣ ଦୟାକରି ବସନ୍ତୁ ।

 

ଯମରାଜ କଥାଟାକୁ ତୁଲାଇ ଦେବା ପାଇଁ କହିଲେ ମର୍ତ୍ତ୍ୟରେ ସି.ସି.ଆର ପ୍ରହସନ ଚାଲେ । ତାକୁ ରଖିଛ ତ ? ଡକ୍ଟର ହଳୁ କହିଲେ, ସାର୍‌, ତାହା ତ ମୋର ଏକମାତ୍ର ଅଛି । ବିନା ରକ୍ତପାତରେ ଏଇ ସି.ସି.ଆର ଖାତା ଜରିଆରେ ପ୍ରତିଶୋଧ ନେଇହୁଏ । ଏହା ଏକ କବିତା ଖାତା କହିଲେ ଚଳେ । କେତେ କଳ୍ପନା ତିଆରି ହୋଇ, କେତେ ନୂତନ ଅଭିଯୋଗମାନ ରୂପ ପାଇ ଏ ଖାତା ପବିତ୍ର ହୋଇଛି । କେତେ ଲୋକଙ୍କୁ ଏଠି ଫାଶୀ ହୁକୁମ ହୁଏ, କେତେ ଲୋକଙ୍କର ଲୁହ ଝରେ, କେତେ ଲୋକଙ୍କୁ ପାଳପକାଇ ଉଚ୍ଚ କରାଯାଏ ଏଇ ଖାତା ଜରିଆରେ । ଏ ହେଉଛି ଭୂତ ଭବିଷ୍ୟତର ଗ୍ରନ୍ଥ । ବୋକା ଅଫିସରମାନଙ୍କ ସମାଧି ମନ୍ଦିର ଓ ଧୂର୍ତ୍ତମାନଙ୍କ ପାସପୋର୍ଟ ରୂପେ ଏହାର ଖ୍ୟାତି ଅଛି । ମର୍ତ୍ତ୍ୟରେ ଡାକ୍ତର ସାର୍ଟିଫିକେଟ ଭଳି ଏ ଖାତା ବଡ଼ ଗୁରୁତ୍ୱପୂର୍ଣ୍ଣ । କେତେ ପ୍ରତିଭାକୁ ଅକଳର ସମାଧି ଦେଇ ଖୋସାମତିର କୋଣାର୍କ ତିଆରି କରି ଏ ଖାତା ବହୁଯୁଗରୁ ଗଡ଼ିଆସୁଛି । ସାର୍‌, ପ୍ରତିଭା ସଂହାର ପାଇଁ ଏହା ଏକ୍ ଜାଲିଆନାବାଗ୍‌ ଓ କୁତୁର୍ପିଆ ପଦଲେହନକାରୀ ମହାପୁରୁଷମାନଙ୍କର ଏହା ସ୍ୱର୍ଗଦ୍ୱାର । ପଛରେ, ଗୁପ୍ତରେ ମିଛ କଥାକୁ ବନାଇ ଚୁନାଇ ଲେଖିବା ପାଇଁ ଏହାର ଅବସ୍ଥା ଆମ ବିଦେଶୀ ଶାସକମାନେ ଭାରତୀୟଙ୍କୁ ଶିଖାଇ ଯାଉଥିଲେ । ସୁସ୍ୱାଦୁ ଅଦ୍ୟାବଧି ଆମେ ଛାଡ଼ିପାରୁ ନାହୁଁ । ଏପରି ସ୍ଥଳେ ସି.ସି.ଆର ଖାତା ପ୍ରତି ବେଖାତିର କରିବି ? ତା କଲେ ଏ ମଧ୍ୟମସ୍ୱର୍ଗ ଯମପୁରକୁ କମ୍ପିଟ୍‌ (Compete) କରିବ କିପରି-

 

ଯମ କହିଲେ, ବାସ୍ତବିକ ଏସବୁ ବିଷୟରେ ମୁଁ ଅନଭିଜ୍ଞ । ଆମ ଚିତ୍ରଗୁପ୍ତ ଖାଣ୍ଟି କଥାଗୁଡ଼ାକ ଖାଲି ରେକଡ଼ିଂ କରିପକାନ୍ତି । ସି.ସି.ଆର. ଖାତାରେ ଖାଣ୍ଟି ସତକଥାର ପରିମାଣ ଖୁବ୍‌ କମ୍‌ ଥିବାରୁ ସେ ପତ୍ରିକାର ସ୍ଥାନ ପାଇବା ସମ୍ଭବ ନୁହେଁ । ଗଲାବେଳେ ଏତିକି କହିଲେ । ତୁମ ବାପ ମା’ଙ୍କ ଆତ୍ମା ସହିତ ମୋର ଏହାଭିତରେ ସାକ୍ଷାତ ହୋଇଛି । ତୁମର କୃତିତ୍ୱ କଥା ସେମାନଙ୍କୁ କହିଛି ।

 

ଡକ୍ଟର ହଳୁ କହିଲେ ଯମ ସାର୍‌, ସେ ବାପ ମାଙ୍କ କଥା ମୋତେ କହିବେ ନାହିଁ । ମୁଁ ବାହାହେଲା ପରେ ସେମାନଙ୍କ ସହିତ ସମ୍ପର୍କ ତୁଟାଇ ଦେଇଥିଲି । ମାଆ କାନ୍ଦି କାନ୍ଦି ମଲା, ବାପଟାକୁ ତ କେୟାର ନ ଥିଲା । ସେମାନେ ନିଶ୍ଚୟ ମୋ ନାଁରେ ଖଚ କହିଥିବେ । ଆପଣ ସେମାନଙ୍କୁ ଯେଉଁ ନର୍କରେ ପକାଇଛନ୍ତି, ସେଥିରୁ ଯେପରି ଉଦ୍ଧାର ନ କରନ୍ତି ।

 

ଯମ କହିଲେ ବାପ ମାଙ୍କୁ କଷ୍ଟଦେଇ ତୁମେ ନିଜକୁ ଅପ୍‌ଟୁଡ଼େଟ୍‌ ବୋଲି ପରିଚୟ ଦେଉଛ । ଯମ କହିଲେ ହଁ ସାର୍‌, ମୁଁ ସବୁବେଳେ ପୂରାତନର ବିରୋଧୀ । ଆପଣ ହିନ୍ଦୀ ଗୀତ ଶିଖି ନାହାନ୍ତି ଯମ ସାର୍‌, ସେଥିରେ ପରା ଅଛି ।

 

ପୁରୁଣା କା ଠେଲ ଯେ

ଠେଲ କର କେ ଫୋପାଡ଼୍‌ ଯେ ।

 

ଯମରାଜା କହିଲେ ଏ ହିନ୍ଦୀ ତମେ ଶିଖିଲ କେଉଁଠୁ ଡକ୍ଟର ହଳୁ ? ହଳୁ କହିଲେ ବିହାରୀମାନଙ୍କଠାରୁ ଏସବୁ ଶିଖିଲି । ମୋ ହିନ୍ଦୀ ଶୁଣି ବିହାରୀ ଲୋକେ ପରା କହନ୍ତି ତମେ ବିହାରୀ କି ଓଡ଼ିଆ ମୋଟେ ଜଣାପଡ଼ୁନା । ତୁମ ହିନ୍ଦୀରେ ବିହାରୀ, ଓଡ଼ିଆ ଓ ବଙ୍ଗଳା ଭାଷାର ପ୍ରଭାବ ଅଛି । ଏଇଥିପାଇଁ ପୁରୁଣାକାଳିଆ ବାପ ମାଙ୍କୁ କଷ୍ଟଦେଲି । ପୁରାତନକୁ କଷ୍ଟ ନ ଦେଲେ । ନୂତନତାର ଅଭ୍ୟୁଦୟ କିପରି ହେବ, ଆପଣ ଭାବନ୍ତୁ । ଅତଏବ ଏକ ମହାନ୍‌ ଉଦ୍ଦେଶ୍ୟରେ ବାପ ମାଙ୍କୁ ମୁଁ କଷ୍ଟ ଦେଇଥିଲି ।

 

ଯମ କହିଲେ ଡକ୍ଟର ହଳୁ, ବାସ୍ତବିକ ତୁମେ ଜଣେ ଯୁଗସ୍ରଷ୍ଟା । କେବଳ ତୁମରି ଯୋଗୁଁ ଗୁଣ୍ଡାମିଟା ଶକ୍ତିଶାଳୀ ଲୋକର ପ୍ରଧାନ ଅସ୍ତ୍ର ବୋଲି ସରକାରଙ୍କ ଦ୍ୱାରା ସ୍ୱୀକୃତ ହେଲା । ତୁମର ପବିତ୍ର ଗୁଣ୍ଡାମିକୁ ଆଜି ସାରା ଜଗତ ସମ୍ମାନ ଦେଖାଉଛି । ସେଥିପାଇଁ ତୁମର ପଦୋନ୍ନତି ହୋଇଛି-। ଧନ୍ୟ ତୁମେ, ହଉ ଡକ୍ଟର ହଳୁ ମୁଁ ସନ୍ତୁଷ୍ଟ ହେଲି । ଏଥର କି ବର ମାଗୁଛ ମାଗ ।

 

ଡକ୍ଟର ହଳୁ କହିଲେ ସାର, ମୋ ପିଠିଟା ହେଲା ମୋ କାଳ । ଏ ପିଠିରେ ସବୁବେଳେ ବାଜିଯିବାର ଭୟ ଅଛି । ଆପଣ ଦୟାକରି ମୋ ପିଠିଟାକୁ ତମ୍ୱା କିମ୍ୱା ଦସ୍ତାରେ ତିଆରି କରିଦିଅନ୍ତୁ-। ତା ହେଲେ ଯେ ସେଠି ଆଘାତ କରିବ । ତାହା ଯେପରି ରିବାଉଣ୍ଡ କରିବ । ଯମରାଜ କହିଲେ ତଥାସ୍ତୁ । କିନ୍ତୁ ଦେଖ, ଦସ୍ତା ଓ ତମ୍ୱା ନ ଦେଇ ଦସ୍ତା, ତମ୍ୱା କିମ୍ୱା ଲୁହାପରି ତାକୁ ମୁଁ ଟାଣ କରିଦେଇଛି । ତା ନ କରି ଦସ୍ତା କିମ୍ବା ତମ୍ୱାରେ ଛାଉଣୀ କଲେ । ରେଳ ଲାଇନର ତମ୍ୱା ତାରକୁ କାଟିନେଲା ପରେ ତୁମ ପିଠିକୁ ଛାଲି ଲୋକେ ତମ୍ୱା ତାରକୁ ବିଦେଶକ ରପ୍ତାନି କରିଦେବେ । ସେଥିପାଇଁ ଏହାକୁ ବାହାର ଆକ୍ରମଣରୁ ରକ୍ଷା କରିବା ପାଇଁ ଟଉଁଷିଆ ବା ଟାଣୁଆ କରିଦେଉଛି । ଏହାକହି ଯମରାଜ ଅନ୍ତର୍ଦ୍ଧାନ ହୋଇଗଲେ । ତା ପୂର୍ବରୁ କହିଗଲେ ପ୍ରିୟ ହଳୁ ବାବୁ, ମୁଁ ଆଶୀର୍ବାଦ କରୁଛି—ତୁମେ କ୍ରମେ ଗୋଟିଏ ବୋଦା ବନିଯାଅ । ଏହା କହିବା ସଙ୍ଗେ ସଙ୍ଗେ ହଳ ମେଁ ମେଁ ଧ୍ୱନି କଲେ, ଯମ ହସି ହସି ବିଦାୟ ନେଲେ ।

 

-୪-

 

ଏହା ଭିତରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ଯମପୁର ଟାଉନରେ ଆଜିକାଲି ସବୁ କିଛି ଓଲଟା । ପୁଣ୍ୟ କରୁଥିବା ଲୋକଙ୍କୁ ନାନା ଦଣ୍ଡ ଦିଆଯାଉଛି । ତେଲ କଡ଼େଇର ଅଧ୍ୟକ୍ଷ ପାପୀ ଶିରୋମଣିଙ୍କ ନାଁଟା ସବୁଆଡ଼େ ଶୁଣାଯାଉଛି । ଏହା ଭିତରେ ଆଉ କେତେ ନାଁ ତାଙ୍କୁ ଦିଆଗଲାଣି । ସେଥିଭିତରୁ ବେଶୀ ଲୋକପ୍ରିୟ ନାଁ ହେଉଛି—ଘୁଷୁରୀ ବଦନ, ଫେରେଣ୍ଡା ସ୍ୱନ, କାମ କାକରା ଛଙ୍କା ଜାଲିଚଟୁ ଓ ଅରଣା ମଇଁଷି ଆଦି । ମାତ୍ର ଯେ କୌଣସି ପ୍ରକାର ଡାକରେ ପାପୀବାବୁ ଖୁସ୍‌ । ସେ ସବୁ ତାଙ୍କ ଉପାଧି ପରି ଜଣାପଡ଼େ । ଏହିପରି ବହୁ ଉପାଧିକାରୀ ଶ୍ରୀମାନ୍‌ ହଳୁବାବୁ ତେଲ କଡ଼େଇ କି ଜଗି ବସିଥାନ୍ତି । ମାତ୍ର କିଛିଦିନ ପରେ ତାଙ୍କର ମନର ସରାଗ ସବୁ ମରିଗଲାପରି ଜଣାପଡ଼ିଲା । ଯମପୁରୀଟା ଏତେ ବୈଚିତ୍ର୍ୟହୀନ ହେବ ବୋଲି ତାଙ୍କର ଧାରଣା ନଥିଲା । ସେ ଭାବିଥିଲେ ବହୁ କିସମର ପାପୀ ସେଠାକୁ ଆସିବେ । ସବୁଦିନ ନୂଆ ନୂଆ ଅଭିଜ୍ଞତା ହେଉଥିବ । କିନ୍ତୁ ହିସାବରୁ ଯାହା ଜଣାପଡ଼ିଲା ସବୁ ପାପୀଙ୍କ ପାପଗୁଡ଼ିକୁ ଏକାଠି କଲେ ବି ତାଙ୍କ ସୂପୀକୃତ ପାପକୁ ଟପି ହେଉନାହିଁ । ଇସ୍‌ କି ବୋର (Bore) ପାପୀବାବୁଙ୍କର ଚିନ୍ତା ଆସିଗଲା । ମନେ ମନେ ପାପଦେବଙ୍କୁ ଅଭିସଂପାତ ଦେଲେ ।

 

ଦିନେ ହଠାତ୍‌ ଗୋଟାଏ ଘଟଣା ଘଟିଲା । ସବୁଆଡ଼େ ମାଇକ୍‌ ସାହାଯ୍ୟରେ ପ୍ରଚାର କରି ଦିଆଗଲା ଯେ ଜଣେ ନୂଆ ଧରଣର ପାପୀ ଏ ରାଜ୍ୟରେ ପଦାର୍ପଣ କରୁଛନ୍ତି । ଯମପୁରର ସବୁ କର୍ମଚାରୀ ତାଙ୍କୁ ଦେଖିବାକୁ ଧାଇଁଲେ । ଦଣ୍ଡ ପାଉଥିବା ପାପୀମାନେ ଟିକିଏ ମୁଣ୍ଡଟେକି ଚାହିଁଲେ । ତା’ପରେ ଦେଖାଗଲା ଖେଦକା ହୋଇ ଜଣେ ଭାଲୁ ଷ୍ଟାଇଲର ଲୋକ ଧପାଲି ଚାଲିଛି-। ଏତେ ଜୋରରେ ସେ ଯମପୁର ଭିତରକୁ ଭିଡ଼ି ପଶୁଛି ଯେ, ତାକୁ ବାନ୍ଧିବାକୁ ଯାଉଥିବା ଯମଦୂତମାନେ ମଧ୍ୟ ପଛରେ ପଡ଼ି ଯାଉଛନ୍ତି । ସବୁ ପାପୀ ଆଶ୍ଚର୍ଯ୍ୟ ହେଲେ । କାରଣ ଯମପୁରୀକୁ ଶ୍ରଦ୍ଧାରେ ପଶିଯିବା ଲୋକ ଭିତରେ ବୋଧହୁଏ ଏ ହେଉଛନ୍ତି ପ୍ରଥମ । ଯମପୁରୀର ଦୁର୍ଗନ୍ଧ ଓ କଷଣକୁ ବରିନେବା ପାଇଁ ପୁଣି ରସିକ ପୁରୁଷ ଥାଇପାରନ୍ତି ଏକଥା କିଏ କାହିଁକି କଳ୍ପନା କରିବ । ବୁଝ ବୁଝ କଣ ନା ସେ ଗେଦକା ପାପୀଜଣକ ତାଙ୍କ ସାରଙ୍କୁ ଖୋଜୁଛନ୍ତି । ଏ କଥା କାନରେ ବାଜନ୍ତେ ପାପୀ ଶିରୋମଣି ଶ୍ରୀମାନ୍‌ ହଳୁ ତେଲ କଡ଼େଇକୁ ଛାଡ଼ି କ୍ଷଣକପାଇଁ ବାହାରକୁ ବାହାରି ଆସି ଚାହାଣିଟାଏ ହାଣି ଦେଲେ ।

 

ଆରେ, ରେ । ଇଏ ତ ମୋ ମର୍ତ୍ତ୍ୟର ଦାସାନୁଦାସ ଓଲଟ ଭାରତ ପଣ୍ଡା । ମର୍ତ୍ତ୍ୟପୁରୀରେ ଏ ଥିଲେ ତାଙ୍କର ବିଶ୍ୱାସୀ ପାଳବିଣ୍ଡା ମନ୍ତ୍ରୀ । ତାଙ୍କୁ ସେ ଓଲଟ ଭାରତ ସିଂ ନାମରେ ଅଭିହିତ କରିଥିଲେ । ତାଙ୍କ ବଂଶରେ ସମସ୍ତେ ଓଲୁଥିଲେ । ମାତ୍ର ଓଲଟ ଭାରତ ସିଂ ପୂର୍ବ ସଞ୍ଚିତ ସମସ୍ତ ଓଲାମିର କ୍ଷତିପୂରଣ କରି ବର୍ତ୍ତମାନ ଚତୁର ବୋଲାଉଛନ୍ତି ।

 

ପାପୀବାବୁ କହିଲେ କେମନ୍ତ ଓଲଟ୍‌ ସିଂ, ମର୍ତ୍ତ୍ୟପୁରୀର ହାଲତ ସବୁ କ୍ୟା ହୈ । ମିଷ୍ଟର ଓଲଟ୍‌ କହିଲେ ମର୍ତ୍ତ୍ୟମେ ଓଲଟ ପାଲଟ କାମ ବଢ଼ିଆ ଚଲତା ହେ । ମର୍ତ୍ତ୍ୟପୁରୀ ଖାଲି ପଡ଼ତା ଉଠତା । ଆପଣଙ୍କୁ ସବୁ ଲୋକ୍‌ ଝୁରି ଝୁରି ମରତା ହେ ।

 

ପାପୀବାବୁ ଶ୍ରୀମାନ୍ ଫେରେଣ୍ଡା ସ୍ୱନ ପଣ୍ଡା ମୁରୁକି ହସିଲେ । କହିଲେ ତମ ଅଭ୍ୟାସ ସବୁ ଠିକ୍‌ ଅଛି ତ ? ଓଲଟ୍‌ ସିଂ କହିଲେ ଆପଣଙ୍କ ପାଖରେ ଯେମିତି ଓଲଟୁଥିଲି, ଆପଣଙ୍କ ପରେ ଯେ ଆସିଲେ ତାଙ୍କ ପାଖରେ ବି ସେମିତି ଓଲଟୁଛି । ତେଣୁ ୟାଳ୍ପ ମତେ ବିଶ୍ୱାସ କରୁଛି । ହେଲେ ଆପଣଙ୍କ ପରି ଗୁରୁଙ୍କୁ ସହଜରେ ଭୁଲି ହେବ କି ।

 

ଓଲଟ ସିଂ କହିଲେ, ହଜୁରଙ୍କ ମୁହଁ ଏମିତି ହୁଡ଼ୁମ ଭଳିଆ ଶୁଖିଯାଇଛି କିଆଁ ? ଏଠି ତ ଖାନାପିନାର ଅଭାବ ନଥିବ । ଏଠିକା ପାପୀ କାରଖାନା ତ ସାରା ସଂସାରରେ ବୃହତ୍ତମ । ହଳୁ କହିଲେ, ନା ବାପ ଓଲଟ୍‌ । ଏଇଟା ସିନା ପାପୀ ଭବନ ଭାବରେ ସରକାରୀ ସ୍ୱୀକୃତି ପାଇଛି, ତା’ ନ ହେଲେ କାମ ବେଳକୁ କିଛି ନାହିଁ । ଏଠିକା ଅଥରେଟି (Authority) ଯମରାଜାଙ୍କର ମୋଟେ ଡ୍ରାଇଭ୍‌ (drive) ନାହିଁ । ଲୋକଟା ଦେଖିବାକୁ ଫାପୁଲା, ବେଙ୍ଗଫୁଲା ପରି ଫୁଲିଛି, ବଳ ବି ଦେହରେ ଅଛି ମାତ୍ର ସାହସ ବୋଲି କିଛି ନାହିଁ । ମହା ମାଇମୁହାଁ, ଦେଖତ ଭଲା, ଲୋକଟା ଡିପାର୍ଟମେଣ୍ଟର ସର୍ବେସର୍ବା । ସେ ଇଚ୍ଛାକଲେ ରୋଜ କେତେଟା ନୂଆ ପାପୀ ସୃଷ୍ଟି କରି ପାରନ୍ତା ନାହିଁ ? ବସ୍‌ ବିଷ୍ଣୁ ତ ତା’ ହାତମୁଠାରେ । କିନ୍ତୁ ୟାଙ୍କ ନୀତି ହେଉଛି—ହଅ, କିଏ ଯାଉଛି ଏତେ କଷ୍ଟରେ ପାପୀ ତିଆରି କରିବା ପାଇଁ । ଚାକିରିଟା କୌଣସି ମତେ ଚାଲୁ ରହିଥାଉ । ଯମରାଜାଙ୍କର ଯଦି ଏ ଅବସ୍ଥା, ତେବେ ଅନ୍ୟାନ୍ୟ ଅଡ଼ିନାରୀ ଅଫିସରଙ୍କ ଠାରୁ କଣ ଆଶା କରିବା-। ମୋର ଭଲ ଚେହେରା ନ ଥିଲେ ବି, ଘଡ଼ଘଡ଼ିଆ ଗଳାଟା ଦଦରାହାଣ୍ଡି ପିଟିଲାପରି ଶୁଭୁଥିବାରୁ ଶାନ୍ତି ପ୍ରିୟ ଲୋକମାନେ ଡରି ଛାନିଆ ହୋଇଯାଆନ୍ତି । ବାସ୍ତବିକ ଯାବତୀୟ ଗଣ୍ଡଗୋଳକୁ ଦବେଇବା ପାଇଁ ମୋ ପରି ଗୁଣ୍ଡାଳିଆ ହୁଣ୍ଡା ମାଧିଆଙ୍କ ଉପଯୋଗିତା ସବୁ ସରକାର ଉପଲବ୍‌ଧି କରିବେ । ବାସ୍ତବିକ ଭଦ୍ରଲୋକଙ୍କ ଯୁଗ କଟିଗଲା । ଏଣିକି ଆମ ପରି ଲୋକ ସବୁଠି ପୂଜା ପାଇବେ । ବାସ୍ତବିକ ଏ ବିରାଟ ଯମଯନ୍ତ୍ରଣାକୁ ସ୍ଥାୟିତ୍ୱ ଦେଇଛି ମୁଁ ମୁଁ ମୁଁ ।

 

ଓଲଟ୍‌ ସିଂ ଦେଖିଲେ ଯମପୁରୀକୁ ଆସି ମଧ୍ୟ ଶ୍ରୀମାନ୍‌ ହଳୁ ତାଙ୍କର ଅହଂକାର ଛାଡ଼ି ନାହାନ୍ତି । ଜଣାଯାଉଛି, ଏ ଯମପୁରୀରେ ବି କାଇଦା କଟକଣା କିଛି ନାହିଁ । ଦଣ୍ଡଗୁଡ଼ାକ ସବୁ ଗଣତନ୍ତ୍ରିଆ ବନିଗଲେଣି । ଦଣ୍ଡର ଗୁରୁତ୍ୱ ଦୃଷ୍ଟିରୁ ପାପୀମାନଙ୍କ ଗୁରୁତ୍ୱ ଏଠି ଉପଲବ୍‌ଧି କରାଯାଉଛି । ଯଦି ଭବିଷ୍ୟତରେ ଏଠି କେବେ ନିର୍ବାଚନ କରାଯାଏ, ନିତାନ୍ତ କଦର୍ଯ୍ୟତମ ପାପୀ ନିଶ୍ଚୟ ପ୍ରଧାନମନ୍ତ୍ରୀ ହେବ । ହଳୁଙ୍କ ଭାଗ୍ୟରେ ସେ ପୋଷ୍ଟଟା ପଡ଼ିଯାଇପାରେ ।

 

ଓଲଟ ସିଂ କହିଲେ, ସାର୍‌ ଯମପୁରୀଟା କାହିଁକି ଟିକିଏ ଶୁଷ୍କ ଜଣାପଡ଼ିଛି । ଦିନ୍‌ କିପରି ନୂଆପାପୀ ନିକିଲିବେ ଓ ନୂଆ ଅପରାଧମାନ ସୃଷ୍ଟି କରାଯିବ, ଆପଣ ଥାଉ ଥାଉ ମଧ୍ୟ ଟିକିଏ ହେଳା ପଡ଼ିଯାଉଛି । ଆପଣ ଯମରାଜଙ୍କୁ ସେମିତିକା ଟ୍ରେନିଂ ଦେଉନାହାନ୍ତି କାହିଁକି ?

 

ଛାଡ଼ ଓଲଟ ବାବୁ, ସବୁ ଭାଗ୍ୟର ଦୋଷ । ହଳୁଙ୍କ ଆଖି ଛଳଛଳ ହୋଇଗଲା । ଦୁଃଖରେ କହିଲେ—ମର୍ତ୍ତ୍ୟ ମଣ୍ଡଳର ସବୁ ଚିତ୍ର ମୋ ଆଖି ଆଗରେ ନାଚିଯାଉଛି । ଏ ଯମଟା ହେଉଛି ଓଲାଙ୍କ ବୋକଚାବୁହା । ଏଇଟା ବେଶୀ ଖଟି ପାରୁନାହିଁ । ଖାଇମାଲୁ କାହାଁକା । ମତେ ଜଣାଯାଉଛି, ସତେ ଯେପରି ଯମପୁରୀଟା ଗୋଟାଏ ଆଫଟର୍‍ କେୟାର୍‍ ଅଫିସ (After care office) ଏଠି କୌଣସି ଜିନିଷ ଭୟଙ୍କର ନୁହେଁ, ସନ୍ଦେହ ବୋଲି କିଛି ନାହିଁ, ଚରଣଚୁଟିଆ ଗିରିର ଏକାନ୍ତ ଅଭାବ । ଖାଲି ଛେନାଗୁଡ଼ କର୍ତ୍ତବ୍ୟ ।

 

କିହୋ, ପାପୀମାନଙ୍କର ଅଲଗା ଅଲଗା ଡିପାର୍ଟମେଣ୍ଟ ଖୋଲ, ସବୁ ଡିପାର୍ଟମେଣ୍ଟ ଅନର୍ସ ଖୋଲ । ୟାଳ୍ପ କିଛି ବୋଲି କିଛି ନାହିଁ । ଯେତେ ନୂଆ ନୂଆ ପରାମର୍ଶ ଦେଲେ ବି ଖାଲି ଦାନ୍ତ ଦେଖାଇ ଦେଉଛି, ଆଉ କାଲଗରଡ଼ ପରି ସବୁ ଶୁଣିଯାଉଛି । ସେଥିପାଇଁ ବହୁଦିନରୁ ଯମପୁରୀର ପ୍ରଗତିର ରାସ୍ତା ବନ୍ଦ ହୋଇଯାଇଛି ।

 

ଓଲଟ ଭାରତ କହିଲେ, ସାର୍‌ ଆପଣ ଯୁଆଡ଼େ ଯାଆନ୍ତି ଗୋଟିଏ ଲେଖାଏଁ ଗେଷ୍ଟହାଉସ୍‌ ତିଆରି କରନ୍ତି । ଘର ତିଆରି ବାବତ୍‌ରେ ଅଳ୍ପ କିଛି ମାରନ୍ତି ମଧ୍ୟ । ହଳୁ କହିଲେ, କି କଥା କହୁଛ ଓଲଟ ସିଂ । ଗେଷ୍ଟହାଉସ ହେଲା ଯେ କୌଣସି ଅନୁଷ୍ଠାନ ପାଇଁ ଏକ ଭୂଷଣ । କିଏ କଣ ମାରିନେଲା । ଏ କଥାରେ ମୁଣ୍ଡ ଖେଳାଇବାଟା ହେଲା ଛୋଟଲୋକୀ । ଖାଅ, ଖୁଆଅ—ଏହା ହେଲା ସଂସାରର ନୀତି । ଯେଉଁ ଶୁକୁଟାମାନେ ଖାଇବେ ନାହିଁ କି ଖୋଇବେ ନାହିଁ, ସେମାନେ ଯୁଗ ଯୁଗକୁ ନେତାପଦକୁ ଅଯୋଗ୍ୟ ।

 

ଓଲଟ ଭାରତ ପଣ୍ଡା କହିଲେ, ମର୍ତ୍ତ୍ୟରେ ସମସ୍ତେ ଆପଣଙ୍କୁ ଝୁରି ହେଉଛନ୍ତି । ଆପଣ ଯମକୁ ପଟାପଟି କରି ଆଉ ଥରେ ଚାଲନ୍ତୁ ତ । ଦେଖିବେ, ଆପଣଙ୍କ ସମ୍ୱର୍ଦ୍ଧନା ପାଇଁ କେତେ ଆୟୋଜନ ହେବ । ଯେଉଁମାନେ ଦି’ପଇସା ପାଇଛନ୍ତି, ସେମାନେ ତ କୋଟିନିଧି ପାଇଲା ପରି ହେବେ ।

 

କଥାବାର୍ତ୍ତା ଚାଲିଛି । ହଠାତ୍‌ ଆଖି ପଡ଼ିଗଲା ସ୍ୱୟଂ ଯମ ମହାରାଜା ଦଣ୍ଡାୟମାନ ହୋଇଛନ୍ତି । ପାପୀ ବୋଖର ହଳୁ ମହାରାଜ ଟିକିଏ ଘାବୁଡ଼େଇ ଗଲେ । ବେଶୀ ବଡ଼ ପାଟିକରିବା ଯମପୁରରେ ଅପରାଧ ରୂପରେ ଧରାଯାଏ । ମାତ୍ର ରାସ୍ତା ଉପରେ ଚିଲେଇବା ତ ହଳୁଙ୍କର ବହୁଦିନର ଅଭ୍ୟାସ । ପୁନଶ୍ଚ ଯମକୁ ସମାଲୋଚନା କରିବା କଥା ଯଦି ଜଣାପଡ଼ିଯାଏ ତେବେ ତପ୍ତ ତେଲ କଡ଼େଇରେ ପଡ଼ିବା ବ୍ୟତୀତ ଅନ୍ୟ ଗତି ନାହିଁ ।

 

ସବୁ ଭାବ ଭାବନାକୁ ଭିତରେ ଚାପି ରଖି ପାପୀଶେଖର ହଳୁ ଗୋଛାକଯାକ ଦାନ୍ତ ଦେଖାଇ ତେଲ ଲଗେଇବା ଷ୍ଟାଇଲରେ କହିଲେ—ଗୁଡ଼ମଣିଂ ସାର୍‌ । ସାର୍‌ ଆଜି ମୋର ବଡ଼ ଭାଗ୍ୟ ଯେ ଆପଣଙ୍କ ପରି ମହାନ୍‌ ପୁରୁଷଙ୍କ ଦର୍ଶନ ପାଇଲି । ସାର୍‌ କଣ ଆଣିବି—ଚା, କଫି, ରମ୍‌ ହୁଇସ୍କି କିମ୍ୱା....

 

ସଟ୍‌ ଅପ୍‌ । ଯମ ଚିଲେଇ ଉଠିଲେ, ନୂଆ କଥାଟାଏ । ଯମଙ୍କ ମୁହଁରୁ ଇଂରେଜି ଦାବନ୍‌ଟିଏ ପାଇ ହଳୁ ଚମକିପଡ଼ିଲେ । ଏତେବେଳ ସୁଦ୍ଧାସେ ଜାଣି ନ ଥିଲେ ଯେ ଯମଙ୍କୁ ଇଂରାଜି ଜଣାଅଛି ବୋଲି । ଇଂରେଜି ନ କହିଲେ ଶାସନ ଚଳିପାରେ ଏ ଧାରଣା ହଳୁଙ୍କର ନ ଥିଲା । ସେଥିପାଇଁ ଯମଙ୍କୁ ଅନେକ ସମୟରେ ଏଠିସେଠି ଭର୍ଣ୍ଣାକୁଲାର ବୋଲି କହିଦେଇଛନ୍ତି । ମାତ୍ର ଆଜି ଯମଙ୍କ ମୁହଁରୁ ଇଂରେଜି ଶୁଣି ହଳୁ ଆକାଶରୁ ଗଳି ପଡ଼ିଲେ ।

 

ଗାଳି ଖାଇଲେ ବି ଇଂରେଜି ଶବ୍ଦ ଶୁଣି ସେ କୃତକୃତ୍ୟ ହୋଇଗଲେ । ସେ ତ ପଖାଳଖିଆ ଇଂରେଜି କହନ୍ତି ବୋଲି ବଦନାମି ଅଛି । ବର୍ତ୍ତମାନ ଯମଙ୍କ ଇଂରେଜି ଉଚ୍ଚାରଣ ତାଙ୍କ ଅପେକ୍ଷା ଅଧିକ ମାର୍ଜିତ ବୋଲି ତାଙ୍କର ମନେହେଲା । ବୈଷ୍ଣବ ନମ୍ରତା ଦେଖାଇ ସେ ତହିଁରେ ଯୋଗ କରି ଦେଲେ—ସାର୍‌, ମୋତେ ଇଡ଼ିଅଟ୍‌, ନନ୍‌ସେନ୍‌ସ, ରାସକେଲ୍‌, ବାଷ୍ଟାର୍ଡ଼ ଇତ୍ୟାଦି ଶବ୍ଦ ବ୍ୟବହାର କରି କାହିଁକି ଗାଳି ଦେଉ ନାହାନ୍ତି । ଉପର ହାକିମଙ୍କଠାରୁ ଏପରି ଗାଳି ଶୁଣିଲେ ଖୁସିଲାଗେ ।

 

ଯମ ଭାବିଲେ, ତାଙ୍କର ଭୁଲ୍‌ ହୋଇଗଲା । ଏ ଚଣ୍ଡାଳ ସବୁକିଛିର ସୁଯୋଗ ନେବ । ଏପରି ସ୍ଖଳନ ଠିକ୍‌ ହେଲା ନାହିଁ ବୋଲି ଭାବି କଥା ବଦଳାଇ ଦେବାକୁ ଚେଷ୍ଟା କଲେ । ତହୁଁ ଗଳାଖଙ୍କାରି କହିଲେ, ମିଷ୍ଟର ପାପୀ, ମର୍ତ୍ତ୍ୟରେ ତୁମର ଅନେକ ପ୍ରତିପକ୍ଷ । ସେମାନଙ୍କର ତୁମ ବିରୁଦ୍ଧରେ ବହୁତ ଅଭିଯୋଗ । ସେ ଅଭିଯୋଗ ଗୁଡ଼ିକ (Redirected) ହୋଇ ମୋ ପାଖକୁ ଆସିଛି । ତୁମେ କୁଆଡ଼େ ପାଟନାଗଡ଼ର କୌଣସି କଣ୍ଟ୍ରାକ୍ଟରଠାରୁ ସୋଫାସେଟ୍‌ ଉପହାର ସ୍ୱରୂପ ପାଇଛ ଓ ତା ବଦଳି ଗୁଡ଼ିଏ ଶସ୍ତା କାଠ ଜିନିଷ ଅଧିକ ଦାମରେ କିଣିଛ ? ଏହାଦ୍ୱାରା ଅନୁଷ୍ଠାନର କ୍ଷତି ହେଲା ବୋଲି ଅଭିଯୋଗ । ସରକାରୀ ବଢ଼େଇ ହାତରେ ସରକାରୀ କାଠରେ ନାନାପ୍ରକାର ଜିନିଷ କିଣି ଘରକୁ ପଠାଇବାର ଅଭିଯୋଗ ମଧ୍ୟ ଆମର ହସ୍ତଗତ ହୋଇଛି । ତା’ଛଡ଼ା ତୁମର ଖାଇବା ଲାଳସା କୁଆଡ଼େ ଖୁବ୍‌ ବେଶୀ ଯେ ତୁମକୁ ଦୁଇଓଳି ଭୁଞ୍ଜେଇଲା । ସେ ଅଫିସର ହେଲା ତୁମର ପ୍ରିୟ । ସେହିମାନଙ୍କ ସି.ସି.ଆର. ଖୁବ୍‌ ଭଲ ଲେଖ । ଏ ପବିତ୍ର ସି.ସି.ଆର ଗ୍ରନ୍ଥକୁ ତୁମପରି ଲୋକ କଳୁଷିତ କରି ସାରିଲାଣି ବୋଲି ସାଧାରଣ ଅଭିଯୋଗ ।

 

ହଳୁ ହାତଯୋଡ଼ି କୃତକୃତ୍ୟ ହୋଇ କହିଲେ ସାର୍‌, ଆପଣଙ୍କ ମର୍ତ୍ତ୍ୟର ସେ ମହାନ୍‌ ତତ୍ତ୍ୱମାନ କିପରି ଜଣାଗଲା ! ଆପଣ ମନସ୍ତତ୍ତ୍ୱ ପଢ଼ିନାହାନ୍ତି, ବିଜ୍ଞାନ ପଢ଼ିନାହାନ୍ତି କି ରାଜନୀତି କରିନାହାନ୍ତି କିମ୍ୱା ଟଙ୍କା ଖର୍ଚ୍ଚ କରି ଡକ୍ଟରେଟ୍‌ ପାଇନାହାନ୍ତି । ପୁଣି ଆପଣଙ୍କ ରେକଡ଼ିଂ ମେସିନ୍‌ ଖରାପ ହୋଇଯାଇଛି ବୋଲି ସେ ଦିନ କହୁଥିଲେ । ଅଥଚ କାକବାର୍ତ୍ତା ପଢ଼ିଲା ପରି କିମ୍ୱା କର୍ଣ୍ଣପିଚାଶୀଙ୍କ ପରି ସବୁକଥା ଗଡ଼ଗଡ଼ କରି ବକି ଯାଉଛନ୍ତି ।

 

ଯମ ଏହାର ଉତ୍ତର ବା କଣ ଦେବେ । ଏ ତ କ’ଣ ଓଲଟି ଅଭିଯୋଗ ବାଢ଼ି ବସିଲାଣି-। ଶ୍ରୀମାନ୍‌ ହଳୁ ଆରମ୍ଭ କଲେ—ସାର୍‌, ମର୍ତ୍ତ୍ୟରେ ସବୁ ଅଲଗା ଅଲଗା ସିଷ୍ଟେମ୍‌ । ସେଠି ସବୁକାମ ଧରାଧରି ଉପରେ ହୁଏ । ସେଠି ଖୁବ୍‌ ଉଠିଗଲା ପରେ ଲୋକେ ବସ୍‌ (Boss) ଉପାଧି ପା’ନ୍ତି । ତା’ପରେ ତଳ ଲୋକଙ୍କୁ ଖତେଇ ବିଗୁଲି ହେଲେ କି ଆଉ ଯାହା କଲେ ବି ଚିନ୍ତାନାହିଁ । ବସ୍‌ଙ୍କ ତଳେ ଯେତିକି ଥା’ନ୍ତି, ସମସ୍ତେ ଯୋଚା ବଳଦ । ଶୃଙ୍ଖଳା ନାଁରେ ସେଠି ବଢ଼ିଆ କାମ ସବୁ ହୁଏ ସାର୍‌ । ନିଜେ ନାତ ଖାଇ ନ ଶିଖିଲେ ଅନ୍ୟକୁ ନାତ ଦେବ କିପରି ।

 

ସେ ମର୍ତ୍ତ୍ୟ କଥା ଛାଡ଼ନ୍ତୁ ସାର୍‌ । ଆପଣଙ୍କ ଯମପୁରୀ କାମ ସବୁ ହିସାବ କରନ୍ତୁ । ଏଠିକାର କାମଯୋଗୁଁ ଆପଣ ନିଶ୍ଚୟ ମୋ ଉପରେ ଖୁସି ହୋଇ ଯିବେଣି । ଏଠି କେତେ ଧର୍ମାତ୍ମାଙ୍କୁ ମୁଁ ମୂଢ଼ ପାପୀରେ ପରିଣତ କରି ସାରିଲିଣି । ଏଠିକାର ଲୋକ ସଂଖ୍ୟା ଢେର ବଢ଼ିଗଲାଣି । ଆପଣଙ୍କ ସବୁ ଡିପାର୍ଟମେଣ୍ଟ ବର୍ତ୍ତମାନ ଲୋକାରଣ୍ୟ । ଏଥରକ ମୋତେ ଛୁଟି ମିଳୁ-। ମୁଁ ମୋ ବାଛିଲା ଗଧ ଶ୍ରୀମାନ ଓଲଟ ଭାରତ ପଣ୍ଡାଙ୍କ କାନ୍ଧରେ ବସି ପୁଣି ମର୍ତ୍ତ୍ୟ ଲୋକକୁ ଚାଲିଯାଏ । ଏଠି କୌଣସି ଆଡଭେଞ୍ଚର ପାଇଁ ସୁଯୋଗ ନାହିଁ ।

 

ଯମ କହିଲେ, ତୁମକୁ ପୁଣି ଥରେ ମର୍ତ୍ତ୍ୟପୁରୀକୁ ପଠାଇ ଦେବାପାଇଁ ମୋଟେ ଆପତ୍ତି ନାହିଁ । ମାତ୍ର ତୁମର ଏତିକି ସାଧାରଣ ଜ୍ଞାନ ନାହିଁ କିପରି ମୁଁ ବୁଝି ପାରୁନାହିଁ । ତୁମେ ଏତିକି ଜାଣିପାରୁନା ଯେ ମର୍ତ୍ତ୍ୟରେ ତୁମର ଶବ ସଂସ୍କାର ସରିଛି । ତୁମ ଭାରିଯା ହାତରୁ କାଚ କାଢ଼ି ଥୋଡ଼ାଏ ଦିନ କନ୍ଦାକଟି କରି ପୁଣି ଆଉ ଜଣକୁ ଧରି ନୂଆ କାଚ ପିନ୍ଧିଲାଣି । ତୁମ ଶବର ଅବଶିଷ୍ଟ କେତେ ଖଣ୍ଡ ହାଡ଼ ଏଠି ସେଠି ପଡ଼ି ଖିନଖରାପ ହୋଇଗଲାଣି । ବିଦେଶରୁ ମାଗଣାରେ ସାହାଯ୍ୟ ଆକାରରେ ପାଇଥିବା ମେସିନ ଯନ୍ତ୍ରଗୁଡ଼ିକ ବାଟରେ ଘାଟରେ ପଡ଼ି ନଷ୍ଟ ହୋଇଗଲା ପରି ତମ ହାଡ଼ଗୁଡ଼ିକ ଖତ ହୋଇ ମାଟିରେ ମିଶି ସାରିଲାଣି । ପୃଥିବୀରେ କୌଣସି ପଶୁକୁ ମାଇଲେ ସିନା ତୁମ ଆତ୍ମାକୁ ନେଇ ତା’ ଦେହ ଭିତରେ ପୂରାଇବି । ହଉ ହେଲା, ତୁମେ କେଉଁ ପଶୁ ହେବାକୁ ଭଲ ପାଉଛ କୁହ । ମଣିଷ ଜନ୍ମ ତ ଆଉ ପାଇ ପାରିବ ନାହିଁ । ପୋକ ଯୋକ କିଛି ହେବାକୁ ଚାହୁଁଛ କି-? ମୋ ବିଚାରରେ ତୁମକୁ ଆଲସିସିଆନ୍‌ଟିଏ କରିଦେଲେ ଭଲ ହୁଅନ୍ତା ।

 

ହଳୁଙ୍କର ଭାଳେଣି ପଡ଼ିଲା । ସତରେ ତାଙ୍କ ସମାଧି ଉପରେ ଘାସ ଉଠି କେତେଥର କଟା ସରିବଣି । ହାୟ ହାୟ ଏ କଣ ହେଲା । ମର୍ତ୍ତ୍ୟରେ ଛାଡ଼ି ଆସିଥିବା ସମ୍ପତ୍ତିର ଆଉ କି ମୂଲ୍ୟ ରହିଲା । ଏକମାତ୍ର ପୁଅ ତ ହେଲା ଦଣ୍ଡାବାଳୁଙ୍ଗା । ଗୁଣ୍ଡାଙ୍କ ପରି ମଦପିଇ ଛୁରିଧରି ବୁଲୁଛି । କେତେ ଘୁ’ରିଆ ବୁଦ୍ଧି କରି ସମ୍ପତ୍ତି ଅର୍ଜିଲି । ଚୋରା ଲୁଚା କାରବାର, ବସ୍‌ଙ୍କ ନିକଟରେ ଦାନ୍ତନିକୁଟି ଇତ୍ୟାଦି, ବର୍ତ୍ତମାନ ବ୍ୟର୍ଥ ହୋଇଗଲା ସିନା ।

 

ଯମ କହିଲେ ତୁମେ ଗୋଟିଏ ଭାରବାହୀ ପଶୁ ଯୋନିରେ କିମିତି ହୁଅନ୍ତ । ହଳୁ କହିଲେ ଯମ ସାର, ଆଉ କଟାଘାରେ ଚୂନ ଦିଅନ୍ତୁ ନାହିଁ । ମର୍ତ୍ତ୍ୟକୁ ଯାଇ ଯଦି ଗାଲ ଭୁରୁଡ଼ି ମାରି ନ ପାରିବି ନ କୁ ଛ କରି ନ ପାରିବି, ଅନ୍ୟମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କାମହାସଲ କରି ନ ପାରିବି, ତେବେ ମର୍ତ୍ତ୍ୟକୁ ଯାଇ ଲାଭ କ’ଣ । ବରଂ ଏହି ଚାକିରିରେ ମୁଁ ସୁଖରେ ଅଛି । ମତେ ଏଇଠି କନଫର୍ମ (confirm) କରି ଦିଅନ୍ତୁ ।

 

ଯମ କହିଲେ, ଏଠି ରହିଲେ ତମେ ମତେ ବି ସମାଲୋଚନା ନ କରି ଛାଡ଼ିବ ନାହିଁ । ହଳୁ ଜିଭ କାମୁଡ଼ି ପକାଇ କହିଲେ, ନାହିଁ ସାର୍‌, ଆପଣଙ୍କୁ ମୋ ପରି ଜୀବ କି ସମାଲୋଚନା କରିପାରେ । ଆପଣ ଖାଲି କାହାକୁ ଦଣ୍ଡଦେଲାବେଳକୁ ଦଶଥର ଭାବୁଛନ୍ତି ଦେଖି ମୁଁ ବ୍ୟସ୍ତ ହୋଇପଡ଼େ । କାରଣ ଏପରି ଲୋକକୁ ମର୍ତ୍ତ୍ୟରେ ଅନୁପଯୁକ୍ତ ବୋଲି କହି କେଉଁଦିନ ଚାକିରିରୁ ତଡ଼ିଦିଆ ସରନ୍ତାଣି । ମର୍ତ୍ତ୍ୟରେ ଅଫିସରଙ୍କ ଏପରି ଢଙ୍ଗକୁ ମାଇଚିଆ ଢଙ୍ଗ ବୋଲି କୁହାଯାଏ । ବଡ଼ ଲୋକମାନେ ନିଜ ଅସାବଧାନତା ପାଇଁ ଯଦି କାହାକୁ ମାରିଦେଲେ ତେବେ ସେଇଟା ଆମର ସେଠି ବାହାଦୂରୀ ବୋଲି କୁହାଯାଏ । ମୁଁ କେବଳ ସେହି ମାନଦଣ୍ଡରେ ବିଚାର କରି ଯାହା ଥରେ ଅଧେ କହିଦିଏ । ମୋର ସାର୍‌, ଦୃଢ଼ ବିଶ୍ୱାସ, ଆପଣ ଏହି ନରମା ନୀତିରେ ମର୍ତ୍ତ୍ୟରେ ଦିନେ ସୁଦ୍ଧା ଶାସନ ଚଳାଇ ପାରିବେ ନାହିଁ । ମର୍ତ୍ତ୍ୟରେ ଗୁଣ୍ଡାମିର ମହତ୍ତ୍ୱ ଉପଲବ୍‌ଧି କରି ହୁଏ । ଉଗ୍ର ବା ଚଣ୍ଡ ପ୍ରକୃତିର ଲୋକକୁ ପ୍ରକୃତ ଶାସକ କୁହାଯାଏ ।

 

ଯମ କହିଲେ, ତେବେ ମର୍ତ୍ତ୍ୟରେ ଏହିପରି ଗୁଣ୍ଡା ଶାସନ ଚାଲିଛି । କଥା କଥାରେ ଶାସକମାନେ ନିରୀହ ପ୍ରଜାଙ୍କର ସର୍ବନାଶ କରିବାକୁ କଣ ଏତେ ପସନ୍ଦ କରନ୍ତି ? ହଳୁ କହିଲେ ସାର୍‌, ଏ ପରା ଶାସନ ଦୟାମାୟାର ପ୍ରଶ୍ନ ଏଠି ଉଠିବ କିପରି ? ତେବେ ମର୍ତ୍ତ୍ୟ ଭୁବନରେ ଦଣ୍ଡଭିତରେ ବି ଛକାପଞ୍ଝା କାରବାର ଥାଏ । ମନେକର ସରକାର ଚାକିରିରେ ପ୍ରଚଳିତ ସସ୍‌ପେନ୍‌ସନ କାରବାର । ସେଠି ବେଳେ ବେଳେ ନିଜର ଲୋକଙ୍କୁ ମଧ୍ୟ ସସପେଣ୍ଡ କରାଯାଏ । ତା ହେଲେ ତା’ରି ଭିତରେ ଦରମାକୁ ଦରମା ପାଇ ଲୋକଟି ଘରଦ୍ୱାର ତୋଳାଏ, ପୁଅ ଝିଅ ବିଭାକରେ । ସବୁକାମ ସରିଲା ପରେ ତା’ର ପୁନଃନିଯୁକ୍ତି ହୁଏ ।

 

ମାତ୍ର ଗୋଟା ଗୋଟା ଓଲା ଅଫିସର ଥା’ନ୍ତି । ସସପେଣ୍ଡ ମାତ୍ରେ ଚିନ୍ତାରେ ଝଡ଼ିଯା’ନ୍ତି । କାହିଁକି ବିନା ଦୋଷରେ ଦଣ୍ଡ ହେଲା ବୋଲି ବାହୁନି କାନ୍ଦନ୍ତି । ଏ ଅଫିସରଗୁଡ଼ାକ ଆମ ମର୍ତ୍ତ୍ୟମଣ୍ଡଳ ପାଇଁ ଏକଦମ୍‌ ଅନଫିଟ୍‌ । ଏମାନେ ମନଦେଇ କାମ କରନ୍ତି । ଗୋଟାଏ ଲାଇନ୍‌ ଧରିଥାନ୍ତି ଓ ସେଇ ସିଧା ଚାଲିଥାନ୍ତି । ଓଃ, ଏମାନଙ୍କ ଜୀବନ କେତେ ବୋର୍‌ ।

 

ଯମ କହିଲେ ତା’ ମାନେ ତମେ କହୁଛ ମନଦେଇ କାମ କରିବା ଖରାପ । ସ୍ପୃହା ନ ଥାଇ ଯେଉଁ କାମ, ସେଥିରେ କିଛି ଲାଭଥାଏ କି ? ହଳୁ କହିଲେ, ଯମ ସାର୍‌, ସ୍ପୃହା ପୁଣି ଗୋଟାଏ କ’ଣ ? ମର୍ତ୍ତ୍ୟରେ ଯେଉଁ ଚାକିରିଆମାନଙ୍କର ସେ ଜିନିଷଟା ରହିଲା, ସେ ତଳକୁ ତଳକୁ ଖସିଲା । ସାର୍ଟିଫିକେଟ୍‌ ପାଇଲା ପର୍ଯ୍ୟନ୍ତ ସ୍ପୃହାଟା ରହିବା କଥା । ମାତ୍ର ଚାକିରି କଲା ମାତ୍ରେ ତାକୁ ନ ଛାଡ଼ିଲେ ବିପଦ । କାରଣ ସବୁବେଳେ କାମରେ ଘାଣ୍ଟି ହେଲେ ହାକିମଙ୍କ ପାଖକୁ ଯିବାକୁ ସମୟ ମିଳିବ କୁଆଡ଼ୁ ? ସାର୍‌ ବିନା ସ୍ପୃହାରେ କାମ କଲେ ନିରାସକ୍ତ ଯୋଗୀ ପରି କାମଗୁଡ଼ାକ ହୁଏ । କୋଉ କାମର ରେକର୍ଡ଼ ତ କେଉଁଠି ରହୁନି । ଅତଏବ ଭଲ ମନ୍ଦ ବାଛିବ କିପରି । ତେଣୁ ମର୍ତ୍ତ୍ୟରେ ସାର୍ଟିଫିକେଟ୍‌ର ମୂଲ୍ୟ ସବୁଠାରୁ ଅଧିକ ।

 

ଯମ କହିଲେ, ହଉ କଣ କହୁଛ କହିଯାଅ । ଏସବୁ ମୋ ମୁଣ୍ଡରେ ପଶୁନି । ହଳୁ କହିଲେ, ଆପଣ ତ ସେହି ପୁରୁଣାକାଳିଆ ଧର୍ମରାଜ ଉପାଧିଟା ରଖିଲେ । ମୁଣ୍ଡରେ ପଶିବ ବା କିପରି । ଆପଣଙ୍କୁ ଟିକିଏ ବେହେଢ଼ା କାମ କଲେ ଖରାପ ଲାଗୁଛି । ସାର୍‌, ଆପଣଙ୍କ ବ୍ୟବହାର ଠିକ୍‌ ପିଲାଙ୍କ ପରି ।

 

କଣ କହିଲ ? ଯମ ଏଡ଼ିକି ଏଡ଼ିକି ଆଖିରେ ଅନାଇଲେ । ମୋତେ ତମେ ପିଲା ବୋଲି କହିବାକୁ ସାହସ କରୁଛ ? ହଳୁ ହାତଯୋଡ଼ି କହିଲେ କ୍ଷମା କରିବେ ସାର୍‌, ଯମ ମୁରୁକି ହସିଲେ, ସାହସ ପାଇ ହଳୁ କହିଲେ ସାର୍‌, ଭୁଲ କଥା କହି, ବାରମ୍ୱାର କ୍ଷମାପ୍ରାର୍ଥନା କରିବା ମୋର ବହୁଦିନର ଅଭ୍ୟାସ ।

 

ଆପଣ ସାର୍‌ ନିର୍ମଳ ଥିବାରୁ ଆପଣଙ୍କ କାଚକେନ୍ଦୁ ପରି ପାଣି ଦରକାର । ମାତ୍ର ଆମପରି କଙ୍କଡ଼ା ସ୍ୱଭାବର ଲୋକଙ୍କ ପାଇଁ ସର୍ବଦା ଗୋଳିଆ ପାଣିର ଆବଶ୍ୟକତା ଅଛି ।

 

ଯମ କହିଲେ, ତମେ ଯେତେ ଖରାପ ହେଲେ ବି ସ୍ପଷ୍ଟବାଦିତା ତୁମର ଗୋଟିଏ ଭଲଗୁଣ । ବର୍ତ୍ତମାନ କୁହ, କେଉଁ ଯୋନିରେ ତୁମେ ଜନ୍ମ ନେବାକୁ ଚାହୁଁଛ ।

 

ଏଥର ହଳୁଙ୍କର ଚିନ୍ତା ଆସିଗଲା । ମଣିଷ ଯୋନିରେ ଜନ୍ମହୋଇ ମଧ୍ୟ କି ଫଳ ପାଇଲେ । ଶେଷକୁ ଯମଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ଅତଏବ ଯେକୌଣସି ପଶୁ ଯୋନିରେ ଜନ୍ମହେଲେ କ୍ଷତି କଣ । ହଳୁ କହିଲେ, ଯମ ସାର୍‌, ଏହି ଯମପୁରୀରେ ଘୁଅ ମୂତ ପୋଛି ରହିଲେ ଅପମାନ ନାହିଁ । ମାତ୍ର ପଶୁହୋଇ ପୃଥିବୀକୁ ଯିବି ନାହିଁ । ପୃଥିବୀରେ ମଣିଷ ଜନ୍ମପାଇ ତ ପଶୁତ୍ୱ ଅଧିକ ହେବାରୁ ଆପଣ ଏବେ ବାରମ୍ୱାର ପଶୁ ହୋ, ପଶୁ ହୋ ବୋଲି କହୁଛନ୍ତି । ସେଥିପାଇଁ ମୁଁ ଅନୁରୋଧ କରୁଛି ଆପଣ ଗୋଟିଏ ସ୍ପେଶାଲ ପଶୁ ତିଆରି କରନ୍ତୁ ଯାହାଠାରେ ମୋର ସବୁ ଗୁଣଗୁଡ଼ିକ ଖୁନ୍ଦି ହୋଇଥିବ ।

 

ଯମରାଜ ପୁଣି ଚିନ୍ତାରେ ପଡ଼ିଗଲେ । ଜଣାଗଲା ସତେ ଯେପରି ଗୋଟିଏ ସ୍ପେଶାଲ ଟାଇପର ପଶୁ ତିଆରି କରିବା ପାଇଁ ସେ ନିଷ୍ଠାର ସହିତ ଚିନ୍ତା କରୁଛନ୍ତି ।

Image

 

ସଂସ୍କାରବାଦୀ ଯୁବକସଂଘ

 

ଯୁବକ ସଂଘର ଏକ ବିଶେଷ ଅଧିବେଶନରେ ପ୍ରସ୍ତାବଟିଏ ଗ୍ରହଣ କରାଗଲା । ଦେଶର ବିଶୃଙ୍ଖଳା, ଅବନତି ଓ ଅନ୍ଧବିଶ୍ୱାସ ପାଇଁ ପ୍ରତ୍ୟେକ ସଭ୍ୟ ମନଭିତରେ ବହୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି ସ୍ୱୀକାର କଲେ । ଏ ସ୍ୱୀକାରୋକ୍ତି ମିଥ୍ୟା ନୁହେଁ । କାରଣ ମୁହଁ ତ ହୃଦୟର ଦର୍ପଣ ବୋଲି କବି କହିଛନ୍ତି । ମେମ୍ୱରମାନଙ୍କ ଆମ୍ୱୁଲ ଖାଇଲା ଭଳିଆ ମୁହଁକୁ ଦେଖିଲେ ଯେ କୌଣସି ବ୍ୟକ୍ତି ଏହା ଶତକଡ଼ା ଶହେ ଆଠ ସତ ବୋଲି କହିବ । ଏ ଦେଶରେ ଯୁବକଗୁଡ଼ାକ ତେଲୁଣୀ ପୋକ ପରି ମେଞ୍ଚା ମେଞ୍ଚା ହେଉଥିଲେ ମଧ୍ୟ ଦେଶର ପ୍ରଗତି ମୋଟେ ହେଉ ନାହିଁ । ସବୁ ତ ତାଜା ତଟକା ଯୁବକ । କେହି ତ ପୋରିଆ ବା ପୋକଖିଆ ନୁହଁନ୍ତି । ତେବେ ପ୍ରଗତିଟା କୋଉ ବାଟରେ ଖସିଯାଉଛି । ସଂସ୍କାରବାଦୀ ଯୁବକମାନେ ପଣ କଲେ, ଏହାର ତଥ୍ୟ ନିରୂପଣ କରିବେ । ସେ ବିଷୟରେ ରିସର୍ଚ୍ଚ କରିବେ, ଡକ୍ଟର ଉପାଧି ପଛେ ନ ପାଇଲେ ନାହିଁ । ଗୀତାବାଲୀଙ୍କ କର୍ମଯୋଗରେ ତାଙ୍କର ବିଶ୍ୱାସ ।

 

ସ୍ଥିର ହେଲା ଏ ଦେଶର ସଂସ୍କୃତିଟା କଣ ପ୍ରଥମେ ଚିହ୍ନିବାକୁ ପଡ଼ିବ । ଯୁବକମାନଙ୍କୁ ଦୋଷ ଦେଇ ଲାଭ ନାହିଁ । ବୁଢ଼ା ହଡ଼ାମାନେ ତ ଜାତୀୟ ସଂସ୍କୃତି କଣ ଜାଣିଲେ ନାହିଁ । ସେଇ ଦୋଷରୁ ସବୁ ବିଗିଡ଼ିଯାଇଛି । ମାତ୍ର ମରହଟ୍ଟିଆ ଈଶ୍ୱର ବିଶ୍ୱାସୀ ଲୋକଙ୍କୁ ଉପହାସ ନ କରି ସେମାନଙ୍କ ମତକୁ କିଞ୍ଚିତ ପରିବର୍ତ୍ତନ କରିବାକୁ ପଡ଼ିବ । ଈଶ୍ୱର ବିଶ୍ୱାସ ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ତା ବୋଲି ଠାକୁର ପୂଜାରେ ସେହି ପୁରୁଣା ପଦ୍ଧତି ଅନୁସରଣ କରାଯିବ ବୋଲି କୌଣସି ଯୁକ୍ତି ନାହିଁ । ଅତଏବ ପ୍ରଥମେ ଠାକୁର ପୂଜାର ସଂସ୍କାର ଆବଶ୍ୟକ ।

 

ହଜାର ହଜାର ବର୍ଷ ତଳେ ଭାରତରେ ଦେବତାଙ୍କ ସଂଖ୍ୟା ଥିଲା ତେତିଶ କୋଟି । ଏବେ ତାହା ତେତିଶ ହଜାର କୋଟି କି ତେତିଶ ଲକ୍ଷ କୋଟି ହେବଣି କିଏ ଜାଣେ । ତାର (Statistics) ତ ଆମକୁ ଜଣାନାହିଁ । ଯେଉଁମାନେ ପୂଜା କରୁଛନ୍ତି, ସେମାନେ ବି ଜାଣନ୍ତି ନାହିଁ । ସେ ବିଷୟରେ ଦେବତାମାନେ ହେଲେ ଥରେ ଅଧେ ସପନେଇକରି ମନେ ପକାଇ ଦିଅନ୍ତେ, ତା ବି ନାହିଁ । ଦେବତାମାନଙ୍କ ସେ ପୁରୁଣା ଅଭ୍ୟାସ ଆଉ ନାହିଁ । ସେଇ ବୁଢ଼ାହଡ଼ା ଇନ୍ଦ୍ର ପବନକୁ ପୂଜା କରି କରି ଲୋକେ ଥେୟା । ସେମାନେ ବଞ୍ଚିଥିବେ ଯେ ବର ଦେବେ । ଟୋକା ଦେବତାମାନେ ମଧ୍ୟ ଆଉ ସପନେଇବାକୁ ସୁଖ ମଣୁ ନାହାନ୍ତି । ତେଣୁ ସଂସ୍କାରବାଦୀ ଯୁବକସଂଘ ସ୍ଥିରକଲା—ପୂଜା ପଦ୍ଧତିରେ ଟିକେ ପରିବର୍ତ୍ତନ ଆଣିବେ । ଏ ଯୁଗରେ ଏତେ ପ୍ରକାର ଚପ୍‌ କଟଲେଟ୍‌ ବାହାରିଲେ ବି ଦେବତାମାନଙ୍କୁ ଯଦି ସେହି ମୁଢ଼ି ଉଖୁଡ଼ା ଦେଇ ପୂଜା କରାଯାଏ, ସେମାନେ ନ ରାଗିଲେ ବି ରାଗିବେ । ଏ ମନସ୍ତାତ୍ତ୍ୱିକ କଥା ତ ପୁରୁଣାକାଳିଆ ଧାର୍ମିକମାନଙ୍କୁ ଜଣାନାହିଁ । ତାଙ୍କ ବାପଅଜା ଚଉଦପୁରୁଷ ଯାହା କରିଥିବେ, ଏ ସେଇଆ କରିବେ । ଏଥିରେ ଫଳ ନ ପାଇଲେ କାହା ଦୋଷ ।

 

ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା ଯେ, ଏଣିକି ଟୋକା ଦେବତାମାନଙ୍କର ପୂଜା ଆରମ୍ଭ ହେବ । ଟୋକାଙ୍କୁ ଟୋକା ଠିକ୍‌ ତାଳ ପଡ଼ିବ । ଆମ ଦେଶର ଟୋକାଙ୍କୁ ନ ପଚାରିବାକୁ ସେମାନେ ଯେପରି ବିପ୍ଳବ ଓ ଧର୍ମଘଟର ଆଶ୍ରୟ ନେଉଛନ୍ତି, ଟୋକା ଦେବତାମାନଙ୍କୁ ନ ପଚାରିବାରୁ ଦେଶରେ ବଢ଼ି ମରୁଡ଼ି ଓ ଅନାଟନ ବ୍ୟାପୀ ଯାଉଛି । ଟୋକା ଦେବତାମାନେ ନୂଆ ନୂଆ ରୋଗ ଜୀବାଣୁ ଛାଡ଼ିଦେଉଛନ୍ତି । ଅତଏବ ସେମାନଙ୍କ ସହିତ ଗୋଟାଏ ବୁଝାମଣା କରିବାକୁ ପଡ଼ିବ ।

 

ପ୍ରସ୍ତାବ ଅନୁସାରେ ସରସ୍ୱତୀ ପୂଜା ଏକ ଅଭିନବ ଢଙ୍ଗରେ ହେବ ବୋଲି ସ୍ଥିର ହେଲା-। ଏହି ପୂଜାକୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଡକାଯିବ । ବିଶିଷ୍ଟ ଖେଳବାର୍ଡ଼, ସିନେମାଷ୍ଟାର, ପଣ୍ଡିତ ଓ ମୂର୍ଖମାନଙ୍କୁ ନିମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସମାଜସେବୀ ଗୁଣ୍ଡା ଦୋସ୍ତମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣପତ୍ର ଦିଆଯିବ । ସରସ୍ୱତୀଙ୍କ ପୂଜା ସଂସ୍କୃତ ଭାଷାରେ ନ ହୋଇ ଇଂରେଜି, ଚାଇନିଜ ଓ ଏସ୍କମୋ ଭାଷାରେ ଶ୍ଳୋକମାନ ପଢ଼ାହେବ । ଭକ୍ତମାନେ ଦଣ୍ଡପ୍ରଣାମ କରିବା ସଙ୍ଗା ସଙ୍ଗେ ଗୁଡ଼ମର୍ଣ୍ଣିଂ ଓ ସାଲ୍ୟୁଟ କରି ‘ହାଓଡ଼ୁଡ଼ୁ’ ଶ୍ଳୋକ ବୋଲିବେ । ପ୍ୟାଣ୍ଟପିନ୍ଧା ଭକ୍ତମାନେ ଆଣ୍ଠେଇ କରି ଦଣ୍ଡବତ ହେବାରେ ଅସୁବିଧା ହେବା ହେତୁ ସରସ୍ୱତୀଙ୍କ ସହିତ କରମର୍ଦ୍ଦନ କରିପାରିବେ । ମାତ୍ର ସରସ୍ୱତୀ ମାଟିରେ ତିଆରି । ହାଣ୍ଡସେକ୍‌ କଲେ ତାଙ୍କ ହାତ କେତେ ସମୟ ଲାଷ୍ଟିଂ କରିବ । ତେଣୁ ସରସ୍ୱତୀଙ୍କ ହାତଟି ଅନ୍ତତଃ ପ୍ଲାଷ୍ଟିକରେ ହେବା ଦରକାର । ଏହିପରି ନୀତିମାନ ଠିକ୍‌ କରାଯାଇ ସରସ୍ୱତୀ ପୂଜାର ଆୟୋଜନ ହେଲା ।

 

ସରସ୍ୱତୀଙ୍କ ପାଇଁ ଯେଉଁ ପେଣ୍ଡାଲ ତିଆରି ହେଲା ତାହା ଟେରିକଟ୍‌ ଓ ଟେରିଲିନ୍‌ ଶାଢ଼ୀରେ ସଜ୍ଜିତ ହେଲା । ମା ଭଉଣୀ ଓ ସ୍ତ୍ରୀମାନଙ୍କ ପାଲଟା ଶାଢ଼ୀର ମଧୁର ଗନ୍ଧରେ ସରସ୍ୱତୀ ଆପ୍ୟାୟିତ ହେଲେ । ଶାଢ଼ୀର ସେହି ଉଷୁମ ପରିବେଶ ଭିତରୁ ସରସ୍ୱତୀଙ୍କ ରୂପ ଆହୁରି ଝଲକି ଉଠିଲା । ଶାଢ଼ୀମାନଙ୍କରୁ ଅତରଗନ୍ଧ ଛାଡ଼ି ନ ଥାଏ ଓ ନାନା ରଙ୍ଗର ଚିହ୍ନମାନ ବି ଶୋଭା ପାଉଥାଏ ।

 

ଜଣେ ବିଶିଷ୍ଟ ଆଟିଷ୍ଟଙ୍କ ଆଇଡ଼ିଆ ଅନୁସାରେ ସରସ୍ୱତୀଙ୍କୁ ମିନିଡ୍ରେସରେ ସଜ୍ଜିତ କରାଗଲା । ଓଡ଼ିଶୀ ନାଚର କୌଣସି ବିଶିଷ୍ଟ ପୋଜରେ ସରସ୍ୱତୀଙ୍କୁ ରଖାଗଲା । ବୀଣା ବଜାଇ ବହିଧରି ମଫସଲିଆ ପରି ଦିଶିବାଟା ବଡ଼ ଅପସନ୍ଦ ହେଲା । କେତେକ କହୁଥିଲେ, ସରସ୍ୱତୀଙ୍କୁ ନଗ୍ନ କରି ଦେବାଟା ସବୁଠାରୁ ବଡ଼ ପ୍ରଗତିର ପ୍ରମାଣ ଦେଇଥା’ନ୍ତା । ତା’ତ ହୋଇପାରିବ ନାହିଁ । ତେଣୁ ଏପରି ଡ୍ରେସ ପିନ୍ଧାଯାଉ, ତାଙ୍କୁ ଦେଖିଲେ ଯେପରି ଲୋକେ ନଗ୍ନ ଓ ନଗ୍ନ ନୁହେଁ ଏମିତି ଉଭୟ ପ୍ରକାର ଭାବି ପାରିବେ ।

 

ଏହାପରେ ପେଣ୍ଡାଲ ସଜ୍ଜା । ପେଣ୍ଡାଲ ସଜ୍ଜା ତ ନିତି ବଦଳୁଛି । ଷ୍ଟାଇଲ ବୋଇଲେ କିଛି ନିର୍ଦ୍ଦିଷ୍ଟ କଥା ଅଛି କି । ଯେଉଁ ଜାଗାରେ ପୂଜା ମଣ୍ଡପ ନିର୍ମିତ ହୋଇଥାଏ, ତାହା ତ ଏକ ପ୍ରଶସ୍ତ ପଡ଼ିଆ । ତାକୁ ସଜାଇବାକୁ ପଡ଼ିବ । ସରସ୍ୱତୀଙ୍କ ମଣ୍ଡପ ଖୁବ୍‌ ଉଚ୍ଚ ହେବା ଦରକାର, ଯେପରି ବିଶିଷ୍ଟ ନେତା ଲୋକମାନେ ଭାଷଣ ଦେବାକୁ ଆସିଲେ ଉଚ୍ଚା ମଣ୍ଡପ ତିଆରି ହୁଏ, ମଣ୍ଡପ ଉପରେ ସରସ୍ୱତୀ, ଆଗରେ ବିରାଟ ଦାନ୍ତୁରା ପଡ଼ିଆ ଖାଲି ଖାଇ ଗୋଡ଼ାଇଲା ପରି ଦିଶିବ-। ତା ଅପେକ୍ଷା ମଣ୍ଡପ ଆଗରେ ଯଦି ଆଧୁନିକ ପାର୍କଟିଏ କରି ଦିଆଯାନ୍ତା, କି ସୁନ୍ଦର ନ ଦିଶନ୍ତା ସତେ । ଘିଅ ହୋମ ଓ ଆଳତି ପରେ ଦେହକୁ ଥଣ୍ଡା କରିବାକୁ ସରସ୍ୱତୀ ବାହାରି ପଡ଼ନ୍ତେ ପାର୍କକୁ-। ଓଃ ସରସ୍ୱତୀ କଣ ସଦେହରେ ବାହାରନ୍ତେ ? ବାହାରନ୍ତା ତାଙ୍କ ଆତ୍ମା ପୁରୁଷ ଏକଦମ୍‌ ନିରୋଳା ରାତିରେ ।

 

ଆଚ୍ଛା କଥା, ଏକାଦିନକେ ପାର୍କଟାଏ ହେବା କି ସମ୍ଭବ ? ଜଣେ ଦମ୍ଭିଲା ମେମ୍ୱର ପ୍ରସ୍ତାବ ଦେଲେ । ସେ ଗାନ୍ଧୀ ପାର୍କଟାକୁ ହନୁମାନ ଗନ୍ଧମାର୍ଦ୍ଦନ ଟେକିଆଣିଲା ପରି ପୂରା ଉଠାଇ ଆଣିବାକୁ ପଡ଼ିବ । ଅର୍ଥାତ୍‌ ? ସମସ୍ତେ ତା ମୁହଁକୁ ଚାହିଁରହିଲେ । ଦମ୍ଭିଲା ମେମ୍ୱର କହିଲେ ଗାନ୍ଧିପାର୍କ ଅର୍ଥ ଗାନ୍ଧିପାର୍କରେ ଥିବା ସମସ୍ତ ଫୁଲଗଛ ଓ ପତ୍ରଗଛକୁ ମୂଳରୁ କଲମି କରି ଆଣିବାକୁ ପଡ଼ିବ । ରାତାରାତ୍ ଏ କାମ ହାସଲ କରିବାକୁ ଆମର ବାନର ସେନା ମଧ୍ୟ କମ୍‌ ନାହାନ୍ତି । ଏକାରାତିରେ ପାର୍କ ହେବ । ଏକାରାତିରେ ବସନ୍ତ ବହିବ । ସମସ୍ତେ କଥାରେ ତାଳି ଦେଲେ । ମାତ୍ର ସେକ୍ରେଟାରୀ ଭୁରୁଙ୍ଗା ମୁହଁ କରି କହିଲେ—

 

ପାର୍କ କରିବା ପ୍ରସ୍ତାବରେ ମୁଁ ଏକମତ । ମାତ୍ର ରାତିରେ ଚୋରୀ କରିବା ଆଇନ୍‌ ବିରୁଦ୍ଧ-। ଅନ୍ୟମାନଙ୍କ ଅଲକ୍ଷ୍ୟରେ ଯାହା କରାଯାଏ ତାହା ଚୋରୀ । କରିବ ତ ହିମ୍ମତ ବାଲାଙ୍କ ପରି ଦିନ ଦିପହରେ କର । ସ୍ୱାଧୀନ ଭାରତର ଯୁବଗୋଷ୍ଠୀ ଦରକାର ହେଲେ ଶମ୍ଭୁଆ, କୁଞ୍ଜିଆ ଓ ହଇରାଣିଆ ପରି ଦି’ଚାରିଟା ମଜବୁତିଆ ଲାଇସେନ୍‌ସ ପ୍ରାପ୍ତ ଟୋକାଙ୍କୁ ନେଇଯା । ଏସବୁ Adventures ସାହସୀ ହିରୋ ଭଳିଆ ଟୋକାଙ୍କୁ ସାଜେ । ମାଇଚିଆମାନେ ଚୋରୀ କରନ୍ତି ରାତିରେ । କଣ ହିମ୍ମତ ଅଛି ? ସମସ୍ତେ ଏକାବେଳକେ ହଁ ବୋଲି କହିଲେ । ସେକ୍ରେଟେରୀ କହିଲେ ସରସ୍ୱତୀଙ୍କ ରାଣ ପକାଅ । ସମସ୍ତେ ଏକାବେଳକେ ରାଣ ପକାଇଲେ । ସେକ୍ରେଟେରୀ କହିଲେ ସଂସ୍କାରବାଦୀ ଯୁବକମାନଙ୍କ ପ୍ରଧାନ ଲକ୍ଷ୍ୟ ହେଲା—ସେମାନେ ମାଇଚିଆ ଭଦ୍ରଲୋକଙ୍କପରି ଖାଲି ପ୍ରେଷ୍ଟିଜ ବୋଲି ଯେପରି ନହୁଅନ୍ତି । ପ୍ରେଷ୍ଟିଜକୁ ନେଲେ ସଂସ୍କାର ଅସମ୍ଭବ । ସଂସ୍କାର ନ ହେଲେ ଦେଶ ଉନ୍ନତି କରିବା ଅସମ୍ଭବ । ସମସ୍ତେ ସେକ୍ରେଟେରୀଙ୍କୁ ପ୍ରଶଂସା କରି କହିଲେ ଧନ୍ୟରେ ସେକ୍ରେଟେରୀ କୋଉ ଗୋବରରେ ତୋ ମୁଣ୍ଡ ଭର୍ତ୍ତି ହୋଇଛି କେଜାଣି । ସେଇଆ ହେଲା । ଦୁଇ ଚାରି ଘଣ୍ଟା ଭିତରେ ଗାନ୍ଧିପାର୍କ ସରସ୍ୱତୀ ପାର୍କରେ ପରିଣତ ହେଲା । ପ୍ରକୃତରେ ବୁଢ଼ାଗାନ୍ଧି ପାଇଁ ଅପଟୁଡ଼େଟ୍‌ ପାର୍କ ଶୋଭା ପାଏନା । ପାର୍କରେ ଥିବା ଯଗୁଆଳିମାନେ ପ୍ରାଣ ଭୟରେ ପଳାୟନ କଲେ । ସେକ୍ରେଟେରୀଙ୍କ ଗଠନମୂଳକ କାମକୁ ମୂଳାକମ୍ପାନୀ ଖୁବ୍‌ ତାରିଫ କଲା ।

 

ସରସ୍ୱତୀ ପାର୍କ ଚାହୁ ଚାହୁଁ ସୁସଜ୍ଜିତ ହେଲା । ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ଆସିଲେ । ନ ଜାଣିଲା ପରି କହିଲେ ସାବାସରେ ସଂସ୍କାରବାଦୀ ଭେଣ୍ଡିଆ ଦଳ । ଆଃ, କି ସୁନ୍ଦର ଗୋଲାପ, ଚକ୍‌ଚକ୍‌ କ୍ରୋଟନ ମାତ୍ର କେହି ଗାନ୍ଧିପାର୍କ କଥା ଉଠାଇଲେ ନାହିଁ କି ଦରକାର ।

 

ଏହାପରେ ଚୌକିମାନ ପଡ଼ିଲା । ଭକ୍ତମାନେ ଚୌକିରେ ବସି ମା ସରସ୍ୱତୀଙ୍କୁ ଦେଖି ସଲାମ ଦେବେ । ପୂଜାପରେ ଭୋଗ ଆସିଲା । ପଇତା ବିହୀନ ବ୍ରାହ୍ମଣ ଭୋଗ ଡେକଚିକୁ ବବୁର୍ଚ୍ଚି ହାତକୁ ବଢ଼ାଇ ଦେଲା । ଚାମୁଚରେ ଭୋଗ ସେବନ ହେଲା । ଯୋତା ଗୋଡ଼ରେ ଥାଏ, ଭୋଗ ସେବନ ଚାଲିଥାଏ । କଥା ହେଉଛି—ଯୋତା ରହିଲା କାହିଁ ତଳେ । ଭୋଗ ଖିଆହେଲା ହାତରେ ତା ସହିତ ୟାର କି ସମ୍ପର୍କ । ମଝିରେ ଜଣେ ସାମ୍ୱିଧାନିକ ପ୍ରଶ୍ନ ଉଠାଇ କହିଲେ ଜନୈକ ମେମ୍ୱର ପୂଜାହେବା ଆଗରୁ ଭୋଗ ଚାଖିଛି । ତେଣୁ ତାହା ଉଚ୍ଛିଷ୍ଟ । ଏଥିରେ ସେ ମେମ୍ବର ଜଣକ ଉତ୍ତର ଦେଲେ ଭୋଗକୁ ହାତରେ ଆଣି ପାଟିରେ ଟେକିକରି ପକାଇ ଦେଇଛି । ଆଙ୍ଗୁଠି ପାଟି ଭିତରେ ନ ପଶିଲେ ଅଇଁଠା ହେବ କିପରି । ଏ ପ୍ରକାର ବୈଜ୍ଞାନିକ ଯୁକ୍ତି ଶୁଣି ଅନେକ ତାଜୁବ ହୋଇଗଲେ । ଏହାପରେ ସେକ୍ରେଟେରୀ ବୁଝାଇ ଦେଲେ ।

 

କେବଳ ରଜା ନୁହଁନ୍ତି । ବହୁ ବଡ଼ ଲୋକମାନଙ୍କ ଖାଇବା ପୂର୍ବରୁ ଜଣେ ଚଖା କର୍ମଚାରୀ ପ୍ରତ୍ୟେକ ଖାଦ୍ୟକୁ ଚାଖିଥାନ୍ତି । ସେଥିପାଇଁ ସେ ଦରମା ପାଇଥାନ୍ତି । କାରଣ ସେଥିରେ ଯଦି କେହି ବିଷ ଦେଇଥିବ କିମ୍ୱା ଜିନିଷ ଭଲ ହୋଇ ନଥିବ, ତେବେ ତାହା ସାହେବ ଗ୍ରହଣ କରିବେ ନାହିଁ । ତାର ଅର୍ଥ ନୁହେଁ ଯେ ସାହେବ ନିଜ ତଳିଆ କର୍ମଚାରୀଙ୍କୁ ଉଚ୍ଛିଷ୍ଟ ଖାଉଛନ୍ତି । ତା’ଛଡ଼ା ପୁରାଣରେ ଅଛି ଶବରୀ ପ୍ରଥମେ କୋଳି ଚାଖି ରାମଚନ୍ଦ୍ରଙ୍କୁ ଦେଇଥିଲା । ଏସବୁ ତେଣୁ ବିଧାନ ସମ୍ମତକାମ । ଉଚ୍ଛିଷ୍ଟ ନାଁରେ ସଭ୍ୟମାନେ ଏପରି ହଟଗୋଳ କରିବା ଅନୁଚିତ । ସେକ୍ରେଟେରୀଙ୍କ ଗଭୀର ଜ୍ଞାନ ଦେଖି ସମସ୍ତ ସ୍ତମ୍ଭୀଭୂତ ହେଲେ ।

 

ପୂଜା ପରେ ପରେ ସଂକୀର୍ତ୍ତନର ଯେଉଁ ବନ୍ଦୋବସ୍ତ ସାଧାରଣତଃ ଥାଏ, ତାହା ଉଠାଇ ଦିଆଗଲା । ଯେଉଁ ସମୟରେ ସଂକୀର୍ତ୍ତନ ଥିଲା, ସେତେବେଳେ ରେଡ଼ିଓର ଉଦ୍ଭାବନ ହୋଇ ନଥିଲା । ରେଡ଼ିଓ ଥାଉ ଥାଉ, ଖୋଳ କରତାଳ ବଜାଇ ଜୋରରେ ହୁରି କରି ଅଯଥା ଏନର୍ଜି (Energy) ନଷ୍ଟ କରିବାର ଯଥାର୍ଥତା ଆଉ ନାହିଁ । ସେତେବେଳେ ଦୀପ ଥିଲା ଏକମାତ୍ର ଆଲୋକ । ଅକ୍ଷର ଦେଉଳ ଭିତରେ ଭକ୍ତମାନେ କିପରି ପ୍ରଭୁଙ୍କ ମୁଖଦର୍ଶନ କରିବେ ସେଥିପାଇଁ ଆଳତିର ବନ୍ଦୋବସ୍ତ ହୋଇଥିଲା । ମାତ୍ର ବାରଲାଇଟ୍‌ ଥିବା ସମୟରେ ଆଳତିର ଉପଯୋଗିତା କ’ଣ । ଏ କଥାରେ କିନ୍ତୁ ସବୁ ମେମ୍ୱର ଏକମତ ହେଲେ ନାହିଁ । ଆଳତି ବେଳଟା ଭଲ ଜମେ । ଆଳତି କରିବାକୁ ପଡ଼ିବ । ହଉରେ ବାବା ଆଜିକାଲି ତ ଭୋଟଯୁଗ । ମାତ୍ର ଆଳତି ଏଥର ଦୀପ ସାହାଯ୍ୟରେ ହେଲା ନାହିଁ । ୫୦୦ ପାବାର ବଲ୍ଲକୁ ସରସ୍ୱତୀଙ୍କ ମୁହଁ ଚାରିପାଖରେ ଦଶ ପନ୍ଦର ଥର ବୁଲାଇ ଅଣାଗଲା । ପରମ୍ପରା ରକ୍ଷା କରାଗଲା । ଏଥିରେ ସମସ୍ତେ ଖୁସି ।

 

ଆଳତି ପରେ ମେମ୍ୱରମାନେ ଆଟେନ୍‌ସନ୍‌ (ସାବଧାନ) ପୋଜିସନରେ ଠିଆ ହୋଇ ସାଲ୍ୟୁଟ୍‌ କଲେ । ଏହାପରେ ଉଚ୍ଚସ୍ତରୀୟ ଭୋଗ ଲଗାଗଲା । ବିଶିଷ୍ଟ ଅତିଥିମାନଙ୍କ ପାଇଁ ବିଶେଷ ଭୋଗ ପରିବେଷଣ କରାଗଲା । ଅବଶ୍ୟ ଏ ଭୋଗର ନାଁ ପୂରା ଆଧୁନିକ ଥିବାରୁ ତାକୁ ଉଖୁଡ଼ା ନଡ଼ିଆ ନ କହି କରୁଛନ୍ତି ବିରିୟାନୀ କଟଲେଟ୍‌ । ପଞ୍ଚାମୃତ ବଦଳରେ ନାଲିପାଣି ପରିବେଷଣ କରାଗଲା । ଏହି ଭୋଗ ଏକ ବୈପ୍ଲବିକ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ମତ ଦେଲେ । ସେ କହିଲେ ବେଦରେ ଗୋମେଧ ଯଜ୍ଞର ଉଲ୍ଲେଖ ଅଛି । ଋଷିମାନେ ଶ୍ରାଦ୍ଧରେ ବାଛୁରୀ ମାରିବାର ଅକାଟ୍ୟ ପ୍ରମାଣ ଅଛି । ବୈଦିକଯୁଗ ପରେ ଆସିଲା ଅନ୍ଧକାରର ଯୁଗ । ସେଇ ଯୁଗରେ ଯାବତୀୟ କୁସଂସ୍କାର ସମାଜରେ ବ୍ୟାପିଗଲା । ମାଂସ ନ ଖାଇ ଫଳ ଖାଇବାକୁ ଯୁବକମାନଙ୍କୁ ଉପଦେଶ ଦେବା ମୂଳରେ ସେମାନଙ୍କୁ ହୀନବୀର୍ଯ୍ୟ କରି ଦେବାର ମତଲବ ରହିଲା । ଅତଏବ ସବୁଦିନ ପାଇଁ ପରାଧୀନ ହୋଇରହିବା ସୁନିଶ୍ଚିତ ହୋଇଗଲା । ଆମେ ଦେବତାଙ୍କୁ ସାକ୍ଷୀରଖି ବିରିଆନି କଟ୍‌ଲେଟ୍‌ ଖାଉଥିବାରୁ ଶାସ୍ତ୍ରମତେ କୌଣସି ଦୋଷ ହେବ ନାହିଁ । ଯେଉଁମାନେ ମାଂସ ଖାଇବେ ବୋଲି ଠାକୁରଙ୍କ ପାଖରେ ମେଣ୍ଢା ଛେଳିକୁ ବଳିଦିଅନ୍ତି, ସେହି ମହାତ୍ମାମାନେ ଏ କର୍ମର ମହତ୍ତ୍ୱ ଅବଶ୍ୟ ଉପଲବ୍‌ଧି କରିବେ । ଆପଣମାନେ ନାଲିପାଣି ପରିବେଷଣ ବିରୁଦ୍ଧରେ ନାକ ଟେକୁଛନ୍ତି । ମାତ୍ର ବନ୍ଧୁଗଣ ଏହା ପୁରାଣ ଯୁଗର ସୋମରସ ଓ କାଦମ୍ୱରୀ ଛଡ଼ା ଆଉ କଣ ହୋଇପାରେ । ଖଜୁରୀ ରସ ବାସ୍ତବିକ ସ୍ୱର୍ଗୀୟ ରସ । ସେଥିପାଇଁ ପରା ଓଡ଼ିଆ ବେଦରେ ଅଛି–‘‘ଖଜୁରୀ ଗଛର କିସ ବାହୁନିବି ମୂଳରୁ ପାହାଚ ପାହାଚ’ । ମୁଁ ସେହି ଜ୍ଞାନମୟ ଖଜୁରୀଗଛର ଗୋଟିଏ ପାହାଚରେ ବର୍ଣ୍ଣନା ଦେଉଅଛି ମାତ୍ର ।

 

ଜଣେ ବଗୁଲିଆ ଠୋ ଠା କହିଲାବାଲା । ଭଣ୍ଡ ମେମ୍ୱର କହିଉଠିଲା—ଆଜ୍ଞା ମହାତ୍ମାଗାନ୍ଧୀ ଯେଉଁ ନିଶା ନିବାରଣ କରିଥିଲେ ତା’ ସାଙ୍ଗରେ ତ ଏଇଟା ମୋଟେ ମେଳ ଖାଉନାହିଁ । ବକ୍ତା କହିଲେ ଆପଣ ଆଉ ଟିକେ ତଳେଇ ଦେଖନ୍ତୁ, ନିବାରଣର ଅର୍ଥ କ’ଣ । ନ ଅର୍ଥ ନାହିଁ, ନିବାରଣ ଅର୍ଥ ନାହିଁ ବାରଣ ଯେଉଁଥିରେ (ବ.ବ୍ରୀ). ବା ନିଶା ଖାଇବାରେ ବାରଣ ରହିବା ଅନୁଚିତ । ଏଇଟା ଆଜ୍ଞା ଠିକ୍‌ ଅର୍ଥ । ମହାତ୍ମା କହୁଥିଲେ ନିଶା ଖାଇବାକୁ ମନାକଲେ ଜନତା କ୍ଷୁଣ୍ଣ ହେବେ । ତେଣୁ ‘ନରେ ବା ଗୁଞ୍ଜରେ ବା’ ନ୍ୟାୟରେ ନିଶା ନିବାରଣ ଆନ୍ଦୋଳନ ଚଳାଇଲେ । ସେଥିପାଇଁ ସିନା ପବିତ୍ର ନିଶାର ପ୍ରସାର ଆମ ଦେଶରେ ଏତେ ପ୍ରବଳ ହୋଇଛି । ମହାତ୍ମାଗାନ୍ଧିଙ୍କ ସ୍ୱପ୍ନକୁ ସାର୍ଥକ କରିବାପାଇଁ ସଂସ୍କାରବାଦୀ ଯୁବକ ସଂଘ ଏକ ବଳିଷ୍ଠ ପଦକ୍ଷେପ ନେଉଥିବାରୁ ମୁଁ ଅଭିନନ୍ଦନ ଜଣାଉଛି । (ତାଳି)

 

ପୂଜା ସରିଲା । ପୂଜା ଉପରେ ବକ୍ତୃତା ବି ଢେର ହେଲା । ସଙ୍ଗେ ସଙ୍ଗେ ବାଜି ଉଠିଲା ଆଦିରସଭରା ସଙ୍ଗୀତ । ଯୌନ ଉଦ୍ଦୀପକ ସଙ୍ଗୀତର ପରିବେଷଣ ହେଲାମାତ୍ରେ ଷଣ୍ଢ ଖୁରି ଖାଇଲା ପରି ପେଣ୍ଟପିନ୍ଧା ଭକ୍ତମାନେ ଅଣ୍ଟାକୁ ହଲାଇ ନାଚିବାକୁ ଆରମ୍ଭ କଲେ । ଭକ୍ତମାନଙ୍କ ସାଙ୍ଗକୁ ଭକ୍ତମାନେ ବି ଆସି ଜୁଟିଗଲେ । ଏହା ଏକ ଅଭିନବ କୀର୍ତ୍ତନ ବୋଲି ଦୂରରେ ଠିଆ ହୋଇଥିବା ବୁଢ଼ାହଡ଼ାମାନେ ମନ୍ତବ୍ୟ ଦେଉଥାନ୍ତି ।

 

କ୍ରମେ କୀର୍ତ୍ତନ ଜୋର ହେଲା । ଚୈତନ୍ୟଦେବ ଯେପରି ଆତ୍ମବିହ୍ୱଳ ହୋଇ ରାଧେକୃଷ୍ଣ କହି ଢଳି ଢଳି ନାଚୁଥିଲେ, ଏଠିବି ସେଇଆ ହେଲା । ମାତ୍ର ଚୈତନ୍ୟଙ୍କର ସହାୟକ କେହି ନଥିବାରୁ ସେ ଅନେକ ସମୟରେ ତଳେ ପଡ଼ି ଅଚେତ ହୋଇ ଯାଉଥିଲେ । ମାତ୍ର ଏଠାରେ ଦୁଇଜଣ ଲେଖାଏଁ ହାତ ଧରାଧରି ହୋଇ କୀର୍ତ୍ତନ କରୁଥିବାରୁ ପଡ଼ିଯିବାର ଭୟଟା ଅନ୍ତତଃ ନଥିଲା-। ଜଣେ ପଡ଼ିଗଲାବେଳକୁ ଆଉ ଜଣେ ସମ୍ଭାଳି ନେଉଥିଲା । ଦେଖଣାହାରୀମାନେ କିନ୍ତୁ ଏ ଉତ୍ସବରେ ବିମୋହିତ ହୋଇ କହୁଥାନ୍ତି, ଏ ଯେଉଁ ମହିଳାମାନେ ବାଳ ମୁକୁଳା କରି ନାଚୁଛନ୍ତି, ସେମାନଙ୍କୁ ଭାଲୁକୁଣୀ ଲାଗିଲାପରି ଦିଶୁଛି । ଏହାପରେ କେତେକ ମେଲେରିଆ ଜ୍ୱରରେ ଥରିଲାପରି ଥରିଲେ । ଗୋଟାଏ ପ୍ରକାର ଶବ୍ଦ ଉଚ୍ଚାରଣ କରି କୁହାଟ ମାରି ପୂଜାଟାକୁ ଏକଦମ୍‌ ଜମେଇ ଦେଲେ । ମାତ୍ର ପୁରୁଣାକାଳିଆ ଭକ୍ତମାନେ ଶୋକାକୁଳ ହୋଇ ଅନାଇଥାନ୍ତି । ତଥାପି ଜଣଜଣଙ୍କର ସନ୍ଦେହ ଆସୁଥାଏ—ସତେ କଣ ଏମାନଙ୍କୁ ସରସ୍ୱତୀ ଲାଗିଛନ୍ତି ? ଆଉ ଜଣେ ଜଣେ କହିଲେ ଏସବୁ ହରିଙ୍କ ଲୀଳା । ବୁଢ଼ା ବୁଢ଼ୀମାନେ କେତେଜଣ ମୁଣ୍ଡିଆମାରି ସରସ୍ୱତୀଙ୍କ କାଳିସୀ ଉଦ୍ଦେଶ୍ୟରେ କହୁଥାନ୍ତି, ମା ମଙ୍ଗଳା, ତୁ ଭରସା ।

 

ଯାହାହେଉ, ପ୍ରଗତିବାଦୀ ଯୁବକମାନେ ଯେଉଁ ସାହସିକ ପଦକ୍ଷେପ ନେଇ ସେମାନଙ୍କ ସଂସ୍କାରମୁଖୀ ଦୃଷ୍ଟିକୋଣରେ ପରିଚୟ ଦେଲେ, ତାହା ସାରା ବିଶ୍ୱରେ ଅତୁଳନୀୟ ବୋଲି ଭାରତୀୟ ସବୁ କାଗଜରେ ମତ ପ୍ରକାଶ ପାଇଲା । ବିଦେଶୀ କାଗଜମାନେ ସାବାସ୍‌ ଦେଇ କହିଲେ ଯାହାହେଉ, ଭାରତୀୟମାନେ ଜାତି ପ୍ରୀତିକୁ ଡେଇଁ ଏକାବେଳକେ ବିଶ୍ୱପ୍ରୀତିରେ ପହଞ୍ଚିଗଲେ ଠିକ୍‌ ଆମେରିକାର ରକେଟ୍‌ ଚନ୍ଦ୍ରରେ ପହଞ୍ଚିଲା ପରି । ଏ ସମ୍ୱାଦରେ ସଂସ୍କାରବାଦୀ ଯୁବକମାନେ ଆହୁରି ଅତି ଜୋରରେ ସଂସ୍କାର କରିବାର ବଳବତୀ ଆକାଂକ୍ଷା ପୋଷଣ କରି ପ୍ରଥମ ସଫଳ ପଦକ୍ଷେପ ପରେ ଦ୍ୱିତୀୟ ପଦକ୍ଷେପ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେ ।

Image

 

ମୋ ବୁଢ଼ୀ ବସ୍‌

 

ସେଦିନ ବୁଢ଼ୀବସରେ ଉଠିବାର ସୁଯୋଗ ମିଳିଲା । ଖଣ୍ଡେ ଦୂରରୁ ଦେଖି ଜାଣିନେଲି । ମୋର ଚିରପରିଚିତ ବସ ଆଗକୁ ଠେଲେଇ ହୋଇ ଆସୁଛି ଧଇଁପେଲିଲା ପରି । ତା ନ ହେଲେ ହଲି ହଲି ଢଳି ଢଳି ମନ୍ଦ ଗମନରେ ଗର୍ଭାଳସୀ ହଂସୀ ପରି ଏ ସତ୍ୟ ଯୁଗର ନନ୍ଦିଘୋଷ ଆଉ କିଏ ହୋଇପାରେ । ବସଟି ଅଭିର ରଙ୍ଗରେ ଚିତ୍ରିତ । ଝାଟିମାଟି କାନ୍ଥରୁ କାଦୁଅ ଛାଡ଼ିଗଲା ପରି ରଙ୍ଗସବୁ ପୁଳାକୁ ପୁଳା ଝଡ଼ିପଡ଼ିଛି । ମଫସଲରେ ମାଟିକାନ୍ଥରେ ଘଷିଫଡ଼ା ପାରି ଶୁଖିଗଲା ପରେ କାଢ଼ିନେଲେ ଯେପରି ଛଉ ଛଉକା ଚିହ୍ନ ରହେ, ରଙ୍ଗ ଛାଡ଼ିଗଲା ପରି ବସନ୍ତ ଚିହ୍ନ ପରି ବୟସର ଦାଗ ତାର ଅଙ୍ଗସାରା ଲାଗିରହିଛି । ବୟସ୍କ ମହିଳା ପରି ଜୀବନର ସମସ୍ତ ସ୍ୱାଦୁ ଚାଖିଗଲା ପରେ ଆଉ ବାକିରହେ ବିତୃଷ୍ଣା । ସବୁ ଜିନିଷ ପ୍ରତି ଛାଡ଼ ଛାଡ଼ ଭାବ । କାହାକୁ ଅନାଇବାକୁ କାହିଁକି କେହି ଅନାଇଲେ ଆଉ କେୟାର କରିବାର ସମୟ ନାହିଁ । ଧଡ଼ସ, ଘୁଡ଼ୁରୁ, ଝାଇଁ ଝାଇଁ ଇତ୍ୟାଦି ଗୁଡ଼ିଏ ଶବ୍ଦ ଏକାବେଳକେ ଉତ୍ପନ କରି ବୁଢ଼ୀବସ ଆସି ମୋ ପାଖରେ ଠିଆ ହୋଇଗଲା ।

 

ଆଗରେ କାମର ଚାପ, ଯିବାକୁ ହେବ । କାମଚଳା ବଜେଟ୍‌ ପରି ଆଗ୍ରହ ନ ହେଲେ ବି ବାଧ୍ୟହୋଇ ପାହାଚରେ ଗୋଡ଼ଦେଇ ଉପରକୁ ଉଠିଆସିବାକୁ ଚେଷ୍ଟାକଲି । ବସର ପ୍ରଥମ ପାହାଚଟି ଦଦରା । କ୍ଲିନର କହିଲା । ବାବୁ ଡାହାଣ ପାଖଦେଇ ଉଠ । ବାଁ ପାଖଟା ଦବିଯାଇ ଧଡ଼ ଧଡ଼ ହେଉଛି । ସେ ଫାଟବାଟେ ଗୋଡ଼ ପଶିଯିବତ ଖଣ୍ଡିଆଖାବରା ହୋଇଯିବ । ମାତ୍ର କଣ୍ଡକ୍ଟର ହାଁ ହାଁ ଉଠିଯାଉଛ କୁଆଡ଼େ, ଆଗେ ଟିକଟ କର ପରେ ଉଠିବ । ମୁଁ ଏଠି ବସିଛି କଣ ଦେଖାଯାଉନି । ତମେ ବାବୁ ପରି ଯାଇ ବସିବ । ମୁଁ ଦାନ୍ତନିକୁଟି ତମ ପାଖରେ ଠିଆହୋଇ ଟିକଟ ମାଗିବି । ସେ କଥା ହେବନି, ମୋର ତ ପୁଣି ପୋଜିସନ ଅଛି । ସୁନାପିଲାଟି ପରି ଠିଆ ହେଲି । ସେତେବେଳକୁ ଗୋଟାଏ ପାହାଚ ଉଠିସାରିଥିଲି । ମାତ୍ର ତଳେଥାନ୍ତି ଦଳେ ମଳିମୁଣ୍ଡିଆ । ଭୀଷଣ ଖରା । ସେମାନଙ୍କ ଭିତରୁ ପାଟିହେଉଥାଏ । ଆମେ ଆଗେ ଉଠିଯାଉ । ମାତ୍ର ସେମାନଙ୍କ କଥା ଶୁଣୁଛି କିଏ ? ଯାହାହେଉ, ଟିକଟ ସରିଲା । ସମସ୍ତେ ଉଠିଲୁ, ବସିବାର ତ ପ୍ରଶ୍ନ ନାହିଁ । ଉପର ରେଲିଂ ଧରି ଠିଆ ହେବାକୁ ପଡ଼ିବ ।

 

ହେଲା ହୁଇସିଲ, କ୍ଲିନର ଦି’ ତିନିଥର ହୁଇସିଲ ଫୁଙ୍କିଲା । ଇଞ୍ଜିନ୍‌ ଘାଡ଼ିରୁ ଘାଇ ହୋଇ ଗର୍ଜ୍ଜନ କଲା । ମାତ୍ର ଟିକିଏ ବି ହଲିବାକୁ ନାହିଁ । ଡ୍ରାଇଭର କହିଲା, ଯେତକ ଠିଆହୋଇଛ ସମସ୍ତେ ଓହ୍ଲାଇପଡ଼ି ଟିକିଏ ଠେଲିଦିଅ । କଣ୍ଡକ୍ଟର ସାହେବ ବସିଥାନ୍ତି । ନିର୍ବିକାର, ନିଶ୍ଚଳ, ସତେଅବା ଏଇ ଯୋଗରୁ ଉଠିଛନ୍ତି । ଆମେ ଠେଲା ଠେଲି କରି ଷ୍ଟାର୍ଟ କରାଇ ନିର୍ଦ୍ଦିଷ୍ଟ ଜାଗାରେ ଠିଆହେଲୁ । ସେତେବେଳକୁ ସମ୍ପୂର୍ଣ୍ଣ ଝାଳନାଳ । ହଲି ହଲି ଗାଡ଼ିଚାଲିଲା ଅଳସ ଗମନା ରମଣୀ ପରି । କେତେ ନୂଆଗାଡ଼ି ଲମ୍ୱା ଲମ୍ୱା ହୁଇସିଲ ଦେଇ ଚକାଚକ୍‌ ଟପିଯାଉଥାନ୍ତି । ମାତ୍ର ଆମ ବୁଢ଼ୀ ଗାଡ଼ିର କାହା ପ୍ରତି ଖାତିର ନ ଥାଏ । ବୟସ ହୋଇଗଲେ ତଣ୍ଟି ଘଡ଼୍‌ ଘଡ଼୍‌ ହେଲା ପରି ବେଜାଏ ଶବ୍ଦ ଏକାବେଳେ ବାହାରୁଥାଏ ।

 

ଏହାପରେ ପହଞ୍ଚିଲା ଗୋଟାଏ ଷ୍ଟେସନ୍‌ । ଲୋକେ ଓହ୍ଲାଇଲେ, ଚଢ଼ିଲେ, ଡ୍ରାଇଭର ଷ୍ଟାର୍ଟ ବନ୍ଦକରି ନ ଥାଏ । ମାତ୍ର ହୁଇସିଲ ପରେ ମଧ୍ୟ ଗାଡ଼ି ଛାଡ଼ୁନାହିଁ । କାରଣ କଣ, ଦେଖ ଦେଖ ଡ୍ରାଇଭର କାହା ସଙ୍ଗେ ଖୁସୀ ଗପ କରୁଛନ୍ତି । ଲୋକେ ଛାଡ଼୍‌ ଛାଡ଼୍‌ ବୋଲି ପାଟି କରୁଥାନ୍ତି । ନିର୍ବିକାର ଡ୍ରାଇଭର ପାଞ୍ଚ ଛ’ ମିନିଟ୍‌ ଗପିସାରିଲା ପରେ ଗାଡ଼ି ଚାଲିଲା । ଲୋକେ ଡ୍ରାଇଭରକୁ ଗାଳି ନ ଦେଇ ଶେଷକୁ ସରକାରଙ୍କୁ ଗାଳିଦେଲେ । ୟାଳ୍ପ ସରକାର, ୟାଙ୍କୁ ଭୋଟ ଦେଇ ଭୁଲ ହେଲା । ବାଦ ପ୍ରତିବାଦ ତ ଦୈନନ୍ଦିନ ବ୍ୟାପାର । କଥାକୁ କଥା ବଢ଼ାଇ ଲାଭ କ’ଣ । କର୍ମଚାରୀମାନେ ଏପରି ବ୍ୟବହାର ପାଇଁ ସତେ ଯେପରି ଅଭ୍ୟସ୍ତ । ଗାଡ଼ିର ଗତି ମଧ୍ୟ ଅପୂର୍ବ । ବେଳେ ବେଳେ ଗାଡ଼ିକୁ ହଠାତ୍‌ ବ୍ରେକ୍‌ ଦେଇ ଧଡ଼କରି ରଖି ଦେଉଥାଏ । ଫଳରେ ଇଏ ତା ଉପରେ ଓ ସେ ୟା ଉପରେ ପଡ଼ୁଥାନ୍ତି । ୟେବି ଗୋଟାଏ ମଜା । ହୁସିଆର ନ ହେଲେ ବେଞ୍ଚ ଉପରୁ ପଡ଼ିଯିବାଟା କେତେବେଳ; କିନ୍ତୁ ଏଥିରେ ଗାଡ଼ି ଚଳାଇବା ବାଲାର କି ଦୋଷ । ଯେ ରାସ୍ତା କରିଛି ସବୁ ଦୋଷ ତାର ।

 

ଏହାପରେ ଯେତେ ଜାଗାରେ ଗାଡ଼ି ରହିଲା । ସେସବୁ ଖୁସିବାସିଆ କଥା । କର୍ମଚାରୀମାନେ କେଉଁଠି ଚାହା ପିଇଲେତ କେଉଁଠି ଛେନାପୋଡ଼ ଖାଇଲେ । କେଉଁଠି ପରିବା କିଣିଲେ ତ କେଉଁଠି ମାଛ ଓ ଅନ୍ୟାନ୍ୟ ସଉକିନିଆ ଜିନିଷ ମୁଲାଇଲେ । ମୁଲଚାଲବେଳେ ସମୟ ତ କିଛି ନଷ୍ଟ ହେବ । ଦୋଳକୁ ଠାକୁର ଭୋଗ ଖାଇ ଗଲା ପରି ଆମ କର୍ମଚାରୀ ଠାକୁରମାନେ ଉଠୁଥାନ୍ତି, ଓହ୍ଲାଉଥାନ୍ତି । ଯେତେବେଳେ ତଣ୍ଟି ଶୁଖିଯାଉଥାଏ, ସେତେବେଳେ ବିଡ଼ି ସିଗାରେଟ୍‌ ଟିକିଏ ପିଇ ଦେଉଥାନ୍ତି । ଅବଶ୍ୟ ଅନ୍ୟ ଜିନିଷ କିଛି ପିଇବାର ମୁଁ ଦେଖି ନାହିଁ, ଗାଡ଼ି ଚାଲିଥାଏ । ଇଂରେଜ ବାଦ୍ୟଯନ୍ତ୍ରର ଧ୍ୱନି ପରି ତାର ଶବ୍ଦ ସମ୍ଭାର । ଦେଖିଲି ସାମନାକୁ ଲେଖାଯାଇଛି ଧୂମ୍ରପାନ ନିଷେଧ । ଅନ୍ୟଆଡ଼କୁ ଅନାଇ ଦେଖେ ତ, କଣ୍ଡକ୍ଟର ହାତରେ ସିଗାରେଟ୍‌, କ୍ଲିନର ହାତରେ ବିଡ଼ି, ଡ୍ରାଇଭର ହାତରେ ଚୁରୁଟ । ମଝିରେ ମଝିରେ ଜଣେ ଅଧେ ମୁହଁରେ ନିଆଁ ଲଗାଉଥାନ୍ତି । ବସ୍‌ ଭିତରଯାକ ଧୂମକୁଣ୍ଡଳି ବୁଲିଆସୁଥାଏ । ଧୂଆଁ ପ୍ରତି ଅନଭ୍ୟସ୍ତ କେତେକ ବ୍ୟକ୍ତି ନାକ ଆଗରେ ରୁମାଲ ହଲାଇ ଧୂଆଁଗୁଡ଼ିକୁ ସେମାନଙ୍କ ନାକରେ ପଶିବାକୁ ବାରଣ କରୁଥାନ୍ତି ଓ ଇସ୍‌ ଇସ୍‌ ହେଉଥାନ୍ତି ।

 

କୌତୁକ କରିବା ପାଇଁ କଣ୍ଡକ୍ଟରଙ୍କୁ କହିଲି, କଣ୍ଡକ୍ଟରବାବୁ ଆଗରେ ଲେଖା ଆଡ଼କୁ ଟିକିଏ ଦୃଷ୍ଟି ପଡ଼ୁଛି ତ ? କଣ୍ଡକ୍ଟର ମୁରୁକି ହସିଲେ । କହିଲେ ହଁ ଆମ ମାଲିକଙ୍କ ପ୍ରଚାର ବିଭାଗ ସେସବୁ ଲେଖିଛନ୍ତି । ସେମାନଙ୍କ ଡିଉଟି ସେମାନେ କଲେ । ଆମ ଡିଉଟି ବି ଆମେ କରୁଛୁ । ଆମେ ସେସବୁ ମାନିବାକୁ ବାଧ୍ୟ ନୋହୁ । ଏମିତି ଥିଓରି ପ୍ରଚାର କରିବା କଣ ଆମ ଦେଶରେ ନୂଆ ଦେଖୁଛନ୍ତି । ରାମାୟଣ ମହାଭାରତରେ ଯେତେ ନୀତି ଶିକ୍ଷାଅଛି, ଆମେ କଣ ସେସବୁ ପାଳନ କରୁଛୁ ? ବୁଝିଲେ ଆଜ୍ଞା ଏ ଦେଶରେ ସମସ୍ତେ ରହିବେ । ସବୁ ଚଳିବ । ଖାଲି ଚଳେଇ ପାରିଲେ ହେଲା । ଏ ହେଲା ସହାବସ୍ଥାନ ନୀତି । ନୀତି ଅନୀତି ହାତ ଧରାଧରି ହୋଇ ନ ରହିଲେ ସଂସାର ଚଳିବ କିପରି ? ଦେଶରେ ସମସ୍ତେ ଯଦି ରାମ ହୋଇଯିବେ । ତେବେ ରାବଣମାନେ ଯିବେ କୁଆଡ଼େ ? ଆପଣମାନେ ରାମ ହୁଅନ୍ତୁ, ଆମର ଆପତ୍ତି ନାହିଁ । ମାତ୍ର ଆମପରି ରାବଣମାନଙ୍କୁ ରାମ କରିବାର ଚେଷ୍ଟା ମୋଟେ କରିବେ ନାହିଁ । ମହାତ୍ମାଗାନ୍ଧୀ ତ ପାରି ନାହାନ୍ତି, ଆଉ ଆପଣ । ଚୁପ୍‌ ହେଲି ।

 

କଥାରେ କଥାରେ ବୁଝିଲି, କଣ୍ଡକ୍ଟରବାବୁ ଏଇ ଅଳ୍ପଦିନ ଚାକିରି ଭିତରେ ପାଞ୍ଚଥର ସସପେଣ୍ଡ ହୋଇଛନ୍ତି । ଏହି ସମୟଟାକୁ ସେ ବାଧ୍ୟତାମୂଳକ ବିଶ୍ରାମ ବୋଲି ଧରିନେଇଛନ୍ତି । ଗତଥର ସସପେଣ୍ଡ ହେଲା ସମୟରେ କଟକ ବାଦାମବାଡ଼ିରେ ଘରଖଣ୍ଡିକ ସମ୍ପୂର୍ଣ୍ଣ କରିଦେଲେ । ଆଉ ଥରେ ହେଲେ ଝିଅ ବିଭା କରିବେ ବୋଲି ଆଶା କରୁଛନ୍ତି । ଏହି ସମୟରେ ହାକିମଙ୍କ ଘରକୁ ଯିବାକୁ ସମୟ ମିଳେ ଓ ଘନିଷ୍ଠତା ସୃଷ୍ଟି ହୁଏ ବୋଲି ତାଙ୍କ ମତ ।

 

ମୁଁ କହିଲି ଯାହାକଲେ ବି ତମେ ପଦାରେ ଏପରି କଥା କହୁଛ କିପରି ? କଣ୍ଡକ୍ଟର କହିଲେ ଏଥିରେ କିଛି ଦୋଷ ନାହିଁ । ଆଜିକାଲି ଏସବୁ କଥା କିଏ ନ ଜାଣେ । ଜାଣି ପକାଇଲେ ବି କିଏ କଣ ଆଲୁଅ କରିପକାଇବ । ତାଛଡ଼ା ଆମର ଆସୋସିଏସନ ଅଛି । ଅନଶନ ଧର୍ମଘଟ ଇତ୍ୟାଦି ମହା ମହା ମାରଣାସ୍ତ୍ର ମଧ୍ୟ ଅଛି ।

 

କଥାବାର୍ତ୍ତା ହେଉଛୁ, ଗାଡ଼ିଟା ପୁଣି କେଁକରି ଅଟକିଗଲା । ଅଗତ୍ୟା ସମସ୍ତେ ଓହ୍ଲାଇଲୁ, ଗାଡ଼ିତଳେ କର୍ମଚାରୀମାନେ କଣସବୁ ପିଟାପିଟି କଲେ । ଶେଷକୁ କହିଲେ, ଆଉ ହେବ ନାହିଁ । ନୂଆଗାଡ଼ି ମଗାଇବାକୁ ପଡ଼ିବ । ଡ୍ରାଇଭର କହିଲା ମୁଁ ଯାଉଛି ଅଧମାଇଲ ଦୂରରେ ଫୋନ୍‌ କରିଆସେ । ଦୁଇ ଚାରିଘଣ୍ଟା ଭିତରେ ଗାଡ଼ି ଆସିଯାଇପାରେ । ଏକଥା ଶୁଣି କେତେକ ଟ୍ରକ ଓ ଅନ୍ୟ ବସରେ ଚାଲିଗଲେ । ଟିକେଟ୍‌ ଫେରାଇବାର ପ୍ରଶ୍ନ ତ ଉଠୁନାହିଁ । ଦୁର୍ଘଟଣା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଟିକେଟରେ ଲେଖା ଅଛି ।

 

ଥୋଡ଼ାଏ ପାଟିକଲେ, ସରକାରଙ୍କ ଚଉଦପୁରୁଷ ଶ୍ରାଦ୍ଧ କଲେ । ନିଜ ନିର୍ବାଚନ ମଣ୍ଡଳୀର ଏମ୍‌.ଏଲ୍‌.ଏ. ଏମାନଙ୍କ ପ୍ରତି ମନ୍ତବ୍ୟ ଦେଲେ । ମାତ୍ର ଶ୍ରୋତା ବକ୍ତା କେହି ନାହିଁ । ରୋଦନ କରି ଲାଭ କଣ ? ଯେଉଁମାନଙ୍କର ପଇସା ନ ଥିଲା ବାଧ୍ୟହୋଇ ରକ୍ତ ଚାଉଳ ଚୋବେଇ ଚୋବେଇ ରହିଲେ । ଏହି ସମୟରେ ତରୁଣୀ ବସ୍‌ମାନେ ପିଁକରି ଉଡ଼ିଯାଉଥାନ୍ତି । ସତେ ଯେପରି ସେମାନଙ୍କଠାରେ ପର ଲାଗିଛି । ହତାଶ ହୋଇ ସେମାନଙ୍କ ଫୂର୍ତ୍ତି, ଗତି ଓ ଚେହେରାକୁ ନୀରବ ଦର୍ଶକ ଭାବେ ଲକ୍ଷ୍ୟ କରୁଥାଉ ।

 

କଣ୍ଡକ୍ଟର ସାହେବ ମୋତେ ନିକଟସ୍ଥ ଏକ ଚାହା ଦୋକାନକୁ ଡାକି ନେଲେ । ସେ ଦୋକାନୀଟି ତାଙ୍କ ଚିହ୍ନାଲୋକ ? ଚାହା ପିଇ କିଛି ସମୟ ବିତାଇଲୁ । ଏହି ସମୟରେ କ୍ଲିନର ପହଞ୍ଚି ପଇସା ହିସାବ କଲା । ମୁହଁରେ ହସ, ଗାଡ଼ି ଅଚଳ ହେଲା ବୋଲି ଦୁଃଖ ନାହିଁ । ଗୀତା ଥିଓରି ଅନୁସାରେ ଏମାନେ ନିର୍ବିକାର ଓ ନିରାସକ୍ତ । କଣ୍ଡକ୍ଟର କହିଲେ ବୁଝିଲେ ଆଜ୍ଞା, ପ୍ରଥମ ଦୁଇଥର ସସପେଣ୍ଡ ହେଲି ଭଳି ଡିଉଟିକଲି ବୋଲି । ତା’ପରେ ବୁଦ୍ଧି ଶିଖିଗଲି । ଏଣିକି ଜାଣି ଜାଣି ସସପେଣ୍ଡ ହେଉଛି । ଏଇ ଦେଖୁଛ, ଯେଉଁମାଲ ସବୁ ଉପରେ ଲଦା ହୋଇଛି । ସେଥିପାଇଁ ଯଦି ଉପଯୁକ୍ତ ଟିକେଟ୍‌ ହୁଅନ୍ତା, ତେବେ ଗରିବ ଲୋକେ କେତେ କଷ୍ଟ ନ ପାଆନ୍ତେ । ଆମେ ଅଳ୍ପ କିଛି ନେଇ ସେମାନଙ୍କ ସାହାଯ୍ୟ କରି ଦେଉଛୁ । ପଇସା ବି କୁଆଡ଼େ ଯାଉଛି । ମୁଁ ନିଏ ବା ଯେ ନେଉ, ଏଇ ଦେଶରେ ତ ସବୁ ରହୁଛି । ଆମେ ଯେଉଁମାନେ ବାଣ୍ଟି ନେଉଛୁ, ସେମାନଙ୍କ ନାଁ କହିବି ନାହିଁ । ଆପଣ ତ ଜାଣୁଥିବେ, କହିବା କଣ ଦରକାର । ଏ ଦେଶରେ ନୁଖୁରା କେହି ନାହାନ୍ତି ଆଜ୍ଞା ସବୁ ତେଲିଆ । କିଛି ସମୟ ପରେ ଫେରିଲୁ । ଡ୍ରାଇଭର ଓ କ୍ଲିନର ଏଥର ଶେଷ ଚେଷ୍ଟାଟା କଲେ-। ଆଶ୍ଚର୍ଯ୍ୟର କଥା, ଅଳ୍ପ ସମୟ ମଧ୍ୟରେ ଗାଡ଼ିଟା ଠିକ୍‌ ହୋଇଗଲା । ଯାହାହେଉ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ । ବସ୍‌ ଚାଲିଛି ଘୁଡ଼ୁ ଘୁଡ଼ୁ ଘାଉଁ ଘାଉଁ ରବକରି । ଚାହୁଁ ଚାହୁଁ ପବନ ଓ ବର୍ଷା ମାଡ଼ିଆସିଲା । ଏତେ ଜୋରରେ ବର୍ଷା ଛେଚିଲା ଯେ, ବସ୍‌ ଭିତରେ ଆଣ୍ଠୁଏଁ ଲେଖାଏଁ ପାଣି-। ସିଟ୍‌ ସବୁ ଓଦା । ଯେଉଁମାନେ ବସିଥିଲେ, ସମସ୍ତେ ଉଠିଲେ । ପାଲଗୁଡ଼ିକ ଯାବୁଡ଼ି ଧରିଲେ ବି ରକ୍ଷା ନାହିଁ । ଛାତରୁ ମଧ୍ୟ ଗୋଟାଏ ଦି’ଟା ଜାଗାରୁ ପାଣି ବହିବାକୁ ଆରମ୍ଭ କଲାଣି । ସମସ୍ତେ ଶୀତରେ ଥରିବାକୁ ଲାଗିଲେ । ଏହି ସମୟରେ ଛାତର କଣ ଗୋଟାଏ ଭୁଷ୍‌କରି ପଡ଼ିଲା । ଉପରେ ଲଦା ହୋଇଥିବା ମାଲ ବୋଧେ ଭଲ ଭାବରେ ବନ୍ଧା ହୋଇ ନ ଥିଲା । ଏତେ ଭିଡ଼ିକରି ବାନ୍ଧିବାକୁ ବେଳ କାହିଁ । ବାନ୍ଧିବା କଣ ଦରକାର । କୋଉଁ ଏବେ ଟଙ୍କାଗୁଡ଼ାଏ ଓଜାଡ଼ି ଦେଉଛନ୍ତି । ବସ୍ତାକୁ ଟଙ୍କା ଦି’ଟଙ୍କା ମାତ୍ର । ଦରିଦ୍ର ଓଡ଼ିଆଙ୍କୁ ଅତ୍ୟଧିକ ମାସୁଲ ବୋଝରୁ ରକ୍ଷା କରିବା ପାଇଁ କର୍ମଚାରୀମାନେ ଯେଉଁ ମହାନତା ବା ଉଦାରତା ଦେଖାଉଛନ୍ତି ସେଥିପାଇଁ ସମସ୍ତେ କୃତଜ୍ଞ ରହିବାର କଥା ।

 

ଯାହାର ମାଲ ପଡ଼ିଥିଲା ତାକୁ ଶହେଗଜ ଖଣ୍ଡେ ଦୌଡ଼ିବାକୁ ପଡ଼ିଲା । ପୁଣି ମାଲ ଲଦାହେଲା, ଅଧଘଣ୍ଟାଏ ଗଲା । ମଧୁଗୁଞ୍ଜନ କରି ଆଗେଇ ଚାଲିଲା ନାଲିଛଉକି ବୁଢ଼ୀ ଗାଡ଼ି । ଲୋକେ ବି ଦୁଃଖ ଭୁଲିଗଲେଣି, ପବନ କମିଗଲା । ଦୁଃଖତକ ଉଭେଇଗଲା ।

 

ଏହାପରେ ଆଉ ଗୋଟିଏ ବଡ଼ ଷ୍ଟେସନ । ତାପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେବ । ଲକ୍ଷ୍ୟସ୍ଥଳ ପାଖେଇ ଆସିଲା, ଗାଡ଼ି ଅଟକିଲା ବଡ଼ ଷ୍ଟେସନରେ । ଶହ ଶହ ଲୋକ ଏକାବେଳକେ ଉଠିଲେ । କେତେକ ଡ୍ରାଇଭର କାନ୍ଧରେ ଭରାଦେଇ ଉଠିଲେ । ତା ଚାରିପାଖ ଖୁନ୍ଦି ହୋଇଗଲେ, ଏମାନଙ୍କ ପାଇଁ ବୋଧେ ଟିକଟ ଛାଡ଼ । କାହିଁ କଣ୍ଡକ୍ଟର କି କ୍ଲିନର କେହି ତ ଟିକଟ ପାଇଁ ପାଟିକରୁ ନାହାଁନ୍ତି । ଏ ଦଳରେ ଉଠିଲେ ଦଳେ କଲେଜ ଟୋକା । ଆଉ ଦଳେ କଲେଜରୁ ବାଧ୍ୟତାମୂଳକ ଭାବେ ଅବସର ନେଇଥିବା ଟୋକା । ପାଶ୍‌ ଫେଲ୍‌ ଆଇ.ଏ.ବି.ଏ. ବାଲା ସମସ୍ତେ ଏଠି ସମାନ । ହୁଇସିଲ, କଡ଼ା ଥଟ୍ଟାଳିଆ ମନ୍ତବ୍ୟ ଓ ହୋ ହୋ ଘୋ ଘୋ ଭିତରେ ବସ୍‌ ଭିତରଟା ଜମି ଉଠିଲା । ବୁଢ଼ୀର ତେଜ ବଢ଼ିଉଠିଲା । ଆର ଷ୍ଟେସନରେ ସମସ୍ତେ ଓହ୍ଲାଇଲେ ଓ କ୍ଲିନର ହାତରେ କିଛି କିଛି ଗୁଞ୍ଜି ଦେଇଗଲେ । ଆଗରୁ ବୋଧେ ସମସ୍ତେ ରେଜା ଭଙ୍ଗାଇ ଆଣିଥିଲେ । କିମ୍ୱା ସେମାନଙ୍କ ଟିକେଟ୍‌ ରେଟ୍‌ ବୋଧେ ସେମାନଙ୍କୁ ଜଣାଥିଲା । ପ୍ରତିବାଦ କୌଣସି ତରଫରୁ ନାହିଁ । ପଇସା ଗୁଳୁଗଳ ହୋଇ ଗଳିପଡ଼ୁଛି, ସତ୍ୟନାରାୟଣ ପୂଜାରେ ବ୍ରାହ୍ମଣ ଥାଳୀରେ ସ୍ୱତଃ ପ୍ରବୃତ୍ତ ଭାବେ ପଇସା ପଡ଼ିଲା ପରି । ପଇସାର ପୁଷ୍ପବୃଷ୍ଟି ଥୋଡ଼ାଏ ସମୟ ଚାଲିଲା, ତା ପରେ ବସ୍‌ ଚାଲିଲା । କର୍ମଚାରୀଙ୍କ ମୁହଁରୁ ତୃପ୍ତିର ହସ ଝରିପଡ଼ୁଥାଏ ।

 

ଆଗରୁ ଶୁଣିଥିଲି, ବିଲାତରେ କୁଆଡ଼େ ଖବର କାଗଜ ଗଦା ହୋଇଥାଏ । ବାକ୍‌ସ ଥୁଆ ହୋଇଥାଏ । ଲୋକେ ଖଣ୍ଡେ କାଗଜ ଉଠାନ୍ତି । ବାକରେ ପଇସା ପକାଇ ଦେଇଯାନ୍ତି । ଗୋଟିଏ ପଇସା ବି ଭୁଲ ହୁଏନା । ଏଠି ତ କଣ ଠିକ୍‌ ସେହି କାରବାର । କଥାବାର୍ତ୍ତା ନାହିଁ, ପଇସା ପଡ଼ୁଛି । ମାଗିବା ଦରକାର ନାହିଁ । ଗଣତନ୍ତ୍ର ଦେଶର ଲୋକ ସମସ୍ତେ ବୋଧେ କର୍ତ୍ତବ୍ୟ ବୁଝିଗଲେଣି । ଗାଡ଼ି ଚଢ଼ିଲେ, ପଇସା ନ ଦେବେ କିପରି । କେବଳ ଏତିକି ଫରକ କେହି ଟିକଟ ଫିକଟ କିଛି କଲେ ନାହିଁ । କରିବା ମଧ୍ୟ କଣ ଦରକାର । ଅଯଥା ଗୁଡ଼ାଏ କାଗଜପତ୍ର କାରବାର । କ୍ଷଣକ ପାଇଁ ଭାବିଦେଲି ହଠାତ୍‌ ଯେପରି ମୁଁ ବିଲାତରେ ଆସି ପହଞ୍ଚିଯାଇଛି ।

 

ଏହାପୂର୍ବରୁ କେତେ ଯୁବକୀ ବସ୍‌ ମୋତେ ନିମନ୍ତ୍ରଣ କରି ନେଇଛନ୍ତି । ସେଠାରେ କଣ୍ଡକ୍ଟରମାନେ ଯାତ୍ରୀଙ୍କୁ ନିଜ ସିଟଦେଇ ନିଜେ ଠିଆ ହୁଅନ୍ତି । ଲୋକେ ଚଢ଼ିଲା ମାତ୍ରେ ଗାଡ଼ି ଚାଲେ । ଟିକେଟ୍‌ କରିବାକୁ ସମୟ ଲାଗେନା । ମାତ୍ର ସେଠି ବୋଧେ କଣ୍ଡକ୍ଟରଙ୍କ ମାନସମ୍ମାନ ଏତେ ନୁହେଁ । ସେମାନେ ଏମାନଙ୍କ ଭଳି ଉଚ୍ଚ ପାହିଆର ଲୋକ ନୁହନ୍ତି । ସେ କଣ୍ଡକ୍ଟର ଗୁଡ଼ାକ ବୋଧହୁଏ ଗେଜେଟେଡ଼୍‌ ନୁହଁନ୍ତି ।

 

ବାସ୍ତବିକ୍ ବୁଢ଼ୀ ଗାଡ଼ିରେ ବସିବାର ମର୍ଯ୍ୟାଦା ଅଲଗା । ଏଠି ଯେଉଁ ଅଭିଜ୍ଞତା ହାସଲ ହୁଏ, ଯୁବତୀମାନଙ୍କଠାରେ ତାହା ହେବ କିପରି । ସେଗୁଡ଼ାକ ତୁରତୁରୀ, କାମ କରିବାକୁ ହାଉ ହାଉ, ମଜା କଣ ଜାଣନ୍ତି ନାହିଁ । ଇଂରାଜିରେ ଯାହା କହନ୍ତି old in gold । ତାହା ଏଇ ବୁଢ଼ୀ ଗାଡ଼ି ଚଢ଼ିଲେ ଯାଇ ଜାଣି ହେବ । ପୁରୁଣା ମଦ ଆଗରେ ନୂଆ ବୋତଲର ମୂଲ୍ୟ କିଛି ନାହିଁ । ଅତଏବ ବୁଢ଼ୀମାନଙ୍କୁ ସର୍ବଦା ଆଦର କରିବା ଉଚିତ ବୋଲି । ଯୁବତୀମାନଙ୍କ ଚାଲିଚଳନକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ସୁଧୀ ସମାଜରେ ଯାହା ମତ ପ୍ରକାଶ ପାଉଛି । ସେଥିରେ କିଛି ଭୁଲ ନାହିଁ । ଉପକାର ଭିତରେ ହେଉଛି—ବୁଢ଼ୀ ସହିତ ଥୋଡ଼ାଏ ବାଟଗଲେ ଦିହ ଦରଜ ହୋଇଯିବ । ପରିଶ୍ରମ ହେବାରୁ ଭୋକ ଭଲ ହେବ ଓ ରାତିରେ ନିଦ ମଧ୍ୟ ଭଲ ହେବ । ଅତଏବ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବୁଢ଼ୀଗାଡ଼ି ଶ୍ରେୟସ୍କର ବୋଲି ବିନା କୁଣ୍ଠାରେ କୁହାଯାଇ ନପାରେ । ପାଠକମାନଙ୍କୁ ଅନୁରୋଧ ମୋତେ ଯେପରି ବୁଢ଼ୀଗାଡ଼ିର ଏଜେଣ୍ଟ ବୋଲି ଭୁଲରେ ଧରି ନ ନିଅନ୍ତି ।

 

ବୁଢ଼ୀର ଅଣ୍ଟାଭଙ୍ଗା ଚାଲି ସାଙ୍ଗକୁ ଖୁଁ ଖୁଁ କାଶ । ଧକେଇ ଧକେଇ ଚାଲିଲା ପରେ ଦଣ୍ଡେପହଡ଼େ ଠିଆହେବାର ଅଭ୍ୟାସକୁ ଯୁବତୀ ଗାଡ଼ିମାନେ ପସନ୍ଦ କରୁନାହାନ୍ତି । ସେମାନଙ୍କ ଡ୍ରାଇଭର ଗେରସ୍ତ, କଣ୍ଡକ୍ଟର ଦେଢ଼ଶୁର ଓ କ୍ଲିନର ଦିଅର ଏମିତି ବୁଝାମଣା ରଖି କାମ କରିବେ କିଏ ବିଶ୍ୱାସ କରିବ । ବାଟରେ ସେମାନେ ପୁଲିସ ଖଣ୍ଟଙ୍କ ହାବୁଡ଼ରେ କେତେ ପଡ଼ୁ ନାହାନ୍ତି । ଖଣ୍ଟମାନଙ୍କ ବନ୍ଧୁବାନ୍ଧବ, ଗଲା ଅଇଲା, ଚିହ୍ନା ପରିଚୟ ସମସ୍ତେ ୟାଙ୍କ ଉପରେ ସବାର ହେଉଛନ୍ତି-। ଚାନ୍ଦ କଥାତ କହିଲେ ନ ସରେ । ଏତେ ବିପଦ ସତ୍ତ୍ୱେ ଯୁବତୀମାନେ କି ଫୂର୍ତ୍ତି । ସ୍ନୋ ପାଉଡ଼ର ଲଗାଇ, ଓଠରେ ନାଲି, ଆଖିରେ କଳା ଦେଇ ଭଳିଭଳିକା ଶାଢ଼ୀ ପିନ୍ଧି ଯାତରା ଦେଖିବାକୁ ଗଲାଭଳିଆ ଜଣାପଡ଼ୁଥାନ୍ତି । ବୁଢ଼ାମାନେ କିନ୍ତୁ ବୁଢ଼ୀମାନଙ୍କ ଦେଖି ଖୁସ୍‌ । ଖେଁ ଖେଁ କାଶି ବୁଢ଼ୀମାନେ ବୁଝାଇ ଦେବାରୁ ବୁଢ଼ାମାନେ ଯୁବତୀମାନଙ୍କର ଗତିବିଧି ଉପରେ ତୀବ୍ର ନଜର ଦେଲେଣି । ବୁଢ଼ାମାନେ କହିଲେଣି ହେ ଅମଣିଆ ଯୁବତୀ ଶିରୋମଣି ବର୍ଗ, ତୁମ୍ଭେମାନେ ଆଉ ଛଟକ ଦେଖାଇ ପାରିବ ନାହିଁ । ତୁମେ ସବୁ ଗେଣ୍ଡାପରି ନଚାଲି ଓଟପରି ଚାଲୁଛ କିଆଁ ? ଓଟପକ୍ଷୀ ପରି ଦୌଡ଼ୁଛ କିଆଁ । ଯଦି ଦୌଡ଼ୁ ଦୌଡ଼ୁ ଓଲଟିପଡ଼ିବ ତେବେ କୋଉ ବୋପା ପିଠିରେ ପଡ଼ିବ ।

 

ଯୁବତୀଙ୍କ ପ୍ରତିନିଧି ଏ କଥାର ଉତ୍ତର ଦେଇ କହିଲେ, ମଉସା, ଆମେ ଯେତେ ଜୋରରେ ଦୌଡ଼ିଲେ ବି ଆମର ଗୋଟାଏ କଣ୍ଟ୍ରୋଲ ଅଛି । ବରଂ ଥିରିଚାଲି ବୁଢ଼ୀମାନେ ରାସ୍ତାଘାଟରେ ବେଶୀ ପଡ଼ୁଛନ୍ତି । ଏ ବୁଢ଼ୀମାନଙ୍କର ଏପରି ପୃଷ୍ଠପୋଷକତା କରିବା ତୁମର ଉଚିତ ନୁହେଁ । ଏ କଥାରେ ବୁଢ଼ାମାନେ ରାଗୀ ଖୁନ୍‌ । ସେମାନେ କହିଲେ ରୁହ ଲୋ ଯୁବତୀଗଣ, ତମ ଯୁବତୀ ପଣିଆ ଛଡ଼େଇ ଦେଉଛି । ବୁଢ଼ୀମାନଙ୍କର ଜାତୀୟକରଣ ଖୁବ୍‌ ନିକଟରେ ହେବାକୁ ଯାଉଛି । ଏ ଦୁନିଆରେ ଯୁବତୀମାନେ ଆଉ ରହିବେ ନାହିଁ । ରହିଲେ ତାଙ୍କ ଉପରେ କଟାଳ ଆରମ୍ଭ ହେବ ।

 

ଯୁବତୀମାନେ କହିଲେ, ମଲାମୋର ଏହି କଟାଳକୁ ଆମେ ଡରିଛୁ । ଦ୍ୱାପର ଯୁଗରେ କୃଷ୍ଣଙ୍କ ଅମଳରୁ କଟାଳମାନ ସହି ଆସିଛୁ । କେତେ କୃଷ୍ଣ ଓ କୃଷ୍ଣଙ୍କ ଏଜେଣ୍ଟମାନଙ୍କୁ ବଟି ଦେଇ ଦେଇ ହାତ ବିଣ୍ଡି ହୋଇଯାଇଛି । ତମ ପୁଲିସମାନେ ଏବେ କଣ ଆମ ଉପରେ ଚଢ଼ାଉ କରୁ ନାହାନ୍ତି ? କଲେ କଣ ଆମର ଖାତିର ଅଛି ? ବୁଢ଼ୀ ଜଟିଳା କେତେ ଦାଉ ସାଧିମଲା । ଏ ବୁଢ଼ୀ ବସ୍‌ଗୁଡ଼ାକ ବି ମରିବେ । ଆମେ ଟୋକୀମାନେ ଏଇମିତି ପାନଖାଇ ଛାତି ଫୁଲେଇ ଚାଲିବୁ । ଗୋଡ଼ରେ ନାଇବୁ ରବର ମଲ ।

 

ଯୁବତୀମାନଙ୍କର ଏହି ଔଦ୍ଧତ୍ୟକୁ ମୋପରି ଅକାଳ ବୃଦ୍ଧ କେତେ ବା ସହିବ । ମୋ ବୟସ ସହିତ ତାଳ ରଖି ଗାଡ଼ିଟିଏ ବାଛିଛି । ଏଥିରେ ଅପଦସ୍ତ ହେବାର କଣ ଅଛି । ତାପରେ ମୁଁ ହିନ୍ଦୀ ବକିଲି—

 

ଆବେ କ୍ୟା ଯୁବତୀ ଫୁବତୀ ଦେଖାତା ହୈ । ହମ୍‌ ବୁଢ଼ାକା ନିଶସବୁ ପାଚିଗଲା ବୋଲକେ ତମେ ଫୁଟାନି ଦେଖାଙ୍ଗା ? ଏଣିକି ଚାଲିକି ଯାଆଙ୍ଗା ପଛେ ତମେ ଯୁବତୀମାନଙ୍କୁ ଆଡ଼ ଆଖିମେ ଅନାଙ୍ଗା ନେଇ ।

 

ୟା କହି ମୁରୁକି ହସି ବିଦାୟ ନେଲି । ଆଉ ସେମାନଙ୍କୁ ଅନାଇ ନାହିଁ । ସେମାନେ ବି ମୋତେ ଖାତିର ନକରି ଦୂର୍‌ ଦୂର୍‌ ଭୁଷ୍‌ ଭୁଷ୍‌ ହୋଇ ହୁଇସିଲ ମାରି ହେଁ ହେଁ ଫେଁ ଫେଁ ହୋଇ ଦୌଡ଼ା ଦୌଡ଼ି ଆରମ୍ଭ କଲେ । ଭାବିଲି ନାଃ କଳିକାଳ ନିଶ୍ଚିତ ଭାବରେ ଆରମ୍ଭ ହୋଇ ଯାଇଛି । ତା ନ ହେଲେ ଏ ଦେଶରୁ ବଡ଼ ସାନ ବାଛବିଚାର ଉଠିଗଲା କିପରି । ୟାଳ୍ପ କି ଫୋର୍ସ ଚାଲି ! ଟିକିଏ ଅସାବଧାନ ହୋଇଗଲେ ଏମାନେ ଭୁଷ୍‌କରି ଧକ୍‌କା ଲଗାଇ ଦେବେ । ଯାହା କହନ୍ତି ଏଗୁଡ଼ାକ ଗୋଟାଏ ଗୋଟାଏ ମାରଣାସ୍ତ୍ର । ୟାପରେ ଉପରବାଲା (ଯେଉଁମାନେ କି କିଛି ଦେଖନ୍ତି ନାହିଁ କି ବୁଝନ୍ତି ନାହିଁ, ଖାଲି ଆଖି ବୁଜି ଦସ୍ତଖତ ମାରନ୍ତି ଓ କଥାଟା ମନକୁ ପାଇଗଲେ ଭୁଲ ହେଉ ଠିକ୍‌ ହେଉ ଅମଡ଼ା ମାଡ଼ନ୍ତି) ମାନଙ୍କ ପାଖକୁ ପରାମର୍ଶ ଖଣ୍ଡେ (ସେମାନେ ନ ଚାହୁଁଥିଲେ ବି) ଇସୁ କରିଦେଲି—‘‘ଏଥର ବୁଢ଼ୀମାନଙ୍କୁ ଭଲ ଭାବରେ ଡ୍ରେସିଂ କରାଯାଉ । ସବୁ କ୍ଷେତ୍ରରେ କନସେସନ୍‌ ଦିଆଯାଉ । ‌ସେମାନଙ୍କୁ ଧୋକଡ଼ି ବୁଢ଼ୀ ବୋଲି କେହି କହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯାହାର ଚାଲି ସବୁଠାରୁ ମନ୍ଥର ତା ପାଇଁ ସ୍ପେଶାଲ ପୁରସ୍କାର ରଖାଯାଉ । ଯିଏ ଅଣ୍ଟାଭାଙ୍ଗି ରାସ୍ତାରେ ତିନିଗଡ଼ା ଦେଇ ପଡ଼ୁଛନ୍ତି କେବଳ ଯୁବତୀମାନଙ୍କ ହାଓ୍ୟାରେ ଓଲଟି ପଡ଼ୁଛନ୍ତି ବୋଲି ପ୍ରଚାର କରାଯାଉ । ଶେଷକୁ ନିଜକୁ ନିଜେ ଧନ୍ୟବାଦ ଦେଇ କାଳେ ଅନ୍ୟମାନଙ୍କ ଯୁକ୍ତିଯୁକ୍ତ କଥା କାନରେ ପଶିଯିବ, ସେଥିପାଇଁ କାନରେ ତୁଳାଦେଇ ଆଖିବୁଜି ବସାଯାଉ ।

 

ମୋର ବିଶ୍ୱାସ, ଏହି ପରାମର୍ଶ ମୋ ଖଟିବନ୍ଧୁମାନଙ୍କ ଦ୍ୱାରା ଆଦୃତ ହେବ ।

Image

 

କୋଚିଆ ରାଜ୍ୟ

 

କୋଚିଆ ରାଜ୍ୟରେ ଆଜି ମହାଜାଗରଣ । ଅନେକଦିନ ହେଲା ସ୍ୱାଧୀନତା ପାଇଲେ ବି ଆଜି ଧପ୍‌କରି ଆଲୁଅ ଜଳିଉଠିଲା ପରି ସମସ୍ତେ ଏକାବେଳକେ ଜଳିଉଠିଛନ୍ତି । ମାଛମାନଙ୍କ ସହିତ ଯେତେବେଳେ ସମାନ ଥିଲେ, ସେତେବେଳେ ଲୋକ ସେମାନଙ୍କୁ ଆମ୍ୱୁଲ ପକାଇ ଝୋଳ କରୁଥିଲେ, ଭଜାଭଜି କରି ଖାଉଥିଲେ, ଇଚ୍ଛାକଲେ ଗୋଡ଼ରେ ବି ଦୂରକୁ ଫିଙ୍ଗିଦେଇ ପାରୁଥିଲେ । ସେମାନେ ଖାଦ୍ୟ ରୂପରେ ପରିଗଣିତ ହେଉଥିଲେ । ଖାଦକ ନିକଟରେ ଖାଦ୍ୟର ବା କି ମୂଲ୍ୟ ଥାଇପାରେ । ତଥାପି ସେମାନଙ୍କୁ ଭଜାଭଜି କରି ଶିକା ଉପରେ ଷ୍ଟିଲ ବାସନରେ ରଖିଲେ ସେମାନେ ଭାବୁଥିଲେ ଆମକୁ ଏତେ ଉଚ୍ଚରେ ରଖି ସମ୍ମାନ ଦିଆଯାଉଛି । ଟିଫିନ୍‌ କ୍ୟାରିଅରର ଉପର ଥାକରେ ରଖିଲେ ବି ତଳ ଥାକରେ ଥିବା ମାଛଙ୍କ ଅପେକ୍ଷା ଏମାନଙ୍କ ମାନ୍‌ ଅଧିକ ବୋଲି ଭାବୁଥିଲେ ।

 

ମାତ୍ର ଆଜି ସେଦିନ ବଦଳି ଯାଇଛି । ଆଜି କୋଚିଆମାନେ ସ୍ୱାଧୀନ । ସେମାନେ ଆଉ ଖାଦ୍ୟ ହୋଇରହି ନାହାନ୍ତି, ବରଂ ଏଣିକି ଖାଦକ ହେବାର ଗୌରବ ଆସିଗଲାଣି । ସ୍ୱାଧୀନତା ପାଇବା ପରେ ଏମାନେ ଖୁବ୍‌ ଖୁସିହେଲେ, ନାଚିଲେ, ଡେଇଁଲେ । କୋଚିଆ ରାଜ୍ୟର ସମସ୍ତ ସମ୍ପତ୍ତି ତାଙ୍କର ବୋଲି ଭାବି ସେଥିମଧ୍ୟରୁ କିଛି ଭାଙ୍ଗି ନଷ୍ଟ କରିଦେଲେ । ମଣିଷମାନଙ୍କ ସମ୍ପର୍କରେ ଆସି ଏମାନେ ଜାଣିଯାଇଥିଲେ ଏକତା କ’ଣ, ଜାତୀୟତା କ’ଣ । ସେଇ କଥାକୁ ଘୋଷି ପାଟିକରି ଡେଇଁଲେ । ମାତ୍ର ଜାତୀୟତା ଓ ଜାତୀୟ ସମ୍ପତ୍ତି ସମ୍ୱନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ନ ଥିବାରୁ ୟାକୁ ଗଢ଼ ତାକୁ ଗଢ଼ କହି କହି ଅବଲୀଳା କ୍ରମେ ସେଇଗୁଡ଼ିକୁ ଭାଙ୍ଗିବାକୁ ଲାଗିଲେ ।

 

ଦୂରରେ ମଣିଷ ବସ୍ତି । ମଣିଷମାନେ ସେମାନଙ୍କ ପ୍ରତିନିଧି ପଠାଇଲେ—ଯାଅ ତ ଦେଖ । ସ୍ୱାଧୀନତାର ବ୍ୟବହାର ଏମାନେ କିପରି କରୁଛନ୍ତି । ଦିନଥିଲା ଆମେ ତୁମକୁ ଖାଇବାକୁ ବୋଲି କହିଲେ ଏମାନେ ମୁଣ୍ଡ ଦେଖାଇ ଦେଉଥିଲେ । ଏବେ ସେଇ ପୁରୁଣା ଅଭ୍ୟାସ ଅଛି କି ନାହିଁ ଟିକିଏ ଦେଖିଆସ । ସି.ଆଇ.ଡି. ହୋଇ ଯିଏ ଆସିଲା ସେ ଖବର ଦେଲା । କୋଚିଆ ରାଜ୍ୟର ବିପ୍ଲବ ମୁଣ୍ଡ ଟେକୁଛି । ସବୁ କୋଚିଆତକ ମୁଁ ବଡ଼ ମୁଁ ବଡ଼ ବୋଲି କହି ହେଉଛନ୍ତି । ଯେ ତାକୁ ବଡ଼ ନ କହିଲା ତାକୁ ଆକ୍ରମଣ କରି ତା ମୁଣ୍ଡ ଫଟାଇ ଦେଉଛନ୍ତି । ତା ଘରଦ୍ୱାର ଲୁଣ୍ଠନ କରୁଛନ୍ତି ।

 

ତାକୁ ହାଜତରେ ଭର୍ତ୍ତି କରି ଦେଉଛନ୍ତି । ଏକଥା ଶୁଣି ଖାଦକମାନେ ବଡ଼ ଭୟ କଲେ । ସେମାନେ ଭାବିଲେ ଏମାନଙ୍କୁ ଏତେଶୀଘ୍ର ସ୍ୱାଧୀନତା ଦେବା ମୋଟେ ଉଚିତ ନ ଥିଲା । କୋଚିଆମାନେ କୋଚିଆମାନଙ୍କୁ ମାରି ଖାଉଛନ୍ତି । ଏକଥା ଯିଏ ଶୁଣିବ ହସିବ ।

 

ମଣିଷଦୂତ ତାଙ୍କ ରାଜାଙ୍କୁ ଯାଇ କହିଲା, ପ୍ରଭୁ କୋଚିଆମାନଙ୍କର ପ୍ରଧାନ ସମସ୍ୟା ହେଲା ଭାଷା । ସେମାନଙ୍କ ଭିତରେ ଜାତିଭେଦ ବହୁତ । କୁଜି କୋଚିଆ, କାଣୀ କୋଚିଆ, ଅନ୍ଧ କୋଚିଆ, ବାଙ୍ଗରୁ କୋଚିଆ, ଷଣ୍ଢ କୋଚିଆ, ମାଇ କୋଚିଆ, କଜଳପାତିଆ କୋଚିଆ ଏମିତି ନାନାପ୍ରକାର କୋଚିଆ ଅଛନ୍ତି । ଆମେ ଆସିଲାବେଳେ ପୁଣି ଦୁଇପ୍ରକାର କୋଚିଆ ତିଆରି କରିଦେଇ ଆସିଲେ । ସେମାନେ ହେଉଛନ୍ତି ସାହେବ କୋଚିଆ ଓ ମଫସଲି କୋଚିଆ । ସାହେବ କୋଚିଆମାନେ ବର୍ତ୍ତମାନ ଦେଶ ଶାସନ କରୁଛନ୍ତି । ଅନ୍ୟମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି । ଯାହାକୁ ପାରୁଛନ୍ତି, ଯା ଇଚ୍ଛା ତା କରୁଛନ୍ତି । ସବୁ ଧନ କିପରି ତାଙ୍କରି ହେବ, ଏଇ ହେଲା ତାଙ୍କ ଚିନ୍ତା ।

 

ଆଉ ଗୋଟିଏ ବିଶେଷତ୍ୱ ହେଉଛି, ଏଇ ସାହେବ କୋଚିଆମାନେ ଆମ ସମ୍ପର୍କରେ ଆସି କିଛି କିଛି ଆମର ଆଚାର ବ୍ୟବହାର ଓ ଚଳଣି ବିଷୟରେ ଜାଣିଯାଇଥିଲେ । ସେଇଗୁଡ଼ିକ ବଜାୟ ରଖିବାକୁ ସେମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ସେମାନେ ନିଜ ଭାଷା ନ କହି ଆମ ଭାଷାରେ ମତବ୍ୟକ୍ତ କରିବାକୁ ଗୌରବ ବୋଲି ମନେ କରୁଛନ୍ତି । ଏମାନେ ଆମ ସମ୍ପର୍କରେ ଆସି କିଞ୍ଚିତ ମଣିଷପଣିଆ ପାଇଯାଇଥିବାରୁ ଓ ଟିକିଏ ବୁଦ୍ଧିଆ ଥିବାରୁ ଏମାନଙ୍କ ଉପରେ ଚଢ଼ି କେହି କଥା କହିପାରୁ ନାହିଁ । ସେମାନେ ସବୁ କୋଚିଆଙ୍କୁ ମଣିଷ କରିଦେବେ ବୋଲି ଶପଥ ନେଇଛନ୍ତି-

 

ମଣିଷଙ୍କ ପ୍ରଭୁ ବା ଶାସକ ଦୂତକୁ କହିଲେ, ଏ ତ ବଡ଼ ଦୁଃଖର କଥା ଦୂତ । ଏମାନଙ୍କ ଅଧୋପତନ ପାଇଁ ତେବେ ଆମେ ଦାୟୀ । ଏମାନଙ୍କୁ ସ୍ୱାଧୀନତା ଦେଇ ସ୍ୱାଧୀନତାର ପ୍ରକୃତ ମୂଲ୍ୟ କଣ ନ ଶିଖାଇବାରୁ ତାର ଅପବ୍ୟବହାର କରିବାକୁ ଏମାନେ ପଶ୍ଚାତ୍‌ପଦ ନୁହନ୍ତି । ଏହାଦ୍ୱାରା ତ ଆମର ବଦନାମୀ ହେବ । ମଣିଷ ସମାଜରେ କଳଙ୍କ ରଟିବ । ଦୂତ କହିଲେ ନା ମହାରାଜ, ଆମର କିଛି କ୍ଷତି ହେବ ନାହିଁ, ବରଂ ଆମ ପ୍ରତି ଦଳେ ଅନୁରକ୍ତ । ଆମର ଦାସମାନେ ଏବେ ବି ସଂସାରରେ ବିଦ୍ୟମାନ ବୋଲି ଆମର ଗୋଟାଏ ମାନସିକତୃପ୍ତି ଆସେ । ଆମେ ଚକ୍ରବ୍ୟୁହ ଭେଦ କରିବା ବିଦ୍ୟା ସିନା ଶିଖାଇଛେ । ସେଥିରୁ ବାହାରିବା ରାସ୍ତା ବତାଇ ନାହୁଁ । ତା ଫଳରେ ନିଜ ଯନ୍ତାରେ ନିଜେ ପଡ଼ି ଛଟପଟ ହେଉଛନ୍ତି । ଦିନ ଆସି, ଆମେ ସ୍ୱତଃପ୍ରବୃତ୍ତ ହୋଇ ଏମାନଙ୍କ ରକ୍ଷାକାରୀ ହୋଇ ପୁଣି ସେମାନଙ୍କୁ ହତ୍ୟା କରିବା, ଲୁଣ୍ଠନ କରିବା । ପୁଣି ସେମାନଙ୍କ କବର ଉପରେ ଆମେ ସୌଧ ତୋଳିବାର ସ୍ୱପ୍ନ ଦେଖିବା ।

 

ମହାରାଜ କହିଲେ, ଆଚ୍ଛା, ସେ ସାହେବ କୋଚିଆମାନେ କି ଭାଷାରେ କଥାବାର୍ତ୍ତା କରୁଛନ୍ତି । ଦୂତ କହିଲା ମଣିମା, ମଫସଲି କୋଚିଆଙ୍କ ସଂଖ୍ୟା ବହୁତ ବେଶୀ ଥିବାରୁ ଏମାନେ ଟିକିଏ ଟିକିଏ ମଝିରେ ମଝିରେ ଦବିଯାଉଛନ୍ତି । ତା ନ ହେଲେ ଆମଭାଷା ପ୍ରତି ସେମାନଙ୍କର ଅଗାଧ ପ୍ରୀତି ଅଛି । ଏବେ ଅଭ୍ୟାସ ଅଭାବରୁ କଥା କହିଲାବେଳେ ଥଙ୍ଗ ଥଙ୍ଗ ହେଉଛନ୍ତି । ମଝିରେ ମଝିରେ ତାଙ୍କ ଭାଷା ଗୋଟା ଗୋଟା ପଶିଯାଉଛି । ତା ନ ହେଲେ ଆମ ପ୍ରତି ତାଙ୍କ ଅନୁରକ୍ତି ବେଶ୍‌ ଅଛି, ମୁଁ ଭାବୁଛି । ଏଇ ସାହେବ କୋଚିଆମାନଙ୍କ ଜରିଆରେ ସେଠାର ଗୋଟାଏ ଟାପୁ ତିଆରି କରିପାରିବା । ଏଇମାନଙ୍କୁ ବାହାନ କରି, ସେମାନଙ୍କ ପିଠିରେ ଚଢ଼ି ଦିଗ୍‌ବିଜୟ କରିବା ।

ମହାରାଜ କହିଲେ ଦୂତ, ଏମାନେ ଜନ୍ମ ଜନ୍ମ ତପସ୍ୟା କଲେ ବି ଆମପରି ହୋଇପାରିବେ ନାହିଁ । ଆମ ରଙ୍ଗ ସେମାନଙ୍କ ରଙ୍ଗ ଫରକ, ଆମ ଢଙ୍ଗ ସେମାନଙ୍କ ଢଙ୍ଗ ବି ଅଲଗା । ଆମେ ଯାହା ଖାଇଛୁ ସେମାନେ ତା ଖାଇପାରିବେତ ? ଦୂତ କହିଲା, ମହାରାଜ ଆମପରି ଖାଦ୍ୟ ଖାଇବାକୁ ସେମାନଙ୍କ ଭାରି ଇଚ୍ଛା । ମାତ୍ର ହଂସକୁ ଗେଣ୍ଡା କୋଚିଆ ଭଲ ନ ଲାଗିଲା ପରି ଏମାନଙ୍କୁ କଣ ସେସବୁ ଭଲ ଲାଗିବ ? ଆମପରି ଦାମିକା ଜିନିଷ କଣ ଏମାନେ ବ୍ୟବହାର କରିପାରିବେ ? ଦୂତ କହିଲା ମହାରାଜ, ଆଜିକାଲି ସବୁ ନକଲି ବାହାରିଲାଣି । ସେମାନେ ସୁନାପିନ୍ଧି ନ ପାରିଲେ ରୋଲ୍‌ଡ଼ ଗୋଲ୍‌ଡ଼ ପିନ୍ଧିବେ । ଅସଲି ମାଲ ନ ପିଇ ନକଲି ମାଲ ପିଇବେ । ଚାଲିଲାବେଳେ ଆମ ମାଇପୀଙ୍କ ପରି ସେମାନଙ୍କ ମାଇପେ ଅଣ୍ଟାହଲାଇ ନ ପାରିଲେ ଚେଷ୍ଟା ତ କରିବେ ।

ମହାରାଜ କହିଲେ, କୋଚିଆମାନଙ୍କ ସାମାଜିକ ଚାଲିଚଳନ ବିଷୟରେ କଣ ତଥ୍ୟ ସଂଗ୍ରହ କରିଛ କୁହ । ଦୂତ କହିଲା ।

କୋଚିଆଙ୍କ ଚାଲିଚଳନ ଅଦ୍ଭୁତ ଧରଣର । ଭଲପାଇବା ପାଇଁ କେହି କାହାପାଖକୁ ଚିଠି ଲେଖିଲେ ଆମ ଭାଷାରେ ଲେଖୁଛନ୍ତି । କେହି କାହାକୁ ଗାଳି ଦେଲେ ଆମ ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ଭାଷାରେ କଥାବାର୍ତ୍ତା ହେଲାବେଳେ ବି ଯଦି ମନେ ପଡ଼ିଯାଉଛି, ଆମ ଭାଷା ଦି’ଚାରି ପଦ କହିପକାଉଛନ୍ତି ଅର୍ଥାତ୍‌ ସେମାନେ ଟିକିଏ ଅପେକ୍ଷାକୃତ ମଣିଷଙ୍କ ଅଧିକ ନିକଟ । ଏକଥା ଜଣାଇବାକୁ ଚାହାନ୍ତି, ସେତିକିରେ କୃତକୃତ୍ୟ ହୋଇଯାଉଛନ୍ତି । ଜୀବନ ଧନ୍ୟ ହେଲା ବୋଲି ମନେ କରୁଛନ୍ତି ।

ହିସାବ ଲେଖୁଛନ୍ତି ଆମ ଭାଷାରେ, ଦରଖାସ୍ତ ଦେଉଛନ୍ତି ଆମ ଭାଷାରେ । ସେମାନେ ଦାସ ଥିଲେ, ଦାସଙ୍କ ଭାଷାରେ ଲେଖାଲେଖି କଲେ କାଳେ ଅପମାନ ହୋଇଯିବ । ଏଇ ଭୟରେ ସେମାନଙ୍କ ଭାଷା ବ୍ୟବହାର କରିବାକୁ ଭୟ କରୁଛନ୍ତି । ସେଠି ସେମାନଙ୍କର ଆଉ କେହି ମାଆ ଭଉଣୀ ନାହାନ୍ତି । ସମସ୍ତେ ଲେଡ଼ି, ବାପ ଭାଇ କି ମଉସା ପିଇସା କେହି ନାହାନ୍ତି । ସମସ୍ତେ ଜେଣ୍ଟଲମ୍ୟାନ, ଏଇ ଅବସ୍ଥାରେ ଏମାନଙ୍କ ସ୍ୱାଧୀନତା କେତେଦିନ ରହିବ । ଭାବିବାର କଥା, ସେଥିପାଇଁ ସବୁ ବିଚିତ୍ର ବୋଲି କହିଲି ।

ମଣିଷ ମହାରାଜ ଏକଥା ଶୁଣି ବଡ଼ କ୍ଷୋଭ କଲେ । ଯେଉଁ ଭାଷାରେ କୋଚିଆମାନଙ୍କୁ ବାନ୍ଧିଲୁ । ସେଇ ଭାଷା ସେମାନଙ୍କ କାଳଫାଶ ହେବ ବୋଲି କିଏ ଭାବିଥିଲା । ଏମାନଙ୍କୁ ଖାଲିପାଦରେ ଚାଲି ନ ଶିଖାଇ ଯାହା ପ୍ରଥମରୁ ଯୋତା ପିନ୍ଧାଇ ଛାଡ଼ିଦେଲୁ, ବଡ଼ ଭୁଲ ହେଲା । ଏ ଅବସ୍ଥାରେ ରାସ୍ତାରେ କଚାଡ଼ି ହୋଇ ପଡ଼ିବା ଛଡ଼ା ଅନ୍ୟ ଉପାୟ ନାହିଁ ।

ଦୂତ କହିଲା ମହାରାଜ, କୋଚିଆ ରାଜ୍ୟରେ ଗୋଟିଏ ପ୍ରକାର ଜାତିଭେଦ ନାହିଁ । ଏମାନଙ୍କ ଭିତରେ ପଶୁତ୍ୱ ପଶିଯାଇ ଥିବାରୁ ଜଣେ ଅନ୍ୟର କ୍ଷତି ନ କଲେ ଶାନ୍ତିରେ ଶୋଇପାରୁ ନାହିଁ । ଖସଡ଼ା ବାଉଁଶରେ ସମସ୍ତେ ଉପରକୁ ଉଠିବାକୁ ଚେଷ୍ଟା କରୁଛନ୍ତି । ଜଣେ କିଛି ଉପରକୁ ଉଠିଗଲେ ଆଉ ଜଣେ ତା ଗୋଡ଼କୁ ଟାଣି ଦେଉଛି । ସେ ତଳକୁ ଖସିଲେ ତା ଉପରେ ଚଢ଼ି ନିଜେ ଉଠିବ ବୋଲି ଭାବୁଛି । ଫଳରେ କେହି ଉଠିପାରୁ ନାହାନ୍ତି । ସହଜେ କୋଚିଆ, ତା ଉପରେ ପରସ୍ପରକୁ ଖାଇଯିବାର ଯେଉଁ ଉଦ୍ୟମ । ଏଥିରେ କୋଚିଆ ସମାଜ ତିଷ୍ଠିବ କିପରି । ମାତ୍ର ଗୋଟିଏ କଥା ଅତି ବିଚିତ୍ର । ସମସ୍ତେ ବଡ଼ ବଡ଼ କଥା କହିବାରେ ସୁଦକ୍ଷ । ବୁଝିବାକୁ ଗଲେ ସମସ୍ତେ ଗୋଟିଏ ଗୋଟିଏ ନେତା । ସମଗ୍ର କୋଚିଆ ସମାଜ ଗୋଟିଏ ବିରାଟ ମୂଷାଫେରିଖାନା ପରି ଜଣାପଡ଼ୁଛି । ହାଟରେ ହୋ ହା ହେଲା ପରି ସମସ୍ତେ ଖାଲି ମିଛରେ ହୋ ହା ହେଉଛନ୍ତି । କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ।

 

ମହାରାଜା କହିଲେ, ଦୂତ, ତେବେ ଆଉ ଥରେ କୋଚିଆ ରାଜା ଉପରେ ଚଢ଼ାଉ କରିବା କି ? ଆମକୁ ଯେତେବେଳେ ଠାକୁର ପରି ଦେଖୁଛନ୍ତି, ମୁଁ ଭାବୁଛି ଆମକୁ ପୁଣି ଆଦର କରିନେବେ । ମାତ୍ର ଏଥରକ ଗଲେ କୋଚିଆ ସଂସ୍କୃତିକୁ ପୂରା ଧ୍ୱଂସ କରିବାକୁ ପଡ଼ିବ । ବର୍ତ୍ତମାନ ସେମାନଙ୍କ ସହିତ ବନ୍ଧୁତା କରାଯାଉ । ଆମେ ସେମାନଙ୍କ ବନ୍ଧୁ ହେବାକୁ ଚାହୁଁଛୁ ଓ ଶୁଣିଲେ ସେମାନେ ଆହୁରି ଫୁଲିବେ । ଏହି ଅବସରରେ ସେମାନଙ୍କୁ ପୂରା କବଳିତ କରିବା ।

 

ଦୂତ କହିଲା ମହାରାଜ, ଥରେ ଛାଡ଼ିଦେଲେ ଆଉଥରେ କବଳିତ କରିବା ସହଜ ନୁହେଁ-। ଆମେ ସେମାନଙ୍କୁ ପୂରା ଖତମ ନକରି ଯା ଆସିଲେ, ସେଇଟା ହେଲା ଦୁଃଖ । ବର୍ତ୍ତମାନ ସେମାନେ ଅବ୍ୟବସ୍ଥିତ ଚିତ୍ତ ହୋଇଥିବାରୁ କେତେବେଳେ ଆମ ପକ୍ଷରେ, କେତେବେଳେ ଆମ ବିପକ୍ଷରେ ଗପୁଛନ୍ତି । ଗପି ଗପି ହାଲିଆ ହୋଇଗଲେ, କିମ୍ୱା ନିଜ ଭିତରେ ବାଡ଼ିଆ ପିଟା ହୋଇ ଦୁର୍ବଳ ହୋଇଗଲେ, ଆକ୍ରମଣ କରିବା ସହଜ ହେବ । ଆମେ ବର୍ତ୍ତମାନ ଅଧିକାଂଶ କୋଚିଆଙ୍କ ଦୃଷ୍ଟିରେ ବିଦେଶୀ । ବିଦେଶୀ ଚିନ୍ତାଧାରାର ସୁଖର ସେମାନଙ୍କ ଭିତରକୁ ମଡ଼ାଇ ଦେଇ ପାରିଲେ, ନିଜ ଭାଷା ଓ ସଂସ୍କୃତି ଉପରେ ଆସ୍ଥା ହରାଇଲେ ଆମ ହାତକୁ ଆସିବାକୁ ବେଶୀ ସମୟ ଲାଗିବନାହିଁ । ନିଜ ଭାଷା ଓ ସଂସ୍କୃତିର ଦମ୍ଭ ଓ ଅଭିମାନ ସିନା ଗୋଟିଏ ଜାତିକୁ ଟାଣ କରେ । ସେତିକି ନଥିଲେ ବିଦେଶୀମାନଙ୍କ ପକ୍ଷରେ ସୁବିଧା, ବର୍ତ୍ତମାନ ଅବସ୍ଥାକୁ ଲକ୍ଷ୍ୟ କରାଯାଉ ।

 

ଦୂତର ଉପଯୁକ୍ତ ପରାମର୍ଶକୁ ମହାରାଜା ଅକୁଣ୍ଠିତ ଚିତ୍ତରେ ଗ୍ରହଣ କଲେ । ଏହା ଭିତରେ ଖାଦ୍ୟ ଅଭାବ ପଡ଼ିଯାଇଥବାରୁ ପୁନଶ୍ଚ କୋଚିଆମାନଙ୍କୁ ଖାଦ୍ୟପରିସର ଭିତରେ ଅନ୍ତର୍ଗତ କରିବାକୁ ହେବ । ଟୋକା କୋଚିଆମାନଙ୍କୁ ଅଳସୁଆ କରିଦେବାକୁ ପଡ଼ିବ । ସେମାନଙ୍କଠାରେ ପ୍ରଜାପତି ପରି ରଙ୍ଗିନ ପର ଖଞ୍ଜିଦେବାକୁ ପଡ଼ିବ । କସ୍ତୁରୀ ମୃଗପରି ଜଙ୍ଗଲସାରା ବୁଲାଇବାକୁ ପଡ଼ିବ । ପ୍ରଥମେ ସେମାନଙ୍କୁ ଦାୟିତ୍ୱହୀନ ନ କଲେ, ଦୁର୍ବଳ ଓ ବିଳାସୀ ନ କଲେ, ଆମ ରାଜ୍ୟ ଆମେ ଫେରି ପାଇବା କିପରି ।

 

ଏହି କଥାବାର୍ତ୍ତା ଗୁପ୍ତ କୋଠରୀ ଭିତରେ ସଂଘଟିତ ହୋଇଥିଲା । କାର୍ଯ୍ୟକ୍ରମ ଧୀରେ ସୁସ୍ଥେ ସ୍ଥିର କରିବାକୁ ହେବ । ବର୍ତ୍ତମାନ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନ କରି ସବୁ କିଛି ସ୍ଥଗିତ ରଖାଯାଉ ବୋଲି ସ୍ଥିର ହେଲା ।

Image

 

Unknown

ଏମରଜେନ୍‌ସି ବିପକ୍ଷରେ

 

ଦେଶରେ ଏମରଜେନ୍‌ସି ଜାରି ହେଲାମାତ୍ରେ ଜଣାପଡ଼ିଲା ଯେମିତି କାହା କାହା ଉପରେ ରାଧାଚଡ଼କ ପଡ଼ିଲା । କେତେକଙ୍କ ଠାରେ ବିଛୁଆତି ଲାଗିଗଲା । ଏକାବେଳକେ ଥୋଡ଼ାଏ ପାଟିକଲେ । ଧାଇଁ ଆସ ହୋ ଘର ପୋଡ଼ିଗଲା । ବିଖ୍ୟାତ ଲୋକମାନଙ୍କ ଜୋରିମନା ହେବାରୁ ଦେଶରେ ଆତଙ୍କ ବ୍ୟାପିଗଲା । ବିଖ୍ୟାତ ଲୋକମାନଙ୍କ ଭିତରୁ କେତେକ ଚୋର ଡକାୟତ ତାଲିକାରେ ରହିଯିବେ ବୋଲି କିଏ ଜାଣିଥିଲା । ଗଣତନ୍ତ୍ରର ମରଣ ଦିବସ ପାଳିତ ହେବାରୁ ଗୋଟିଏ ନିଭୃତ କକ୍ଷରେ ଗୁପ୍ତ ବୈଠକ ଆରମ୍ଭ ହେଲା । ‘‘ଆଜି ଯେ ରାଜେନ୍ଦ୍ରସନେ କାଲି ଫକୀର ।’’ ଆଜି ଯେ ଫୁଲମାଳ ପିନ୍ଧୁଛି, କାଲିକି ତା’ଠାରେ ହାତକଡ଼ା ଲାଗିବ, ଏକଥା କିଏ କଳ୍ପନା କରିଥିଲା ? ମନରେ ଭୟ, ଛାତି ଧକ୍‌ ଧକ୍‌ କରୁଛି, କାଳେ କିଏ ଶୁଣି ଦେବ ବୋଲି ଛନକା ଆସିଯାଉଛି । କଥା କହିବାର ସ୍ୱାଧୀନତା ଗଲା । ଗଲା ଏ ଦେଶଟା ରସାତଳକୁ ।

 

ଯେଉଁ ରୁଦ୍ଧ କୋଠରୀରେ ସଭା ଆରମ୍ଭ ହେଲା, ତା’ ଚାରିପଟେ ସି.ଆଇ.ଡି ଗାର୍ଡ଼ ରହିଗଲେ । ସମସ୍ତଙ୍କ ମନ ବିଷାଦ ଭରା । ସଭାରେ ଏତେ ଟିକେ ପାଟିନାହିଁ । ସମସ୍ତେ ଗମ୍ଭୀର । କେତେକ ବଛା ବଛା ସୁନାମଧନ୍ୟ ଲୋକଙ୍କର ସମାବେଶ । ସମସ୍ତଙ୍କ ମୁହଁରେ ଆଦ୍ୟ ଆଷାଢ଼ର ବର୍ଷଣୋନ୍ମୁଖୀ ମେଘର ସମ୍ଭାବନା । ଭରା ନଈ ଅଥଳଜଳ ସମ୍ପଦକୁ କୋଳରେ ଧରି ଗୁମ୍‌ସୁମ୍‌ ହୋଇ ରହିଛି । କେତେବେଳେ ବନ୍ଧ ଭାଙ୍ଗିଲେ ସାରା ଜନପଦକୁ ଭସାଇ ନେବ, ଏଇମିତିଆ ଏକ ଅସ୍ୱାଭାବିକ ପରିବେଶର ସୃଷ୍ଟି ହୋଇଛି । କେବଳ ଘଣ୍ଟାର ଟିକ୍‌ ଟିକ୍‌ ଧ୍ୱନି ଘର ଭିତର ନୀରବତାକୁ ଯାହା ମଝିରେ ମଝିରେ ଆଘାତ ଦେଉଛି । ସଭା ଆରମ୍ଭ ହେଲା ।

 

ସବୁଠାରୁ ବୋଧା ପୁରୁଣା ଲୋକ ବହୁ ଘାଟିରେ ବିଭିନ୍ନ ସମୟରେ ପାଣି ପିଇଥିବା ଶ୍ରୀ ଶେଉଳ କୁମାର ଦାସଙ୍କୁ ସଭାପତି ପଦରେ ବଛାଗଲା । ଅତୀତରେ ଅନେକଥର ସେ ବହୁ ଘାଟି ଅତିକ୍ରମ କରିଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ତାରିଛନ୍ତି । ଶେଉଳ ବାବୁ ବେଶ୍‌ ପ୍ରତ୍ୟୁତ୍ପନ୍ନମତି ଓ ମେଧାବୀ । ସଭାର ଉଦ୍ୟୋକ୍ତା ଶ୍ରୀ ବଜତ୍‌ ବାପୁଡ଼ା ଶର୍ମା ଶେଉଲ ବାବୁଙ୍କର କିଞ୍ଚିତ ପରିଚୟ ଦେଇ କହିଲେ ଗଭୀର ଜଳ ଓ ପଙ୍କରେ ଶେଉଳ ବୁଡ଼ି ରହିଲାପରି ଶେଉଳ ବାବୁଙ୍କର ଫଡ଼୍‌ ଫଡ଼୍‌ ହେବା ଜାତକରେ ନାହିଁ । ଅତଏବ ଏ ବିପଦରେ ତାଙ୍କପରି ସ୍ଥିତପ୍ରଜ୍ଞା ବ୍ୟକ୍ତିହିଁ ଆରପଥ ନିର୍ଦ୍ଦେଶକ ହେବେ, ଏଥିରେ ସନ୍ଦେହ ନାହିଁ । ଛେଚା ପିଟା ହୋଇ ଜୀବନକୁ ସେ ଉପଭୋଗ କରି ଆସିଛନ୍ତି । ମାଡ଼ ଖାଇଛନ୍ତି, ମାଡ଼ ଦେଇଛନ୍ତି । ବର୍ତ୍ତମାନ ଦେଖିଲେ ବି ଜଣାଯିବ ଦେହଯାକ ତାଙ୍କର ମାଡ଼ର ବିଣ୍ଡି ଭର୍ତ୍ତି । କଥା କଥାକେ ଯେଉଁ ଅପମାନ ହୁଏ, ତାହା ତ ଦେହର ମଳି । ତେଣୁ କେତେକ ବନଧୁ ତାଙ୍କ ଶ୍ରଦ୍ଧାରେ କଇଁଛ ପିଠିଆ ବୋଲି ଡାକନ୍ତି । ଆଜି ସେ ମହାଶୟ ଆମର ନେତା ଓ ଆଜିର ସଭାରେ ସଭାପତି ।

 

ଶ୍ରୀଯୁକ୍ତ ଶେଉଳବାବୁ ପ୍ରଥମେ ଉଦବୋଧନ ଦେଇ କହିଲେ, ମୋର ଧର୍ମ ହେଉଛି ଗୀତା ଧର୍ମ । ମାନ ଓ ଅପମାନ ସବୁ ଭଗବାନଙ୍କର ସୃଷ୍ଟି । ଏ ସଂସାରରେ ଗୋଟାଏ ମନ୍ଦ ବୋଲି କଣ ଅଛି । ସବୁ ମନର ବିକାର । ଧନ କମାଇବାକୁ ଯାଇ ମୁଁ ବହୁତ ଜାଗାରେ ମାଡ଼ ଖାଇଛି ସତ, କିନ୍ତୁ ସେଥିରେ ମୋର ଶୋଚନା ନାହିଁ । କାରଣ ଯେ ମାଡ଼ଖାଏ ଓ ଯେ ମାଡ଼ମାରେ ଉଭୟେ ଭଗବାନଙ୍କ ସନ୍ତାନ । ମାଡ଼ଦେବା ଲୋକର ହାତ ଏଇ ପଞ୍ଚଭୌତିକ ପଦାର୍ଥରେ ନିର୍ମିତ । ବୁଝିବାକୁ ଗଲେ ଆମ ପିଠି ମଧ୍ୟ ସେହିପରି ଏହି ଭୂତ ବା ପ୍ରପଞ୍ଚର ରୂପାନ୍ତର ମାତ୍ର । ଆମେ ଏହାକୁ ମାଡ଼ ବୋଲି ନ କହି ଅଣୁ ପରମାଣୁର ସଂଯୋଗ, ବା ଘାତ ପ୍ରତିଘାତ ବୋଲି ଧରିନେଲେ କିଛି ଭୁଲ ହେବ ନାହିଁ । ଭଗବାନ ଗୀତାରେ କହିଛନ୍ତି—କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍‌ । ଅର୍ଥାତ୍‌ ଏ ଦୁନିଆରେ ମାରୁଛି କିଏ ମରୁଛି ବା କିଏ । କରି କରାଉଥାଏ ମୁହିଁ । ଶ୍ରୀଯୁକ୍ତ ଶେଉଳ ବାବୁ ଟିକିଏ ଅଟକିଗଲେ । ଜଣା ପଡ଼ିଲା ସତେ ଅବା ତାଙ୍କର ଆତ୍ମା ପରମାତ୍ମାଙ୍କ ସହିତ ମିଶିବାକୁ ଆଉ ଅଳ୍ପବାଟ ଅର୍ଥାତ୍‌ ଧରି ଏଇ ଏକ କି ଦୁଇ ଫର୍ଲ ବାଟ ଅଛି । ତେଣ୍ଡାରେ ପାଣି ଟେକିଲା ପରି ନିଶ୍ୱାସକୁ ଉଜାଣି ଉଠାଇ ଫଁ ଫଁ କରି ଗୋଟା ଦିଟା ନାକ ସିଟ୍‌କା ମାଇଲେ । ତା’ପରେ ଆରମ୍ଭ କଲେ—

 

ବନ୍ଧୁଗଣ, ମୋତେ ଆପଣ ସଭାପତିର ଆସନରେ ବସାଇଛନ୍ତି । ଆପଣମାନେ ଜାଣନ୍ତି, ମୁଁ ଜଣେ ସଂଯମୀ ପୁରୁଷ । ଜେଲର ସେଲ ଓ ସଭାପତିର ଚୌକି ଉଭୟଟା ମୋ ପାଖରେ ସମାନ । ଆପଣମାନେ ବିଚାର କରନ୍ତୁ, ମୋପରି ଜିତେନ୍ଦ୍ରିୟ ପୁରୁଷ ଯେତେବେଳେ ଏମରଜେନ୍‌ସିର ପ୍ରକୋପ ସହି ନପାରି କୋପ କରୁଛି, ସେତେବେଳେ ଆପଣମାନଙ୍କ ପରି ଅଡ଼ିନାରୀ ଲୋକଙ୍କ କଥା କଣ କହିବି । ପିଠିରେ ଚାପୁଡ଼ା ବସିଲେ ଅଣୁ ପରମାଣୁ ଠୋକ୍‌କର ଖାଉଛନ୍ତି ବୋଲି ଯେ କହେ, ତାର ମଧ୍ୟ ଏମରଜେନ୍‌ସିକୁ ଭୟ । ବର୍ତ୍ତମାନ ଆପଣମାନେ ନିଜର ବିଦ୍ୟା ବୁଦ୍ଧି ଅନୁସାରେ କିପରି ନିନ୍ଦା କରି ପାରୁଛନ୍ତି, ତାହାର ପରୀକ୍ଷା ଏଠାରେ ହେବ । ଆପଣମାନେ ଗରମାଗରମ ବକ୍ତୃତା ଦେଲାବେଳେ କେବଳ ହୁସିୟାର ରହିଥିବେ । ଯେପରି ହିଟ୍‌ (Heat) ବେଶୀ ହୋଇ ଆପଣମାନେ ଯେପରି ବର୍‌ଷ୍ଟ (Burt) ନ କରନ୍ତି । ଗଣତନ୍ତ୍ର ଦେଶରେ ବିପକ୍ଷଦଳର ଭୂମିକା ହେବା ଚୁମୁଟି କରି ଦୋଷ ବାହାର କରିବା । ତା’ଛଡ଼ା ନିନ୍ଦା କହିବାର ମାଦକତା ଆପଣମାନେ ଅନୁଭବ କରିବାର କଥା । ବର୍ତ୍ତମାନ ମହୁଆଷଣ୍ଢ ଦାସଙ୍କୁ ବକ୍ତୃତା ଦେବାପାଇଁ ଆହ୍ୱାନ କରୁଛି ।

 

ମହୁଆବାବୁ ଠିଆ ହୋଇ ଗଳାଖଙ୍କାର ମାରି ଆରମ୍ଭ କଲେ—ଭାଇମାନେ ମୋର ବକ୍ତୃତା ଓ କାର୍ଯ୍ୟାବଳୀ ଯେତେ ଫମ୍ପା ବୋଲି ଶତ୍ରୁପକ୍ଷର ଲୋକ ପ୍ରଚାର କରନ୍ତି, ବାସ୍ତବିକ୍‌ ତାହା ସତ୍ୟ ନୁହେଁ । ମହୁଆ କହିଲେ ଲୋକେ ମହୁପରି ଉତ୍ତମ ପଦାର୍ଥକୁ ବୁଝନ୍ତି । ଆମ ଦଳ କ୍ଷମତାରେ ଥିଲାବେଳେ ଆମେ ଘୋଷଣା କରିଥିଲୁ ପ୍ରତ୍ୟେକ ପାଇପରୁ ପାଞ୍ଚବର୍ଷ ମଧ୍ୟରେ ପାଣି ପରିବର୍ତ୍ତେ କେବଳ ମହୁ ବାହାରିବ । ମହୁ ଭାଣ୍ଡ ମଧ୍ୟ ବସାଇ ସାରିଥିଲୁ । ମାତ୍ର ହଠାତ୍‌ ନିର୍ବାଚନରେ ପରାଜିତ ହୋଇଗଲୁ । ଆମେ ମହୁ ଦେଇଥାନ୍ତୁ । ମାତ୍ର ଏ ସରକାର ମହୁ ଦେଇ ନ ପାରିଲେ ପାଇପ୍‌ରୁ ସର୍ବତ ଦେଇପାରନ୍ତେ । ସେ ତ ଦୂରର କଥା । ଏବେ ପ୍ରତ୍ୟେକ ପାଇପ୍‌ରୁ ଚବିଶଘଣ୍ଟା ପାଣି ମିଳିବା ମଧ୍ୟ କଷ୍ଟକର । ନଈର ଗୋଳିଆ ପାଣିକୁ ସଫାକରି ପାଇପରେ ଛାଡ଼ିବାକୁ କେତେ ବା ଖର୍ଚ୍ଚ ପଡ଼ନ୍ତା । ବେଳେ ବେଳେ ଔଷଧ ମିଶା ପାଣି ଏତେ ଦୁର୍ଗନ୍ଧ ହୁଏ ଯେ, ସେହି ପାଣିକୁ ପାଇଖାନାଯିବା କାମରେ ମଧ୍ୟ ବ୍ୟବହାର କରି ପାରୁନା । ଆମପରି ରୁଚିସମ୍ପନ୍ନ ଲୋକଙ୍କ ପାଇଁ ଗୋଟିଏ ଗୋଟିଏ ସ୍ପେଶାଲ ପାଇପ୍‌ ବସାଇ ସେଣ୍ଟମିଶା ପାଣି ଯୋଗାଇଲେ କଣ ବା କ୍ଷତି ହୁଅନ୍ତା-। ସରକାର ଏପର୍ଯ୍ୟନ୍ତ ଚାହା ପାଇପ୍‌ଟିଏ ବସାଇ ପାରିଲେ ନାହିଁ । ଦୋକାନରୁ ଅସନା ଗ୍ଲାସରେ ପାଣି ପିଇବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି । ଏକଥା ଦେଖିବାକୁ କଣ ସରକାରଙ୍କ ଆଖି ଫୁଟିଯାଇଛି । ସରକାରଙ୍କ ଉତ୍ତମ ବନ୍ଦୋବସ୍ତ ଅଭାବ ହେତୁ ଆମେ ଗସ୍ତରେ ଯିବାବେଳେ ବୋତଲରେ ପାଣି ନେବାକୁ ବାଧ୍ୟ ହେଉଛୁ । ସେ ବୋତଲର ପାଣି ଅବଶ୍ୟ ଟିକିଏ ସ୍ୱତନ୍ତ୍ର । ସେଥିରେ ଠିପି ବନ୍ଦ କରାଯାଇ ସିଲ ଦିଆଯାଇଥାଏ । ସେ ପାଣି ପାଟିରେ ବାଜୁ ବାଜୁ ଭଗବତ୍‌ ଭକ୍ତି ଜାତ ହୁଏ । ଈଶ୍ୱରଙ୍କ ସାକ୍ଷାତ ମିଳିବା ଏକରକମ ନିଶ୍ଚିତ । ଈଶ୍ୱରଙ୍କୁ ଦର୍ଶନ କଲାପରେ ଭଗବତ୍‌ ପ୍ରେମରେ ବ୍ୟକ୍ତି ପାଗଳ ହୋଇଯାଏ ଓ ଈଶ୍ୱରଙ୍କ ପ୍ରତି ଅନୁରାଗ ହେତୁ ଆଖି ଲାଲ ପଡ଼ିଯାଏ । ଭକ୍ତିଗୁଡ଼ାକ ମୁଣ୍ଡରେ ପଶି ଅନେକ ସମୟରେ ମୁଣ୍ଡକୁ ଝାଙ୍କିଦିଏ । ଭକ୍ତିରେ ପରିପୂର୍ଣ୍ଣ ବ୍ୟକ୍ତି ଭାବରେ ଟୁଳ ଟୁଳ ହୋଇ ରାସ୍ତାରେ ଚାଲିଲାବେଳେ ପାଦ ଠିକ୍‌ ଭାବରେ ପଡ଼ିପାରେନା । ଭକ୍ତ ବେଳେ ବେଳେ ରାସ୍ତା ଉପରେ ଓ ବେଳେ ବେଳେ ରାସ୍ତା କଡ଼ରେ ଥିବା ନାଳିରେ କଚାଡ଼ି ହୋଇ ପଡ଼େ । ବଡ଼ ଦୁଃଖର କଥା ସରକାର ଏହି ପବିତ୍ରପାଣି ଉପରେ ନିଷେଧ୍ୟାଜ୍ଞା ଜାରି କରିଛନ୍ତି-। ଏହାଦ୍ୱାରା ଦେଶରୁ ଆଧ୍ୟାତ୍ମିକ ଭାବ ଯେ କଟିଯାଉଛି । ଏକଥା ସରକାର ଜାଣିପାରୁ ନାହାନ୍ତି । ଶାସ୍ତ୍ରରେ ଅଛି—

 

‘‘କ୍ଷୁଧାତୁରକୁ ସୁଧାତୁଲ୍ୟ ଭୋଜନ ପରଶିଲୁ କେଉଁ କାରଣ’’

 

(ଅଥର୍ବବେଦ)

 

ଅର୍ଥାତ୍‌ ଯେ ଭୋକିଲା ବା ଶୋଷିଲା, ତାକୁ ସୁଧାତୁଲ୍ୟ ବୋତଲ ଜଳ ଦାନ ନ କରିବାର କାରଣ କ’ଣ । ପୁଣି ସେହି ପୁରାଣରୁ କୋଟେସନ ଦେଉଛି—‘‘ଭୁଞ୍ଜି ବସିବାବେଳେ କୁଳିଶ ବୃଷ୍ଟି କଲୁ’’ । ଅର୍ଥାତ୍‌ ବୋତଲ ଜଳ ସେବନ କଲାବେଳେ କୁଳିଶ ବା କୁଳିଶ୍‌ ବା ପୁଲିସକୁ ଡକାଇ ଆଣି ଲାଠି ପ୍ରହାର କରାଇଲୁ । ଏହି କୋଟେସନରେ ପୁଲିସର ଲାଠି ପ୍ରହାର ବିରୁଦ୍ଧରେ କିପରି ତୀବ୍ର ପ୍ରତିବାଦ କରାଯାଇଛି, ଆପଣମାନେ ଲକ୍ଷ୍ୟ କରନ୍ତୁ । ଏମିତି ଲାଠିମାଡ଼ ବା ବନ୍ଧାବନ୍ଧି କରିବାଦ୍ୱାରା ଗଣତନ୍ତ୍ରର ମୂଲ୍ୟ ହାସ ପାଉଛି ବୋଲି ଶାସ୍ତ୍ର ପୁରାଣକାରମାନେ ବଜ୍ର ଗମ୍ଭୀର ସ୍ୱରରେ ଘୋଷଣା କରି ଅଛନ୍ତି । ଆମେ ଆଜି ଏହି ନିଭୃତ କକ୍ଷରେ ତାର ପ୍ରତିବାଦ କରିବାକୁ ଆସିଅଛୁ । ଏମରଜେନ୍‌ସି ସମୟରେ ପୁଲିସର ଲାଠିମାଡ଼ ହେତୁ ଆମର ସବୁପ୍ରକାର ସ୍ୱାଧୀନତା ବ୍ୟାହତ ହେଉଥିବାରୁ ସମସ୍ତେ ଏକମତିଭୂୟ ଗୋଟାଏ ଉପାୟ ଚିନ୍ତା କରିବା ଉଚିତ । ଏତିକି କହି ସାଶ୍ରୁଲୋଚନରେ ବସି ପଡ଼ିଲେ ।

 

ଏହାପରେ ଟାଉଟରିଆଲ କଲେଜର ମୁଖ୍ୟ ଅଧ୍ୟାପକ କଲିକତରା ମିଶ୍ର ଦଣ୍ଡାୟମାନ ହେଲେ । ପ୍ରଥମରୁ ବାଷ୍ପାକୁଳ କଣ୍ଠରେ କହିଲେ—ବକ୍ତୃତା ଦେବାରେ ମୁଁ ଓସ୍ତାଦ୍‌ ହେଲେ ବି ଆଜି ମୋ ତଣ୍ଟିରୁ କୋହ ଉଠୁଥିବାର କିଛି କହି ହେଉନାହିଁ । ସରକାର ସବୁ ଶିଳ୍ପ କାରଖାନା ବନ୍ଦ କରିଦେଲା ପରେ ଆମର ଆଉ ରହିଲା କଣ । ଆମେ ଆମ ବିଜ୍ଞାନାଗାରରେ ଯେତେ ଟାଉଟର ତିଆରିକଲୁ, ଏ ଧରମଛଡ଼ା ସରକାର ସମସ୍ତଙ୍କୁ ଜେଲ ଭିତରେ ପୂରାଇଲା । ଏ ଯୁଗର ପରମ ଧର୍ମ ହେଉଛି ଟାଉଟରୀ ବିଦ୍ୟା । ଅନ୍ତତଃ ସ୍ୱାଧୀନତା ପରେ ଆମେ ବିଦେଶୀ ସରକାର ଠାରୁ ତାହା ହାସଲ କରିଥିଲୁ । ନ’କୁ ଓ ଛ’କୁ ନ କରି ଆମେ କୀର୍ତ୍ତିବାନା ଉଡ଼ାଉଥିଲୁ । ବକିବା ବିଦ୍ୟା ଶିଖାଇ ଆମେ ବହୁ ବକରା ଓ ବକରୀ ସୃଷ୍ଟି କରିଥିଲୁ । ସେମାନେ ସେମାନଙ୍କ କଥାର ଜାଦୁ ବିଦ୍ୟା ବଳରେ ମିଛକୁ ସତରେ ଓ ସତକୁ ମିଛରେ ପରିଣତ କରି ପାରୁଥିଲେ । ବର୍ଷର ଅଧିକାଂଶ ସମୟ ବେକାର ରହୁଥିବାରୁ ପିଲାଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ପାନ ଦୋକାନ ଓ ଚାହା ଦୋକାନରେ ବସୁଥିବା ଟ୍ରେନିଂ କ୍ଲାସରେ ଯୋଗଦେଇ ପାରୁଥିଲେ । ଏ ସରକାର ସେଗୁଡ଼ିକୁ ବାଜେ କଥା ବୋଲି କହି ଟାଉଟରୀ ଚାଷ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । କେତେକ ଭଦ୍ରଲୋକ ଓ ଅଫିସରଙ୍କ ନାଁରେ ଗୁଡ଼ାଏ ବକିଲେ ସନ୍ଧ୍ୟାବେଳକୁ ଦି’ପଇସା ମିଳୁଥିଲା । ସେତିକି ବି ଗଲା । ଏ ସରକାର କଣ ବୃତ୍ତି ଉଚ୍ଛେଦ କରିବାକୁ ଆସିଛି । ଆଜି ହଜାର ହଜାର ଟାଉଟର ସେମାନଙ୍କ ବାକ୍ୟ କାରିଗିରୀ ସନ୍ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି । ଏହାଦ୍ୱାରା ଗୋଟିଏ ବିଦ୍ୟା ପାଇଁ ଯଶସ୍ୱୀ ହୋଇଥିବା ଆମ ଅଞ୍ଚଳର ପ୍ରଭୂତ କ୍ଷତି ହେଲା । ଏହାର ବିହିତ ପ୍ରତିକାର ହେଉ ବୋଲି କହି କଲିକତରା ମିଶ୍ର ବସି ପଡ଼ିଲେ । ଏହାପରେ ଉଠିଲେ ଶିଳ୍ପପତି ଗୋଳକୁଣ୍ଡା ଦାସ । ମିଷ୍ଟର ଗୋଲକୁଣ୍ଡା ପ୍ରଥମେ ସରକାରଙ୍କ ଉପରେ ଆଶୀର୍ବାଦ ବୃଷ୍ଟିକଲେ । ଏ ସରକାର ମରୁନି, ତାକୁ ଝାଡ଼ାବାନ୍ତି ଖାଉନି ଇତ୍ୟାଦି ଗାଳିଦ୍ୱାରା ସରକାରଙ୍କୁ ସମ୍ୱର୍ଦ୍ଧନା ଜଣାଇ ଆରମ୍ଭ କଲେ-। ଏହା ଭିତରେ ମୋ ଶିଳ୍ପର ବହୁଳ ପ୍ରସାର ହୋଇ ସାରିଥିଲା । ଚାଉଳ, ଗହମ, ସୋରିଷ ଓ ଜିରା ଇତ୍ୟାଦିର ସାଇଜ୍‌ ବା ଆକାର ସହିତ ମିଶିଗଲା ପରି ଗୋଡ଼ି ଓ ଅନ୍ୟାନ୍ୟ ପଦାର୍ଥ ତିଆରି କରିବା ପାଇଁ ବହୁ ଟଙ୍କା ଦେଇ ମୁଁ କାରିଗର ରଖିଥିଲି । ସେଥିପାଇଁ ଅଜସ୍ର ବସ୍ତା ଓ ଗାଡ଼ି ଦରକାର ପଡ଼ୁଥିଲା । କୁଲିକାମ କରି ଲୋକେ ଦି’ପଇସା ପାଉଥିଲେ । ଏହି ଜିନିଷମାନ ଖାଦ୍ୟ ସହିତ ମିଶିବାରୁ ଖାଦ୍ୟର ପରିମାଣ ମଧ୍ୟ ବଢ଼ି ଯାଉଥିଲା । ଉତ୍ପାଦନ କ୍ଷେତ୍ରରେ ମୋର ଦାନ କିପରି ପ୍ରଶଂସନୀୟ ଥିଲା, ଏଇଥିରୁ ଆପଣ ଜାଣି ପାରୁଥିବେ । ଏବେ ଆମର ଆୟ ବନ୍ଦ ହୋଇଗଲା । ମାତ୍ର ସରକାରର ଏଥିରେ କି ଲାଭ ହେଲା । ଦେଶର ଉତ୍ପାଦନ କମିଗଲେ ବିରୋଧୀ ଦଳ ଏହାର ସୁଯୋଗ ନେବେ ବୋଲି କଣ ସରକାର ଜାଣିପାରୁ ନାହାନ୍ତି । ଲୋକମାନଙ୍କ ଖାଦ୍ୟରେ ଅନ୍ୟାନ୍ୟ ଜିନିଷ ମିଶାଇ ମୁଁ ଲୋକଙ୍କର ଖାଦ୍ୟରୁଚିରେ ଗୋଟାଏ ପରିବର୍ତ୍ତନ ଆଣୁଛି, ଏ ମହତ୍‌ ତତ୍ତ୍ୱ ସରକାର ବୁଝିବାକୁ ଅକ୍ଷମ । ସରକାର ଏଥିରେ ସହଯୋଗ ନ କଲେ, କୌଣସି ଦଳକୁ ଆଉ ଚାନ୍ଦା ମିଳିବ ନାହିଁ ବୋଲି ଏହି ସଭାରେ ମୁଁ ଘୋଷଣା କଲି ।

 

ସଭାପତି ତା’ମଝିରେ ଯୋଡ଼ିଦେଇ କହିଲେ, ଏପରି କାମରେ ଆପଣଙ୍କୁ ଧର୍ମଶାସ୍ତ୍ର ମଧ୍ୟ ସମର୍ଥନ କରୁଛି । ଶାସ୍ତ୍ରରେ ଅଛି ‘ସର୍ବଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌’’ ଅର୍ଥାତ୍‌ ପ୍ରତ୍ୟେକ ଜିନିଷରେ ଲୋଷ୍ଟ୍ର ବା ପଥର ଟୁକୁଡ଼ା ମିଶାଇବା ଦ୍ୱାରା ବହୁପୁଣ୍ୟ ଅର୍ଜିତ ହୁଏ । ଲୋଷ୍ଟ୍ର ଅର୍ଥ ଟେକାପଥର ଲୋଷ୍ଟ୍ରବତ୍‌ର ଅର୍ଥ ପଥର ବା ଗୋଡ଼ି ଅଭାବ ପଡ଼ିଲେ ତାରିପରି କେତେକ ଜିନିଷ ସବୁଥିରେ ମିଶାଇବା ଉଚିତ । ଶିଳ୍ପପତି ଗୋଳକୁଣ୍ଡା ଦାସ ଏଥିରେ ସଭାପତିଙ୍କୁ ଅଭିନନ୍ଦନ ଜଣାଇଲେ ।

 

ତୃତୀୟ ବ୍ୟକ୍ତି ଶ୍ରୀଯୁକ୍ତ ଗପୁଡ଼ିରାମ ମହାପାତ୍ର ଆସନରୁ ଉଠିଲେ । ସେ କହିଲେ ଏକଦା ମୁଁ କମୁନିଷ୍ଟ ଥିଲି । ତାପରେ କଂଗ୍ରେସ ହେଲି, କଂଗ୍ରେସରୁ ସୋସାଲିଷ୍ଟ, ସୋସାଲିଷ୍ଟରୁ ଜନତା, ଜନତାରୁ ଲୋକଦଳ ଏବଂ ପୁଣି ପଛେଇ ପଛେଇ ଆସି ଏବେ କମୁନିଷ୍ଟରେ ପହଞ୍ଚିଛି । ଅଠରଟି ଦଳରେ ଯୋଗଦେବା ପରେ ଏବେ ଆଉ ଦଳ ମିଳୁନାହିଁ । ସେ ଯାହାହେଉ ସବୁଦଳ ବିଷୟରେ ଯେ ତାଙ୍କର ଗଭୀରଜ୍ଞାନ ଓ ଅଭିଜ୍ଞତା ଅଛି, ଏଥିରେ ସନ୍ଦେହ ନାହିଁ । ଦଳତ୍ୟାଗ ଓ ଦଳ ଗ୍ରହଣର ମୂଳ ଆଭିମୁଖ୍ୟ ହେଲା, ଯେଉଁଦଳ ଛାଡ଼ିବ ତାର ଓଷ୍ଟିଗୋଷ୍ଟି ଯେପରି ଶୋଧିପାରିବ ଓ ଆଗରୁ ଯାହାକୁ ଶୋଧୁଥିଲ ତାକୁ ଯାପରି ଖୁବ୍‌ ଉର୍ଦ୍ଧ୍ୱକୁ ଟେକିପାରିବ । ଏସବୁ ବିଦ୍ୟାରେ ଧୁରୀଣ ଥିବାରୁ ଏବେ ମୋତେ ଅନାହାରୀ ଡକ୍ଟର ଡିଗ୍ରୀ ଦିଆଯାଇଛି ।

 

ଅଥଚ ମୋ ପରି ପୋଳୁଅଘଣ୍ଟା ସାତଚକଟା ବ୍ୟକ୍ତି ଏମରଜେନ୍‌ସିର ଶିକାର ହୋଇଛି-। କେହି କାହାକୁ ଶୋଧା ଶୋଧି କରିପାରିବ ନାହିଁ । ତାଗିଦ୍‌ ପରେ ତାଗିଦ୍‌ ଆସୁଛି । ଆପଣ ପୂରାଣ ଆଡ଼କୁ ଆସନ୍ତୁ । ହରିହର କଳି, ଶନିଲକ୍ଷ୍ମୀ କଳି, କୁନ୍ତୀ ଗାନ୍ଧାରୀ ବିବାଦ, ଲକ୍ଷ୍ମୀ ଜଗନ୍ନାଥ ଝଗଡ଼ା ଏହିପରି ଅସଂଖ୍ୟ କଳିର ପ୍ରମାଣ ଆପଣ ପାଇଛନ୍ତି । କଳିଆଙ୍କ ଶିରୋମଣି ନାରଦ ହେଉଛନ୍ତି ସେ ଯୁଗର ବିଶ୍ୱବିଦ୍ୟାଳୟରେ ସୁନାମେଡ଼ାଲ ପାଇଥିବା ବ୍ୟକ୍ତି । କଥା କଣ କି କଳି ଓ ବିବାଦ ଚିନ୍ତାର ପରିସରକୁ ବୃଦ୍ଧିକରେ । ଜଣେ ଫାନ୍ଦିଫୁନ୍ଦି କଥା ନ କହିଲେ କରି କଳି ପାରିବ ନାହିଁ-। ଅଥଚ ମୁଁ ଟିକିଏ ଗାଳିଦେଲି ବୋଲି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଗାଳିରେ ଟିକିଏ ଅଶ୍ଳୀଳ କଥା କହିଦେଲି ବୋଲି ଏତେ କଥା । ଏ ଯୁଗରେ ଅଶ୍ଲୀଳ କଥା ହେଉଛି ଅଶ୍ଲୀଳାମୃତ । ତାକୁ ବନ୍ଦ କରିଦେଲେ ଦେଶର ପ୍ରଗତି ବନ୍ଦ ହୋଇଯିବ । ଏଣୁ ମୁଁ ଏହାର ଦୃଢ଼ ପ୍ରତିବାଦ କରୁଛି ।

 

ଏହାପରେ ସମସ୍ତେ ଏମରଜେନ୍‌ସିର କଟକଣାକୁ ନିନ୍ଦା କଲେ । ଯଦି ଏମରଜେନ୍‌ସି ଜାରି କରାଯାଉଛି, ତେବେ ଆମପରି କେତେକ ଦେଶପ୍ରାଣ ବ୍ୟକ୍ତିଙ୍କୁ ଛାଡ଼ିଦିଆଯାଉ ବୋଲି ଦାବି କରାଗଲା ।

 

ସରକାର କେତେ ଫାଲ୍‌ତୁ କଥାରେ ମୁଣ୍ଡ ଖେଳାଉଛନ୍ତି ବୋଲି ମତପ୍ରକାଶ ପାଇଲା । ଠିକ୍‌ ସମୟରେ ଅଫିସରମାନେ ଅଫିସକୁ ଯିବେ, ଶିକ୍ଷକମାନେ କ୍ଲାସକୁ ଯିବେ, ଠିକ ସମୟରେ ବସ୍‌ ଚାଲିବ, କେହି କାହାକୁ ନ ଶୋଧି ରାସ୍ତାରେ ମୁହଁଶୁଖାଇ ଚାଲୁଥିବେ—ଇତ୍ୟାଦି ଯଦି ହୁଏ ତେବେ ଜୀବନଟା କେତେ ବୋର ହୋଇଯିବ । ସବୁବେଳେ ଧର ଧର ମାର ମାର ହେଲେ ଦେହରେ ଅଯଥା ଛନକା ପଶିଯିବ ଓ ଏହାଦ୍ୱାରା ହୃଦରୋଗ ବଢ଼ିଯାଇପାରେ । ନାନା ବାରଚାଉଳିଆ କଥା ଶୁଣିଲେ ମନରେ ଏକପ୍ରକାର ଆନନ୍ଦ ଆସେ । କାହାରି ନିନ୍ଦା ଶୁଣିବାକୁ ଲୋକଙ୍କର ଯେତେ ଆଗ୍ରହ, ପ୍ରଶଂସା ଶୁଣିବା ପାଇଁ ସେତେ ଆଗ୍ରହ ନ ଥାଏ । ଏମରଜେନ୍‌ସି ଜାରୀ ହେଲେ ଏସବୁ ବନ୍ଦ ହୋଇଯିବ ଓ ଚିତ୍ତବିନୋଦନର ମାତ୍ରା କମିଯିବ । ମହାଭାରତ ଯୁଦ୍ଧ ଯଦି ହୋଇ ନ ଥାନ୍ତା । ତେବେ ଏତେ ସୁନ୍ଦର ବହିଖଣ୍ଡେ ଆମେ ପାଇଥାନ୍ତୁ ? ଖାଲି ମାଗଣାରେ ଜଣେ୧୮ ଖଣ୍ଡ ପୋଥି ଲେଖିପାରିବ କି ? ଅତଏବ ମହାଭାରତ ଯୁଦ୍ଧରେ ଯେତେ କ୍ଷତି ହେଲେ ବି ଭବିଷ୍ୟତ ପାଇଁ ଯଥେଷ୍ଟ ଉପକାର ହେଲା । ଯୁଦ୍ଧ, କଳହ, ବାଦବିବାଦ, ଗାଳିଗୁଳଜକୁ ସେଥିପାଇଁ କୌଣସି ସଭ୍ୟତାରୁ ଦୂରେଇ ରଖାଯାଇ ନ ପାରେ । ସର୍ବସମ୍ମତି କ୍ରମେ ଏମରେଜନ୍‌ସିକୁ ମନଇଚ୍ଛା ଗାଳିହେଲା ପରେ ସଭା ଭାଙ୍ଗିଲା ଓ କବାଟ ଫିଟିଲା ।

 

ତାପରେ ଦେଖାଗଲା, ଘରଭିତରୁ ଯେଉଁମାନେ ବାହାରୁଛନ୍ତି । ସମସ୍ତେ ଖଦଡ଼ ପୋଷାକ ପିନ୍ଧିଛନ୍ତି । ସମସ୍ତେ ମୁଣ୍ଡରେ ଗାନ୍ଧୀଟୋପି ପିନ୍ଧିଛନ୍ତି । ମୁହଁରେ ଜୟଗାନ୍ଧୀ, ଜୟ ସ୍ୱାଧୀନ ଭାରତ ବୋଲି ବାରମ୍ୱାର କହୁଛନ୍ତି ।

Image

 

ମିନି ହାକିମ

 

ଆଧୁନିକ ଚାକର-ପଣ୍ଡିତମାନେ ସବୁବେଳେ ମତଦିଅନ୍ତି—ଚାକିରି ଭିତରେ ହାକିମ ଚାକିରି ଭଲ । ସେ ହାକିମ ଚାକିରି ପୁଣି କ’ଣ ? ତାହା ହେଉଛି ଯେଉଁ ଚାକିରିରେ କିଛି ହାକିମଗିରି କରିହେବ । ହେୟପ୍‌ ଏମିତିକର, ସେମିତିକର । ନ ହେଲେ ସସପେଣ୍ଡ କରିବି, ଡିସ୍‌ମିସ୍‌ କରି ଘରେ ବସାଇଦେବି । ଏମିତି ଦିଚାରିଟା କଥା ସବୁବେଳେ କହି ହେଉଥିବ । ତା ନ ହେଲେ ଏ ମାସରେ ୫ ଟଙ୍କା ଫାଇନ ହେଲା, ଆରମାସକୁ ଦରମା ଦେବାରେ ହେଳାକରି ଦିଆଯିବ । ଏବର୍ଷ ଇନ୍‌କ୍ରିମେଣ୍ଟ ବନ୍ଦ ।

 

ଏମିତି ଗୁଡ଼ାଏ କଥା କହିବାର ବା କାମ କରିବାର ଜୋର ରହିଲେ, ମାଗଣା ଯାଉଣୁ ଆସୁଣୁ ଦଣ୍ଡବତ ମିଳିବ । କଥା କହିଲାବେଳେ ବାଁ ହାତଟା ବେକ ପଛପଟକୁ ଚାଲିଯାଉଥିବ । ଟାଣିଓଟାରି ମୁହଁରେ ଖୋସାମତିଆ ହସଖଣ୍ଡେ ଲଗାଇ ରଖି ତଳିଆ ଚାକରମାନେ କଥାକହିବେ । ଏତିକିରେ ତ ଛାତି ଚାରିଆଙ୍ଗୁଳି ଫୁଲିଯିବ । ତାପରେ ଲାଭକଥା ଅଛି । ଏଇପରି ଚାକିରି ଖଣ୍ଡେ କରିବି ବୋଲି ବହୁଦିନୁ ଆଶା ପୋଷଣ କରିଥିଲି । ମାତ୍ର ଭାଗ୍ୟ ଖରାପ । କରମ କହୁଛି ଘାସ କାଟ୍‌ । ମୁଁ ଘୋଡ଼ା ଚଢ଼ିବାକୁ ବସିଲେ ହେଉଛି କେଉଁଠି । ଅବଧାନ ଗିରି କରି ବେଳ ଗଲା । ପୁଣି ଅବଧାନମାନେ ସବୁକଥାକୁ ସାବଧାନ । ପିଲାଏ ଚଢ଼ିବେ, ତାଙ୍କ ବାପ ମା ଚଢ଼ିବେ । ଶେଷକୁ ହାକିମ ହୁକୁମା ବି ଚଢ଼ିବେ । ଏତେ ଲୋକଙ୍କ ଭାରବହନ କରିପାରିଲେ ଭଲ ଅବଧାନଟିଏ ହେବ-। ଏ ଦୁଃଖ କଥା ଦିନେ କହୁ କହୁ ଜଣକ ପାଖରେ କହିଦେଲି । ସବୁ ଜିନିଷର ଆରମ୍ଭ ସ୍ତ୍ରୀ ଲୋକମାନଙ୍କ ପାଖରେ । ଆମ ଘରପାଖରେ ଜଣେ ହାକିମ ରହୁଥାନ୍ତି । ତାଙ୍କର ସବୁଦିନ ମାଛ । ପୁଣି ସେ କେବେହେଲେ ବଜାରକୁ ଯାଆନ୍ତି ନାହିଁ । ଘରେ ଦେଖିଲାବେଳକୁ ଚାଉଳ ବସ୍ତା ଡେରା ହୋଇଛି । ଶିଶୁକାଠର ଜିନିଷମାନ ବଡ଼ ଶୋଭାକର ଦିଶୁଛି । ହାକିମଙ୍କ ମାଇକିନା ୨୫ ଭରିର ସୁନା ଅଳଙ୍କାର ଲଦି ହୋଇଛନ୍ତି । ସେ ଯେତେ ଜାଗାରୁ ଆସିଲେଣି, ସବୁଜାଗାରେ କୁଆଡ଼େ ଖଣ୍ଡେ ଲେଖାଏଁ ଘର ବନେଇଛନ୍ତି । ସବୁ ଭଡ଼ା ଲାଗିଛି ।

 

ହାକିମିଆଣୀ ମୋ ସ୍ତ୍ରୀଙ୍କୁ କହିଲେ, ସବୁ ଅଳଙ୍କାର ନାଇ ହେଉ ନାହିଁ । ତିନିଭାଗ ବାକ୍‌ସରେ ରଖାଯାଇଛି । ଭାଗେ ଲଗାଇଛୁ । ସେ ବିରକ୍ତ ହେଉଛନ୍ତି ।

 

ଏତିକି ଗହଣା ନାଇଲେ ଆମ ଇଜ୍ଜତ ପଦାରେ ପଡ଼ିଯିବ । ବଡ଼ ଅଫିସରଙ୍କ ମାଇକିନିଆମାନେ କହିବେ, କି ରଙ୍କୁଣା ଲୋକ । ସବୁ ଅଳଙ୍କାର ତକ ବାକରେ ରଖି ଲାଭ କଣ । ମୁଁ କହେ, ଏଇ ପଚିଶ ଭରି ଜିନିଷ ତ ଭାରି ଲାଗୁଛି । ଆଉ ଗୁଡ଼ାଏ ଲଗାଇଲେ ଚଳିବି କିମିତି । ଏଇ କଥାରେ ମୋ ସ୍ତ୍ରୀକୁ ଲାଜମାଡ଼େ ମାତ୍ର ସେ ତ ଅବଧାନ ଭାରିଜା । ତାକୁ କଥାରେ କିଏ ପାରିବ । ତା ଗିରସ୍ତ କଥା ବିକି ପଇସା ଆଣୁଛି । ସେ ତାଙ୍କୁ ବଦନାମୀ କରିବ । ତହୁଁ ସେ ଝାଡ଼ିଦିଅନ୍ତି ।

 

ମୋର ବି ଏମିତି ଗୁଡ଼ାଏ ଗହଣା ଅଛି । ୨୦୦ କି ୩୦୦ ଭରି ହେବ । କିଏ ସେଗୁଡ଼ାକ ଲଗାଉଛି । ସବୁଯାକ ଲଗାଇଲେ ମେଢ଼ରେ ତିଆରି ହୋଇଥିବା ମୂର୍ତ୍ତି ପରି ଦିଶିବ । ଇନ୍ଦିରାଗାନ୍ଧିର କୋଟି କୋଟି ଟଙ୍କା ଦେଖିଲାବେଳକୁ ବେକରେ ହାର ପଟେ ନାହିଁ । ଆଜିକାଲିର ଫେସନ ହେଲା ଯେତେ ସାଦା ଉପରେ ଚଳିବ । ମୂର୍ଖ ମାଇକିନିଆ ଦଶ ପରସ୍ତ ଗହଣା ଲଗାଇଲେ କୋଉ ପ୍ରଶଂସା ଅଛି । ପାଠୁଆ ଲୋକଙ୍କର ପାଠ ହେଉଛି ଗହଣା ।

 

ହାକିମଙ୍କ ସ୍ତ୍ରୀ ଶଙ୍କିଯାନ୍ତି । ଆଉ ବଢ଼ନ୍ତି ନାହିଁ । ତାପରେ ଖାଇବା ବନ୍ଦୋବସ୍ତ ହୁଏ । ସେ କହନ୍ତି ଭଉଣୀ କଣ କରିବି, ୟାଙ୍କର ଆଇଁଷ ନ ହେଲେ ନ ଚଳେ । ଯେତେ ଟଙ୍କା ପଡ଼ୁ ବଡ଼ ମାଛଟା ଦେଖିଲେ ନିଶ୍ଚୟ ଆଣିବେ । ଚାକିରି ବାକିରୀ ଲୋଭରେ କେତେ ଲୋକ ମାଛ ଘିଅ ଅରୁଆ ଚାଉଳ ଗଦେଇ ଦେଉଛନ୍ତି । ସତରେ ଭଉଣୀ ଖାଇ ଖାଇ ଅସୁକ ଲାଗିଯାଉଛି ।

 

ମୋ ସ୍ତ୍ରୀ କହନ୍ତି, ତମର ହାକିମ ଘର । କେତେ କୁଆଡ଼ୁ ଆସୁଛି । ମୁଁ ୟାଙ୍କୁ କହେ, ତମେ ଉପୁରି କରୁନା । ସେ କହନ୍ତି ଆମେ ତ ଅବଧାନିଆ ଲୋକ । ଉପୁରି କରିବୁ କିପରି । ମୁଁ କହେ, କାହିଁକି ବେଶୀ ବେଶୀ ନମ୍ୱର ଦେଇଦେବ, ଫେଲ ହେଲା ପିଲାଙ୍କୁ ପାଶ୍‌ କରାଇ ଦେବ । ଆଗରୁ କଥାକରି ଦେଇଥିବ । ଟଙ୍କା ଆସିବ ନାହିଁ ? ଉପାୟ କଲେ ହେବ । ସେ କହନ୍ତି ତା ସତ, ହେଲେ ଲୋକଙ୍କ ଆଖିରେ ମୁଁ ଛୋଟ ହୋଇଯିବି । ଯେଉଁମାନଙ୍କର ମାନଇଜ୍ଜତକୁ ଭୟ ନ ଥାଏ, ସେମାନେ ଉପୁରି କରନ୍ତି । ଚୋରୀ କରିବା କାହିଁକି, ମାଛ ଖାଇବା କାହିଁକି । ସେ ଖାଇବାକୁ ଧିକ୍ । ଆମର ଏଇ ଡାଲି ଆଳୁ ଭରତା ସବୁଠୁଁ ଭଲ । ଏଥିରେ ନେ ନାହିଁ କି ନେଞ୍ଜରା ନାହିଁ । ତମେ ଜାଣିଛ, ଯେଉଁମାନେ ଉପୁରି ଦି’ପଇସା କରନ୍ତି ସେମାନଙ୍କର ପ୍ରାଣେ ଭୟ, କାଳେ ଧରାପଡ଼ିଯିବେ-। ପାପଟା କେବେ ଶାନ୍ତିରେ ବସେଇ ଦେବ ? ଯେମିତି ହେଲେ କେଞ୍ଚିବ ।

 

ହାକିମିଆଣୀଙ୍କ ମୁହଁ ଶୁଖିଯାଏ । ତଥାପି ମୁହଁଟାଣ କରି ପଦେ କହନ୍ତି—ଆମର ୟାଙ୍କର କିନ୍ତୁ ଭାରି ନିଦ । ଶଗଡ଼ ଚାଲିଗଲେ ବି ଉଠିବେ ନାହିଁ । ଯାହା କହନ୍ତି ଅତି ନିଶ୍ଚିନ୍ତିଆ ମଣିଷଟା ।

 

ମୋ ସ୍ତ୍ରୀ ବଢ଼ନ୍ତି ନାହିଁ । ବେଶୀ ଲଗାଇଲେ ଭଲ ଭଲ ଜିନିଷ ଖାଇବାକୁ ମିଳୁଛି । ସେତିକି ବନ୍ଦ୍‌ ହୋଇଯିବ । କିନ୍ତୁ ଘରେ ଆସି ମୋ ସାଙ୍ଗରେ ଲଗାନ୍ତି—ଏ ଅବଧାନ ଚାକିରି ଛାଡ଼ି ହାକିମ ହୁଅ । ମୋର ଚିନ୍ତା ବଢ଼ିଯାଏ, ମୋତେ ଏ ବୟସରେ ହାକିମ କରିବ କିଏ ।

 

ସେଦିନ ହଠାତ୍‌ ଗୋଟାଏ ସୁବର୍ଣ୍ଣ ସୁଯୋଗ ଜୁଟିଲା । ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ପୋଷ୍ଟ ଖାଲି ଅଛି । ଏ ପୋଷ୍ଟ କି ହାକିମ ପୋଷ୍ଟ ମାତ୍ର ମୋ ଉପର ହାକିମଙ୍କୁ ପ୍ରଥମେ ସନ୍ତୁଷ୍ଟ କରିବାକୁ ପଡ଼ିବ । ସେ ହେଉଛନ୍ତି ସବୁ ଉପରେ ମାଲିକ—ହେଡ଼୍‌ ଅବଧାନ ।

 

ଇଆଡ଼ୁ ରିଆଲସାଲ କରିଯାଇଥାଏ । ପୂରା ପିମ୍ପାଟା ଖୋଲିଦେଲି । ସାର୍‌ ସାର୍‌ ହୋଇ ଏକାବେଳକେ ଦଶ ପନ୍ଦରଟା ଦଣ୍ଡବତ ପକାଇଦେଲି । ମୋ ପରି ଲୋକ ଏପରି ନ୍ୟୂନ ହେବ ବୋଲି ବଡ଼ମାଷ୍ଟ୍ରେ କେବେ କଳ୍ପନା କରି ନ ଥିଲେ । ଗୋଟାଏ ମୁହଁଖୋର ଲୋକ କାଇଦା ଉପରକୁ ଆସିଯାଉଛି । ଛାଡ଼ିବେ କିଆଁ । ତୁରନ୍ତ ମୋ ମୁଣ୍ଡରେ ହାତୀ ସୁନା କଳସ ଢାଳିଦେଲା । ଓଃ, ସେଦିନ ଯେଉଁ ଖୁସି । ମୋ ସ୍ତ୍ରୀ ସେଦିନ ସ୍ପେଶାଲ ଆଳୁଦମ୍‍ କଲେ । ଆଳୁ ଭରତା, ଶାଗ ଓ ସନ୍ତୁଳାଠାରୁ ଆଳୁଦମ୍‌ ଯେ ନିଶ୍ଚିତ ଭାବରେ ଗୋଟାଏ ପାହୁଣ୍ଡ ଆଗକୁ ଏଥିରେ ସନ୍ଦେହ କଣ ଅଛି-

 

ଏହାପରେ ହଷ୍ଟେଲରେ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଲା । ସେଥିରେ ମୋର ସ୍ତୁତିଗାନ କରାଗଲା । ମୁଁ ଯେ ଜଣେ ଦକ୍ଷଶାସକ, ନିରପେକ୍ଷ, ଛାତ୍ରବତ୍ସଳ ଏକଥା ପିଲାଏ ଜାଣିଲେ କିପରି ? ଭାବି ଆଶ୍ଚର୍ଯ୍ୟ ହେଲି । ତା ସଙ୍ଗେ ସଙ୍ଗେ ସମସ୍ୟାଗୁଡ଼ାକ ମଧ୍ୟ ଥୋଇଦିଆଗଲା । ଅର୍ଥାତ୍‌ ସେଗୁଡ଼ିକ ମୋତେ ସମାଧାନ କରିବାକୁ ପଡ଼ିବ । ହନୁମାନ ରାମଚନ୍ଦ୍ରଙ୍କୁ ଦେଖିଲା ପୂର୍ବରୁ ଜାଣି ନ ଥିଲା ଯେ ସେ ଏତେ ବଳୁଆ । ମୁଁ ସେହିପରି ଏହି ଦାୟିତ୍ୱ ନେଲା ପୂର୍ବରୁ ଜାଣି ନ ଥିଲି ଯେ ମୋଠାରେ ଏକାଧାରାରେ ଏତେ ଗୁଣ ଭର୍ତ୍ତି ହୋଇଛି । ଆମ ହେଡ଼୍‌ମାଷ୍ଟ୍ରେ ସେଦିନ ଲଜ୍ଜିତ ହୋଇଥିବେ । କାରଣ ଏତେ ଗୁଣବନ୍ତ ଲୋକକୁ ଏତେଦିନଯାଏ କୌଣସି ଦାୟିତ୍ୱମୂଳକ କାର୍ଯ୍ୟ ସେ ଦେଇପାରି ନାହାନ୍ତି । ବୁଝିବାକୁ ଗଲେ ଏହା ତାଙ୍କର ଲୋକ ଚିହ୍ନିବାର ଅକ୍ଷମତା । ଯାହାହେଉ ହେଡ଼୍‌ମାଷ୍ଟ୍ରେ ମୁରୁକି ମୁରୁକି ହସୁଥାନ୍ତି ।

 

ଦୁଇଦିନ ପରେ ଚାକର ଦଳ ଏକାବେଳକେ ଆସି ମୋ ଦୁଆର ମୁହଁରେ ହାଜର । କିଏ ଘର ଓଳେଇ ପକାଇଲାଣି ତ କିଏ ବାସନ ମାଜିପକାଇଲାଣି । ଜଣେ କହିଲାଣି ମା ଆଜି କଣ ରନ୍ଧାହେବ । ମୁଁ ଚୁଲି ଲଗାଇ ଦେଉଛି । ଆପଣ ତାପରେ ବରାଦ କରିବେ । ମୋ ସ୍ତ୍ରୀ ସେତେବେଳକୁ ଅଭିଭୂତ ହୋଇ ଗଲେଣି । ଏହାପରେ ମୋ ସ୍ତ୍ରୀଙ୍କ ଆଗରେ ମୋର ଦକ୍ଷତା ସମ୍ୱନ୍ଧରେ ବର୍ଣ୍ଣନା କରାଗଲା । ମୁଁ ଅପଦାର୍ଥ ବୋଲି ସବୁଦିନେ ସମାଲୋଚିତ ହେଉଥିଲି, ମାତ୍ର ଆଜିସବୁ ଓଲଟପାଲଟ । ମୁଁ ଏତେବଡ଼ ଲୋକ ଓ ସର୍ବ ଗୁଣାଧାର ବୋଲି ସ୍ତ୍ରୀ ଜାଣନ୍ତି । ଗର୍ବରେ ହସଟାଏ ଛାଡ଼ିଦେଲି ।

 

କିଛି ସମୟ ପରେ ଦଳେ ପିଲା ଆସିଲେ । କହିଲେ ସାର୍‌ ଏ ଚାକର ପୂଜାରୀ ଗୁଡ଼ାକ ପୂରା ଚୋର । ସେମାନେ ପରିବାଠାରୁ ଆରମ୍ଭ କରି ସବୁ ଚୋରୀ କରନ୍ତି । ସବୁ ମାସରେ ଏମାନଙ୍କ ଉପରେ କିଛି କିଛି ଫାଇନ୍‌ ହେଲେ ଏମାନେ ଜବତରେ ରହିବେ । ଆପଣଙ୍କ ଆଗରୁ ଯେ ଥିଲେ ସେ ଏହିପରି ଏମାନଙ୍କୁ ଜବତ କରି ରଖିଥିଲେ । ଆମେ ତ ସେମାନଙ୍କୁ ବେଳେ ବେଳେ ମାଡ଼ ଦେଉ । ତା ନହେଲେ ସେମାନେ ବାଗକୁ ଆସିବେ ନାହିଁ ।

 

ପିଲାଙ୍କ ପରାମର୍ଶ ମୋଠାରେ ଚିନ୍ତା ଭରିଦେଲା । ଏହା ପରେ ଚାକରମାନେ ଆସି ଆତ୍ମୀୟତା ସୃଷ୍ଟି କଲେ । ସାର୍‌ ସେଇ ପିଲାଟା ଗଲାବର୍ଷ ଅଫିସଘରେ ପଶି ଗୋଟାଏ ଚଉକି ନେଇ ପଳାଇ ଯାଇଥିଲା । ହଷ୍ଟେଲରେ ତ ପାଚେରୀ ନାହିଁ । ତେଣୁ ଖଟ ଓ ଟେବୁଲ ପଦାକୁ ପଳାଇଯାଉଛି । ଯାଆନ୍ତୁ ଦେଖିବେ ସବୁ ଘର ଇଲେକ୍‌ଟ୍ରି ତାର ଚୋରୀ ହୋଇଛି । ପାଣି ପାଇପ୍‌ରୁ ଟାପ୍‌ ସବୁ ଚାଲିଯାଇଛି । କୌଣସି ଘରେ ସୁଇଚ୍‌ ନାହିଁ ।

 

ତହିଁ ଆରଦିନ ଦେଖିଲା ବେଳକୁ ସବୁ ଅକ୍ଷରେ ଅକ୍ଷରେ ସତ । ପାଇପ ଗୁଡ଼ାକ ବୋକା ଲୋକଙ୍କ ପରି ଆଁ କରି ଅନାଇ ରହିଛନ୍ତି । ହନୁମାନ ଅଶୋକ ବନକୁ ଛାରଖାର କଲାପରିର ଇଲେକଟ୍ରି ତାର ଓ ପାଣି ପାଇପ୍‌ ସବୁ ଭିଡ଼ି କରି କୌଣସି ବୀର ପୁଙ୍ଗବମାନେ ଅପହରଣ କରିଛନ୍ତି । ଗାଈ ଚେର ପରି ଉପରୁ ବଲ୍‌ବ ଓ ହୋଲଡ଼ରଚ୍ୟୁତ ତାରମାନ ଓହଳିଛନ୍ତି । ପାଇଖାନା ସଫା କରିବା ପାଇଁ ଯେଉଁ ତାର ଖଣ୍ଡକ ଧରି ଭିଡ଼ାଯାଏ ସେ ସବୁ ମଧ୍ୟ ନାହାନ୍ତି ।

 

ମୋ ମୁଣ୍ଡ ଗରମ ହୋଇଗଲା । ମୋ ଅବସ୍ଥା ଦେଖି ପୁରୁଖା ବୋଡ଼ର ମାନେ ଦୌଡ଼ି ଆସିଲେ । କହିଲେ ସାର୍‌ ଆମେ ଜଗିବା ହେତୁ ଏତିକି ଅଛି । ତା ନହେଲେ ହଷ୍ଟେଲକୁ ବିଜୁଳି ଲାଇନ୍‌ ଆସିଛି କି ନାହିଁ, ସେ ବିଷୟରେ ଆପଣ ସନ୍ଦେହରେ ପଡ଼ିଥାନ୍ତେ । ଏସବୁ ଏଇ ଚାକର ବାକରଙ୍କ କାମ । ଇଲେକ୍‌ଟ୍ରିବାଲାଙ୍କ ସାହାଯ୍ୟରେ ଏମାନେ ଛୁଟିରେ ଏସବୁ ନେଇ ବିକ୍ରି କରୁଛନ୍ତି-

 

ମହା ମୁସ୍କିଲ୍‌ । କି ଗୋଲକ ଧନ୍ଦା । ତେବେ ଏଠି ଏହିପରି ରାମ ରାବଣ ଯୁଦ୍ଧ ବରାବର ଚାଲିଆସୁଛି ? କିପରି ଏହାର ସମାଧାନ କରିବି । ଭାବିଲି ଛୋଟ ହେଉ ବଡ଼ ହେଉ ହାକିମ ହେଲେ ଦାୟିତ୍ୱ ବଢ଼ିଯାଏ । ହଉ ତେବେ ଦେଖାଯାଉ । ହାକିମ ପଣିଆରୁ ଗୋଟାଏ ହାଜିର କରାଯାଉ । ନୋଟିସ୍‌ଟାଏ ଦେଲି—

 

‘‘ଏଣିକି ଯେ ତାର, ରଡ଼, ବଲବ ଇତ୍ୟାଦି ବିନା ଅନୁମତିରେ ଚୋରୀ କରିବ, ତାକୁ ପାଞ୍ଚ ନୂଆ ପଇସା ଜୋରିମାନା ଓ ଦଶ ମିନିଟ୍‌ ଜେଲ ଆଦେଶ ହେବ । ତା ସଙ୍ଗରେ ପକେଟ୍‌ ବୁକରେ ଲେଖି ରଖିଥିବା କେତେକ ଉପଦେଶ ଓ ମହାତ୍ମାମାନଙ୍କ ନୀତିବାଣୀ ଗୁନ୍ଥି ଦେଲି ।

 

ବଡ଼ କାମ ହେଲା । ଥୋଡ଼ାଏ ଦିନ ଚୁପ୍‌ଚାପ୍‌ । ଭାବିଲି ପିଲାଏ ସୁନା ପାଲଟି ଗଲେ । ଦିନେ ସେହି ସୁନା ପିଲାରୁ ଜଣକୁ ଧରି ଆଣି ପଚାରିଲି ଏଠି କିଛି ସାଂସ୍କୃତିକ ଉତ୍ସବ ହୁଏନା । ପିଲାଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା ସାର୍‌, ସାଂସ୍କୃତିକ ଉତ୍ସବ କଣ ? ସେଗୁଡ଼ା ଏଠି ହୁଏନା । କେବଳ ପିଲାମାନେ ସଂସ୍କୃତରେ ଶୋଧାଶୋଧି ହେବାଟା ଯାହା ଶୁଣିଛୁ ।

 

ହଠାତ୍ ଦିନେ ମ୍ୟାନେଜର ଆସି କହିଲା ସାର୍‌, ମିଲ୍‌ ନ ପକାଇ ଯୋଡ଼ାଏ ପିଲା ଜବରଦସ୍ତ ଖାଇ ଯାଉଛନ୍ତି । ଫଳରେ ମିଲ୍‌ ଯାହାର ପଡ଼ିଛି ସେ ଉପାସ । ପୂଜାରୀ ଚାକର ତ ସହଜେ ଅଧିକାଂଶ ସମୟ ଦରଖିଆ ରହନ୍ତି । ସାନ ହାକିମଙ୍କୁ କହିଲେ ସେ କହନ୍ତି ଚଳାଇ ନିଅ । କୁହନ୍ତୁ ଆଜ୍ଞା, ଉପାସ ରହି ଚଳାଇ ନେବୁ କଣ । ମୁଁ କହିଲି ହଉ ଠିକ୍‌ ଅଛି । ତାପରେ ନୋଟିସ ଗଲା ।

 

‘‘ଯେଉଁମାନେ ମିଲ ନ ପକାଇ ଖାଇବେ, ସେମାନେ ଖାଇବା ସମୟରେ ଯଦି ସେମାନଙ୍କ ଟ୍ରଙ୍କ୍‌ରୁ ଚୁଡ଼ା ଚିନି ଚୋରୀ ଯାଏ, ତେବେ ସେମାନେ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବେ ନାହିଁ । ଏହାକୁ ‘ବଦଲା ନେବା’ ନୀତି କୁହାଯାଏ । ସମ୍ୱିଧାନର ଅମୁକ ଧାରାରେ ଏହି ପ୍ରତିଶୋଧ ମୂଳକ କାର୍ଯ୍ୟର ବ୍ୟବସ୍ଥା ଅଛି । ପିଲାଏ ନୋଟିସ୍‌ ପଢ଼ି ଅବାକ୍‌ । ଯଦି ହଷ୍ଟେଲ କର୍ତ୍ତୃପକ୍ଷ ଚୁଡ଼ା ଚାଉଳ ଚୋରାଇ ନିଅନ୍ତି ଏବଂ ତା ସହିତ ଲୁଚାଇ କାମ ବିଜ୍ଞାନ ବହିଟିମାନ ନେଇଯାନ୍ତି, ତେବେ ଛାତ୍ର ସମାଜର ବହୁତ କ୍ଷତି ହେବ । ପିଲାମାନଙ୍କର ଏକାଗ୍ରତା ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି ଏବଂ ଫଳରେ ଫେଲ ହେବାର ବିଷମ ପରିଣାମ ମଧ୍ୟ ଅଛି । ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ହେବେକି ବୋଲି ବେନାମି ଦରଖାସ୍ତଟାଏ ମୋର ହସ୍ତଗତ ହେଲା । ଏ ଥରକ ମୁଁ ମୁଣ୍ଡରେ ହାତଦେଇ ବସିଗଲି ।

 

ଭାବିଲି ହାକିମ ନ ହଲି ପଛକେ ନାହିଁ । ଏ କାମ ଛାଡ଼ିଦେବି । ମାତ୍ର ସାହସ ହେଲାନାହିଁ । କାରଣ ମୋର ଅଶାନ୍ତିରେ କିଛି ଯାଏ ଆସେନା । ଗୃହିଣୀ ମହାଶାନ୍ତିରେ ରହିଥାନ୍ତି । ହଷ୍ଟେଲ ଚାକର ରଘୁ ଛୋଟପୁଅର ଘୁଅଲୁଗା ହକାଳିବାର ବିରାଟ ଦାୟିତ୍ୱ ଗ୍ରହଣ କରି ସାରିଥାଏ-। ଏବେ ଗୃହିଣୀ ନଇଁ କରି ଘର ଓଳାଇଲେ ଅଣ୍ଟାରେ ବାଇ ଅଟକି ଯାଉଛି । ମସଲା ବାଟିଲେ ଭାଲୁକୁଣୀ ପରି ହଲିବା ଦ୍ୱାରା କୁଣ୍ଡାଇଥିବା ବାଳଗୁଡ଼ାକ ଅଲଗା ହୋଇଯାଉଛି । ପେଟରେ ନୂତନ କରି ଆମଦାନି କରାଯାଇଥିବା ଚର୍ବିଗୁଡ଼ିକ ତରଳି ଯାଉଛି । ଏବେ ପୁଣି ଗୋଡ଼ିଏ କିଚନ୍‌ ଗାଡ଼ନ ଆରମ୍ଭ ହୋଇଛି । ଅବଶ୍ୟ ଗୃହିଣୀଙ୍କ କଥା ଅନୁସାରେ ଗାଈଟିଏ ଆସିଛି । ତା ପାଇଁ ପାଞ୍ଚ ଛ କିଲୋ ଓଜନର ଯେଉଁ ପରିବା ଚୋପା ହଷ୍ଟେଲରୁ ଆସେ, ନିରୋଳା ଭାତମିଶା ପେଜ ଦୁଇ ଚାରି ବାଲଟିର ଯେଉଁ ବନ୍ଦୋବସ୍ତ ଅଛି, ତାହା ହଠାତ୍‌ ବନ୍ଦ ହୋଇଯିବ । ବଜାରରୁ କିଣିଆଣି ଖୋଇଲେ ଲାଭ କଣ ? ତା ଛଡ଼ା କିଣା ବଜାର ଦାନା ଗୁଡ଼ିକରେ ଆଜିକାଲି ଆଉ ଭିଟାମିନ୍‌ ରହୁନାହିଁ । ଠକ କମ୍ପାନୀ ଗୁଡ଼ାକ ଭିଟାମିନ୍‌ ଛାଣି ନେଇ ଖାଲି ଖାଦ ସାରଗୁଡ଼ାକ ବିକ୍ରି କରୁଛନ୍ତି । ହଷ୍ଟେଲରୁ ଆସିଲେ ଏ ସବୁ ସୁବିଧା ବନ୍ଦ ହୋଇଯିବ । କଣ କରିବି, ଯେଉଁ ପର୍ଯ୍ୟନ୍ତ ହଷ୍ଟେଲର ଏ ଭିତିରି ବ୍ୟବସ୍ଥା ଜାଣି ନ ଥିଲି ସେ ପର୍ଯ୍ୟନ୍ତ ଭଲ ଥିଲି । ଏବେ ତ ଛାଡ଼ି ହେଉ ନାହିଁ କି ରହି ହେଉନାହିଁ । ମା ଚଣ୍ଡୀ ଏ ବିପଦରୁ ରକ୍ଷାକର ବୋଲି ମୁଣ୍ଡିଆଟିଏ ମାଇଲି ।

 

ସେଦିନ ଦେହଟା କାହିଁକି କେଜାଣି ରିସିମିଶି ହେଉଛି । ସନ୍ଧ୍ୟା ପାଞ୍ଚଟାରେ ଗଡ଼ ପଡ଼ ହେବାରୁ ନିଦ ଆସି ଯାଇଛି । କାହାର ସ୍ପର୍ଶ ଅନୁଭବ କଲି, ମାତ୍ର ଏ ନାରୀ ହସ୍ତର ସ୍ପର୍ଶ ନୁହେଁ । ଏ କର୍କଶ ହାତଟା ତେବେ ଚାକର ରଘୁର । କିହୋ ରଘୁ ଏ କଣ କରୁଛ । ପଚାରି ଦେଲି । ରଘୁ କହିଲା, ସାର୍‌ମାନଙ୍କ ସେବା ମୋର ଅଭ୍ୟାସ ସାର୍‌ । ଦେଖିବେ ଦି’ଚାରି ମୁଠା ଦିଏ, ଦେହରୁ ସରିପୀଡ଼ା କୁଆଡ଼େ ଉଭେଇଯିବ । ସତକୁ ସତ ବଡ଼ ଆରାମ ଲାଗିଲା ।

 

ମାଷ୍ଟରମାନଙ୍କ ସାଙ୍ଗରେ ସବୁ ଡିପାର୍ଟମେଣ୍ଟର ଅଦଉତି । ତାଙ୍କ ମତରେ ଆମେ ଦଳେ ଖାଲି ବସି ବସି ଖାଉଛୁ । ସେଦିନ ଜାଣି ଜାଣି ପାଣି ପାଇପ ବନ୍ଦ ହୋଇଗଲା । ଆସିଲା ପାଣି ଗାଡ଼ି । ସେ ଗାଡ଼ିପାଖରେ ପୁଣି କି ଭିଡ଼, ଚାଲି ଆସିଲେ ହଷ୍ଟେଲ ଚାକର ଦଳ, ଘରଦ୍ୱାର ପାଣିରେ ବୁଡ଼ାଇ ଦେଲେ । ସ୍ତ୍ରୀ ମୁରୁକି ମୁରୁକି ହସୁଥାନ୍ତି, କାରଣ ଅନ୍ୟ ମାଷ୍ଟରଙ୍କ ସ୍ତ୍ରୀମାନେ ହାତରେ ବାଲତି ଧରି ଧାଡ଼ିରେ ଠିଆ ହୋଇଥାନ୍ତି । ତାଙ୍କ ହସରେ ବାସ୍ତବିକ ଏକ ହାକିମିତିଆଣୀର ଠାଣି ଥାଏ । ମୋତେ ବି ଟିକିଏ ଆଶ୍ୱସ୍ତ ଲାଗିଲା । ଚାକରମାନେ ସ୍ତ୍ରୀଙ୍କୁ ମେମ୍‍ସାହେବ ବୋଲି ଡାକିବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ସେମିତି ନ ଡାକିଲେ ସେ କୁଆଡ଼େ ରାଗୁଛନ୍ତି ବୋଲି ଖବର ପାଇଲି ।

 

ତାଙ୍କର ସମ୍ମାନ ରଖିବାକୁ ହେବ । ତେଣୁ ମୋତେ ବାଧ୍ୟ ହୋଇ ଏ ଚାକିରିରେ ଲାଖି ରହିବାକୁ ହେଲା । ସ୍ଥାନଟିକୁ ନିରାପଦ କରିବାପାଇଁ ଦୁଇ ଚାରିଦିନରେ ଥରେ ଉପରହାକିମଙ୍କୁ ପଲଉ ମାଂସ ଖୁଆଏ ! ଅବଶ୍ୟ ସେ ସବୁ ହଷ୍ଟେଲ ପଇସା । ମୁଁ କେବଳ ପୂଜାରୀ, ଘିଅ ହୋମ କରୁଛି ।

 

ଥରେ ଗୋଟିଏ ଦୁଷ୍ଟ ପିଲା ଆଉ ଜଣେ ଶାନ୍ତପିଲା ଉପରେ ତା ନାକଦଣ୍ଡୀରେ ମୁଥଟାଏ ବସାଇ ଦେଲା । ନାକଦଣ୍ଡୀ ଫାଟି ରକ୍ତ ବହିଲା । ମୁଁ ନିଶାପକଲି । ମିଲଟନଙ୍କ ତୃତୀୟ ଆଇନ୍‌-ପ୍ରତି କ୍ରିୟାର ଗୋଟିଏ ବିପରୀତ ମୁଖୀ ସମାନ ପ୍ରତିକ୍ରିୟାଥାଏ (Every action has opposite and equal reaction) । ସେଇ ଫର୍ମୁଲାରେ ପକାଇ କହିଲି, ଦେଖ ବାବା ମିଲଟନଙ୍କ ପରି ମହାତ୍ମାଙ୍କର ଏ ବିଚାର ମୋ ପରି କ୍ଷୁଦ୍ର ନଗଣ୍ୟର ନୁହେଁ । ସେ ତୁମକୁ ମାଇଲା, ଏହା ଏକ ପ୍ରତିକ୍ରିୟା । କ୍ରିୟାଟା ତୁମ ଆଡ଼ୁ ଆରମ୍ଭ ହୋଇନଥିଲେ, ଏପରି ପ୍ରତିକ୍ରିୟା ହୋଇନଥାନ୍ତା ତେଣୁ ତୁମକୁ ସାବଧାନ କରି ଦିଆଗଲା । ଆଉ ସେମିତିକଲେ ହଷ୍ଟେଲରୁ ନିକାଲି ଦେବି । ଦୁଷ୍ଟପିଲାଟି ଏହାପରେ ମୋର ଦୋସ୍ତ ହୋଇଗଲା । ନିରୀହ ପିଲାଟି ଆହୁରି ତଳକୁ ତଳକୁ ଯାଇ ପାତାଳରେ ପଶିଗଲା । କିଛି ଦିନପରେ ସେ ଅସୁସ୍ଥତା ବଶତଃ ହଷ୍ଟେଲରୁ ବିଦାୟ ନେଲା ।

 

ଦଳେ ପିଲା ଜଣକ ନାଁରେ ଅଭିଯୋଗ କଲେ ସାର୍‌, ଏ ପିଲାଟି ଦିନ ଆଠଟାରେ ଉଠି ହଷ୍ଟେଲ ବାରଣ୍ଡାରେ ସମସ୍ତଙ୍କ ସାମନାରେ ବସି ଏକ କରୁଛି । ମୁଁ କହିଲି ଦଳେ ପିଲା ଆପତ୍ତି କରୁଛ ଜଣଙ୍କ ନାଁରେ । ତା ମାନେ ତମ ସମସ୍ତଙ୍କର ବ୍ୟକ୍ତିତ୍ୱ ମିଶି ଯେତିକି, ତା ବ୍ୟକ୍ତିତ୍ୱ ତାଠାରୁ ଅଧିକ । ତେଣୁ ଏପରି ବ୍ୟକ୍ତିତ୍ୱ ସଂପନ୍ନ ପିଲାକୁ ତ ତଡ଼ି ଦେଇ ହେବ ନାହିଁ । ମୋ ବିଚାରରେ ପିଲାଏ ସେହିଦିନୁ ଏତେ ସନ୍ତୁଷ୍ଟ ହୋଇଗଲେ, ସେହିଦିନୁ କୌଣସି ଅଭିଯୋଗ କରିବାକୁ ଜଣେ ହେଲେ ବି ଆସିଲେ ନାହିଁ । ମୋର କାର୍ଯ୍ୟ ଦକ୍ଷତା ଓ ହାକିମ ହେବାର ଯୋଗ୍ୟତା ପ୍ରମାଣିତ ହୋଇଗଲା ।

 

ହଷ୍ଟେଲ ମନିଟର କହିଲା ସାର୍‌ ପଢ଼ା ଘଣ୍ଟା ବାଜୁଛି ମାତ୍ର କେହି ସେ ସମୟରେ ହଷ୍ଟେଲରେ ରହୁ ନାହାନ୍ତି । ପିଲାଟାର ଏ ଗଣତନ୍ତ୍ର ବିରୋଧୀ ଗୁଣ ଦେଖି ମୁଁ ରାଗିଗଲି । ସମସ୍ତେ ସମସ୍ତଙ୍କ କର୍ତ୍ତବ୍ୟ କରିବା ଉଚିତ । ଘଣ୍ଟା ତା କର୍ତ୍ତବ୍ୟ କଲା । ପିଲାଏ ତାଙ୍କ କର୍ତ୍ତବ୍ୟ କଲେ । ଆଜି ସେମାନେ ଘଣ୍ଟା ଉପରେ ନିର୍ଭର କଲେ କାଲି ବାପା ମାଙ୍କ ଉପରେ ନିର୍ଭର କରିବେ । ଏଇ ନିର୍ଭର କରିବା ବଦ୍‌ଗୁଣଟା ନ ଯିବାରୁ ଆମ ଦେଶ ଲୋକେ ଏତେ ଅଳସୁଆ ହୋଇ ଯାଉଛନ୍ତି । ଘଣ୍ଟାକୁ ନ ମାନି କର୍ତ୍ତବ୍ୟ କରିଯିବା ଯେ ଆମ ଛାତ୍ର ସମାଜ ଆରମ୍ଭ କରିଦେଇଛି, ତାହା ବଡ଼ ଆଶ୍ୱସ୍ତିର କଥା । ପିଲାକୁ ଏକଥା ନ କହି ହସି ହସି ବିଦା କରିଦେଲି । କହିଲା ବାପା ଯା । ତୁ ତୋ କର୍ତ୍ତବ୍ୟ କରିଛୁ । ମୋତେ ବୋକାଙ୍କ ପରି ଟିକିଏ ଚାହିଁ ସେ ବିଦାୟ ନେଲା ଏହା ଭିତରେ ଛାତ୍ରଙ୍କ ମଧ୍ୟରେ ମୁଁ ବେଶ୍‌ ଲୋକପ୍ରିୟ ହୋଇଯାଇଛି । ପ୍ରତ୍ୟେକ ସମସ୍ୟାକୁ ଧଡ଼୍‌ ଧଡ଼୍‌ ସମାଧାନ କରି ଦେଇପାରୁଛି । ଥରେ କଣ ହେଲା ନା ପିଲାଏ ନିଜ ଭିତରେ ମାଡ଼ଗୋଳ କରି ମେସ୍‌ ବନ୍ଦ କରିଦେଲେ । ମୋର ଦରଦୀ ହୃଦୟ ଆକୁଳ ହୋଇ ଚିତ୍କାର କଲା । ପିଲାଙ୍କ ଭିତରେ ପ୍ରତିଯୋଗିତା ହେଲା କିଏ ମ୍ୟାନେଜର ହେବ । ମୁଁ ପଚାରିଲି କିରେ ପିଲେ ମ୍ୟାନେଜର ହେବାକୁ ଏତେ ବ୍ୟାକୁଳ କିଆଁ । ସେଥିରେ ତ ବହୁତ ସମୟ ନଷ୍ଟ । ଜଣେ କହିଲା ସାର୍‌ ଆପଣ ଜାଣନ୍ତି ନାହିଁ । ଯେ ମ୍ୟାନେଜର ହେଉଛି, ସେ ପ୍ରତି ମାସରେ ଖଣ୍ଡେ ଟେରିକ୍‌ଟ ପ୍ୟାଣ୍ଟ ଓ ସାର୍ଟ କରିପାରୁଛି ।

 

ମୁଁ ଆଖି ଡିମା ଡିମା କରିଦେଲି । କହିଲି ପିଲାଦିନୁ ଏହି ମରାମରି ବ୍ୟବସାୟଟା ଭଲ ନୁହେଁ । ଏହାଦ୍ୱାରା ନୈତିକ ଅଧୋପତନ ହେବ । ଛାଡ଼, ଏ ମାସରେ କେହି ମ୍ୟାନେଜର ହେବା ଦରକାର ନାହିଁ । କର୍ତ୍ତୃପକ୍ଷ ମେସ୍‌ ଚଳାଇବେ । ସମସ୍ତେ ରାଜିହେଲେ । ଆରେ ବାପରେ ବାପ୍‌, ଏଥିରେ ପୁଣି ଏତେ ମଜା । ଆମ ଘରେ ଚୁଲି ଜଳିବା ବନ୍ଦ । ପିଲାଙ୍କୁ ପ୍ରତିଦିନ ଅଧିକ ଭଜା ଗୋଟାଏ ଦିଆଗଲା । ଡାଲିରୁ ପାଣି କମାଇ ଦିଆଗଲା । ପାଣି ଅପେକ୍ଷା ପେଜରେ ଯେ ଅଧିକ ଭିଟାମିନ୍‌ ଏକଥା ମୁଁ ପୂଜାରୀମାନଙ୍କୁ ବୁଝାଇ ଦେଲି । ମୂର୍ଖ ଚାକର ଓ ପୂଜାରୀମାନେ ଭାଉଚରରେ ଆଖିବୁଜା ଦସ୍ତଖତ କଲେ କିମ୍ୱା ଟିପ ମାଇଲେ । ପ୍ରତିମାସରେ ତିନିଶହ ଟଙ୍କାର କାଠ ଯୋଗାଇଲୁ ବୋଲି ପିଅନମାନେ ଲେଖିଦିଅନ୍ତି । ସେ ଟଙ୍କାଟା ତା ଗନ୍ତବ୍ୟ ସ୍ଥାନକୁ ଚାଲିଯାଏ । ଏହାଭିତରେ ମୁଁ ନୂତନ ବନ୍ଧୁଗୁଡ଼ିଏ କଲି । ସେମାନେ ହେଲେ କାଠବାଲା, ପରିବାବାଲା ଓ ରିକ୍‌ସାବାଲା । ଏପର୍ଯ୍ୟନ୍ତ ସମସ୍ତ ନୈତିକତାସହ ମେସ୍‌ ଚଳାଉଛି । କାହାରି ପାଟି ଫିଟିବାକୁ ନାହିଁ-। କାରଣ ପିଲାମାନେ ମେସ୍‌ଲାଗି ମାଡ଼ଗୋଳ କରି ମୁଣ୍ଡ ଫଟାଫଟି ହେବେ । ଅଥଚ ମୋ ପରି ପିତୃ ପ୍ରତିମ ଲୋକ ଠିଆହୋଇ ସବୁ ଦେଖୁଥିବ । ଆଚ୍ଛା ପିଲାଏ ତମେ ପାଠ ପଢ଼ିବାକୁ ଆସିଛ, ପଢ଼ ଏବେଠୁ ଲାଭ କ୍ଷତି ହିସାବ କଲେ ମୂଲ୍ୟବାନ୍‌ ଜୀବନଟା ନଷ୍ଟ ହୋଇଯିବ । ମୋ ବକ୍ତୃତା ଆଗରେ ସମସ୍ତେ ଛେଳି । ଅଗତ୍ୟା ମେସ୍‌ ଆଶା ସେମାନେ ପରିତ୍ୟାଗ କଲେ ।

 

ଈଶ୍ୱରଙ୍କ କୃପାରୁ ଏ ହାକିମ କାମରେ ଏ ଅଦ୍ଭୁତ କୃତକାର୍ଯ୍ୟ ହାସଲ କରିବି, ତାହା ମୋର କଳ୍ପନାର ବାହାରେ ଥିଲା । ସବୁ କାମପାଇଁ ବଦନାମ୍‌ ଦେବାକୁ ଲୋକ ଅଛନ୍ତି । କିଏ କହୁଛି ଏଇଟା ହୋଟେଲ, କିଏ କହୁଛି ମୁସାଫେରିଖାନା, କିଏ କହୁଛି ଭୂତକୋଠି, ମୋର ସେଥିପାଇଁ ଖାତିର ନାହିଁ । କୁକୁର ଭୁକୁଥାଉ, ହାତୀ ତାର ଚାଲୁଥାଉ । ରାମଚନ୍ଦ୍ର ମହାପ୍ରଭୁଙ୍କୁ ତ ଲୋକେ ବାଛିଲେ । ମୁଁ କିବା ଲୋକ, ତେବେ ମୋର ଧର୍ମ ହେଉଛି ଗୀତାଧର୍ମ ଯେ, କିଛି କହିଲେ ବି ମୁଁ ଶ୍ଳୋକ ବୋଲେ—

 

‘ତ୍ୱୟା ହୃଷିକେଶ ହୃଦି ସ୍ଥିତେନ, ଯଥା ନିଯୁକୋସ୍ପି ତଥା କରୋମି’ ଶେଷକୁ ସାର୍‌ ମୋ ସିସିଆରରେ ଲେଖିଲେ—

 

‘‘ଲୋକଟା ଖାଣ୍ଟି । ବଡ଼ ପରିଶ୍ରମୀ, ବିନୟୀ, ରାଜଭକ୍ତ ଓ ଚବିଶ ଘଣ୍ଟିଆ ଚାକର, ଖୁବ୍‌ ଉତ୍ତମ ଖୁବ୍‌ ଉତ୍ତମ ।’’

 

ଚାକିରି ଜୀବନରେ ଅର୍ଥ ପାଇଲି, ଖାତିର ପାଇଲି, ସୁନାମ ହେଲା, ହାକିମ ହେବାର ସୁନାମ ହେଲା ଆଉ କଣ ଦରକାର । ହେଉ ପଛେ ମିନି ହାକିମ, ହାକିମ ତ !

Image

 

ରାସ୍ତାଗୋପୀ ଓ ଅସଲି ଉଦ୍ଧବ ସମ୍ୱାଦ

 

ରାସ୍ତା କୃଷ୍ଣମାନେ ପୁଲିସ ମାମୁଁଙ୍କ ଦ୍ୱାରା ଧରା ହୋଇଯିବାରୁ (ଏହାକୁ ଯେପରି କେହି ବାଛୁରୀ ଧରାପରି ନ ଭାବନ୍ତି), ରାସ୍ତା ଗୋପୀମାନେ ହାହାକାର କଲେ । କେତେକ ହା ହା ହୋଇ କାନ୍ଦିଲେ, କେତେକ ହା ହା ହୋଇ ହସିଲା ଷ୍ଟାଇଲରେ କାନ୍ଦିଲେ, ମାତ୍ର ସେଥିରେ କିଛି ଯାଏ ଆସେନା । ହସ ଯାହା କାନ୍ଦ ସେଇଆ । କାରଣ ସେମାନଙ୍କ ଭିତରେ କେତେକ ଦାନ୍ତୁରୀ ଥିଲେ ।

 

କୃଷ୍ଣମାନେ ଧରା ହୋଇଯିବାରୁ ଗୋପପୁର ଶୂନଶାନ ହୋଇଗଲା । ଚାରିଆଡ଼ ଖାଁ ଖାଁ ଗୋଡ଼ାଇଲା । ହେଁ ହାଁ ଶବ୍ଦ, ହ୍ରେସାଧ୍ୱନିମାନ ଆଉ ଶୁଣିବାକୁ ମିଳିଲା ନାହିଁ । କୁହାଟ, ହୁଇସିଲ, ସିନେମା ସଙ୍ଗୀତ, ଆଦିରସାତ୍ମକ ବାକ୍ୟାମୃତ ସତେ ଯେପରି କୁଆଡ଼େ ଉଭେଇଗଲା । ଆହା, କଣ ନ ହେଲା । କେତେକ ରାସ୍ତାଗୋପୀ ନୂତନ କୃଷ୍ଣ ଉଦ୍ଭାବନ କରିବାକୁ ଇଚ୍ଛା କଲେ, ମାତ୍ର ନୂଆ କୃଷ୍ଣ ଭୂମିକାରେ ଓହ୍ଲାଇବାକୁ ଆଉ କେହି ବାହାରିଲେ ନାହିଁ । ବୃନ୍ଦାବନ ଶୂନ୍ୟ ହେଲା । ବୃନ୍ଦାବନ ତ ନିତ୍ୟ ବୈକୁଣ୍ଠ । ତାହା ଶୂନ୍ୟ ହେବାରୁ ସଂସାର ବୁଡ଼ିଯିବାକୁ ବସିଲା । ବ୍ୟବସାୟ ମାନ୍ଦା ପଡ଼ିଗଲା । ପାନ ଦୋକାନ ଗୁଡ଼ାକ ମାରୁଆଡ଼ି ଦୋକାନ ପରି ଫାଙ୍କା ଦିଶିଲା । ଗୋପୀମାନେ ବଡ଼ ଦୁଃଖ ପାଇଲେ । କେତେକ ରାସ୍ତା ଘାଟରେ ଓ ଆଉ କେତେକ ଡାକ୍ତରଖାନାରେ ଦୁଃଖ ପାଇଲେ ।

 

ମାତ୍ର ବିଚରା ଉଦ୍ଧବକୁ ତ ଏକଥା ଜଣାନାହିଁ । କୃଷ୍ଣମାନଙ୍କଠାରୁ ସନ୍ଦେଶ ଆଣି ସେ ପ୍ରଥମଥର ପାଇଁ ଗୋପପୁର ଦର୍ଶନ କରିବାକୁ ଯାଉଛନ୍ତି । ଗୋପପୁରର ଗଳିକନ୍ଦି ବିଷୟରେ ତାଙ୍କର ମୋଟେ ଅଭିଜ୍ଞତା ନାହିଁ । କଦମ୍ୱ ତଳୁ ଖୋଜୁ ଖୋଜୁ ସହକାର ତଳେ କେତେଥର ପହଞ୍ଚିଗଲେଣି, ମାତ୍ର ଗୋପୀମାନଙ୍କ ଦେଖାନାହିଁ । ବୃନ୍ଦାବନ ଅଶୋଭା ଦିଶୁଛି ।

 

ଉଦ୍ଧବ ମନେ ମନେ ଚିନ୍ତାକଲେ ସବୁ ଗୋପୀ କ’ଣ ଗୋଟିଏ ଖୁଆଡ଼ରେ ପଶି ବିରହ ନିଆଁ ପୋଉଁଛନ୍ତି କି ? ସେ ତ ନିଜ କୃଷ୍ଣମାନଙ୍କ ଅବସ୍ଥା ସ୍ୱଚକ୍ଷୁରେ ଦେଖି ଆସିଛନ୍ତି । ରାସ୍ତା କୃଷ୍ଣମାନଙ୍କୁ ମୁନିସପାଲିଟି କୁକୁରଧରା ଗାଡ଼ିରେ ନେଲାପରି ନିଆଗଲାବେଳେ ସେମାନଙ୍କ ଆଖିରେ ଲୁହ ଢଳ ଢଳ ହେଉଥିଲା । ଖୁଆଡ଼ରେ କିଛିଦିନ ଅଳସୁଆ ହୋଇ ବସାଇ ରଖିବାରୁ ଗୋଡ଼ରୁ ବାଖୁଲି ଉଠିବା ଆରମ୍ଭ ହୋଇ ଯାଇଥିଲା । ବାଡ଼ା ଭିତରୁ ଜୁଳୁଜୁଳୁ କରି କି ବିକଳରେ ଆହା ଚାହିଁଥାନ୍ତି । ଏ କଥା ଭାବି ଗୋପୀମାନଙ୍କ ହୃଦୟ ନିଶ୍ଚୟ ନଡ଼ିଆ କୋରିଲାପରି କୋରି ହୋଇ ଯାଉଥିବ । ଉଦ୍ଧବଙ୍କ ପାଟିରୁ ବାହାରିପଡ଼ିଲା—

 

କି ହେଲାରେ, କହିତ ନୁହଇ ଭାରତୀରେ ।

 

ଉଦ୍ଧବ ଭାବି ଭାବି ଆସୁଥିଲେ । ଗୋପୀମାନଙ୍କୁ ଆଉ ଭାତ ରୁଚୁ ନଥିବ । ଖଣ୍ଡେ ଅଧେ ରୁଟି ରାତିରେ ଖାଉଥିଲେ ଖାଉଥିବେ, ନହେଲେ ନାହିଁ । ଚାହାପିଆ ତ ଏକାବେଳକେ ବନ୍ଦ ହୋଇ ଯାଇଥିବ । କାରଣ ବିରହ ତାତି ପକ୍ଷରେ ଚାହାଟା ଅହିତକର । ତଥାପି ବିଷକୁ ବିଷ କାଟିଲା ପରି କେତେକ ଚାହାଖୋର ଗୋପୀ ଯେ ନ ପିଉଥିବେ କିଏ କହିବ । ଚାହା ବଦଳି ବେଳେ ବେଳେ ଆଉ ଯାହା ମିଳୁଥିବ, ମନ ଦୁଃଖରେ ହୁଏତ ମୁନ୍ଦା ମୁନ୍ଦା ବୋତଲରୁ ଢାଳି ପିଉ ଦେଉଥିବେ । ମାତ୍ର ସେ ପିଆରେ କି ମୂଲ୍ୟ । ହୃଦୟତ ପୋଡ଼ି ଛାରଖାର ହୋଇଗଲାଣି ।

 

ଉଦ୍ଧବ ଗୋପପୁର ଉପାନ୍ତରେ ଯାଇ ପହଞ୍ଚିଲେ । ଦେଖିଲେ, ସେଇ ଘର ଅଛି, ସେଇ ବେଞ୍ଚ ପଡ଼ିଛି । ମାତ୍ର ଦୋକାନୀ ନାହିଁ କି ବରାଛଣା କଡ଼େଇ ବି ନାହିଁ, ସବୁ ବନ୍ଦ । ତା ପାଖରେ ଥିବା ପାନ ଦୋକାନରେ ପାନବିକ୍ରି ଯଥେଷ୍ଟ ପରିମାଣରେ କମିଯାଇଛି । ସ୍ନୋ, ପାଉଡ଼ର, ଅତର ଲଗାଇବାକୁ ଲୋକ କାହାନ୍ତି । ତେଣୁ ମନୋହାରୀ ଦୋକାନ ଗୁଡ଼ିକ ପ୍ରାୟ ବନ୍ଦ ହେବା ଉପରେ ।

 

ଉଦ୍ଧବ ଭାବିଲେ ଗୋପୀମାନେ କାଣି ଆଙ୍ଗୁଠିରେ ମୁଦିକୁ ହାତରେ କଙ୍କଣ କରି ଲଗାଉଥିବେ । କଙ୍କଣକୁ ଅଣ୍ଟାସୂତା କରି ପିନ୍ଧୁଥିବେ ଓ ଅଣ୍ଟାସୂତାକୁ କୂଅ ଦଉଡ଼ି ରୂପେ ବ୍ୟବହାର କରୁଥିବେ । ନ ଖାଇ ନ ପିଇ ଝଡ଼ିଯିବେଣି । ହାଲୁକା ହୋଇ କେତେକ ଗୋପୀ ପବନରେ ତୁଳାପରି ବା କାଗଜ ପରି ଉଡ଼ୁଥିବେ । ହାତ ଗୋଡ଼ ହଲାଇ ଆକାଶରେ ଚଢ଼େଇଙ୍କ ପରି ପଇଁତରା ମାରୁଥବେ । ଉଡ଼ିଗଲି ଉଡ଼ିଗଲି କହି କେତେକ ଗୀତ ମଧ୍ୟ ବୋଲୁଥିବେ । ଗଛରପତ୍ର ତ ଝଡ଼ିଯାଉଥିବ । ଏଣିକି ଗୋପୀରୂପକ ପତ୍ରଗୁଡ଼ିକ ଆକାଶରେ ଦୋଦୁଲ୍ୟମାନ ହେଉଥିବେ । ତେଣୁ ଉଦ୍ଧବ ଭାବିଲେ, ତୁଚ୍ଛା ନଗରକାନନ, ଘର ଗୁଡ଼ିକୁ ତନଖି ତନଖି ଦେଖିବାର ଆବଶ୍ୟକତା ନାହିଁ । ବରଂ ଉପରକୁ ଅନାଇ ରହିଲେ କୋଉ ଗୋପୀ ଉଡ଼ିଉଡ଼ି ଆସୁଥିବେ, ଦେଖା ହୋଇ ଯାଇପାରେ-

 

ଉଦ୍ଧବଙ୍କଠାରେ କବିତ୍ୱ ଦେଖାଗଲା । ସେ ଭାବିଲେ ଗୋପୀମାନଙ୍କ ଗାଲ ମଣ୍ଡାପିଠାର ଖୋଳପରି ଦିଶୁଥିବ । ୟୁରୋପ ମହାଦେଶର ସୁନ୍ଦରୀମାନଙ୍କ ପରି ଗାଲମାନ ପାତାଳରେ ପଶିଯିବେଣି । ପେଷ୍ଟ ଓ ପାଉଡ଼ର ବିହୁନେ ଦାନ୍ତ ନ ଘଷିବାରୁ ମୁହଁରୁ ଦୁର୍ଗନ୍ଧ ବାହାରୁଥିବ । ଉଦ୍ଧବ ବିଚାରିଲେ ଶୀର୍ଣ୍ଣକାୟ ଗୋପୀଙ୍କ ସାନ୍ତ୍ୱନା ଦେବାରେ ବାଧାନାହିଁ । ମାତ୍ର ଉତ୍କଟ ଗନ୍ଧ ବାହାରୁଥିବା ମୁହଁ ପାଖରେ ଠିଆ ହୋଇ କଥାବାର୍ତ୍ତା କରିବେ କିପରି ।

 

ଗୋପପୁର ଉପକଣ୍ଠରେ ପହଞ୍ଚୁ ପହଞ୍ଚୁ ଗୁଡ଼ାଏ ଲୋକ ପାଟି କରୁଥିବା ପରି ଶୁଣାଗଲା-। ଆଶ୍ଚର୍ଯ୍ୟ କଥା, ବିରହ ଦୁଃଖରେ ତ ସେମାନେ ସକେଇ ପାରୁନଥିବେ । ଏମିତି ଭେମାରଡ଼ି ପକାଉଛନ୍ତି କିପରି । ଆଉ କଣ ରୋଜା କଲାପରି ରାତିରୁ ଉଠି କିଛି କିଛି ଖାଇ ଦେଉଛନ୍ତି କି ? କିନ୍ତୁ ସେ ମହୀୟସୀ ନାରୀମାନଙ୍କ ବିଷୟରେ ଆଗରୁ ଏପରି ଧାରଣା କରିବା ଅସୁନ୍ଦର ହେବ ଭାବି ଚୁପ୍‌ ରହିଲେ ଓ ପରିଶେଷରେ ଗୋଟିଏ ପାନ ଦୋକାନ ପାଖରେ ପହଞ୍ଚିଲେ ।

 

ଦୋକାନଟି ବେଶ୍‌ ସରଗରମ ଥିଲା । କେତେଗୁଡ଼ିଏ ଅକୃଷ୍ଣ ସେଠାରେ ଠିଆହୋଇ ପାଇପରେ କଣ ଢୋକିନେଇ ପୁଣି ବିରହଧୁଆଁ ଛାଡ଼ୁଥାନ୍ତି । ବାତୁଳୀ ଗୋପୀମାନେ ଦୁଃଖରେ ଅଜାନୁଲମ୍ୱିତ କେଶରାଶିକୁ କାଟି ବାବୁରି କରିଦେଇଥାନ୍ତି । ତାଙ୍କ ଆଖିଆଗରେ କୃଷ୍ଣ, ଆଖି ବୁଜିଲେବି କୃଷ୍ଣ । ତେଣୁ କୃଷ୍ଣ ଚେହେରା ମନେପକାଇ ସେ କୃଷ୍ଣଙ୍କ ପରି ପ୍ୟାଣ୍ଟ ସାର୍ଟ ପିନ୍ଧିଥାନ୍ତି ।

 

ଆଉ କେତେକ ଗୋପୀ ବିରହ ନିଆଁରେ ଭାଜିହୋଇ ଲୁଗାପଟା ଫୋପାଡ଼ିବା ଉପରେ-। ଗରମ ତ ଗରମ, ତା ସାଙ୍ଗକୁ ପେଟ ଗରମ । ତେଣୁ ପେଟକଟା ଜାମାପିନ୍ଧି ହାଓ୍ୱାକୁ ପେଟ ଦେଖାଇ ଥଣ୍ଡା କରୁଥାନ୍ତି । କାରଣ ଥଣ୍ଡା ନ ହେଲେ ମୁଣ୍ଡ ବିନ୍ଧିବ ଓ ମୁଣ୍ଡ ବିନ୍ଧିଲେ ହେଲଥ ଖରାପ ହୋଇଯିବ । ଆଉ କେତେକ ଗୋପୀ ପାଇପ୍‌ ଲଗାଇ ପେଟ ଭିତରେ ସୃଷ୍ଟି ହେଉଥିବା ବିରହଧୂଆଁକୁ ପଦାକୁ କାଢ଼ି ପକାଉଥାନ୍ତି । ତଥାପି ନିସ୍ତାର ନାହିଁ । ଗୋପୀମାନଙ୍କର ଏ ଅବସ୍ଥା ଦେଖି ଉଦ୍ଧବ ଦୁଃଖରେ ଭାଙ୍ଗିପଡ଼ିଲେ । ତଳେ ଲଥକରି ବସିଗଲେ ।

 

ତାଙ୍କ ଅବସ୍ଥା ଦେଖି ଗୋପୀମାନେ ଦୌଡ଼ିଆସିଲେ । ତଳୁ ଉଠାଇ ପକେଟରେ ଆଇଡ଼େଣ୍ଟିକାର୍ଡ଼ ଦେଖନ୍ତି ତ ସେ ସ୍ୱୟଂ ଶ୍ରୀ ଶ୍ରୀ ଉଦ୍ଧବ । ଗୋପୀମାନେ କହିଲେ, ହେ ଅଣ୍ଡିରୀପୁଅ ଉଦ୍ଧବ ! ଏତେ ଦିନେ ତମ ମନେପଇଲା । କୃଷ୍ଣ ଗଲାଦିନୁ ସବୁପ୍ରକାର ଅବ୍ୟବସ୍ଥା । ସବୁ ଦର ଚଢ଼ିଯାଇଛି । ଚାରମିନାର ଷ୍ଟକ୍‌ ଖାଲି । ନାଲିପାଣି ମଧ୍ୟ ମଝିରେ ମଝିରେ ମିଳୁନାହିଁ । ତମେ ଆସିଲ ଆସିଲ ଭଲ କଲ । ଆଗରୁ ଖଣ୍ଡେ କାର୍ଡ଼ ପକାଇ ଦେଇଥିଲେ କଣ କ୍ଷତି ହୋଇଥାନ୍ତା ।

 

ଉଦ୍ଧବ ଚୁପ୍‌, ହୁଁ ନାହିଁ କି ହାଁ ନାହିଁ । ତହୁ ଗୋପୀମାନେ ଧରିନେଲେ ଏ ଉଦ୍ଧବ ପିଲାଟି ବଡ଼ ମାଇଚିଆ । ବାହା ହେଲେ ନାହିଁ କି ସମ୍ୱିଧାନ ଅନୁସାରେ ମାତା ବି ରଖିଲା ନାହିଁ । ଖାଲି ବାଇଆବାତୁଳା ହୋଇ ବୁଲିଲା । ଏଇଟା ରସିକ ପଣକୁ ଜୋକଟାଏ ।

 

ତଥାପି ଉଦ୍ଧବଙ୍କ ପାଟିଫିଟୁ ନାହିଁ । ଗୋପୀଙ୍କ କଥା ଶୁଣି ତାଙ୍କ ଗୋଡ଼ ଲାଠି ହୋଇଗଲାଣି । ଆଖିରେ ପତା ବି ପଡ଼ୁ ନାହିଁ । ଗୋପୀମାନେ ଭାବିଲେ ବୋଧହୁଏ ଉଦ୍ଧବଙ୍କର ବ୍ଲଡ଼ପ୍ରେସର ହୋଇଛି । ପାରାଲିସିସ୍‌ ହୋଇ ଯିବାର ଏହା ପୂର୍ବ ସୂଚନା । ଏତିକିବେଳୁ ଚିକିତ୍ସା ନ କଲେ ବିଚରା ଉଦ୍ଧବଟିର ଜୀବନଯିବ । ଦୁଇଜଣ ଗୋପୀ ତାକୁ ଟେକି ଧଇଲେ । ଜଣେ ଗ୍ଲାସେ ଖଣ୍ଡେ ନାରୀ ତାଙ୍କ ମୁହଁପାଖରେ ଧଇଲା । ଉଦ୍ଧବ ଢକ୍‌ ଢକ୍‌ କରି ପିଇବାକୁ ଲାଗିଲେ । ପନ୍ଦରଣା ତିନି ପଇସା ପିଇସାରିଲେଣି । ଆଇ ପଇସାଏ ବାକୀ ଅଛି, ଉଦ୍ଧବ କହିଲେ ହେ ଲେଡ଼ି ଗୋପୀକାବୃନ୍ଦ, ଏଇ କଣ ଗନ୍ଧ ହେଉଛି । ଗୋପୀମାନେ ବୁଝାଇଦେଲେ—ଏହା ମକରନ୍ଦ । ଭଗବାନ ଭାଗବତରେ କହିଛନ୍ତି—ପଦୁଁ ଗଳୁଛି ମକରନ୍ଦ । ଏହା ସେଇ ମକରନ୍ଦ, ଦିଅ ପିଇଦିଅ । ତମ ଶରୀର ଅଜର ଅମର ହେବ । ଉଦ୍ଧବ ବିନା ଦ୍ୱିଧାରେ ଆଦେଶ ପାଳନ କଲେ ।

 

ଗୋପୀଏ କହିଲେ ହେ କୃଷ୍ଣଦୂତ, ତୁମେ ଆମ୍ଭମାନଙ୍କଠାରେ ଟିକିଏ ପରିବର୍ତ୍ତନ ଦେଖୁଥିବ । ରାସ୍ତା କୃଷ୍ଣମାନେ ଯେଉଁ ବଂଶୀଧର ଫୁଙ୍କୁଥିଲେ, ଆମେ ସେଇ ବଂଶୀକୁ ଧରିବୁ । ଏ ବଂଶୀର ନାମ ହେଉଛି ଚାରମିନାର । ଦେଖୁଛ, ଏଥିରେ ୪ଟି ଖୁଣ୍ଟର ଚିହ୍ନ ଅଛି । ଏହି ଚାରିଖୁଣ୍ଟ ଚାରିଯୁଗର ଚିହ୍ନ । ସତ୍ୟ ଯୁଗରେ ଏହାର ନାମଥିଲା ଏକମିନାର, ଦ୍ୱାପରରେ ଦୋମୀନାର, ତ୍ରେତାରେ ତିନ୍‌ମୀନାର ଓ କଳିରେ ଚାରମୀନାର । ଏଇ ବଂଶୀରେ ଚାରି ଯୁଗର ଖବର ମିଳେ । ଆଜି ଗୋପପୁର ଅନ୍ଧାର । ରାମପକ୍ଷୀର ଆଦର ଆଉ ନାହିଁ । କୃଷ୍ଣମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ମତ ପରିବର୍ତ୍ତନ କରି ଗାଈ ବଦଳରେ ଛେଳି ମେଣ୍ଢା ଚଳାଇଲେ । ଗାଈ ଅପେକ୍ଷା ଏଥିରୁ ଦି’ପଇସା ଅଧିକା ମିଳିଲା । ସେ ତ ସବୁ ଆମରି ପାଇଁ ।

 

କୃଷ୍ଣ ସିନା ଷଣ୍ଢ ସାଙ୍ଗରେ ଲଢ଼ିଥିଲେ, ନାରୀହତ୍ୟା କରିଥିଲେ । ମାତ୍ର ରାସ୍ତା-କୃଷ୍ଣମାନଙ୍କ ସହାୟତାରେ କେତେ ଭ୍ରୂଣହତ୍ୟା କରାଯାଇଛି ତାର ହିସାବ ନାହିଁ ।

 

ଉଦ୍ଧବ କହିଲେ ହେ ଗୋପୀମାନେ, କଂସରାଜା ରାଜ୍ୟରୁ କେବେ ଜରୁରୀ ପରିସ୍ଥିତି ଉଠାଇବେ । କୃଷ୍ଣମାନେ ତାରି ଅପେକ୍ଷାରେ ଅଛନ୍ତି, ସେ ଶୁଭଦିନ ଆସି ପହଞ୍ଚିଗଲେ, କେତେ ମାଗଣାରେ ସିନେମା ଦେଖିବ ଦେଖ, କେତେ ଜଳଖିଆ ଖାଇବ ଖାଅ । ତେବେ କୃଷ୍ଣ ଖବର ଦେଇଛନ୍ତି—ଏସବୁ ପ୍ରଘଟ କରିବ ନାହିଁ ।

 

କଂସରାଜାର ତେଲିଫୁଙ୍କ ଅଛିନା କଣ, କଣ ଟିକେ କହି ଦେଉ ଦେଉ ତା ପାଖରେ ପହଞ୍ଚିଯାଉଛି । ଫୁସ୍‌ ଫୁସ୍‌ କଥାରେ ଭାରି ବିପଦ, ତୁମେମାନେ ଟିକିଏ ସାବଧାନ ଥିବ ।

 

ଗୋପୀ କହିଲେ ହେଉ ଉଦ୍ଧବ ତମେ ଯେଉଁ ତତ୍ତ୍ୱ ବଖାଣିଲ, ସେସବୁ ତ ଚାହା ଦୋକାନରେ ମୂଷାଫେରି ଖାନାରେ ଆଲୋଚନା ହେଉଛି ।

 

ଉଦ୍ଧବ କହିଲେ ଗୋପୀଏ, ବର୍ତ୍ତମାନ କି ଖବର ଦେବ ଦିଅ । ତୁମେ ତ ଏତେ ଫୂର୍ତ୍ତିରେ କଥା କହୁଚ । ଆଉ କି ବିରହ ତେବେ ଘଟିଛି । ଏଇଟା କଣ କାଉଣ୍ଟର ଫିସ୍‌ ବିରହ ।

 

ଗୋପୀ କହିଲେ, ତୁମର ଏସବୁ ବୁଝିବା ଭୁଲ । ଆମେ ବିରହରେ ଝଡ଼ିଯାଇଛୁ ବୋଲି ଖବର କାଗଜରେ ବିବୃତି ଦେଇସାରିଛୁ । ଦୁଃଖର ଚିହ୍ନ ସ୍ୱରୂପ ଆମ ହାତରେ କଳାକନା ବନ୍ଧାଯାଇଛି । ଆମେ ତାଙ୍କରି ପଥଅନୁସରଣ କରି ସେ ଯେଉଁ ପାନଦୋକାନ ଓ ଅନ୍ୟାନ୍ୟ ଦୋକାନ ଆଗରେ ହେଁ ହେଁ ଫେଁ ଫେଁ ହେଉଥିଲେ, ଆମେ ବି ସେମିତି ହେଉଛୁ । ସେମାନେ ଚିପା, ଡ୍ରେସ ପିନ୍ଧୁଥିଲେ । ଆମେ ସବୁ ମିନି କରି ସାରିଲୁଣି । ଦରକାର ହେଲେ ଲଙ୍ଗଳା ହୋଇପଡ଼ିବୁ । ତଥାପି ତୁମେ ଆମର ନିଷ୍ଠା ଉପରେ ଅବିଶ୍ୱାସ କରୁଛ ।

 

ଉଦ୍ଧବଙ୍କର ବାକ୍‌ସ୍ଫୂର୍ତ୍ତି ହେଲା ନାହିଁ । ତାଙ୍କର ମୁଣ୍ଡ ଆପେ ଆପେ ନଇଁଗଲା । ତାଙ୍କର ଜ୍ଞାନଭକ୍ତି ପ୍ରେମଭକ୍ତି ଆଗରେ ପରାଜୟ ସ୍ୱୀକାର କଲା । ତହୁଁ ଉଦ୍ଧବ କହିଲେ ହେ ଗୋପୀଏ, ମୁଁ ତୁମଠାରୁ ଆଜି ପରାସ୍ତ ହେଲି । ତାର ଚିହ୍ନ ସ୍ୱରୂପ ମୁଁ ଆଜିଠଉଁ ମୋ ମୁଛ କାଟିଦେଉଛି । ଗୋପୀମାନେ ଖୁସିରେ ଲୁଡ଼ୁପୁଡ଼ୁ ହୋଇ ଉଦ୍ଧବଙ୍କ କୁଣ୍ଢାଇ ପକାଇଲେ । ଆବାକାବା ହୋଇ ଉଦ୍ଧବ ଭାବୁଥାନ୍ତି, ହେ ପ୍ରଭୁ ୟାଙ୍କ ପ୍ରେମ ଭକ୍ତିର ପରିସର ଆଉ ନ ବଢ଼ୁ । ଆଉ ଟିକିଏ ବଢ଼ିଗଲେ ନିଶ୍ୱାସ ରୁନ୍ଧି ହୋଇଯିବ । ମୁଁ ମରିଯିବି, ଗୋପୀମାନେ କିନ୍ତୁ ଉଦ୍ଧବଙ୍କୁ ଦବାଇବାରେ ଲାଗିଥାନ୍ତି ।

Image

 

ଅଣ୍ଡିରୀପୁଅ ଛାତ୍ର ସଂସଦ

 

ଅଣ୍ଡିରୀପୁଅ ଛାତ୍ର ସଂସଦର ବାର୍ଷିକ ଅଧିବେଶନ ମହା ଯାକଜମକରେ ପାଳିତ ହେଲା-। ଏଥିରେ ଅନେକଗୁଡ଼ିଏ ନୀତିଗତ ବିଷୟର ଆଲୋଚନା ହେଲା । ଆଜି ଛାତ୍ର କହିଲେ ଦେଶର ଏକ ବିରାଟ ମଜବୁତ୍‌ ଶକ୍ତି । ଏକଥା ପ୍ରତ୍ୟେକ ଦଳର ନେତା ଓ ପ୍ରତ୍ୟେକ ମନ୍ତ୍ରୀ ମଧ୍ୟ ସ୍ୱୀକାର କରୁଛନ୍ତି । ଦେଶ ଗଠନରେ ଏମାନଙ୍କ ଦାନ ଅନସ୍ୱୀକାର୍ଯ୍ୟ ।

 

ଅଥଚ ଏହି ଛାତ୍ରଙ୍କ ଉପରେ କେତେ ଲୁହାବୁହା ଗ୍ୟାସ, ଠେଙ୍ଗା ଓ ଗୁଳିଗୁଳା ନ ଚଳୁଛି-। ଛାତ୍ରମାନଙ୍କୁ ଟେକାଟେକି କରି ଚାହା ପକୁଡ଼ି ରସଗୋଲା ଲୋଭ ଦେଖାଇ, ସିନେମା ଟିକେଟ ଦେଇ ଦିନସାରା ଜିପ୍‌ରେ ବସାଇ ପ୍ରଚାର କାମରେ ଲଗାଇ ଦେଉଛନ୍ତି । ଛାତ୍ରମାନେ ଭାବୀ ମନ୍ତ୍ରୀ ଓ ଭାବୀ ନେତା ହେବେ ବୋଲି ଭାବି କଣ୍ଠର ନଳୀ ଶୁଖିଗଲା ପର୍ଯ୍ୟନ୍ତ ଗର୍ଜୁଛନ୍ତି । ଅଥଚ, ସେହି ଲୋକ ଗାଦିରେ ବସିଲେ କହୁଛି ଗୁଳି ଚଲାଅ । ଆଃ, ଏତେବେଳକୁ ଦେଶନେତା, ଲୋକ ପ୍ରତିନିଧି-?

 

ଆଜି ଛାତ୍ର ସମାଜର ଆଖି ଫିଟିଛି । ଆଜି ଅଣ୍ଡିରାପୁଅ ଛାତ୍ର ସଂସଦ ଦେଖାଇ ଦେବ ସେମାନେ ବୋକା ନୁହଁନ୍ତି । ସେମାନେ ଆଉ ବାପର ଖାଇ ରାସ୍ତାରେ ଡେଇଁବେ ନାହିଁ । ସେମାନଙ୍କ ଯୌବନକୁ ଆଉ ଏମିତି ଖିନଖରାପ କରିବେ ନାହିଁ । ପାଟିର ଥ୍ରେଡ଼୍‌ ଛିଣ୍ଡିଲା ପର୍ଯ୍ୟନ୍ତ ଆଉ ଭୁକିବେ ନାହିଁ ।

 

ଛାତ୍ର ସମାଜକୁ ତେଣୁ ବହୁତ ଗୁଡ଼ିଏ ପ୍ରସ୍ତାବ ଗ୍ରହଣ କରିବାକୁ ହେବ । ଏହା ଭିତରେ ପ୍ରଧାନ ପ୍ରସ୍ତାବ ହେଉଛି ପ୍ରତିବର୍ଷ ମାଡ଼ ମହୋତ୍ସବ ପାଳନ କରିବା । ଏହି ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟ ହେଲା ଛାତ୍ରମାନଙ୍କୁ ସକ୍ରିୟ କରିବା । ପ୍ରତି ଗଳି, ପାର୍କ ଏପରିକି ସ୍କୁଲ କଲେଜର ପଡ଼ିଆରେ ଖେଳ ପୂର୍ବରୁ ଓ ଖେଳପରେ ମାଡ଼ ଅଭ୍ୟାସ କରିବାକୁ ପଡ଼ିବ । ନିଜେ ଚପଲ ଯୋତା ନ ଖାଇଲେ ଅନ୍ୟକୁ ଖୁଆଇବ କିପରି ? ମାତ୍ର ନିଜ ନିଜ ଭିତରେ ମାଡ଼ ଅଭ୍ୟାସଟା ଟିକିଏ ସଂକୀର୍ଣ୍ଣତା ଦୋଷରେ ଦ୍ରୁଷ୍ଟ ହେଉଛି । ମାଡ଼ର ପରିସରକୁ କ୍ରମେ ବଢ଼ାଇବାକୁ ପଡ଼ିବ । ଗାଡ଼ିରେ ଟି.ଟି.ଆଇ. ଟିକଟ୍‌ ମାଗିଲେ ମାଡ଼ ଦିଆଯିବ । ବସ୍‌ରେ ବସିବାକୁ ଜାଗା ନ ମିଳିଲେ କଣ୍ଡକ୍ଟର ଓ ଡ୍ରାଇଭରକୁ ମାଡ଼ ଦିଆଯିବ । ପରୀକ୍ଷାରେ କପି ଧଇଲେ ମାଷ୍ଟ୍ରଙ୍କୁ ମାଡ଼ ଦେବାକୁ ପଡ଼ିବ ।

 

ଏ କଥାରେ ଜନୈକ ସଭ୍ୟ ଉଠିପଡ଼ି କହିଲେ, ଏଇ ମାଷ୍ଟ୍ରଙ୍କୁ ମାରିବା କଥାଟା ମନକୁ ପାଉନାହିଁ । ମାଷ୍ଟ୍ରମାନଙ୍କୁ ଦେହରୁ ଗୋଟାଏ ସାଦାଳିଆ ଗନ୍ଧ ବାହାରୁଥିବାରୁ ଚୁଚୁନ୍ଦ୍ରାକୁ ମାଇଲେ ହାତ ଗନ୍ଧାଇଲା ପରି ହେବ । ଏକଥା ଶୁଣି କଣ୍ଡୁମୋହନ ସାହୁ କହିଲେ, କଣ ହେଲା ? ତମେ ଜଣେ ଛାତ୍ର ହୋଇ ଶିକ୍ଷକ ଗୋଷ୍ଠୀର ଏପରି ବଦନାମି କରୁଛ ? ତୁମେ ତ ଜାଣିଥିବ ଏ ଦେଶର ମନ୍ତ୍ରୀମାନେ ବରାବର କହି ଆସୁଛନ୍ତି, ମାଷ୍ଟରମାନେ ଦେଶର ଭାଗ୍ୟବିଧାତା । ସେମାନେ ଦେଶ ଗଢ଼ୁଛନ୍ତି । ଅଧାଖିଆ ହୋଇ ମଧ୍ୟ ସେମାନେ ବିରାଟ । ସେମାନଙ୍କୁ ଆମେ ଯେତେ ମାଈମୁହାଁ ବୋକା ଓ ଛେଳି ବୋଲି ଡାକିଲେ ମଧ୍ୟ ସେମାନେ ସମାଜର କର୍ଣ୍ଣଧାର । ଏ ଦେଶର ସାଧାରଣ ପିଅନ ଓ ମୂଲିଆମାନଙ୍କର ସେମାନଙ୍କ ପ୍ରତି ବେଖାତିର ଭାବ ଥିଲେ ବି ସେମାନେ ମହତ୍‌ । ବସ୍‌ଷ୍ଟାଣ୍ଡର ମାଇଚିଆ ବେପାରୀ ଓ ନରିଆଣୀ ମହଲରେ ମଧ୍ୟ ଏମାନଙ୍କ ପ୍ରତି ଖାତିର ନ ଥିଲେ ବି ଏମାନେ ଦେଶକୁ ବାଉଁଶ ଅଗରେ ଟେକୁଛନ୍ତି ବୋଲି ସମସ୍ତଙ୍କ ଧାରଣା । ଏପରି ସ୍ଥଳେ ମାଷ୍ଟରମାନେ କିଛି ନୁହନ୍ତି, ଅତଏବ ସେମାନଙ୍କୁ ମାଡ଼ରୁ ଅବ୍ୟାହତି ଦିଆଯାଉ ବୋଲି ଯେଉଁ ଯୁକ୍ତି ହେଉଛି ତାହା ବଡ଼ ଲଜ୍ୟାର ବିଷୟ ।

 

ଏ ଦୃଢ଼ ଯୁକ୍ତିକୁ ସମସ୍ତେ ଗ୍ରହଣ କରି ନେଲେ । ଯଦି ମାଡ଼ ହେବ ତ ମାଷ୍ଟରଙ୍କୁ ହେବ । ତା ନ ହେଲେ ବହୁ ଯୁଗରୁ ଚଳି ଆସୁଥିବା ମାଷ୍ଟରଙ୍କ ଗତାନୁଗତିକ ପ୍ରତିପତ୍ତି ଉପରେ ଆଘାତ ହେବ ନାହିଁ । ଅନେକଗୁଡ଼ିଏ ମାଷ୍ଟରଙ୍କ ବୁର୍ଜୁୟା ମନୋଭାବ ରହିଛି । ସେମାନେ ଯେଉଁଠି ପାରେ ସେଇଠି ଇଏ ମୋ ଶିଷ୍ୟ । ସିଏ ମୋ ଶିଷ୍ୟ ଇତ୍ୟାଦି କହି ବୃଥା ଆସ୍ଫାଳନ କରୁଛନ୍ତି । ଆମେ ବଡ଼ ହେଲେ ସତେ ଯେପରି ସେମାନଙ୍କର ଲାଭ । ସେମାନଙ୍କର ଏହି ମନୋଭାବକୁ ଭାଙ୍ଗିବାକୁ ପଡ଼ିବ-। ପ୍ରଥମେ ମାଷ୍ଟର ମାରଣ ଯଜ୍ଞ ଆରମ୍ଭ ହେଉ ।

 

ସଭାପତି ବୁଝାଇ ଦେଲେ—ଆମ୍ଭେମାନେ ମାଷ୍ଟରମାନଙ୍କୁ ମାରିବା ପାଇଁ ଯେଉଁ ଯୋଜନା କରୁଛୁ, ତାର ଉଦ୍ଦେଶ୍ୟ ବଡ଼ ମହତ୍‌ । ଆଜି ଭାରତର ଛାତ୍ରମାନେ ନିତାନ୍ତ ମାନ୍ଦା ହୋଇଯାଉଛନ୍ତି । ଯୁବକମାନେ ହେଲେ ଜାତିର ମେରୁଦଣ୍ଡ । ସେମାନେ ଯଦି କାଉନ୍ଦା ହେବେ, ତେବେ ଶତ୍ରୁ ସହିତ ଯୁଦ୍ଧ କରିବ କିଏ । ସେହି କାଉନ୍ଦାଗିରି ଦୂର କରିବା ପାଇଁ ପ୍ରଥମେ ନିରୀହ ମାଷ୍ଟରଙ୍କୁ ବାଡ଼େଇବାକୁ ପଡ଼ିବ । ସେଠି କୃତକାର୍ଯ୍ୟ ହେଲେ ଚୀନ ଓ ପାକିସ୍ଥାନର ସୀମାଡେଇଁ ସେ ଦେଶର ଛେଳିଜଗା ପିଲାଙ୍କ ସହିତ ଲଢ଼ିବାକୁ ପଡ଼ିବ । ତା ପରେ ସେ ଦେଶର ମାଇପୀଙ୍କ ସହିତ ଓ ପରେ ସାହସ ହେଲେ ସେ ଦେଶର ଟିନ୍‌ଏଜର ଅଣ୍ଡିରୀପୁଅଙ୍କ ସହିତ ଲଢ଼ିବାକୁ ହେବ । ଏହାପରେ ସେମାନଙ୍କ ସୈନ୍ୟବାହିନୀ ସହିତ ଲଢ଼ିବାକୁ ପଡ଼ିବ, କିନ୍ତୁ ପ୍ରଥମେ (Step by step) ଯିବାକୁ ପଡ଼ିବ । ଅତଏବ ଯୁବଶକ୍ତିର ଉତ୍‌ଥାନ ପାଇଁ ମାଷ୍ଟରଙ୍କୁ ବାଡ଼େଇଲେ ବାପ ହେବ ନାହିଁ ।

 

ଉପସଭାପତି ମଝିରେ ଉଠି କହିଲେ, ଆପଣମାନେ ଜାଣନ୍ତି ପୁରାଣ ଯୁଗରୁ ମାଡ଼ର ଆଦର ଥିଲା । ପୁରାଣରେ ସବୁ ଦେବତାଙ୍କ ଭିତରେ ମହାଦେବ ବେଶୀ ମାଡ଼ ଖାଉଥିଲେ । ସେଥିପାଇଁ ଲୋକେ ଗୀତ ବାନ୍ଧିଛନ୍ତି ‘‘ମାଡ଼ଖିଆ ମହାଦେବ, ମାଡ଼ ଖାଇଲେ ବରଦେବ ।’’ ଆମେ ମଧ୍ୟ ପିଲାଦିନୁ ତ କମ୍‌ ମାଡ଼ ଖାଇନୁ । ଅତି ସାମାନ୍ୟ ଦୋଷରୁ ଏପରିକି କାହା ଘରେ ପଶି ସାମାନ୍ୟ କିଛି ଗୋଟାଏ ଚୋରୀ କରି ଧରି ପକାଇଥିବାରୁ ମଧ୍ୟ ବାପାଙ୍କଠଉଁ ମାଡ଼ ଖାଇଛୁ । ପୁଲିସ ପାଖରୁ ମାଡ଼ଖାଇ ନ ଥିଲେ ନେତା ହେବା ଅସମ୍ଭବ । ପୁଲିସମାନେ କମଳ ପକାଇ ଯେପରି ଚଢ଼ିଯାଆନ୍ତି, ସେସବୁ ‘ଏ’ କ୍ଲାସ ମାଡ଼ ।

 

ଏହାପରେ ବିଶିଷ୍ଟ ସଭ୍ୟ ଘୁଷୁରୀମୋହନ ପଣ୍ଡା କହିଲେ, ଯଦି ମାଷ୍ଟ୍ରଙ୍କୁ ମାଡ଼ଦେବ, ତେବେ ଅନ୍ଧାରୁଆ କରି । କାରଣ ଦିନବେଳେ ବାଡ଼େଇଲେ ଆମ ମୁହଁ ସେ ଦେଖି ନେବେ ।

 

ଅତଏବ ଅନ୍ତତଃ ତାଙ୍କୁ ଲୋକଲଜ୍ଜ୍ୟାରୁ ରକ୍ଷା କରିବା ପାଇଁ ସେହି ଗୁରୁମାନଙ୍କୁ ହିତଦୃଷ୍ଟିରୁ ଅନ୍ଧାରୁମ ମାଡ଼ ସର୍ବୋତ୍ତମ । ତେଣିକି ମୁହଁଚାହିଁ ପଢ଼ାଇବା ତାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ । ମାତ୍ର ଏପରି ମାଡ଼ ଦେବ ଯେପରି ହାଡ଼ ଭାଙ୍ଗିବ ନାହିଁ । ହାତରେ ମାଇଲେ ତ ହାତ ବିନ୍ଧିବ, ସେଥିପାଇଁ ଅଣ୍ଡିରୀପୁଅ ଛାତ୍ରସଂସଦ ତରଫରୁ ଲୁହାଛଡ଼ ଓ ଚେନ୍‌ ଯୋଗାଇ ଦିଆଯାଉ । କଲେଜ ୟୁନିୟନ ସଭାପତି ମାଡ଼ବାହିନୀ ଚାଳନାରେ ନେତୃତ୍ୱ ନିଅନ୍ତୁ ।

 

ସଭାପତି କହିଲେ, ଦେଶ ଓ ଜାତିର ସେବା ପାଇଁ ଏ ଦାୟିତ୍ୱ ନେବାକୁ ମୁଁ କଦାପି ପଶ୍ଚାତ୍‌ପଦ ହେବି ନାହିଁ; କିନ୍ତୁ ଆଜିଠାରୁ ଏ ସଂସଦରେ ଯୋଗ ଦେଉଥିବା ମେମ୍ୱରମାନେ ସକାଳୁ ଦୌଡ଼ିବା ଅଭ୍ୟାସ କରନ୍ତୁ । କାରଣ ଅନ୍ଧାରୁଆ ଦେଖି ମାରିଦେଇ ବିଦ୍ୟୁତ୍‌ ବେଗରେ ଦୌଡ଼ିବାକୁ ପଡ଼ିବ । ତା ନହେଲେ ଯଦି କେହି ଧରିନିଅନ୍ତି, ତେବେ ଛେଚି ଦେବାଟା ଅସମ୍ଭବ ନୁହେଁ । କଲେଜ ଛାତ୍ର ଯଦି ଥରେ ଚୋରୀ ବା ପିଟା ଖାଇବେ, ତେବେ ତାଙ୍କର ମନୋବଳ ଓ ନୈତିକତା ଆଉ ରହିବ କି ? ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ । ସେ ଗୋଟାଏ ଅଡ଼ିନାନ୍‌ସ ଜାରୀ କରାଇ ଦିଅନ୍ତୁ । କଲେଜ ପିଲାଏ, ଯାହା କଲେବି ସେମାନଙ୍କୁ ଯେପରି କେହି ନ ପିଟାନ୍ତି । ତା ନହେଲେ ଜାତିର ମେରୁଦଣ୍ଡ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ।

 

ଅଜିଗିଳା ନାୟକ କହିଲେ, ଯେଉଁମାନେ ମାଡ଼ ମାରିବାକୁ ଯିବେ ସେମାନେ ଜାତୀୟ ବୀର । ମାତ୍ର ମୋ ମତରେ ଜାତୀୟ ବୀରମାନେ ଛଦ୍ମବେଶରେ ଯିବା ଉଚିତ । କୃତ୍ରିମ ନିଶ ଦାଢ଼ି ଲଗାଇ, କିମ୍ୱା ମୁଖାଦେଇ ମାଡ଼ ମାରିବାଟା ବଡ଼ ଚିତ୍ତାକର୍ଷକ ହେବ । ଉପଭୋଗ୍ୟ ମଧ୍ୟ ହେବ । ଦର୍ଶକମାନଙ୍କୁ ଡ୍ରାମା ଦେଖିଲା ପରି ଲାଗିବ । ମାଷ୍ଟରମାନେ ପିଟା ଖାଇବେ, ଅଥଚ କିଏ ପିଟିଛି ଜାଣିପାରିବେ ନାହିଁ । ଜିନିଷଟା ବଡ଼ ହାଇଷ୍ଟାଇଲର ହେବ । ସସପେନ୍‌ସ ରହିଯିବ ।

 

ଏହାପରେ ବାଳୁଙ୍ଗେଶ୍ୱର ଷଢ଼ଙ୍ଗୀ କହିଲେ ମୋ ମତରେ ସବୁ ମାଷ୍ଟ୍ରଙ୍କୁ ମାରିବା ଠିକ୍‌ ହେବ ନାହିଁ । ସେମାନଙ୍କ ଭିତରେ ଆମର ଦୋସ୍ତ ମଧ୍ୟ ଅଛନ୍ତି । ଯେଉଁମାନେ ଆମକୁ ଜଳଖିଆ ଖୁଆନ୍ତି, ରସରସିଆ କଥା କୁହନ୍ତି, ପରୀକ୍ଷା ହଲରେ ସାହାଯ୍ୟ କରନ୍ତି କିମ୍ୱା କରାନ୍ତି । ସେମାନଙ୍କ ନିକଟରେ ଆମେ ଚିରଋଣୀ । ମାଷ୍ଟର ମହଲରେ ଘଟୁଥିବା ସବୁ ଘଟଣା ସେମାନଙ୍କଠାରୁ ଆମେ ଜାଣୁ । ତେଣୁ ଆମେ ଓ ସେମାନେ ଅଭିନ୍ନଆତ୍ମା । କେଟେସନ୍‌ ଦେଇ କହିଲେ ‘‘ଏକବୀଜ ବେନିଫାଳ’’ ।

 

ଷେଣ୍ଡ ଦାସ କଥାଟାକୁ ସମର୍ଥନ କଲେ । ସେ କହିଲେ କଂସକୁ ମାରିବା ପାଇଁ ମଥୁରାରେ ଆଗରୁ ଦେବତାମାନେ ଜନ୍ମ ହୋଇଥିଲେ । ଲଙ୍କାରେ ମଧ୍ୟ ବିଭୀଷଣ ଜନ୍ମ ହୋଇଥିଲେ । ସେହି ମହାତ୍ମାମାନଙ୍କ ପରି ମାଷ୍ଟରଙ୍କ ଭିତରେ ଅସଂଖ୍ୟ ସଦ୍‌ଗୁରୁ ବିଦ୍ୟମାନ ଅଛନ୍ତି । ତାଙ୍କର ବିନା ସାହାଯ୍ୟରେ ଆମେ ଚଳିପାରିବା ନାହିଁ । ଏହି ମହାପୁରୁଷମାନଙ୍କୁ ଦେଖି ଶ୍ରୀକୃଷ୍ଣ ଗୀତରେ କହିଛନ୍ତି

 

ଯଦା ଯଦା ହି ମାଡ଼ସ୍ୟ ଗ୍ଳାନିର୍ଭବତି ଭାରତ

ଅଭ୍ୟୁତ୍‌ଥାନ ହି ଧର୍ମସ୍ୟ ତଦାଧିନଂ ସୃଜାମ୍ୟହଂ

ପରିତ୍ରାଣାୟ ଗୁଣ୍ଡାନାଂ ବିନାଶାୟଚ ସୁକୃତାମ୍‌

ଧର୍ମ ନିର୍ବାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।

 

ଷେଣ୍ଡ ଦାସଙ୍କ ସଂସ୍କୃତଜ୍ଞାନ ଦେଖି କେତେକ ଭଲପିଲା ହଗିମୁତି ପକାଇଲେ । ଏପରି ପଣ୍ଡିତିମନ୍ୟ ଛାତ୍ରଙ୍କୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କମିଟିରେ ମେମ୍ୱର କରି ରଖାଗଲା ।

 

ଷେଣ୍ଡ ଦାସ କହିଲେ ଆମର ବଡ଼ଭାଗ୍ୟ ଯେ ଆମ ସଭାପତି ଜଣେ ଆଦର୍ଶ ବ୍ୟକ୍ତି । ସେ ତାଙ୍କ ବେପାରୀ ବାପଙ୍କୁ ପଦାଘାତ କରି ବିପ୍ଲବୀର ଅଦ୍ଭୁତ ପରିଚୟ ଦେଇଛନ୍ତି । ମାଷ୍ଟ୍ରଙ୍କୁ ମାଡ଼ଦାନ କରି ସେମାନଙ୍କଠାରୁ ମାଷ୍ଟରିଆ ଗନ୍ଧ ଛଡ଼ାଇ, ବୃଥା ଅଭିମାନ ନିକାଲି, ସେମାନଙ୍କୁ ଚତୁର ଅଫିସର କରିଛନ୍ତି ବୋଲି ମୋର ବିଶ୍ୱାସ । ମାଷ୍ଟ୍ରଙ୍କ ଗାଣ୍ଡିରେ ଚାବୁକ ଦେବାର କ୍ଷମତା ଥିବାରୁ ତାଙ୍କୁ ଅଗାଣ୍ଡିଆ ପଦବୀରେ ଭୂଷିତ କରାଯାଉ ।

 

ସଙ୍ଗେ ସଙ୍ଗେ ସଭାପତିଙ୍କ ବେକରେ କାଗଜ ଫୁଲମାଳ ପଡ଼ିଲା । ଖୁସିହୋଇ ସଭାପତି ମହୋଦୟ ସେହି ପେଣ୍ଡାଲ ଉପରେ ଗୋଟାଏ ବୋତଲକୁ ଅଧା କରିଦେଲେ । ଏହାପରେ ମାଡ଼ମହୋତ୍ସବର ସାଫଲ୍ୟ ପାଇଁ କମିଟି ଗଢ଼ାଗଲା । କେତେକ ବଛା ବଛା ଅଭିଭାବକଙ୍କର ସାହାଯ୍ୟ ନେବା ମଧ୍ୟ ସ୍ଥିରହେଲା ।

 

ଏହାପରେ କାର୍ଯ୍ୟକାରୀ କମିଟି ଗଢ଼ାଗଲା । କମିଟିର ସଭାପତି କିଏ ହେବ ? ଯେ ବେଶୀଥର ମାଡ଼ ଖାଇଥିବ, ସଭାପତି ହେବାରେ ସେ ସେତେ ଯୋଗ୍ୟ । ଶେଷକୁ ଶ୍ରୀ ଚୁଚୁନ୍ଦ୍ରି ମୋହନ ଦାସ ସଭାପତି ହେଲେ । ତାଙ୍କର ଖାଇଥିବା ମାଡ଼ ବହୁ ପର୍ଯ୍ୟାୟରେ ବିଭକ୍ତ ଥିଲା । ସେଥିମଧ୍ୟରୁ ଚୋରୀପାଇଁ, ଡକାୟତି ପାଇଁ, କାହାକୁ ଆଖି ଠାରିବା ପାଇଁ, କେଉଁ ଅଖ୍ୟାତ ଗଳିରେ କୁଖ୍ୟାତ କାର୍ଯ୍ୟ ପାଇଁ, ଚୋରାଲୁଚା କାରବାର ପାଇଁ, ସତ୍ୟାଗ୍ରହ ବେଳେ ଦୋକାନ ଲୁଟ୍‌ କରିବାପାଇଁ, ସାମ୍ପ୍ରଦାୟିକ କାର୍ଯ୍ୟ ପାଇଁ ହେଉଛି ପ୍ରଧାନ । ସେ ମହାଶୟ ବିଶ୍ୱବିଦ୍ୟାଳୟରେ ବହୁ ବର୍ଷ (୧୦ବର୍ଷରୁ ଅଧିକ)ରୁ ଅଧିକ କାଳ ଛାତ୍ରରୂପେ ଥିବାରୁ ତାଙ୍କୁ ଅଭିଜ୍ଞ, ଗୁରୁଜନ ଓ ଓସ୍ତାଦ୍‌ ବୋଲି ମଧ୍ୟ ସମ୍ୱୋଧନ କରାହେଲା । ସମସ୍ତ ଆନ୍ଦୋଳନକୁ ନିଜ ଦାୟିତ୍ୱରେ ରଖ ପରିଚାଳିତ କରିବେ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଲେ ।

 

ତାଙ୍କ ତଳକୁ ଯେ ସେକ୍ରେଟେରୀ ହେଲେ ତାଙ୍କର ଅଭିଜ୍ଞତା କମ୍‌ । କୌଣସି କ୍ଲାସରେ ଚାରିବର୍ଷରୁ ସେ ଅଧିକ କାଳ ଅଟକି ନାହାନ୍ତି ବୋଲି ତାଙ୍କର ଖୁବ୍‌ ଗର୍ବ । ବିଶ୍ୱବିଦ୍ୟାଳୟ ଓ ସରକାରୀ ମହଲରେ ତାଙ୍କୁ ଖ୍ୟାତିର କରନ୍ତି ବୋଲି ଶୁଣାଯାଏ । କୌଣସି ଜ୍ୟୋତିଷ ତାଙ୍କ ଗାଲ ଓ ପିଠି ଦେଖି ଭବିଷ୍ୟତବାଣୀ ଶୁଣାଇଛନ୍ତି ଯେ, ଦିନେ ବା ଦିନେ ସେ ମନ୍ତ୍ରୀ ହେବେ । ମନ୍ତ୍ରୀ ହେବାର ବର୍ଷକ ଭିତରେ ଧନୀ ହେବେ । ଦୁଇବର୍ଷ ଭିତରେ ତାଙ୍କର ବୈରାଗ୍ୟ ଆସିବ । ତା’ପରେ ସେ ସନ୍ୟାସ ଗ୍ରହଣ କରିବେ ।

 

ଏହି ସେକ୍ରେଟରୀଙ୍କ ପ୍ରତି ମାଡ଼ୁଆ ସଂଘର ସମସ୍ତ ସଭ୍ୟ ବିପୁଳ ସମର୍ଥନ ଦେଖାଇଲେ-। ଏମାନେ ଆଦର୍ଶ ଛାତ୍ର ପରଂପରା ସ୍ଥାପନ କରି ପାରିବେ ବୋଲି ଦୃଢ଼ ମତ ପ୍ରକାଶ ପାଇଲା । ସଭାରେ ବିପୁଳ ଉତ୍ସାହ ଦେଖାଗଲା । କେତେକ ମାଡ଼ ମୋଟେ ଖାଇ ନଥିବା ସଭ୍ୟ ହାଇଁ ପାଇଁ ହେଲେ ତ କିପରି ଉତ୍ତମ ମାଡ଼ ମିଳିପାରିବ, ସେ ସମ୍ୱନ୍ଧରେ ପ୍ରଶ୍ନ କଲେ ଓ ସେଥିପାଇଁ ଯାହା ଫିସ ପଡ଼ିଲେ ବି ସେମାନେ ଦେବାକୁ ପ୍ରସ୍ତୁତ ବୋଲି ବଜ୍ର ଗମ୍ଭୀର କଣ୍ଠରେ ଘୋଷଣା କଲେ-। ଏ କଥାକୁ ଟିଣ ବାଡ଼େଇ ସମର୍ଥନ କରାଗଲା ।

 

ଏହି ସମିତିକୁ ମୁକ୍ତ ହସ୍ତରେ ଦାସ କରିବାକୁ ଦେଶବାସୀଙ୍କି ଆହ୍ୱାନ କରାଗଲା । ଅଣ୍ଡିରୀ ପୁଅମାନେ ଏମିତି ମାଈଝିଅ ମାନଙ୍କପରି ବାଳରଖି ଏହି ସମିତିକୁ ଅଗ୍ରଗତି ଦିଗରେ ଆଗେଇ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଲେ ।

 

ଶୁଣାଯାଏ, ଏହା ଭିତରେ ଏହା ଏକ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଛି ଓ କିଛି କିଛି ସରକାରୀ ସାହାଯ୍ୟ ପ୍ରତିବର୍ଷ ପାଉଛି ।

Image

 

ଅଧ୍ୟାପକ ପ୍ରିୟରଞ୍ଜନ

 

ଅଧ୍ୟାପକ ପ୍ରିୟରଞ୍ଜନ ତାଙ୍କ ବାଇନାକୁଲାର ନେଇ ପାହାଡ଼ଗୁଡ଼ାକ ଭଲ ଭାବରେ ଦେଖୁଥିଲେ । କାରଣ ସୁନା ମେଡ଼ାଲ ପାଇ ଯେତେବେଳେ ପାଶ୍‌ କଲେ, କେତେ ଅଭିନନ୍ଦନ ପାଇଛନ୍ତି । ତା ପରେ ପରେ ଚାକିରି । ପୁଣି ଚାକିରି ହୋଇଛି ବଲାଙ୍ଗୀର ପରି ଜାଗାରେ । ଯେଉଁଠି କଣ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଅକବିଙ୍କୁ ମଧ୍ୟ କବି କରେ । ଉପର ହାକିମ ତାଙ୍କୁ ବୁଝାଇ କହିଥିଲେ, ତୁମେ ବିଶ୍ୱବିଦ୍ୟାଳୟର ରେକର୍ଡ଼ ଭଙ୍ଗ କରିଛ । ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ବଲାଙ୍ଗୀରକୁ ପଠାଗଲା । ସେଠାରେ ଜାତୀୟ ପଶୁ ବାଘ ତୁମର ସଦା ସହଚର ହେବେ । ତା ଛଡ଼ା ମୟୂରର କେଶ, ହେଟାର ଘେସା, କୁଟ୍ରାର ପାଂର୍ମା ଏବଂ ଅଗଣିତ ପକ୍ଷୀଙ୍କର କିଚିରି ମିଚିରି ଧ୍ୱନିରେ ଏକ ସ୍ୱର୍ଗୀୟ ଆନନ୍ଦଲାଭ କରିବ । ତୁମ ସଙ୍ଗରେ ଯେଉଁ ଅଧମ ପ୍ରଥମ ଶ୍ରେଣୀରେ ପାଶ୍‌କରି ନ ପାରିଲା, ତାକୁ କଟକର ଦୂଷିତ, ବାୟୁମଣ୍ଡଳ ଭିତରେ ରଖି ଦିଆଯାଇଛି । ସେଠି ସେ ନର୍ଦ୍ଦମାର ଦୁର୍ଗନ୍ଧ, ମଶାର ଦଂଶନ, ରାସ୍ତାରେ ଠେଲାପେଲା ଓ ଆକ୍‌ସିଡେଣ୍ଟର ସମ୍ମୁଖୀନ ହେବ । ତାକୁ ତୁମେ ଈର୍ଷା କରନା, କୁତ୍ସିତ ବାତାବରଣରେ କୁତ୍ସିତତର ହେବ । କଟକ ସହରରେ କୋଠା କରି ରହିଲେ ବି ତାର ଶାନ୍ତି ନାହିଁ ।

 

ଅଧ୍ୟାପକ ପ୍ରିୟରଞ୍ଜନ ବଲାଙ୍ଗୀର କଲେଜରେ ରହି ପ୍ରାକୃତିକ ଜୀବନ ଯାପନ କଲେ । କ୍ରୀଡ଼ା କସରତ ସଙ୍ଗୀତ ନୃତ୍ୟ ଇତ୍ୟାଦି ସଂସ୍ଥାରେ ଯୋଗ ଦେଲେ । କର୍ତ୍ତବ୍ୟ ପାଳନ କରି ଛାତ୍ରମାନଙ୍କୁ ପ୍ରିୟପାତ୍ର ହେଲେ । ତାଙ୍କୁ ଜଣାଗଲା, ଏ ସ୍ଥାନର ଲୋକେ ଅପେକ୍ଷାକୃତ ଖୋଲା ହୃଦୟ । ମନରେ କପଟ ନାହିଁ, ମୁହଁରେ ହସ, ବାହୁରେ ବଳ ଅଛି । ପଛରେ ଏମାନେ ଗୁଜବ ରଟନା କରନ୍ତି ନାହିଁ । ସ୍ନେହ ଓ ଆଦର ସେମାନଙ୍କ ସ୍ପଷ୍ଟୋକ୍ତି ତଳେ ଲୁକ୍‌କାୟିତ ଥାଏ । ଏମାନଙ୍କୁ ଭଲ ପାଇ ହେବ । ପ୍ରିୟରଞ୍ଜନ ଏମାନଙ୍କ ମଧ୍ୟରେ ଜଣେ ହୋଇଗଲେ ।

 

ତା’ପରେ ସରକାରଙ୍କ ନିୟମ ବଦଳିଲା । ୩ ବର୍ଷରେ ଥରେ ବଦଳି ନ କଲେ କୁଆଡ଼େ ଉପର ଅଫିସରଙ୍କ ଗୁରୁତ୍ୱ ଉପଲବ୍‌ଧି କରି ହୁଏନା । ସୀମାନ୍ତ ଅଞ୍ଚଳ ଲୋକେ ସରକାରକୁ ମଝିରେ ମଝିରେ ଆସି ସଲାମି ଦେଇ ପାରୁନାହାନ୍ତି । ତେଣୁ ଅଚାନକ ଭାବରେ ବଦଳି ହେଲା ବାରିପଦାକୁ । ବଡ଼ ହାକିମଙ୍କ ପାଖରେ ପ୍ରିୟରଞ୍ଜନ ଆପତ୍ତି କଲେ । ବଡ଼ ହାକିମ କହିଲେ ସବୁବେଳେ କଟକ କଟକ ହୁଅନା । ବଲାଙ୍ଗୀରରେ କଟକିଆ କହିଲେ କଣ ବୁଝନ୍ତି କଣ ଜାଣିନା-? ତେଣୁ ଦୁର୍ଜନ ପରିହର୍ତ୍ତବ୍ୟୋ ବିଦାୟଳଙ୍କୃତୋପିସନ୍‌ । ଦୁଷ୍ଟ ଲୋକଙ୍କୁ ସହିତ ମିଶିବାକୁ ଏତେ ଆଗ୍ରହ କାହିଁକି ? ଯାଅ, ବାରିପଦାରେ ନୈସର୍ଗିକ ସଂପଦର ବିପୁଳତାରେ ତୁମେ ମୁଗ୍‌ଧ ହେବ । ସେଠିକାର କଲ୍‌ଚର ସ୍ୱତନ୍ତ୍ର । ସଙ୍ଗୀତ ଓ ନୃତ୍ୟର ଆଦର ସେଠିବେଶି । ତମେ କଣ ଜାଣିନା ସେଠିକାର ଛଉ ନାଚ ପୃଥିବୀ ବିଖ୍ୟାତ । ଓଡ଼ିଶାରେ ଏମିତି କେଉଁ ଜାଗା ଅଛି । ଯେଉଁଠି ଶହଶହ ଲୋକ ଘଣ୍ଟା ଘଣ୍ଟାଧରି ପଦାରେ ବସି କ୍ଲାସିକାଲ ସଙ୍ଗୀତ ଶୁଣନ୍ତି । ସେଠି ଧର୍ମ ଓ ଶୃଙ୍ଖଳାର ବାତାବରଣ ଅଧିକ । ଜଗନ୍ନାଥ ମନ୍ଦିର, ଅମ୍ୱିକା ମନ୍ଦିରରେ ସନ୍ଧ୍ୟାବେଳେ ଘଣ୍ଟାଏ ବସିଗଲେ ଯୁଗଯୁଗର ସଞ୍ଚିତ ଅବସାଦ କୁଆଡ଼େ ଦୂର ହୋଇଯିବ । ତା’ଛଡ଼ା ଲୋକମାନେ ବଲାଙ୍ଗୀର ପରି ଏତେ ସ୍ପଷ୍ଟବାଦୀ ନୁହଁନ୍ତି ସତ, ମାତ୍ର ମାୟା ମମତା ସ୍ନେହପ୍ରୀତିର ଅସରନ୍ତି ଉତ୍ସ ତୁମର ପ୍ରାଣକେନ୍ଦ୍ରକୁ ଅହରହ ଅପ୍ଳୁତ କରିବ । ହଁ ଦେଖ, ବାରିପଦାରେ ରଖି ଖିଚିଙ୍ଗି ମନ୍ଦିର ଓ ଜାତୀୟ ପାର୍କ ଦେଖିବାକୁ ଯେପରି ନ ଭୁଲ ।

 

ଅଧ୍ୟାପକ ପ୍ରିୟରଞ୍ଜନ ବାରିପଦା ଗଲେ ଅଶ୍ରୁଳ ନେତ୍ରରେ । ତାଙ୍କ ଆଗରେ ଦ୍ୱିତୀୟ ଶ୍ରେଣୀରେ ପାଶ କରିଥିବା ସୁବୁଦ୍ଧି ଦାସ କଟକର ଗୋଟିଏ କଲେଜରୁ ଆଉ ଗୋଟିଏ କଲେଜକୁ ସ୍ଥାନାନ୍ତରିତ ହେଲେ । ସୁବୁଦ୍ଧି ଏହା ଭିତରେ ରାଣୀହାଟରେ ଖଣ୍ଡେ ଜାଗା କିଣିଛନ୍ତି । ବୋର୍ଡ଼ ଅଫିସ ସହିତ ତାଙ୍କର ସମ୍ପର୍କ ବରାବର ରହିଛି । ବିଶ୍ୱବିଦ୍ୟାଳୟର ସମସ୍ତେ ଚିହ୍ନା ହୋଇ ଯାଇଛନ୍ତି-। ଏହା ଭିତରେ ଖଣ୍ଡେ ବହି ମଧ୍ୟ ଛପାଇଛନ୍ତି । ଶୁଣାଯାଏ ତାହା ପାଠ୍ୟ ପୁସ୍ତକ ରୂପେ ବିବେଚିତ ହେବାର ଯୋଜନା ଚାଲିଛି । ଅଧ୍ୟାପକ ସୁବୁଦ୍ଧି ବଡ଼ ଧୀରସ୍ଥିର ଲୋକ । ଉଚ୍ଚରେ କଥା କହନ୍ତି ନାହିଁ-। ଛାତ୍ରମାନେ ସେତେ ସମ୍ମାନ ନ ଦେଖାଇଲେ ବି ସେମାନଙ୍କ ଉପରେ କ୍ଷୁବ୍‌ଧ ନ ହୋଇ ନିଜର ଉଦାର ଗୁଣରେ ସେମାନଙ୍କୁ କ୍ଷମାଦିଅନ୍ତି । ଏହି ଉଦ୍ଦାର ଓ ଧୀର ଗୁଣ ଉପର ହାକିମମାନଙ୍କୁ ମଧ୍ୟ ମୁଗ୍‌ଧ କରିଛି । ଆଜିକାଲିକାର ପିଲାଏ ବଡ଼ ଉଦ୍ଧତ ଓ ଉପଯୁକ୍ତ ଲୋକଙ୍କୁ ସମ୍ମାନ ଦେଖାନ୍ତି ନାହିଁ ବୋଲି କର୍ତ୍ତୃପକ୍ଷ ବି କ୍ଷୋଭ କରନ୍ତି ।

 

କିଛି ବର୍ଷ ଅତୀତ ହୋଇଗଲା । ଅଧ୍ୟାପକ ପ୍ରିୟରଞ୍ଜନ ବାରିପଦାରେ ମଧ୍ୟ ଖୁବ୍‌ ଲୋକପ୍ରିୟ ହେଲେ । ଅଧ୍ୟୟନ ଓ ଅଧ୍ୟାପନାରେ ନିଷ୍ଠାଥିବାରୁ ଛାତ୍ର ମହଲରେ ସୁନାମ ମଧ୍ୟ ହୋଇଛି । ମାତ୍ର ବହି ଖଣ୍ଡେ ଛପାଇବାକୁ ସେ ବିଫଳ ହୋଇଛନ୍ତି । କାରଣ ସବୁ ପ୍ରକାଶକମାନେ ପ୍ରାୟ କଟକର । ସେ ଏଥି ଭତିତରେ ଶୁଣିବାକୁ ପାଇଛନ୍ତି ଅଧ୍ୟାପକ ସୁବୁଦ୍ଧି ଗବେଷଣା କରି ଡାକ୍ତର ଉପାଧି ପାଇଛନ୍ତି । ବଡ଼ ଦୁଃଖର ସହିତ ଅଧ୍ୟାପକ ପ୍ରିୟରଞ୍ଜନ ଏକଥାଟା କମନ୍‌ ରୁମରେ ପକାଇଲେ । ଏ କଥାରେ କେତେକ ହସିଦେଲେ । କହିଲେ ବୁଝିଲ ପ୍ରିୟବାବୁ, ଡକ୍ଟର ଡିଗ୍ରୀଟା ଗୋଟାଏ ଅଳିଆ ଟୋକେଇ । ସେ ସବୁ ସାଉଁଟା ସାଉଁଟି କାମ । ଖୋଜାଖୋଜି କରି ଏକାଠି ଜମାକରି ଦେଲେ ଥେସିସ୍‌ ହୋଇଗଲା । ସେଥିରେ କଣ ବୁଦ୍ଧି ଦରକାର । ବରଂ ଗପ, କବିତା, ନାଟକ ଏଇସବୁ ଲେଖ । ଏଥିରେ ଅମର ହୋଇ ରହିବ । ଅଧ୍ୟାପକ ପ୍ରିୟରଞ୍ଜନ କହିଲେ, କଥାଟା ଏକାବେଳକେ ସତ । ବୁଢ଼ାଦିନେ ବି ଡାକ୍ତର ହୋଇଯିବା କଷ୍ଟକର ନୁହେଁ । ମାତ୍ର ମୌଳିକ ସୃଷ୍ଟି ସବୁବେଳେ ଅସମ୍ଭବ ନୁହେଁ । ମନକୁମନ ବୁଝାଇ ଦେଲେ ।

 

ଏହାପରେ ହଠାତ୍‌ ଉପର ହାକିମମାନଙ୍କ ମନରେ ବଦଳି ପ୍ରଶ୍ନ ଉଠିଲା । ମାଷ୍ଟରମାନେ ଦୁର୍ନୀତି କରି ନ ପାରିଲେ ବି ସରକାରୀ ଅଫିସର ତ । ବଦଳି ନ ହେବା କିପରି । ତା ଛଡ଼ା ବଦଳିରେ ଦି ପଇସା ଲାଭ ବି ଅଛି । ବହୁତ ଜାଗା ବୁଲିଲେ ବହୁ ଲୋକଙ୍କ ସମ୍ପର୍କରେ ଆସିବାକୁ ହୁଏ । ତେଣୁ ଲୋକ ଚରିତ୍ର ଅଧ୍ୟୟନ କରିହୁଏ । ଗୋପୀନାଥ ମହାନ୍ତି କୋରାପୁଟ ଯାଇ ନ ଥିଲେ ପରଜା ଓ ଅମୃତର ସନ୍ତାନ ଲେଖିପାରିଥାନ୍ତେ ? ବଦଳି ପ୍ରାଣରେ ଜୀବନୀଶକ୍ତି ସଞ୍ଚାର କରେ । ଗୋଟିଏ ଜାଗାରେ ରହି ଜୀବନ ଦୁର୍ବହ ହୋଇଉଠିଲେ ବଦଳି ରୂପକ ଅମୃତ ପ୍ରାଣରେ ଶତଗୁଣ ଆନନ୍ଦ ଭରିଦିଏ । ଯେଉଁ ଅଧମମାନେ ସବୁବେଳେ କଟକରେ ରହିବାକୁ ନାନା ଉପାୟ ଅବଲମ୍ୱନ କରୁଛନ୍ତି, ବାସ୍ତବିକ୍‌ ସେମାନେ ଦୟନୀୟ ।

 

ଏହାପରେ ପ୍ରିୟରଞ୍ଜନଙ୍କ ବଦଳି ହେଲା ପାରଳାଖେମୁଣ୍ଡି । ଏକଦା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାକୁ ଆଲୋକ ଦେଖାଇ ଥିଲେ । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କ ଦାନ ଅତୁଳନୀୟ । ପାହାଡ଼ ଘେରା ପାରଳା ଭୂମିରୁ ଯଦି ସେ ଆଲୋକ ବିଚ୍ଛୁରିତ ହୋଇ ସମଗ୍ର ଉତ୍କଳକୁ ଜାଗ୍ରତ କରିପାରିଲା, କଟକକୁ ସବୁ ବିଷୟରେ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କହିବାରେ କି ଯଥାର୍ଥତା ଅଛି ? ଏହିକଥା ଉପର ହାକିମ ଅଧ୍ୟାପକ ପ୍ରିୟରଞ୍ଜନଙ୍କୁ ବୁଝାଇଲେ । ପାରଳା ପରି ସମୃଦ୍ଧିମନ୍ତ ନଗରୀକୁ ଯିବାକୁ ଯେ କୁଣ୍ଠିତ, ଜାଣିବାକୁ ହେବ ତାର ଦୃଷ୍ଟିଭଙ୍ଗୀ ପ୍ରସାରିତ ନୁହେଁ । ରାସ୍ତାଘାଟ ସୁନ୍ଦର, ସୁନ୍ଦର ପାଠାଗାର, ପାର୍କ, ଆମୋଦ ପ୍ରମୋଦ ସ୍ଥଳ । ଚାରୁ ଶମ୍ୱର ଇଟିଲି ଦୋସା ପ୍ରଭୃତି ଶସ୍ତା ଓ ସ୍ୱାସ୍ଥ୍ୟକର ଖାଦ୍ୟର ପ୍ରସାର ପାଇଁ ପାରଳାଖେମୁଣ୍ଡି ପ୍ରସିଦ୍ଧ । ବୟସ ବଢ଼ିଗଲେ ଦୁଇପଇସା ସଞ୍ଚୟ କରିବା ଉଚିତ । ଏଇ ସ୍ଥାନରେ ତାହା କରିହେବ । କଟକରେ ଦିନକୁ ଦିନ ଯେପରି ଦର ବଢ଼ିଚାଲିଛି, ମଦୁଆମାନଙ୍କ ଆଡ଼୍‌ଡ଼ା ଯେପରି ବଢ଼ିଚାଲିଛି, ଜୀବନ ତାହାଦ୍ୱାରା କ୍ରମେ ଦୁର୍ବହ ହୋଇଉଠୁଛି । ଏହାଭିତରେ କଟକ ଭିତରେ ଥିବା ତିନିଟିଯାକ କଲେଜକୁ ଅଧ୍ୟାପକ ସୁବୁଦ୍ଧି ପରିଦର୍ଶନ କରିସାରିଲେଣି । କୂପ ମଣ୍ଡୁକ ପରି ସେ ଏଠୁ ସେଠିକି, ସେଠୁ ଏଠିକି ହେଉଛନ୍ତି । ବହି ଚାରି-ଛଅଟା ଲେଖିବାରେ କି ବାହାଦୁରୀ । ଆଜିକାଲି ଲେଖକମାନେ ହିନ୍ଦୀ ଓ ବଙ୍ଗଳାରୁ ସବୁ ଉତାରି ପକାଉଛନ୍ତି । ସେମାନଙ୍କୁ ଲେଖକ ଭିତରେ କିଏ ଗଣେ । ଆନ୍ତର୍ଜାତିକ ସ୍ତରରେ ଏ ବହିର କି ମୂଲ୍ୟ ଅଛି । ଏଇ ବହି ଲେଖି କିଏ ନୋବେଲ ପୁରସ୍କାର, ଏପରି କି ଜ୍ଞାନପୀଠ ପୁରସ୍କାର ପାଇପାରିବ କି ?

 

ଅଧ୍ୟାପକ ପ୍ରିୟରଞ୍ଜନ ପାରଳାଖେମୁଣ୍ଡି ଗଲେ । ସେତେବେଳକୁ ତାଙ୍କ ମୁଣ୍ଡବାଳ ପାଚିଗଲାଣି । ଦାନ୍ତ ଗୋଟା ଦିଟା ହଲିଲାଣି । ପୁଅ ଝିଅମାନେ ସ୍କୁଲ ପାଠସାରି କଲେଜକୁ ଆସିଗଲେଣି । ଘର ସହିତ ଏହାଭିତରେ ସମ୍ପର୍କ ପ୍ରାୟ ନାହିଁ କହିଲେ ଚଳେ । ଜମି ଗୁଣ୍ଠେ ବି ଟାଉନରେ କେଉଁଠି କିଣିପାରି ନାହାନ୍ତି । ଅବସର ନେବାକୁ ଆଉ ପାଞ୍ଚ ଛ’ବର୍ଷ ଅଛି । ଗାଁରେ ଥିବା ମାଟିଘରଟି ଏହାଭିତରେ ଭୁଷୁଡ଼ି ପଡ଼ିଛି, ଭାଗଚାଷୀ ଜମିତକ ଛାଡ଼ୁଛି କି ନାହିଁ ସନ୍ଦେହ । ବିଦେଶରେ ରହି ପୁଅ ଝିଅ କିପରି ବିଭା ହେବେ, ତାଙ୍କର ପ୍ରଧାନ ଚିନ୍ତା ।

 

ଏହି ସମୟରେ କାଗଜରେ ବାହାରିଲା ପ୍ରଫେସର ପୋଷ୍ଟ ଖାଲିପଡ଼ିଛି । ଦରଖାସ୍ତ ଦେବାକୁ ପଡ଼ିବ । କୋଉଦିନରୁ ଅସଜଡ଼ା ହୋଇ ପଡ଼ିଥିବା କାଗଜପତ୍ର ଗୋଟାଇବାକୁ ଲାଗିଲେ ଅଧ୍ୟାପକ ପ୍ରିୟରଞ୍ଜନ । ସେଗୁଡ଼ିକୁ ଟାଇପ୍‌ କରିବାକୁ ପଡ଼ିବ । ଏହାର ଆବଶ୍ୟକତା କେବେ ପଡ଼ି ନ ଥିଲା । ଦରଖାସ୍ତ ଦିଆଗଲା, ସୁନାର ମେଡ଼ାଲ ପାଇଛନ୍ତି । କେତେ ଥର ପ୍ରଥମ ଶ୍ରେଣୀ ମଧ୍ୟ ପାଇଛନ୍ତି । କ୍ଷୀଣ ଆଶା ତାଙ୍କ ମନରେ ଉଦୟ ହେଲା । ଫଳାଫଳକୁ ଅନାଇ ରହିଲେ ।

 

ଫଳ ବାହାରିଲା, ମାତ୍ର ଏ କଣ ? ଅଧ୍ୟାପକ ସୁବୁଦ୍ଧି କିପରି ପ୍ରଫେସର ହେଲେ, କଣ ବା ତାଙ୍କର ଦାନ । ଉପର ହାକିମ କହିଲେ ଅଧ୍ୟାପକ ପ୍ରିୟରଞ୍ଜନ ଛାତ୍ର ହିସାବରେ ତୁମେ ଭଲ ଥିଲେ । ମାତ୍ର ଅଧ୍ୟାପନା କ୍ଷେତ୍ରରେ ତୁମର ଦାନ କଣ । ଖଣ୍ଡେ ବହି ବି ଲେଖିନା । ଡାକ୍ତର ଉପାଧି ଜ୍ଞାନର ମାନଦଣ୍ଡ, ଏଇ ସାମାନ୍ୟ କାଣ୍ଡଜ୍ଞାନ ତ ତୁମର ଥିବା ଦରକାର । ତା ଛଡ଼ା ତୁମର ପୋଷ୍ଟ ଗ୍ରାଜୁଏଟ୍‌ କ୍ଲାସରେ ପଢ଼ାଇବାର ଅଭିଜ୍ଞତା କାହିଁ ? ଏହିସବୁ ଦୃଷ୍ଟିରୁ ତୁମେ କଟିଗଲ । ତୁମର ସବୁଥିଲା, ମାତ୍ର ତୁମେ ଅଧ୍ୟାପକ ହୋଇ ପୂରା ମଫସଲି ବନିଗଲ ।

 

ଆଉ ଶୁଣିବାକୁ ପ୍ରିୟରଞ୍ଜନଙ୍କ ଧୈର୍ଯ୍ୟ ନ ଥିଲା । ଚାକିରି କ୍ଷେତ୍ରରେ ମାରିଦେବାକୁ ଏହିପରି ରୀତିମତ ଯୋଜନା ଥାଏ । ସେକଥା ସେ ବର୍ତ୍ତମାନ ଅନୁଭବ କଲେ ସେ ଭାବିଲେ ତାଙ୍କୁ କେହି ହତ୍ୟା କରିଥିଲେ ମଧ୍ୟ ତାଙ୍କର କ୍ଷୋଭ ନ ଥିଲା । ମାତ୍ର ଏହି ଅସହାୟ ହତ୍ୟାକାଣ୍ଡ (Cold blooded murder) ସବୁଠାରୁ ଅଧିକ ନିର୍ମମ । ଚାକିରି ବଜାରରେ ସେ ପୂରା ଫେଲମାରି ଯାଇଛନ୍ତି ବୋଲି ଅନୁଭବ କଲେ । ମାତ୍ର ନେଡ଼ିଗୁଡ଼ ଯେ କହୁଣୀ କି ବହିଯାଇଛି । ତହୁଁ ସେ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ କଲେ ନିପଟ ଜଙ୍ଗଲଜାଗା ଫୁଲବାଣୀକୁ ତାଙ୍କୁ ବଦଳି କରାଯାଉ । ଅବଶିଷ୍ଟ ଦିନତକ ସେଇଠି ରହିବାକୁ ସେ ଚାହାନ୍ତି ।

Image

 

ସମ୍ପୂର୍ଣ୍ଣ ବିପ୍ଲବ

 

ସମ୍ପୂର୍ଣ୍ଣ ବିପ୍ଲବ କହିଲେ କ’ଣ ବୁଝାଯାଏ, ତାହା ବହୁଦିନ ପର୍ଯ୍ୟନ୍ତ ମୋତେ ଅଜଣା ଥିଲା । ଯେଉଁଦିନ ସୁକାନ୍ତ, ସୁଶାନ୍ତ ଓ ସୁଦାନ୍ତଙ୍କ ସମ୍ପର୍କରେ ଆସିଲି, ସେହିଦିନ ମୋର ସମସ୍ତ ଭ୍ରମ ଦୂର ହେଲା । ସେହିଦିନ ଏ ତ୍ରିମୂର୍ତ୍ତି ମୋର ଧ୍ୟାନର ବସ୍ତୁ ହୋଇଗଲେ ।

 

ସୁକାନ୍ତ ଥିଲେ ବପୁମନ୍ତ, ଗୋରା । ନାକତଳେ ଗଜରା ନିଶ ତାଙ୍କୁ ବେଶ୍‌ ମାନେ । ତାଙ୍କ ଆଖିରେ ସର୍ବଦା ନୂତନ ସୂର୍ଯ୍ୟର ଆଭା । ପୋଷାକ ସମ୍ୱନ୍ଧରେ ସେ ଥିଲେ ସଚେତନ । ବାସ୍ତବିକ ଏକ ଆଦର୍ଶ ହାକିମ । ଉପରିସ୍ଥ ହାକିମମାନେ ତାଙ୍କୁ ପୋଷା କୁକୁର ପରି ଭଲପାନ୍ତି ଏବଂ ନିମ୍ନସ୍ଥ କର୍ମଚାରୀମାନେ ତାଙ୍କୁ ଯମପରି ଭୟ କରନ୍ତି । ତାଙ୍କ ଲେଖାରେ କେବଳ ଥାଏ ଫାଇନ୍‌, ସସପେନ୍‌ସନ୍‌, ଡିସଚାର୍ଜ ପ୍ରଭୃତି କେତେକ ଭୟାବହ ଜିନିଷ । ସେଥିପାଇଁ ସେ ବହୁତ କିଛି ଭେଟି ପାନ୍ତି । ସହଜେ ପର୍‌ମିସିଭ୍‌ ସୋସାଇଟିର ଲୋକ । ଏମାନଙ୍କୁ ଆୟତ୍ତ କରିବା ପାଇଁ ଲଗାମ ନ ଥାଏ । ତାଙ୍କ କଲମର ବଜ୍ରଲେପ ଅନେକଥର ନରମେଧ ଯଜ୍ଞ କରିଛି ବୋଲି ଶୁଣାଯାଏ । ଆଗପଛ କିଛି ନ ଭାବି ଯେ ଅନେକ କଥା କର୍ତ୍ତବ୍ୟ କଲାପରି କରିଯାଏ ବାସ୍ତବିକ ସେ ଆଦର୍ଶ ହାକିମ ।

 

ସୁଦାନ୍ତ ହେଉଛନ୍ତି ଆଦର୍ଶ ନେତା । ନୀ ଧାତୁର ତୃ ଅର୍ଥାତ୍‌ ନେଇକରି ତୃ ବା ତରକରି ଚାଲିଯାଆନ୍ତି । ସେ ସର୍ବଦା ପ୍ରସାରିତ ପାଣି । ମାତ୍ର ଆଶ୍ଚର୍ଯ୍ୟ କଥା ଯେତେ ନେଲେ ବି ତାଙ୍କ ପେଟ ପୂରେନା । ପାଟିଟା କିନ୍ତୁ ଭାରି ଟାଣ । ସୁଦାନ୍ତଙ୍କର ସବୁ ବକ୍ତୃତାରେ ପ୍ରାୟ ସମାନ ବିଷୟବସ୍ତୁ ଥାଏ । ସେ ଗର୍ଜନ କରି କହନ୍ତି, ଅତ୍ୟାଚାରୀକୁ ଟାଣିଆଣ, ରାସ୍ତା ଉପରେ ଫାଶୀ ଦିଅ, ତା’ଘର ବାଡ଼ି ଲୁଟ୍‌ କର ଓ ସମ୍ପତ୍ତିକୁ ଧୂଳିସାତ୍‌ କରିଦିଅ । ସୁଦାନ୍ତ କେତେକ ପ୍ରାଚୀନ କ୍ରୂଡ଼୍‌ ପଦ୍ଧତିର ପକ୍ଷପାତୀ । ସେ ବକ୍ତୃତାରେ କହନ୍ତି, ସେ ବଦମାସ ଦେହରୁ ଛାଲ ଉତାରିଦିଅ, ତା’ ହାତଗୋଡ଼ କାଟି କୁଆ କୁକୁରକୁ ଖାଇବାକୁ ଦିଅ, ତା’ ମାଇକିନାକୁ ବେଜିତ କର, ଏହ କହୁକହୁ ସେ କାନ୍ଦପକାଏ । ଧାର ଧାର ହୋଇ ଲୁହ ବହିଯାଏ । ଜନସାଧାରଣଙ୍କ ଦୁଃଖ ଦେଖି ସେ କାନ୍ଦୁଛି ବୋଲି ବୁଝାଏ । ସେ କାନ୍ଦୁଥିବାବେଳେ ଅନେକ ଥର ଫଟୋ ମଧ୍ୟ ନିଆଯାଇଅଛି ।

 

ସୁଶାନ୍ତ କିନ୍ତୁ ଏକ ଆଦର୍ଶ ମୂଲିଆ । ବେଳେ ବେଳେ ସେ ଆଦର୍ଶ ଚାଷୀ ମଧ୍ୟ । ଶ୍ରମିକର ପରିଶ୍ରମ କିପରି ହେବା ଉଚିତ ତାହା ସେ ପ୍ରମାଣ ସ୍ୱରୂପ ନିଜ କାମରେ ଦେଖାଇଦିଏ । ମାଲିକର ଅନୁପସ୍ଥିତିରେ କିପରି ବସିବସି ବିଡ଼ି ଟାଣିବାକୁ ହେବ, ଘରକଥା ଓ ସୁଖଦୁଃଖ ହୋଇ ଆଠଘଣ୍ଟାରୁ ଚାରିଘଣ୍ଟା ବିଭିନ୍ନ ପ୍ରକାର ଚିତ୍ତବିନୋଦନରେ କଟିବ, ମର୍ଦ୍ଦ କୁଲିମାନଙ୍କ ସହିତ କାମ କରୁଥିବା ନାରୀ କୁଲିମାନଙ୍କ ସହିତ କିପରି ଥଟ୍ଟା କରିବାକୁ ହେବ, ଏହା ସେ ନିଜ କର୍ମ ସମୟ ଭିତରେ ଦେଖାଇଦିଏ । କୋଠ କାମ କଲାବେଳେ କିପରି ଇଟାକୁ କିଛି ସମୟ ଆଉଁସିବାକୁ ପଡ଼ିବ, ମାଟି ବୋହିଲାବେଳେ କିପରି ଘଣ୍ଟାକ ଭିତରେ ଆଠ ଦଶଥର ବସିଯିବାକୁ ପଡ଼ିବ ଏହା ପ୍ରତ୍ୟେକ ଶ୍ରମିକର ଶିଖିବା ଉଚିତ ବୋଲି ସୁଶାନ୍ତ କହେ । ଶ୍ରମିକମାନେ ଶୋଭାଯାତ୍ରା କଲାବେଳେ ସେ ଆଗରେ ପତାକା ଧରି ଚାଲେ ଓ ପାଟିକରି କମ୍ପାଏ । ଆଶ୍ଚର୍ଯ୍ୟ କଥା ସେ କେବେହେଲେ ଶ୍ରମିକ ନେତା ହେବାକୁ ଚେଷ୍ଟା କରିନାହିଁ । ଶ୍ରମିକ ହୋଇ ରହି ସମଗ୍ର ବିଶ୍ୱର ସହାନୁଭୂତି ପାଇବାକୁ ତା’ର ସବୁବେଳେ ଇଚ୍ଛା ।

 

ସୁଦାନ୍ତ ଶ୍ରମିକ ନେତା ଥିବାରୁ ସଭାସମିତିରେ ଢେଲା ମରାମରି କରେନା । ତାହା ତଳିଆ କର୍ମଚାରୀମାନଙ୍କ କାମ । ମାତ୍ର ସେ ସମସ୍ତଙ୍କ ସେବକ ବୋଲି କହି ବୁଲୁଥିଲେ ମଧ୍ୟ ସମସ୍ତଙ୍କ ଉପରେ ହାକିମ ବୋଲି ମନେ ମନେ ଖୁସି ହେଉଥାଏ । ତା’ ଭାର୍ଯ୍ୟା ଓ ଅନ୍ୟମାନେ ଏକଥା ପ୍ରଚାର କରନ୍ତି । ଅବଶ୍ୟ ସେ କାହାଠାରୁ ପ୍ରକାଶ୍ୟରେ ଚାନ୍ଦା ନିଏନା । କାରଣ ଲାଞ୍ଚ ନେବା ଘୋର ଅପରାଧ ବୋଲି ତା’ର ମତ ।

 

ଖାଇବାକୁ ନ ପାଇ ଅବହେଳିତ ହୋଇ ପଡ଼ିରହିଛି ବୋଲି ଦେଖାଇବା ପାଇଁ ସୁଶାନ୍ତ କାମ କଲାବେଳେ କେବଳ କୁନ୍ଥାଏ । ମାଟିକୁ ଆଉଁସି ଦେଲାବେଳେ କହେ, ଆହା, ମୋର ପ୍ରିୟ ମାଟି । ତୋତେ କେତେ ବାଧା ହେଉ ନ ଥିବ । ବହୁ କଷ୍ଟରେ ମାଟି ବୋଝକୁ ମୁଣ୍ଡକୁ ନିଏ ଓ ଧୀରେ ପାହୁଲ ପକାଏ । ସାରା ଦେଶର ଲୋକେ ଓ ନେତାମାନେ ଯେତେବେଳେ ଶ୍ରମିକର ହୀନଅବସ୍ଥା ଉପରେ ବକ୍ତୃତା ଦେଉଛନ୍ତି, ସେତେବେଳେ ସେ ଅମଣିଆ ବଳଦ ପରି ବିଲରେ ଶୋଇବା ଦରକାର । ଘଣ୍ଟାଏ କାମ ପରେ ଅଧଘଣ୍ଟାଏ ବିଶ୍ରାମ ତା’ର ଜନ୍ମଗତ ଅଧିକାର ।

 

ହଠାତ୍‌ ଦିନେ ଦେଖିଲା ବେଳକୁ ଏ ତିନିଜଣ ଯାକ ଗୋଟିଏ ପ୍ଲାଟଫର୍ମରେ ଜୁଟି ଯାଇଛନ୍ତି । ସୁକାନ୍ତ ପାଟିରେ ଧଳା ଚରୁଟ୍‌, ସୁଦାନ୍ତ ପାଟିରେ ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି । ସୁଶାନ୍ତ କିନ୍ତୁ ବିଡ଼ି ଟାଣୁଥାଏ । ଦେଶ କିପରି ଉଠିବ, ଏ ତିନିଜଣ ସେଥିପାଇଁ ମହା ଚିନ୍ତିତ ।

 

ସୁଶାନ୍ତ କହିଲା ଦେଶକୁ ଉଠାଇବାକୁ ଗଲେ ଏହି ବା, ଗାଣ୍ଡୁଆ ଓ ଖଣତି ସାହାଯ୍ୟରେ ଉଠାଇବାକୁ ପଡ଼ିବ । ସୁକାନ୍ତ କହିଲା ସେଥିପାଇଁ ଦରକାର ଚାବୁକ, ମାତ୍ର ସୁଦାନ୍ତ ଠେଙ୍ଗା ସପକ୍ଷରେ ମତ ଦେଲା । ସୁକାନ୍ତ କହିଲା, ଏ ଦେଶରୁ ଏବେ ବି ଓଲାଗନ୍ଧ ଛାଡ଼ିନାହିଁ । ଏ ଦେଶଲୋକେ ଏବେ ବି ପ୍ୟାଣ୍ଟ ପିନ୍ଧି ଶିଖି ନାହାନ୍ତି । ସିନେମାକୁ ଏକ ଅତ୍ୟାବଶ୍ୟକ ଶିଳ୍ପ ବୋଲି ମନେକରି ମୂଲିଆଣୀମାନେ ଏବେ ବି ସରକାରଙ୍କୁ ଦରଖାସ୍ତ କରୁନାହାନ୍ତି । ଯେଉଁ ଦେଶରେ କଂସାଏ ପଖାଳ ଓ କଞ୍ଚାଲଙ୍କା ଏବେ ବି ଆଦର୍ଶ ସେ ଦେଶଟା ଉଠିବ କିପରି । ସେଥିପାଇଁ ଆବଶ୍ୟକ ଚାବୁକ । ମାତ୍ର ସୁଦାନ୍ତ କହିଲା, ଆମ ଶ୍ରମିକ ସଂଗଠନରେ ଠିକ୍‌ ହୋଇଛି, ଠେଙ୍ଗା ହେଉଛି ଏଯୁଗର ଆଦର୍ଶ ପ୍ରତୀକ । ପିସ୍ତଲ ଓ ଚାବୁକର ଯୁଗ ଚାଲିଗଲା । ହିଂସାତ୍ମକ ପିସ୍ତଲ ବଦଳରେ ହିଂସା ଠେଙ୍ଗାହିଁ ଏ ଯୁଗର ଉପଯୁକ୍ତ ଜବାବ । ଏପରିକି ମହାତ୍ମା ଗାନ୍ଧୀ ନିଜେ ଗଲାବେଳେ ଗୋଟିଏ ଠେଙ୍ଗାଧରି ଚାଲୁଥିଲେ । ବାଉଁଶ ତଡ଼ା ବା ଠେଙ୍ଗା ମଧ୍ୟ ପ୍ରକାରଭେଦରେ ଓ ସ୍ଥଳଭେଦରେ ବିଭିନ୍ନ ପ୍ରକାର । ବାଉଁଶଠେଙ୍ଗା ହାତ ତିଆରି ଓ ଦେଶୀ ହୋଇଥିବାରୁ ଦେଶୀୟ ଆନ୍ଦୋଳନର ଏହା ଏକ ସଙ୍କେତ । ବିଦେଶୀ କିଳା ସିନା ଆମକୁ କାଟୁଥିଲା, ଦେଶୀ କିଳା କାଟିବାର କାରଣ କଣ । ଯାହାକୁ ଏହା କାଟୁଛି, ସେ ଯଥାର୍ଥରେ ଦେଶୀ ଜାତୀୟବାଦୀ ନୁହେଁ । ସେଇଥିପାଇଁ ତ ଆଜିକାଲି କିଳାପୋତେଇଟା ଦୋଷାବହ ବୋଲି ଧରାଯାଉନାହିଁ । କୌଣସି ଧର୍ମଶାସ୍ତ୍ର ମଧ୍ୟ ଠେଙ୍ଗା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିନାହାନ୍ତି । ସେଥିଲାଗି ଏଥର ଆମ ଦଳ ନିର୍ବାଚନରେ ଠେଙ୍ଗା ବା କିଳାକୁ ନିର୍ବାଚନର ସଙ୍କେତ କରିବେ ବୋଲି ସ୍ଥିର କରିଛନ୍ତି ।

 

ମାତ୍ର ସୁଶାନ୍ତ କହିଲା ଠେଙ୍ଗା ବା ପିସ୍ତଲ ଅତ୍ୟାଚାରର ପ୍ରତୀକ । ଟୋକେଇ ଓ ପାଛିଆ ଶ୍ରମିକର ଚିହ୍ନ । ଆମର ଆଦର୍ଶ ହେଉଛି ତୈଳ ଶୋଧନାଗାର । ଅର୍ଥାତ୍‌ ତୈଳ କାରବାର ଅହିଂସା ମାର୍ଗରେ ସୁଗମ ଭାବରେ କାର୍ଯ୍ୟ ହାସଲ କରିବାର ସର୍ବୋତ୍କୃଷ୍ଟା ପନ୍ଥା । ତାହା ଫେଲ ମାଇଲେ ଶୋଧନାଗାର ଫିଟିବ । ଅର୍ଥାତ୍‌ ଶୋଧା ଭରଣ ପଇସାଟିଏ ହୋଇଯିବ । ଟୋକେଇ ପାଛିଆ ଦ୍ୱାରା ଆମେ ଜଗତକୁ ଦେଖାଇଦେଉ ଯେ, କିଛି ନଦେଇ ମଧ୍ୟ ଆମେ ସବୁକିଛି ରୁଣ୍ଡେଇ ପୁଣ୍ଡେଇ ନେଇଯିବାକୁ ଚାହୁଁ ।

 

ଆମଦଳ ନେତାମାନଙ୍କ ଦରଦ ସହାନୁଭୂତି ଯୋଗୁଁ ନୁହେଁ । ଆମେ ଆମ ଦେଶର ଜନସଂଖ୍ୟାରୁ ଏକ ବିଶିଷ୍ଟ ଅଂଶ ହୋଇଥିବାରୁ, ଆମକୁ ଛାଡ଼ିଦେଲେ ନିର୍ବାଚନରେ ଜିତିବାର ଆଶା ମୋଟେ ସମ୍ଭବ ନୁହେଁ ବୋଲି ଜାଣିଥିବାରୁ ଆମକୁ ସମସ୍ତେ ତୈଳ ପ୍ରଦାନ କରୁଛନ୍ତି । ତା’ ନହେଲେ ବିଷାକ୍ତ ଖାଦ୍ୟ ଯୋଗୁଁ ଲକ୍ଷ ଲକ୍ଷ ଶିଶୁ ମରୁଥିବା ବେଳେ ଆମେ ଆମ କାମରେ ଯେତେ ଠକିଲେ ମଧ୍ୟ ଭଲକରି କାମକର ବୋଲି କୌଣସି ନେତା ଏ ପର୍ଯ୍ୟନ୍ତ କହିବାକୁ ସାହସ କରିଛି କି-? ବରଂ ଆମେ କାମ ହାସଲପାଇଁ ତୈଳ ପିମ୍ପାକୁ ବନ୍ଦକରି ଶୋଧନାଗାର ଖୋଲିଦେଲେ ମଧ୍ୟ ସହାନୁଭୂତି ପାଉଁ ।

 

ସୁକାନ୍ତ କହିଲେ ସେସବୁ ଠିକ୍‌ କଥା, ମାତ୍ର ପ୍ରକୃତ ଶାସନ ଆମ ହାତରେ । ସବୁ ହିସାବତକ ଆମ ଖାତାରେ । କେଉଁ ଅଞ୍ଚଳରେ କେତେ ଆମ୍ୱଗଛ ବା ଚାକୁଣ୍ଡା ଗଛ ଅଛି, ବଢ଼ିରେ କେତେ ଦୁବ ଗଛ ଧୋଇ ହୋଇଗଲା, ତାହା ଆମ ଛଡ଼ା ଆଉ କିଏ କହିବ ? ମୁଁ ହେଲି ଚିତ୍ରଗୁପ୍ତଙ୍କ ବଂଶଧର । ସବୁକଥା ଫାଇଲରେ ଲିପିବଦ୍ଧ କରି ରଖିଲେ, ମଝିରେ ମଝିରେ ଖଣ୍ଡେ ଲେଖାଏଁ ହିସାବ ଛାଡ଼ିଦେବାକୁ ସୁବିଧା ହୁଏ । ଏପରି କି ପବନ ଘଣ୍ଟାକୁ କେତେ ମାଇଲ ବେଗରେ ବହିଲେ କେତୋଟି ବରଗଛ ପୂରା ଉପୁଡ଼ିଯିବ ଓ କେତୋଟି ଅଧା ଉପୁଡ଼ା ହୋଇ ରହିବ ତାହା କହିବାକୁ ଆମକୁ ପାଞ୍ଚ ମିନିଟ୍‌ ଲାଗିବ ନାହିଁ । ଦିନ, ମିନିଟ୍‌, ଘଣ୍ଟା, ମାଇଲ, ଗଜ, ଫୁଟ ଓ ଟଙ୍କା ଅଣା ପଇସା ପର୍ଯ୍ୟନ୍ତ ସବୁ ହିସାବ ଆମ ହାତେ ହାତେ । ବାସ୍ତବିକ ଯେ କୌଣସି ସରକାରୀ ହାକିମ କେବଳ ବକ୍ତୃତାରେ ସବୁ କହି ନ ପାରେ । ଯଦି କହିବ ତେବେ କାଗଜ କଲମରେ ତାକୁ କହିବାକୁ ହେବ । ନଈବଢ଼ିରେ ଏ ବର୍ଷ କେତେ ମରିବେ ତାର ହିସାବ ଯଦି ମାସକ ପୂର୍ବରୁ ଆମେ ଠିକ୍‌ କରି ନଥିବୁ ତେବେ ଠିକ୍‌ ସମୟରେ ଖବର କାଗଜରେ ତାହ ବାହାରି ପାରିବ କି ? ଆମେ ଇଚ୍ଛା କଲେ ଶହେ ରାଉଣ୍ଡ ଗୁଳି ଫାଏର କଲେବି କେହି ଜଣେ ହେଲେ ପୁଲିସ ଗୁଳିରେ ମରିବେ ନାହିଁ । ତେବେ ମରିବାଟା କାହା ଉପରେ ନିର୍ଭର କରୁଛି ଏଇଥିରୁ ବୁଝ । ତୁମେ ଜାଣ ପ୍ରତିବର୍ଷ ପୋକ ଲାଗିବ ଓ ଉତ୍ପାଦନ କମିବ । ତଥାପି କେତେ ବଳିବ କେତେ ସେଥି ମଧ୍ୟରୁ ରପ୍ତାନି କରାଯିବ ସେ ଭାର ଆମ ଉପରେ । ପରିସ୍ଥିତି ଆୟତ୍ତାଧୀନ ଅଛି ବୋଲି ଆମ ବିନା ସାହାଯ୍ୟରେ ମନ୍ତ୍ରୀମାନେ କହିପାରିବେ କି ? ଏତେ କାଢ଼ ଅଛି ସେମାନଙ୍କର ? ପୋଲିସମାନଙ୍କୁ, ଅତ୍ୟାଚାରୀମାନଙ୍କୁ ଉପଦେଶ ଦେବା କଣ କୌଣସି ନେତା ପକ୍ଷରେ ସମ୍ଭବ ? ଦୂର୍ନୀତି ବରଦାସ୍ତ କରାଯିବ ନାହିଁ । ବଢ଼ି ମରୁଡ଼ିକୁ ଦେଶରୁ ଉଠାଇ ଦିଆଯିବ । ଶିଳ୍ପ ଦୃଷ୍ଟିରୁ ଏ ଦେଶ ଆମେରିକା ଓ ରୁଷିଆକୁ ଟପି ସାରିଲାଣି ଇତ୍ୟାଦି କଥା ଆମ ବିନା ସାହାଯ୍ୟରେ ମନ୍ତ୍ରୀମାନେ କହିପାରିବେ ନାହିଁ ।

 

ବାସ୍ତବିକ ସମସ୍ତଙ୍କ କଥାତ ଠିକ୍‌ ଜଣାପଡ଼ୁଛି । ସୁକାନ୍ତ, ସୁଶାନ୍ତ ଓ ସୁଦାନ୍ତ ପରସ୍ପରକୁ ଅନାଇ ରହିଲେ । ହାରିଯିବାକୁ କେହି ମଧ୍ୟ ପ୍ରସ୍ତୁତ ନୁହନ୍ତି । କଣ କରାଯିବ ? ଏ ଦେଶରେ ତେବେ ବିପ୍ଲବ ଚାଲିବ କିପରି । ତିନି ଶ୍ରେଣୀର ଲୋକେ ଯଦି ସମସ୍ତେ ଆଦର୍ଶ କଥା କହନ୍ତି ତେବେ ଲୋକେ କାହା କଥା ଶୁଣିବେ ? ଏ ତିନି ନେତା ଦେଶମାତୃକାର ତିନି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତହୁଁ ସ୍ଥିର ହେଲା ସମସ୍ତେ ସମସ୍ତଙ୍କ ଦିଗରେ ଆଗେଇ ଯିବେ । ଏହାଦ୍ୱାରା ଖବର କାଗଜର ଗଣ୍ଡି ବଢ଼ିଚାଲିବ । ବିବୃତି, ଦାବି, ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ସବୁ ମଧ୍ୟ ଚାଲିବ । ଏକାବେଳକେ ଏ ଦେଶଟା ଓଭର ଅଏଲିଂ ହୋଇଯିବ । ଏହାପରେ ଆସିଯିବ ସମ୍ପୂର୍ଣ୍ଣ ବିପ୍ଲବ । ତିନି ଗୋଷ୍ଠୀ ପରସ୍ପରବିରୋଧୀ ହେଲେ ମଧ ସମ୍ପୂର୍ଣ୍ଣ ବିପ୍ଲବ ଦୃଷ୍ଟିରୁ ସମସ୍ତେ ପରସ୍ପରର ପରିପୂରକ ।

 

ଏହାପରେ ଦେଶର ପ୍ରଗତି ବଢ଼ିଚାଲିଲା । ଆଦର୍ଶ ଶ୍ରମିକ, ଆଦର୍ଶ ନେତା ଓ ଆଦର୍ଶ ଅଫିସର ଭାବରେ ସୁଶାନ୍ତ, ସୁଦାନ୍ତ ଓ ସୁକାନ୍ତ, ଆଦର୍ଶମାନ ସାରା ଦେଶରେ ବୁଣିବାକୁ ଲାଗିଲେ, ଆଦର୍ଶମାନେ । କାନ୍ଥାବାଡ଼ରେ ଛାପି ହୋଇଗଲେ । ପିଲାମାନଙ୍କ ଉପରକୁ ଏହା ବିଶେଷ ଭାବେ ଡେଇଁଲା । ପିଲାମାନେ ଏମାନଙ୍କ ଦେଖାଦେଖି ଛାତ୍ର ସଙ୍ଗଠନମାନ ଗଢ଼ିବାକୁ ଲାଗିଲେ । ସେମାନଙ୍କ ଧ୍ୱନି ହେଲା । ଅର୍ଥାତ୍‌ ସବୁ କାମରେ ହେଳା କରିବା ହିଁ ପ୍ରଗତିବାଦୀ ଓ ଜାତୀୟବାଦୀ ବ୍ୟକ୍ତିର ଲକ୍ଷଣ ବୋଲି ଧରାଗଲା । ଏକଥା ସଭାସମିତିମାନେ କରି କୁହାଗଲା । ନେତାଳିଆ ଲୋକମାନେ ମଧ୍ୟ ଏଥିରେ ଯତ୍ପରୋନାସ୍ତି ସାହାଯ୍ୟ କଲେ । ଫଳରେ ଦେଖାଗଲା ଛାତ୍ରମାନେ ସେମାନଙ୍କ ପଢ଼ାପଢ଼ିରେ ହେଳା କରୁଛନ୍ତି । ଶିକ୍ଷକମାନେ ଠିକ୍‌ ସମୟରେ କ୍ଲାସକୁ ଆସୁ ନାହାନ୍ତି । କର୍ମଚାରୀମାନେ ଫାଇଲ କାମ ଅତି କୁଣ୍ଠାର ସହିତ କରୁଛନ୍ତି । ହାକିମମାନେ ଦସ୍ତଖତଟାଏ କରିବାକୁ ମଧ୍ୟ କୁନ୍ତୁ କୁନ୍ତୁ ହେଉଛନ୍ତି । ଡାକ୍ତରମାନେ ଅପରେସନ କଲାବେଳେ ରୋଗ ହୋଇଥିବା ଅଂଶରୁ ଅଧେ କାଟି ଆଉ ଅଧେ କାଟିବାକୁ ନାରାଜ ହେଉଛନ୍ତି । ଇଞ୍ଜିନିୟରମାନେ ବଡ଼ ବଡ଼ ମେସିନକୁ ଆଗରେ ଥୋଇ ହାଇମାରୁଛନ୍ତି । ଅଫିସରମାନଙ୍କରେ ଫାଇଲର ଗତି ମନ୍ଥରରୁ ମନ୍ଥରତର ହେଉଛି । ସମସ୍ତେ ନିଦ ମଳମଳ, ସମସ୍ତଙ୍କ ଆଖିକୁ ତନ୍ଦ୍ରା ଘାରିରହିଛି ।

 

ଚାଷୀମାନେ ଚାଷକାମ ଛାଡ଼ି ଅଫିସରେ ପିଅନ ହେବାକୁ ବେଶୀ ପସନ୍ଦ କରୁଛନ୍ତି । କାରଣ ସେ କାମରେ ଧୂଳିମଳି ନାହିଁ, ସେଠି ଇସ୍ତ୍ରିକରା ପ୍ୟାଣ୍ଟସାର୍ଟ ପିନ୍ଧିହେଉଛି । ମୁହଁରେ ସ୍ନୋ ପାଉଡ଼ର ବୋଳି ହେବାକୁ ଟାଇମ୍‌ ମିଳୁଛି । ପିଅନର କିନ୍ତୁ କିରାଣୀ ହେବାର ଇଚ୍ଛା । କିରାଣୀ ଅଫିସର ଚୌକିକୁ ଚାହିଁବସିଛି । କେହି ନିଜ ଆଡ଼କୁ ଚାହିଁବାକୁ ପ୍ରସ୍ତୁତ ନୁହନ୍ତି ।

 

ସୁକାନ୍ତ, ସୁଦାନ୍ତ ଓ ସୁଶାନ୍ତ ମନେ ମନେ ଖୁସି ହେଲେ । ସେମାନଙ୍କ କଳ୍ପିତ ସମ୍ପୂର୍ଣ୍ଣ ବିପ୍ଲବ ଆଜି ରୂପ ଗ୍ରହଣ କରିବାକୁ ଯାଉଛି । ଏହା କଣ କମ୍‌ ଆଶ୍ୱାସନାର କଥା ।

 

ଏହାପରେ ଥୋଡ଼ାଏ ହେଲେ ପଥର ଓ ଆଉ ଥୋଡ଼ାଏ ହେଲେ ବାଚାଳ । କାହାର ପାଟି ଓ ହାତ ଗୋଡ଼ ଅତ୍ୟଧିକ ହଲିଲା ବେଳେ ଥୋଡ଼ାଏ ଅଚଳ ହୋଇଗଲେ । ଜୀବନର ମୂଲ୍ୟ ହେଲା ଏକ ନୂଆପଇସା ମାତ୍ର । ରକ୍ତ ପାଣି ଦରରେ ବିକ୍ରି ହେଲା । ମୁଣ୍ଡଟା ବେଜାୟ କାମକଲା । ହୃଦୟଟା କାହିଁ କୁଆଡ଼େ ଫାଁୟ କରି ଉଡ଼ିଗଲା । ଜୟ ପ୍ରକାଶଜୀଙ୍କ କଳ୍ପିତ ସଂପୂର୍ଣ୍ଣ ବିପ୍ଲବ ଆରମ୍ଭ ହେଲା ପୂର୍ବରୁ ଏ ତିନି ନେତାଙ୍କ ପ୍ରଯୋଜିତ ବିପ୍ଲବ ସଂପୂର୍ଣ୍ଣତା ଲାଭକଲା । ଜୟପ୍ରକାଶ ମୁଣ୍ଡରେ ହାତଦେଇ ବସିଛନ୍ତି । ପ୍ରଗତି ଘୋଡ଼ା ଉପରେ ବସି ଦେଶଟା ଆଗେଇ ଚାଲିଛି । ଆଗରେ ସମୁଦ୍ର-

Image